Latest Odisha News

BREAKING NEWS

ତାତିରେ ଛଟପଟ ଓଡ଼ିଶା, ଆହୁରି ସପ୍ତାହେ ଗ୍ରୀଷ୍ମ ଲହରି

ଭୁବନେଶ୍ୱର: ରାଜ୍ୟରେ ସାଂଘାତିକ ତାତି। ହୁତ୍ ହୁତ୍ ହୋଇ ଜଳୁଛି ସାରା ଓଡ଼ିଶା। ତାତିରେ ଛଟପଟ ରାଜ୍ୟବାସୀ। ପଶ୍ଚିମ ଓଡ଼ିଶାରେ ତାତି ବିସ୍ଫୋରଣ ଭଳି ଜ୍ୱାଳା। ବହୁଛ ତତଲା ପବନ। ଅସହ୍ୟ କରୁଛି ଏହି ଗ୍ରୀଷ୍ମ ଲହରି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୨୫ ତାରିଖ ଯାଏଁ ତାତିରୁ ନିସ୍ତାର ନାହିଁ। ଝାରସୁଗୁଡ଼ା, ସମ୍ବଲପୁର ବଲାଙ୍ଗୀର ଓ ନୟାଗଡ଼ ଜିଲ୍ଲାରେ ତାତିର ସ୍ଥିତି ଭୟଙ୍କର ରହିବ। ଏଣୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଏହି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ଏଥିସହ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ବରଗଡ଼, ଅନୁଗୁଳ, ସୋନପୁର, ବୌଦ୍ଧ ଓ ସୁନ୍ଦରଗଡ଼ରେ ବି ଗ୍ରୀଷ୍ମ ଲହରି ଯୋଗୁଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସମ୍ବଲପୁର ଓ ବଲାଙ୍ଗୀରରେ ରାତିରେ ବି ତାତିରୁ ନିସ୍ତାର ନାହିଁ। ବାଲେଶ୍ବର, ଜଗତସିଂହପୁର, କଟକ, ଦେବଗଡ଼, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧାରେ ଗରମ ଓ ଗୁଳୁଗୁଳି ସ୍ଥିତିକୁ ନେଇ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତା ୨୫ ତାରିଖ ଯାଏଁ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଆଗାମୀ ଦୁଇ ସପ୍ତାହ ପାଇଁ ଜାରି ହୋଇଥିବା ବିସ୍ତାରିତ ପୂର୍ବାନୁମାନ କହୁଛି, ଗରମ ଓ ଗୁଳୁଗୁଳି ପ୍ରକୋପ ୨୭ ପର୍ଯ୍ୟନ୍ତ ଛଟପଟ କରିବ । ସେପର୍ଯ୍ୟନ୍ତ ବିଶେଷ ବଡ଼ ଧରଣର ବର୍ଷା କିମ୍ବା ଆଶ୍ୱସ୍ତି ସମ୍ଭାବନା କମ୍ । ହେଲେ ପରବର୍ତ୍ତୀ ସପ୍ତାହ ବେଳକୁ (ମେ’ ୨୯ରୁ ଜୁନ୍ ୪) ରାଜ୍ୟରେ ବର୍ଷା ଆଶ୍ୱସ୍ତି ଆଣିପାରେ । ଆସନ୍ତା ୨୮-୨୯ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର (ଆଣ୍ଡାମାନ ସାଗର) ନିକଟରେ ଏକ ଘୂର୍ଣ୍ଣିବଳୟ/ଲଘୁଚାପ ସୃଷ୍ଟି ହୋଇପାରେ। ଏହାର ଗତି ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ରହିବା ସମ୍ଭାବନା ଅଛି। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ସୂଚନାନୁସାରେ, ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗରୁ ଗରମ ଓ ଶୁଷ୍କ ପବନ ଓଡ଼ିଶାକୁ ବହିବା ଫଳରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଶୁଷ୍କ ଓ ଗରମ ପଶ୍ଚିମା ପବନ ଆହୁରି କିଛି ଦିନ ବହିବାର ଆଶଙ୍କା ରହିଥିବାରୁ ସର୍ବାଧିକ ତାପମାତ୍ରା ୪୩ରୁ ୪୫ ଡିଗ୍ରୀ ମଧ୍ୟରେ ରହିପାରେ। କେତେକ ସ୍ଥାନରେ ୪୫ ଡିଗ୍ରୀ ଉପରକୁ ଯାଇପାରେ ବୋଲି ଡ. ପଶୁପାଳକ କହିଛନ୍ତି।

Leave A Reply

Your email address will not be published.