ନୂଆଦିଲ୍ଲୀ: କକରୋଚ୍ ଜନତା ପାର୍ଟି (ସିଜେପି) ର ପ୍ରତିଷ୍ଠାତା ଅଭିଜିତ ଦିପକେ ଏକ ଦେଶବ୍ୟାପୀ ଜନସମ୍ପର୍କ ଅଭିଯାନର ଘୋଷଣା କରିଛନ୍ତି। ଆସନ୍ତା ସେପ୍ଟେମ୍ବର ମାସରୁ ଆରମ୍ଭ ହେବାକୁ ଥିବା ଏହି ଅଭିଯାନର ନାମ ‘କ୍ୟା ବୋଲ୍ତି ପବ୍ଲିକ୍’ (Kya Bolti Public) ରଖାଯାଇଛି। ସାଧାରଣ ଜନତା ଏବଂ ବିଶେଷ କରି ଯୁବବର୍ଗଙ୍କ ସମସ୍ୟା, ଆକାଂକ୍ଷା ଏବଂ ସେମାନଙ୍କ ଦାବିକୁ ବୁଝିବା ତଥା ତାହାକୁ ଜାତୀୟ ସ୍ତରରେ ଉପସ୍ଥାପନ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ବୋଲି ସେ ସ୍ପଷ୍ଟ କରିଛନ୍ତି।
ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗରଠାରେ ଦୁଇ ଦିନ ଧରି ଚାଲିଥିବା ସିଜେପିର କୋର ଟିମ୍ ବୈଠକ ଶେଷ ହେବା ପରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଅଭିଜିତ ଏହି ଘୋଷଣା କରିଛନ୍ତି। ନିକଟରେ ଦିଲ୍ଲୀର ଜନ୍ତରମନ୍ତରଠାରେ Gen Z ଯୁବବର୍ଗଙ୍କ ଐତିହାସିକ ଆନ୍ଦୋଳନର ନେତୃତ୍ୱ ନେଇ ଦେଶବ୍ୟାପୀ ଚର୍ଚ୍ଚାକୁ ଆସିଥିଲେ ଅଭିଜିତ। ଉଲ୍ଲେଖଯୋଗ୍ୟ ଯେ, ଏହି ଆନ୍ଦୋଳନର ଚାପରେ ହିଁ ତତ୍କାଳୀନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ତେବେ ସିଜେପି ତୁରନ୍ତ ନିର୍ବାଚନୀ ରାଜନୀତିରେ ପ୍ରବେଶ କରିବ ନାହିଁ, ବରଂ ଏହା ଦେଶରେ ଏକ ଶକ୍ତିଶାଳୀ ‘ଚାପଗୋଷ୍ଠୀ’ ଭାବରେ ସରକାରୀ ବ୍ୟବସ୍ଥା ଉପରେ ଚାପ ପକାଇବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଏହି ଅଭିଯାନର ପ୍ରଥମ ପ୍ରସଙ୍ଗ ହେବ ଶିକ୍ଷା ବ୍ୟବସ୍ଥାରେ ସୁଧାର। ଅଭିଜିତ କହିଛନ୍ତି ଯେ, ଆଜିକାଲି ଦେଶରେ ଶିକ୍ଷା ଏକ ବେପାରରେ ପରିଣତ ହୋଇଛି। ପ୍ରଥମ ଶ୍ରେଣୀର ପିଲାଙ୍କ ପାଇଁ ବାର୍ଷିକ ଫି’ ୧ ଲକ୍ଷରୁ ୨ ଲକ୍ଷ ଟଙ୍କା ମଧ୍ୟରେ ରହୁଥିବା ବେଳେ ଏହା ସାଧାରଣ ପରିବାର ପାଇଁ ଅସମ୍ଭବ ହୋଇପଡ଼ିଛି। ଫଳରେ ପିଲାଙ୍କୁ ଉଚ୍ଚଶିକ୍ଷା ଦେବା ପାଇଁ ଅଭିଭାବକମାନେ ଋଣଯନ୍ତାରେ ପଡ଼ୁଛନ୍ତି। ଡ. ବି.ଆର୍ ଆମ୍ବେଦକରଙ୍କ ମତରେ ଶିକ୍ଷା ସମସ୍ତଙ୍କର ମୌଳିକ ଅଧିକାର, କିନ୍ତୁ ବିଗତ କିଛି ବର୍ଷ ହେବ ଏହା କେବଳ ଲାଭ କମାଇବାର ଏକ ବ୍ୟବସାୟ ପାଲଟିଯାଇଛି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି।
ଶିକ୍ଷା ବ୍ୟତୀତ ବେରୋଜଗାରୀକୁ ଏକ ପ୍ରମୁଖ ଜାତୀୟ ପ୍ରସଙ୍ଗ କରିବାକୁ ସିଜେପି ଲକ୍ଷ୍ୟ ରଖିଛି। ଦିପକେ କହିଛନ୍ତି, “ଦେଶର ୬୫ ପ୍ରତିଶତ ଜନସଂଖ୍ୟା ୩୫ ବର୍ଷରୁ କମ୍, ତଥାପି ସରକାର ସେମାନଙ୍କ ସମସ୍ୟା ପ୍ରତି ଧ୍ୟାନ ଦେଉନାହାନ୍ତି। ଡିଗ୍ରୀ ହାସଲ କରିବା ପରେ ମଧ୍ୟ ପ୍ରାୟ ୮୦ ପ୍ରତିଶତ ଯୁବକ ବେରୋଜଗାର ହୋଇ ବସିଛନ୍ତି। କୌଣସି ଯୁବକର ସ୍ୱପ୍ନ ସ୍ୱିଗି (Swiggy) ଡେଲିଭରୀ ବୟ ହେବା ନୁହେଁ, କିନ୍ତୁ ବାଧ୍ୟବାଧକତାରେ ସେମାନଙ୍କୁ ଏହା କରିବାକୁ ପଡ଼ୁଛି।” ସରକାର ଆଉ ଏହି ଭୟଙ୍କର ନିଯୁକ୍ତି ସମସ୍ୟାକୁ ଅଣଦେଖା କରିପାରିବେ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି।
କେବଳ ନିଟ୍ ଦୁର୍ନୀତି ନୁହେଁ, ବରଂ ବର୍ତ୍ତମାନର ସମ୍ପୂର୍ଣ୍ଣ ବ୍ୟବସ୍ଥା ବିରୋଧରେ ଜନତାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି ବୋଲି ଜନ୍ତରମନ୍ତର ଆନ୍ଦୋଳନ ପ୍ରମାଣ କରିଥିଲା। ବର୍ତ୍ତମାନ ଦେଶରେ ନ୍ୟାୟପାଳିକା, ନିର୍ବାଚନ ଆୟୋଗ ଏବଂ ଗଣମାଧ୍ୟମ ଭଳି ଗଣତାନ୍ତ୍ରିକ ଅନୁଷ୍ଠାନ ଉପରୁ ଲୋକଙ୍କର ବିଶ୍ୱାସ ହ୍ରାସ ପାଉଛି ବୋଲି ସିଜେପି ମୁଖ୍ୟ ଅଭିଯୋଗ କରିଛନ୍ତି। ସାଧାରଣ ଲୋକ ନ୍ୟାୟ ପାଇଁ କୋର୍ଟରେ ତାରିଖ ପରେ ତାରିଖ ପାଉଥିବା ବେଳେ ବଡ଼ ବ୍ୟବସାୟୀ ଏବଂ ରାଜନେତାଙ୍କ ମାମଲାର ତୁରନ୍ତ ଶୁଣାଣି ହେଉଛି ବୋଲି ସେ କହିଛନ୍ତି।
ଶେଷରେ ଦିପକେ ସ୍ପଷ୍ଟ କରିଛନ୍ତି ଯେ, ସିଜେପି ଏକ ଧର୍ମନିରପେକ୍ଷ ଏବଂ ଗଣତାନ୍ତ୍ରିକ ସଂଗଠନ, ଯାହାକି ମହାତ୍ମା ଗାନ୍ଧୀଙ୍କ ଅହିଂସା, ଡ. ଆମ୍ବେଦକରଙ୍କ ସାମାଜିକ ନ୍ୟାୟ ଏବଂ ଜବାହରଲାଲ ନେହେରୁଙ୍କ ଆଧୁନିକ ଭାରତର ସ୍ୱପ୍ନକୁ ନିଜର ଆଦର୍ଶ ମାନି ଆଗକୁ ବଢ଼ିବ।