Latest Odisha News

ପ୍ରକୃତି ପାଇଁ ଆଇନର ଶାସନ ଓ ନ୍ୟାୟିକ ପ୍ରକ୍ରିୟା

ପ୍ରକୃତି ପାଇଁ ଆଇନର ଶାସନ ଓ ନ୍ୟାୟିକ ପ୍ରକ୍ରିୟା

ବିଭୁ ପ୍ରସାଦ ତ୍ରିପାଠୀ

ସାମୁଦ୍ରିକ ଝଡ ‘ଫଣୀ’ ଗ୍ରୀଷ୍ମଋତୁରେ ଓଡ଼ିଶାରେ ତାର ଯେଉଁ ତାଣ୍ଡବଲୀଳା ଦେଖାଇଲା, ତାର ପ୍ରଭାବରେ ଆଜି ରାଜ୍ୟରେ ଚଉଦଟି ଜିଲ୍ଲା ଵିଧ୍ଵଂସ| ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର, ସରକାରୀ କଳର ସହାୟତାରେ ରିଲିଫ ଵ୍ୟଵସ୍ଥା ଓ ପୁନରୁଦ୍ଧାର କାର୍ଯ୍ୟରେ ବ୍ୟସ୍ତ | ଜଣେ ଆଇନଜୀବୀ ଭାବେ ଏଭଳି ସାମୁଦ୍ରିକ ଝଡ଼କୁ ଭିନ୍ନ ଦୃଷ୍ଟିଭଙ୍ଗୀରେ ଦେଖିବା ଲାଗି ରାଜ୍ୟର ସମସ୍ତ ରାଜନୈତିକ ଦଳ, ପ୍ରଶାସନିକ ଅଧିକାରୀ, ଗୋଷ୍ଠିସମୂହ ଲାଗି କାର୍ଯ୍ୟ କରୁଥିବା ବେସରକାରୀ ଅନୁଷ୍ଠାନ, ଶିଳ୍ପପତି, ନ୍ୟାୟପାଳିକାର ବିଚାରପତି ଓ ଆଇନଜୀବୀମାନେ ବିଚାରବିମର୍ଶ ତର୍କବିତର୍କ ଓ ଗଣଚିନ୍ତନ କରିବାର ନିତାନ୍ତ ଆବଶ୍ୟକତା ଅଛି ବୋଲି ଅନୁଭବ କରୁଛି | କୋଡିଏ ବର୍ଷ ତଳର ମହାବାତ୍ୟା ଆମକୁ ମନେ ପକେଇ ଦେଇଥିଲା, ଆମେ ପ୍ରକୃତିକୁ ରକ୍ଷା ନକଲେ, ପ୍ରକୃତି ଆମକୁ ରକ୍ଷା କରିବ ନାହିଁ | ଏବେ କୋଡିଏ ବର୍ଷ ପରେ ପୁଣି ଦିଗହରା ହୋଇ ଚାଲିଥିବା ଆମ ବିକାଶର ଵ୍ୟଵସ୍ଥା, ‘ଫଣୀ’ ପାଇଁ ଆମ ସମସ୍ତଙ୍କୁ ଆହୁରି ଜଟିଳ ପ୍ରଶ୍ନ ପଚାରିଛି |

ଜଣେ ବ୍ୟକ୍ତି ଅନ୍ୟାୟ, ଅନୀତି, ଅତ୍ୟାଚାର ଓ ଶୋଷଣର ଶିକାର ହେଲେ ପ୍ରଚଳିତ ଆଇନର ଶାସନ ଵ୍ୟଵସ୍ଥାରେ ସୃଷ୍ଟି ହୋଇଥିବା ଅନୁଷ୍ଠାନଗୁଡିକ ନିକଟରେ ଆବେଦନ କରିଥାଏ | ନ୍ୟାୟପାଳିକାରେ ମକଦ୍ଦମା କରି ଯଦି ନ୍ୟାୟ ପାଇବାରେ ବିଫଳ ହୁଏ, ତେବେ ଆଇନ ଓ ଶାସନ ବ୍ୟବସ୍ଥାକୁ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଅହରହ ଦୋଷ ଦେଇଥାଏ | ଠିକ ସେହି ଭଳି ଆମ ପାଣି, ପବନ, ଜଙ୍ଗଲ, ସମୁଦ୍ର ଓ ନଦୀ ଯେଉଁମାନେ ଆମକୁ ଜୀବନ ଦେଇଛନ୍ତି, ସେମାନେ ଯଦି ସମ ପରିମାଣର ସମ୍ମାନ, ମର୍ଯ୍ୟାଦା ନପାଇ ଶୋଷଣ ଅନ୍ୟାୟ ଅତ୍ୟାଚାରର ଶିକାର ହୁଅନ୍ତି, ତେବେ ସେମାନଙ୍କ ପାଇଁ ଆଇନର ଶାସନ ଓ ନ୍ୟାୟିକ ପ୍ରକ୍ରିୟା କେତେ ସରଳ, ସାବଲୀଳ, ଶକ୍ତିଶାଳୀ ଓ ସେଭଳି ପ୍ରକ୍ରିୟାକୁ ଆମେ କେତେ ଅଗ୍ରାଧିକାର ଭିତ୍ତିରେ ସମ୍ମାନ ଜଣାଉଛେ ସେ ସମ୍ପର୍କରେ ଆତ୍ମନିରୀକ୍ଷଣ କରିବାର ସମୟ ଆସିଛି | ଯେଉଁ ସବୁ ପ୍ରାକୃତିକ ସମ୍ପଦ ସର୍ବସାଧାରଣଙ୍କ ଉଦେଶ୍ୟରେ ପ୍ରକୃତିର ଅବଦାନ ବୋଲି ଆମେ ବିଦ୍ୟାଳୟରେ ବହୁବର୍ଷ ତଳେ ଅଧ୍ୟୟନ କରିଥିଲେ ସେହି ପ୍ରାକୃତିକ ସମ୍ପଦଗୁଡିକୁ ଆମେ ଆମର ବ୍ୟକ୍ତିଗତ ସମ୍ପଦ ବୋଲି ବିବେଚନା କରିଛେ | ରାଷ୍ଟ୍ର ମଧ୍ୟ ଏହି ପ୍ରାକୃତିକ ସମ୍ପଦର ତତ୍ୱାବଧାରକ ଧାରକ ଥିଲା ବେଳେ ଏବେ ନିଜକୁ ମାଲିକ ବୋଲି ଭାବି ନେଇଛନ୍ତି | ଭୋଗବାଦୀ ଅର୍ଥସର୍ବସ୍ୱ ଖାଉଟି ସମାଜ ବ୍ୟବସ୍ଥାରେ ମୁଁ, ମୋ ଘର, ମୋ ପରିବାର ମଧ୍ୟରେ ଆମେ ସମସ୍ତେ ପୃଥିବୀର ପରିବେଶର ପରିକଳ୍ପନା କରି ବସିଛେ | ପରିବେଶର ନିରନ୍ତର ଓ ଦୀର୍ଘସ୍ଥାୟୀ ବ୍ୟବହାର ପାଇଁ ପ୍ରକୃତିର ସୁରକ୍ଷା ବଦଳରେ ବଜାରିକରଣ ନିଶା ଆମକୁ ବର୍ତ୍ତମାନର ଲାଭ ପାଇଁ ବିନାଶ ପ୍ରକ୍ରିୟାଟିକୁ ଆପଣେଇବାରେ ସହାୟତା ପ୍ରଦାନ କରିଛି |

ଆମ ଗାଁରେ ଥିବା ନଦୀଟି ବଂଚିଛି କି ? ଏହାର ପ୍ରାକୃତିକ ଜୀବନ ରକ୍ଷା କରିବା ଲାଗି ଆମେ କୌଣସି ଉଦ୍ୟମ ଆରମ୍ଭ କରିଛେ କି ? ଜଳ ପ୍ରବାହକୁ ପ୍ରଦୂଷଣ ମୁକ୍ତ ନ କରି ଏହାର ପ୍ରବାହର ସ୍ତରକୁ ଠିକ ନ ରଖି ନଦୀ ଜଳର ଅପର୍ଯ୍ୟାପ୍ତ ଶୋଷଣକୁ ବନ୍ଦ ନ କରି କେବଳ ନଦୀ ବନ୍ଧର ସୌନ୍ଦର୍ଯ୍ୟକରଣ ଓ ବ୍ୟବସାୟିକ ଉପଯୋଗ କରିବା ପାଇଁ ରାଜ୍ୟମାନଙ୍କ ମଧ୍ୟରେ ପ୍ରତିଦ୍ଵନ୍ଦିତା ଆରମ୍ଭ ହୋଇଛି | ଆମ ଦେଶର ରାଜନେତା ମାନେ ନିର୍ବାଚନ ପ୍ରଚାରରେ ସେମାନଙ୍କ ରାଜ୍ୟର ନଦୀ ଜଳ ବିବାଦ ପ୍ରସଙ୍ଗ ସମ୍ପର୍କରେ ଭେରୀ ତୁରୀ କାହାଳୀ ବଜେଇବାରେ ପାରଙ୍ଗମତା ଦେଖାନ୍ତି | ନଦୀ ଜଳର ପ୍ରବାହକୁ ରୋକି କିମ୍ବା ପ୍ରବାହର ଧାରା ବଦଳାଇ ହୋଟେଲ ଶିଳ୍ପକୁ ବୃଦ୍ଧି କରିବା ପାଇଁ ରାଜନେତାମାନେ ପ୍ରୋତ୍ସାହନ ଦେବାର ଉଦାହରଣ ମଧ୍ୟ ଆମ ନିକଟରେ କମ ନାହିଁ |

ଗୋଷ୍ଠି ଜଙ୍ଗଲ ସମ୍ବଳର ସୁରକ୍ଷା, ସଂରକ୍ଷଣ ଓ ପରିଚାଳନା ଯୋଜନାକୁ ଆମେ ଏପର୍ଯ୍ୟନ୍ତ ଗଣତାନ୍ତ୍ରିକ କରିବା ଲାଗି କୌଣସି ଉଦ୍ୟମ କରିପାରି ନାହାନ୍ତି| ଗୋଷ୍ଠି ଜଙ୍ଗଲ ପରିଚାଳନା କ୍ଷେତ୍ରରେ ଗ୍ରାମ ସଭାକୁ ପ୍ରଦତ୍ତ କ୍ଷମତା ଦାୟିତ୍ୱ ସ୍ୱାଧୀନତା ତଥା ଅଧିକାରର ସୁରକ୍ଷା ସର୍ବୋପରି ଜୈବ ବିବିଧତା ଓ ପ୍ରାକୃତିକ ସମ୍ବଳର ସୁରକ୍ଷା ପ୍ରସଙ୍ଗକୁ ଆମେ ଏବେ ବି ଅଣଦେଖା କରିବାର ନଜିର ରହିଛି |

ସମୁଦ୍ର ତଟବର୍ତ୍ତୀ ଉପକୂଳବର୍ତ୍ତୀ ଅଂଚଳରେ ଯେଉଁ ପରିମାଣରେ ବିନା ଯୋଜନାରେ ବିକାଶ ଚାଲିଛି, ହୋଟେଲ ଓ ଶିଳ୍ପାନୁଷ୍ଠାନ ଗୁଡ଼ିକରୁ ନିର୍ଗତ ପ୍ରଦୂଷିତ ଜଳ ଯେଭଳି ସମୁଦ୍ରରେ ମିଶୁଛନ୍ତି ସେଥିପାଇଁ ଆମ କାହାରି ନିଘା ନାହିଁ | ଆମ ପରିବେଶ ଆଇନ ଗୁଡିକୁ ବିକାଶୋନ୍ମୁଖୀ କରିବା ଲାଗି ଆମେ କେବଳ ଏହାକୁ ଆଇନ ପୁସ୍ତକ ମଧ୍ୟରେ ସୀମିତ ରଖିଛୁ | ଯେଉଁ ସମ୍ପଦର ପୁନଃ ସୃଷ୍ଟି ସମ୍ଭବ ନୁହେଁ, ଯାହାର ସୀମିତ ବ୍ୟବହାର ହେବାକଥା, ସେଗୁଡିକର ଅଯଥା କିମ୍ବା ଅପବ୍ୟବହାର କରାଯାଉଛି |

ଆମ ଉପଭୋଗର ମାତ୍ରା ଧରିତ୍ରୀର ସହ୍ୟ ଶକ୍ତିଠାରୁ ଅଧିକ | ପ୍ରାକୃତିକ ସମ୍ପଦଗୁଡିକ ଯେ ଅସୀମ ସମ୍ପଦ ନୁହେଁ ଏଭଳି ବିଚାରଧାରାରୁ ଆମେ କେହି ଏପର୍ଯ୍ୟନ୍ତ ମୁକ୍ତି ହୋଇପାରିନାହୁଁ | ଅଧିକ ଉପଭୋଗପ୍ରବଣତା ମଣିଷକୁ ପ୍ରକୃତିର ଶତ୍ରୁରେ ରୂପାନ୍ତରିତ କରିସାରିଛି | ଶକ୍ତି ବ୍ୟବହାର କ୍ଷେତ୍ରରେ ସଂଯମହୀନତା ହେତୁ ପୃଥିବୀର ବାୟୁମଣ୍ଡଳ ପ୍ରଦୂଷିତ ଓ ଉତ୍ତପ୍ତ ହୋଇ ଚାଲିଛି | ବୃକ୍ଷରାଜିର ନଷ୍ଟ ପେଟ୍ରୋଲ କୋଇଲାର ଅପବ୍ୟବହାର ବାୟୁ ମଣ୍ଡଳକୁ ପ୍ରବେଶ କରୁଥିବା ଅଙ୍ଗାରକାମ୍ଳ ଗ୍ୟାସ ଆକାଶର ଓଜନ ସ୍ତରକୁ କଣା କରି ଚାଲିଛି | ସବୁଠାରୁ ବଡ ବିପଦ ଜାଗତିକ ଉଷ୍ମତା ଓ ସମ୍ପଦହୀନତାକୁ ଆମେ ମୁକାବୁଲା କରିବା ପାଇଁ କୌଣସି ରାସ୍ତା ବା ବିକଳ୍ପ ପାଇଁ ଚିନ୍ତା ମଧ୍ୟ କରୁନାହାନ୍ତି |

ପ୍ରକୃତି ଓ ପରିବେଶ ପାଇଁ ମାମଲା ପରିଚାଳନା କରିବା ପାଇଁ ଆଇନଜୀବୀ ଓ ପରିବେଶ ସମାଜକର୍ମୀଙ୍କର ସଂଖ୍ୟା ମଧ୍ୟ ହ୍ରାସ ପାଇଛି | ପରିବେଶର ସୁରକ୍ଷା ପାଇଁ ଆଇନର ଚଉହଦି ମଧ୍ୟରେ ପ୍ରଗତିଶୀଳ ରାୟ ପ୍ରଦାନ ଲାଗି ଇଚ୍ଛା କରୁଥିବା ବିଚାରପତିମାନଙ୍କ ସଂଖ୍ୟା ମଧ୍ୟ ହାତ ଗଣତି ସ୍ତରରେ ପହଂଚିଛି | ନ୍ୟାୟପାଳିକାରେ ଏହିସବୁ ମାମଲା ଶୁଣାଣୀ ଲାଗି କାହାରି ଯେପରି ଆଗ୍ରହ ନାହିଁ | ପରିବେଶ ଆଇନକୁ ବ୍ୟବହାର କରିଥିବା ଆଇନଜୀବୀମାନଙ୍କୁ ପରିବେଶ ସନ୍ତ୍ରାସବାଦୀ ବୋଲି ମଧ୍ୟ ଆମେ କହିବାକୁ କୁଣ୍ଠାବୋଧ କରୁନାହାନ୍ତି | ପରିବେଶ ସମ୍ପର୍କରେ ତଥ୍ୟ ପ୍ରଦାନ କରିବାଲାଗି ଆମ କାର୍ଯ୍ୟପାଳିକାର ଦାୟିତ୍ୱରେ ଥିବା ଅଧିକାରୀମାନେ ନିଜ ସମ୍ପତ୍ତିର ଅଂଶ ଦେବା ବେଳେ ଯେଭଳି କୁଣ୍ଠାବୋଧ କରିଥାଏ ତାହାଠାରୁ ଅଧିକ କୁଣ୍ଠାବୋଧ କରନ୍ତି |

ଅର୍ଥନୈତିକ ବିକାଶ ଓ ପରିବେଶ ମଧ୍ୟରେ ସନ୍ତୁଳନ ରକ୍ଷା ପାଇଁ ନାୟିକ ବ୍ୟବସ୍ଥାରେ ଆମେ ଯେଉଁ ସବୁ କାର୍ଯ୍ୟ ଯଥା ସନ୍ତୁଳିତ ବିକାଶ, ପରିବେଶ ପ୍ରତିଷେଧକ ମୂଳକ ଵ୍ୟଵସ୍ଥା ନୀତିର ଅବଧାରଣା ବିଭିନ୍ନ ରାୟରେ ଉଲ୍ଲେଖ କରିଛେ ସେସବୁ ତତ୍ୱ ଗୁଡିକ ପରିବେଶ ସମ୍ପର୍କିତ ବିବାଦର ସମାଧାନ ବେଳେ ଅନେକ ବିଚାରପତି ମଧ୍ୟ ନକାରାତ୍ମକ ଦୃଷ୍ଟିରେ ଦେଖିଥାନ୍ତି | ଯେଉଁମାନଙ୍କ ହାତରେ ପରିବେଶର ସୁରକ୍ଷା ଦାୟିତ୍ୱ ନ୍ୟସ୍ତ କରାଯାଉଛି ସେହି ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ଗୁଡିକୁ ଦୁର୍ବଳ କରିବାର ମାନସିକତା ଆମ ରାଜନୈତିକ ବଡ଼ପଣ୍ଡାମାନଙ୍କ ନିକଟରେ ମହଜୁଦ ରହିଛି | ପ୍ରକୃତିର ସୁରକ୍ଷାକୁ ଜଳାଞ୍ଜଳି ଦେଇ ଆମ ସହରରେ ଆମ ଗାଁରେ ଗଢି ଉଠୁଥିବା ବିଭିନ୍ନ ଶିଳ୍ପାନୁଷ୍ଠାନ ତଥାକଥିତ ବିକାଶ ଧାରାରେ ଯୋଗ ଦେବା ଘଟଣା ସମୂହ ଆମ ସମସ୍ତଙ୍କ ପାଇଁ ଚିନ୍ତାଜନକ ବିଷୟ |

ଆମ ଗାଁର ବିକାଶର ମଡେଲ ଆମେ ପ୍ରସ୍ତୁତ କରିବା ବଦଳରେ ରାଜ୍ୟ ଓ କେନ୍ଦ୍ର ସରକାର ଏହି ବିକାଶର ସଂଜ୍ଞା ଓ ଢାଞ୍ଚା ନିର୍ଦ୍ଧାରଣ କରନ୍ତି | କିନ୍ତୁ ପ୍ରକୃତି ଦ୍ୱାରା ମଣିଷ ବଂଚିଛି ଓ ପ୍ରକୃତିର ଧ୍ୱଂସ ମଣିଷ ପାଇଁ ବିପଦଜନକ ଏଭଳି ତତ୍ଵକୁ ଆମେ ଉପଲବ୍ଧି କରିବାକୁ ପଡିବ | ପ୍ରତିବାଦହୀନ ନୀରବତା ଗଣତନ୍ତ୍ର ପାଇଁ ସହମତିର ସଂକେତ | ଏଣୁ ଏହି ଦୃଷ୍ଟିରୁ ପରିବେଶ ପାଇଁ ଆମ ବିକାଶର ବିଚାରଧାରା ଓ ଢାଞ୍ଚାକୁ ଗ୍ରାମ ସ୍ତରରୁ ବଦଳାଇବାକୁ ପଡିବ | ଏଥିପାଇଁ ରଣନୀତି ଏବେଠାରୁ ପ୍ରସ୍ତୁତ ନକଲେ ଆହୁରି କେତେ ‘ଫଣୀ’ ଆହୁରି କରାଳରୂପ ନେଇ ମାଡି ଆସିବ ଏଥିରେ କୌଣସି ସନ୍ଦେହ ନାହିଁ |
…………………..
ଆଇନଜୀବୀ, ଓଡିଶା ହାଇକୋର୍ଟ,
ସଭ୍ୟ, ରାଜ୍ୟ ଆଇନଜୀବୀ ପରିଷଦ, ଓଡିଶା
ଦୂରଭାଷ: ୯୪୩୭୦୧୨୪୬୦

Leave A Reply

Your email address will not be published.