Latest Odisha News

BREAKING NEWS

ପ୍ରଶ୍ନପତ୍ର ଲିକ୍‍ ଓ ସମାଧାନ

 ପଲିଟିକସ ଫଲିଟିକସ 

ପ୍ରଶ୍ନପତ୍ର ଲିକ୍‍ ଓ ସମାଧାନ

ଜ୍ୟୋତି ପ୍ରକାଶ ମହାପାତ୍ର

ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ବେଶ ବିବାଦରେ ରହିଥିଲା । ବାରବାର ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ପରୀକ୍ଷା ପରିଚାଳନା କରୁଥିବା ମାଟ୍ରିକ ବୋର୍ଡ ଏହାକୁ ସବୁବେଳେ ଅସ୍ୱୀକାର କଲା । କୌଣସି ଠୋସ ପଦକ୍ଷେପ ନେଲା ନାହିଁ । ଫଳରେ ପରୀକ୍ଷା ବ୍ୟବସ୍ଥା ଯେମିତି ପ୍ରହସନ ହୋଇଗଲା ।

କିନ୍ତୁ ଅସଲରେ କାରଣ କଣ, ତାହା କେହି ଖୋଜୁ ନାହାନ୍ତି । ଶିକ୍ଷା ବିଭାଗ ନିଜେ ସେଇ କାରଣକୁ ଭଲ ଭାବେ ଜାଣିଛି । ତଥାପି ଜାଣି ଅଜଣା ରହିବାର ଭଲ ଅଭିନୟ କରୁଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ସମୟରେ ପ୍ରଶ୍ନପତ୍ର ବାରମ୍ବାର ଲିକ୍‍ ହେଲା । ଗଣମାଧ୍ୟମରେ ତାହା ‘ଭାଇରାଲ’ ବୋଲି ପ୍ରକାଶିତ ଓ ପ୍ରସାରିତ ହେଲା । ମାଧ୍ୟମିକ ଶିକ୍ଷା ବୋଡର଼୍ ଏହାକୁ ଆଦୌ ଗ୍ରହଣ କଲା ନାହିଁ । ପ୍ରତିଦିନ ପ୍ରଶ୍ନପତ୍ର ଲିକ୍‍ ହେବା ପରେ ବୋର୍ଡ ଅଧ୍ୟକ୍ଷା ଗଣମାଧ୍ୟମକୁ ଏକାକଥା କହୁଥିଲେ- ଏ ପ୍ରଶ୍ନପତ୍ର ଆମ ପ୍ରଶ୍ନପତ୍ର ସହିତ ମେଳ ଖାଉନାହିଁ । କିନ୍ତୁ ସଂଜକୁ ପୁଣି ଲିକ୍‍ କଥା ସଫା ହୋଇ ଯାଉଥିଲା ।

ପ୍ରଶ୍ନପତ୍ର ଥରେ ଲିକ୍‍ ହେବା ପାପ ଓ ସବୁଠାରୁ ବଡ଼ ଅପରାଧ । କିନ୍ତୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଲିକ୍‍ ଭୂତ ଯେମିତି ମାଟ୍ରିକ ବୋର୍ଡ ପିଛା ଛାଡ଼ିଲା ନାହିଁ । ସେଥିରେ ଶିକ୍ଷକମାନଙ୍କୁ ନିଲମ୍ବିତ କରାଗଲା । ସେମାନଙ୍କ ବିରୋଧରେ ଏତଲା ଦିଆଗଲା । କିନ୍ତୁ ସବୁଦାୟ ବ୍ୟବସ୍ଥାକୁ ତ୍ରୁଟିଶୂନ୍ୟ କରିବା ପାଇଁ କିଛି ପଦକ୍ଷେପ ନିଆଗଲା କି? କୌଣସି ଦୀର୍ଘମିଆଦୀ ପଦକ୍ଷେପ ନିଆଗଲା କି? ପ୍ରଶ୍ନପତ୍ରରେ ବାରକୋଡ଼୍‍ ରହିବ ବୋଲି ବିଭାଗ ପକ୍ଷରୁ କୁହାଗଲା । କିନ୍ତୁ ତାହା ତ ଆଦୌ ସମାଧାନର ରାସ୍ତା ନୁହେଁ ।

ତେଣୁ କଣ କରାଗଲେ ଏ ଅସୁବିଧା ଆଉ ହେବନାହିଁ ତା ଉପରେ ଗୁରୁତ୍ୱ ଦେବା କଥା । କିନ୍ତୁ ଗଣଶିକ୍ଷା ବିଭାଗ ଓ ମାଟ୍ରିକ ବୋର୍ଡ ଏ ଦିଗରେ ବେଫିକର । ନହେଲେ ପ୍ରତି ବର୍ଷ ଦି’ ବର୍ଷରେ ଥରେ ରାଜ୍ୟରେ ପ୍ରଶ୍ନପତ୍ର ଲିକକୁ ନେଇ ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଅଭାବନୀୟ ମାନସିକ ଦୁଶ୍ଚିନ୍ତା ଭିତରେ ରହନ୍ତେ ନାହିଁ । ଯେଉଁମାନେ ପରୀକ୍ଷା ପରିଚାଳନାରେ ରହୁଛନ୍ତି- ସେମାନଙ୍କ ପାଇଁ ପ୍ରଶ୍ନପତ୍ର ଲିକ ସତେ ଯେମିତି ଆଉ ଗୋଟାଏ ଅଲଗା ପ୍ରସଙ୍ଗ ହୋଇ ଯାଉଛି । ହଁ ଏହା ତ ଘଟୁଛି । ଏ ବର୍ଷଟା ଚାଲିଗଲେ ଆରବର୍ଷକୁ ଦେଖିବା ଭାବି ସେମାନେ ଆରାମରେ ସମୟ କାଟି ଦେଉଛନ୍ତି । ଏ ଲିକ ଦ୍ୱାରା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଉପରେ କଣ ପ୍ରଭାବ ପଡ଼ୁଛି ସେକଥା ସେମାନେ ଆଦୌ ଆକଳନ କରିପାରୁ ନାହାନ୍ତି ।

ତେଣୁ ଲିକ ରୋକିବା ପାଇଁ କଣ କରିବା ଦରକାର ?

ପ୍ରଥମରେ- ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ ସଂପୂର୍ଣ୍ଣ ବାରଣ କରାଯାଉ । ଯଦି ମୋବାଇଲ ମିଳିଲା, ତେବେ କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ ନିଲମ୍ବିତ ହେବେ । ବିଇଓ (ବ୍ଲକ ଶିକ୍ଷା ଅଧିକାରୀ) ଓ ଡିଇଓ (ଜିଲ୍ଲା ଶିକ୍ଷା ଅଧିକାରୀ)ଙ୍କ ଦରମା ତତ୍କାଳ ବନ୍ଦ କରାଯାଉ । ପ୍ରଶ୍ନ ଉଠିବ ଯେ- ବିଇଓ ଓ ଡିଇଓଙ୍କ ଦରମା କାହିଁକି ବନ୍ଦ ହେବ ? ଉତ୍ତର- ନହେବ କାହିଁକି? ବନ୍ଦ ହେଲେ ହିଁ ସେମାନେ ଡରିବେ । ଡରିଲେ ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ ବାଧ୍ୟ ହେବେ ।

ଦ୍ୱିତୀୟ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା- ପ୍ରଶ୍ନପତ୍ର ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ ବା ପ୍ରଧାନଶିକ୍ଷକଙ୍କ ଅଫିସ ରୁମରେ ଆଉ ଖୋଲା ନଯାଉ । ପ୍ରଶ୍ନପତ୍ର ସିଧା ପରୀକ୍ଷା ହଲକୁ ଯାଉ ଓ ସେଠାରେ ଖୋଲାଯାଉ । ଦୁଇ ଜଣ ଶିକ୍ଷକ ଓ ଦୁଇ ଜଣ ଛାତ୍ର ସେଥିରେ ଦସ୍ତଖତ କରନ୍ତୁ । ସେମାନେ କୁହନ୍ତୁ ଯେ- ତାଙ୍କ ସାମ୍ନାରେ ପ୍ରଶ୍ନପତ୍ର ଠିକଣା ବାଗରେ ଖୋଲା ଯାଇଛି । ପରୀକ୍ଷା ହଲ ଭିତରକୁ ତ ମୋବାଇଲ ଯାଉନଥିବ । ତେଣୁ ସେଠାରୁ ଫଟୋ ଉଠାଇ ଲିକ କରିବା କିମ୍ବା ଭାଇରାଲ କରିବା ବେଶ କଷ୍ଟକର ହୋଇ ପଡ଼ିବ । ସବୁ ସ୍କୁଲରେ ଏହି ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଉ ।

ତୃତୀୟରେ- ଗୋଟିଏ ସ୍କୁଲରେ ଅନ୍ୟ ଏକ ଦୂରନ୍ତ ସ୍କୁଲର ଶିକ୍ଷକଙ୍କୁ ଇନଭିଜିଲେଟର ଭାବେ ଭାବେ ରଖାଯାଉ । ସେ ଯିବା ଆସିବା ପାଇଁ ତାଙ୍କୁ ଉପଯୁକ୍ତ ଗସ୍ତ ଖର୍ଚ୍ଚ ଓ ସୁବିଧା ଦିଆଯାଉ । ପ୍ରତି ସିଟିଂରେ କିନ୍ତୁ ତାଙ୍କୁ ବଦଳାଇ ଦିଆଯାଉ । ଏ ବ୍ୟବସ୍ଥା ଯଦିଓ ଚାଲିଛି, କିନ୍ତୁ ପାଖ ସ୍କୁଲ ଶିକ୍ଷକ ହିଁ ସାଧାରଣତଃ ଭାବେ ଆସୁଛନ୍ତି । ତାହା ବନ୍ଦ ହେଉ । ଦୂର ସ୍କୁଲ ଶିକ୍ଷକଙ୍କୁ ଅଣାଯାଉ । ଅଲଗା ବ୍ଳକରୁ ଆସିଲେ ଭଲ ।

ଚତୁର୍ଥରେ- ପରୀକ୍ଷାକେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ ଭାବେ ଜଣେ ବାହାର ଲୋକଙ୍କୁ ନିଯୁକ୍ତ କରାଯାଉ । ଜିଲ୍ଲାରେ ଥିବା ସରକାରୀ ମହାବିଦ୍ୟାଳୟର ଅଧାପକଙ୍କୁ ଏ କାମ ଦେଲେ ଭଲ ହୁଅନ୍ତା ।

ପାଞ୍ଚରେ- ଜିଲ୍ଲା ପ୍ରଶାସନ ମାଟ୍ରିକ ପରୀକ୍ଷା ପରି ଏକ ବିଶାଳ ଉତ୍ସବରେ ନିଜକୁ ଆଦୌ ସାମିଲ କରୁନି । ବିଭାଗୀୟ ସଚିବ ଗତାନୁଗତିକ ଧାରାରେ ଜିଲ୍ଳାପାଳଙ୍କ ପାଖକୁ ଗୋଟେ ଚିଠି ଲେଖି ଦେଉଛନ୍ତି । ଜିଲ୍ଲାପାଳ ଏଇ କାମ ତହସିଲଦାରଙ୍କ ଉପରେ ଛାଡ଼ି ଖୁସି ହୋଇ ଯାଉଛନ୍ତିି । ତା’ ବଦଳରେ ଜିଲ୍ଲା ପ୍ରଶାସନ ନିର୍ବାଚନ ଆଗରୁ ଯେମିତି ଗୋଟିଏ ତାଲିକା ତିଆରି କରୁଛି- ସେମିତି ତାଲିକା ତିଆରି କରୁ । ଫ୍ଲାଇଂ ସ୍କାଡର଼୍ ଓ ତଦାରଖ ପାଇଁ । ଅଲଗା ବିଭାଗ ଓ ଅଲଗା ପରିଧିର ଲୋକଙ୍କୁ ନିଆଯାଉ । ଯେମିତି ନିର୍ବାଚନରେ ନିଆଯାଉଛି ଠିକ ସେମିତି । ଏ ତାଲିକା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦିଆଯାଉ । ଜିଲ୍ଲା ଶିକ୍ଷା ଅଧିକାରୀ ତାଙ୍କର ଆଗୁଆ ତାଲିମ ବ୍ୟବସ୍ଥା କରନ୍ତୁ ଓ ସେମାନଙ୍କୁ ଠିକ ଭାବେ କାର୍ଯ୍ୟରେ ଲଗାନ୍ତୁ । ଜିଲ୍ଲାପାଳ କିମ୍ବା ଅତିରିକ୍ତ ଜିଲ୍ଲାପାଳ ଏହାର ତଦାରଖ କରନ୍ତୁ ।

ଏସବୁ ସତ୍ୱେ ଯଦି ଲିକ ହେଲା କଣ ହେବ ? ଉତ୍ତର ସିଧା- ମାଟ୍ରିକ ବୋର୍ଡର ପରୀକ୍ଷା ନିୟନ୍ତ୍ରକ ଓ ବୋର୍ଡ ଅଧ୍ୟକ୍ଷଙ୍କୁ ବର୍ଷେ ପାଇଁ ସିଧାସଳଖ ନିଲମ୍ବିତ କରିଦେବ ।

ପ୍ରଶ୍ନ ଉଠିପାରେ ଏମିତି କଣ ଠିକ ? ଓ ଏ କଣ ପାଇଁ ? ଉତ୍ତର- ଏହା ହିଁ ଠିକ । ଏହା ଦରକାର । ସାଢେ ଛଅ ଲକ୍ଷ ପିଲାଙ୍କ ଜୀବନ ସହ ଯେତେବେଳେ ଏମାନେ ଖେଳୁଛନ୍ତି- କେହି ତ ଉତ୍ତରଦାୟୀ ରହିବେ । ନା ଦୋଷ ମାଷ୍ଟ୍ରଙ୍କ ଉପରେ ଲଦି ଦେଇ ସମସ୍ତେ ଖସିଯିବେ ? ଜମା ସେମିତି ଠିକ ନୁହେଁ । ବଡ଼ବଡ଼ିଆମାନେ ଉତ୍ତରଦାୟୀ ହୁଅନ୍ତୁ । ବେଶି କିଛି ଗଣ୍ଡଗୋଳ ହେଲେ- ସଚିବ ନିଜେ ଦାୟିତ୍ୱ ନିଅନ୍ତୁ । କାରଣ- ଠିକ ସମୟରେ ଖାତା ଦେଖା ହୋଇ ପରୀକ୍ଷାଫଳ ବାହାରିଲେ ଶ୍ରେୟ ଏମାନେ ନେଉଛନ୍ତି । ଏମାନେ ଫଟୋ ଉଠାଇ ପରୀକ୍ଷାଫଳ ପୁସ୍ତିକା ପ୍ରକାଶ କରୁଛନ୍ତି । ସକାଳେ ସଫଳତାର ଦିନରେ ଏମାନଙ୍କ ଫଟୋ ଆଗ ଦେଖାଯାଉଛି । ତେଣୁ ଦୋଷ ବି ଏମାନେ ମୁଣ୍ଡେଇବା ଦରକାର ।

ବଡ଼ବଡ଼ିଆ କାହାକୁ ଯେବେଠାରୁ ଉତ୍ତରଦାୟୀ କରିବା ଆରମ୍ଭ କରିଦେବେ, ଦେଖିବେ- ଏହା ଆପେ କମିଯିବ । ବଡ଼ବଡ଼ିଆ ଖାଲି ଟିଭି ସାମ୍ନାରେ ବାଇଟ୍‍ ଦେବେ । ଆଉ ଦାୟିତ୍ୱ ମୁଣ୍ଡାଇବେ ନାହିଁ । ଇଏ କେମିତି କଥା ଯେ!

Leave A Reply

Your email address will not be published.