କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ
ସମାଜରେ ଘଟୁଥିବା ଘଟଣାସମ୍ପର୍କରେ ଖବର ପଢି, ତୁରନ୍ତ ତାର ପ୍ରତିକ୍ରିୟାରେ ଆମର ଲେଖକମାନେ କିଛି ଗୋଟାଏ ଲେଖି ପକାଉଛନ୍ତି। ଏ ପ୍ରକାର ପ୍ରତିକ୍ରିୟା ଉଚ୍ଚାଙ୍ଗ କଳା ବା କବିତା ପାଇଁ ଆବଶ୍ୟକ ନୁହେଁ ବୋଲି କେହି କେହି କହୁଛନ୍ତି। ତେବେ ସାମାଜିକ ବା ରାଜନୈତିକ ପ୍ରତିକ୍ରିୟା ସୃଜନଧର୍ମର ବିରୋଧୀ ବୋଲି କହିବା ପଛରେ ଯୁକ୍ତିଟି କଣ? ଧରନ୍ତୁ, ଉତ୍ତର ପ୍ରଦେଶର ହାଥରସ ଘଟଣାରେ ହିଂସା, ବର୍ବରତା, ଅନ୍ୟାୟ, ରାଜନୈତିକ ଜୁଲମ ଓ ପୁଲିସ ଅତ୍ୟାଚାରର ଯେଉଁ ପ୍ରକାର ଖବର ସବୁ ଆମେ ଶୁଣିଲୁ, ତାକୁ ନେଇ କବିତା ଲେଖିବା, ଏକ ଅପରାଧ କି? କେହି କେହି କହୁଛନ୍ତି, ଏମିତି ଏକ ମାନବୀୟ ସଙ୍କଟକୁ ନେଇ କବିତା ଲେଖିହେବ କେମିତି? ମୋର ପ୍ରଶ୍ନ, ଯଦି ମାନବୀୟ ସଙ୍କଟ ଉପରେ କବିତା ଲେଖା ହେବନାହିଁ, ତା ହେଲେ କାହାକୁ ନେଇ କବିତା ଲେଖାହେବ? ଗୋଟେ ଖବର, ବିଭିନ୍ନ ସୃଜନଶୀଳ ମନରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଏବଂ ପ୍ରତିଫଳନ ସୃଷ୍ଟି କରିବ। କିଏ କ୍ରୋଧିତ ହେବ, କିଏ ବା ବ୍ୟଥିତ ହେବ। କାହାକୁ ଗୋଟେ ଅସହାୟ ଲାଗିପାରେ, ଆଉ କାହାକୁ ଶିଥିଳ କରି ଦେଇପାରେ। ସବୁ ପ୍ରକାର ପ୍ରତିକ୍ରିୟାରେ କିଛି କିଛି ପ୍ରେରଣା ରହିଛି। କିଏ କେମିତି ସେ ପ୍ରେରଣାର ବ୍ୟବହାର କରୁଛି, ତାରି ଉପରେ ସୃଜନର ସାର୍ଥକତା ନିର୍ଭର କରେ। ତୁରନ୍ତ ପ୍ରତିକ୍ରିୟାରୁ ଜନ୍ମ ନେଇଥିବା କବିତା, ଅନେକ ସମୟରେ କାଳଜୟୀ କବିତା ହେବାର ଉଦାହରଣ ରହିଛି। ପ୍ରତିକ୍ରିୟାକୁ ତୀବ୍ର ଅନୁଭବ ଓ ସହାନୁଭୁତି ଭାବେ ରୂପାନ୍ତରିତ କରିପାରିବାର ଦକ୍ଷତା ଅନେକ ଲେଖକଙ୍କର ରହିଥାଏ। ତେଣୁ କେଉଁ ପ୍ରତିକ୍ରିୟାରୁ କି କବିତା ଲେଖାହେବ, ସେ ନିଷ୍ପତ୍ତି କେବଳ କବିର। ଏ ସମ୍ପର୍କରେ କବିକୁ ପ୍ରବଚନ ଶୁଣାଉଥିବା ଲୋକେ, କବିତାର ସବୁଠୁ ବଡ ଶତ୍ରୁ।
କଳାତ୍ମକ ଜୀବନବୋଧ ସବୁବେଳେ ଗଭୀର ତପସ୍ୟା ବା ଚିନ୍ତନରୁ ଆସେନାହିଁ। ଗୋଟେ ଅସଂଯତ ମୁହୂର୍ତ୍ତରେ ଅଚାନକ କବିତାର ସ୍ଫୁରଣ ଘଟିପାରେ। ତେଣୁ ହାଥରସ ର ସେ ଧର୍ଷିତା ଝିଅ ଲାଗି କବିତାଟିଏ ଲେଖି ହୋଇଯିବାରେ କାହାର କି କ୍ଷତି ହେଉଛି? ହଁ, ପାଠକ ଭାବରେ ଆପଣ କହିପାରନ୍ତି, ଏ ସବୁ କବିତା ଉପର ଠାଉରିଆ। ହୁଏତ ଏ ସବୁ କବିତାରେ ପ୍ରତିକ୍ରିୟା ଅଧିକ, ହେଲେ ଅନୁଭୂତି ଗଭୀର ନୁହେଁ। ତେବେ ତାତ୍କାଳୀକ ପ୍ରତିକ୍ରିୟାର ଆଲୋଡନରୁ କିଛି ଚମତ୍କାର କବିତା ମଧ୍ୟ ଲେଖା ହୋଇଛି। ତାର ବଡ ଉଦାହରଣ ଆଧୁନିକ ଓଡିଆ କବିତାର ମହା କବି ସଚ୍ଚି ରାଉତରାୟଙ୍କ “ବାଜି ରାଉତ” କବିତା।
୧୯୩୮ ପ୍ରଜାମଣ୍ଡଳ ଆଂଦୋଳନର ଢେଙ୍କାନାଳ ଗଡଜାତର ବାଜି ରାଉତଙ୍କ କଥା ଆମେ ସମସ୍ତେ ଜାଣିଛୁ। ସ୍ଵାଧୀନତା ଆଂଦୋଳନର କନିଷ୍ଠତମ ଶହୀଦ ବାଜି ରାଉତଙ୍କ ଶବ ପୋଡିବାକୁ ଯାଇଥିବା ଶବବାହକମାନଙ୍କ ଭିତରେ କବି ସଚ୍ଚି ରାଉତରାୟ ଥିଲେ ଅନ୍ୟତମ। କଟକ ଖାନ ନଗର ମଶାଣୀରେ ବାଜି ରାଉତଙ୍କ ସମେତ ଆଉ ସାତ ଜଣ ଶହୀଦଙ୍କ ଚିତା ଜଳୁଥିବା ବେଳେ ସଚ୍ଚି ବାବୁଙ୍କ ମନକୁ ପ୍ରଥମ ପଡେ କବିତା ଆନ୍ଦୋଳିତ କରିଥିଲା-
ନୁହେ ବନ୍ଧୁ, ନୁହେ ଏହା ଚିତା,
ଏ ଦେଶ ତିମିର ତଳେ
ଏ ଅଲିଭା ମୁକତି ସଳିତା ।
ନୁହେଁ ଏହା ଜଳିଯିବା ପାଇଁ
ଏହାର ଜନମ ଏଥି ଜାଳିପୋଡି
ଦବାକୁ ଧସେଇ।
ଏହି ପଦକ କବିତାରୁ ଜନ୍ମ ନେଇଥିଲା, ଅନନ୍ୟ ଦୀର୍ଘ କବିତା “ବାଜି ରାଉତ”। ଏହି କବିତା ଓ ତାର ପୃଷ୍ଠଭୂମିକୁ ନେଇ ସଚ୍ଚି ରାଉତରାୟଙ୍କୁ ଅନେକ ପ୍ରକାର ସମାଲୋଚନା କରାଯାଇଛି। ହେଲେ କବିତା ଭାବରେ “ବାଜି ରାଉତ” ର ଯେଉଁ କଳାତ୍ମକତା, ତାହା ତ ସବୁ ପ୍ରଶ୍ନର ଉର୍ଦ୍ଧ୍ଵରେ।
ଏ କବିତା ଲାଗି କେହି ଯଦି କହିବ ଯେ, ସାତୋଟି ଚିତା ଜଳୁଥିବା ସମୟର ଦାରୁଣ ଦୁଃଖ ବେଳାରେ କବିତା ଲେଖିହେବ କେମିତି? ଆମେ କହିବୁ, କବିଟିଏ ଯଦି କାନ୍ଦିବ ତାହେଲେ କବିତାରେ ଇ କାନ୍ଦିବ। ତାର କ୍ରୋଧ ଏବଂ କରୁଣା, ତାର ଭଲପାଇବା ଏବଂ ଘୃଣା, ତାର ପ୍ରାର୍ଥନା ଓ ଶୃଙ୍ଗାର, କବିତା ମାଧ୍ୟମରେ ହିଁ ଫୁଟିବ। ତେବେ ଭାବକୁ ଫୁଟାଇବାରେ ସେ କେତେ ଦକ୍ଷ, କେତେ କଳାତ୍ମକ, ତାର ଆକଳନ ଆପଣ କରିପାରିବେ। ଆପଣ କହିପାରିବେ ଯେ, ଅମୁକ କବିତାଟିରେ ଉପର ଠାଉରିଆ ପ୍ରତିକ୍ରିୟା ରହିଛି କିମ୍ବା ଏହା କବିତା ନୁହେଁ, କେବଳ ଏକ ଖବର। ହେଲେ ଦୟାକରି ଫତୁଆ ଜାରି କରନ୍ତୁ ନାହିଁ। କବି ତା ନିଜ ସ୍ବାଧିନତାରେ କବିତା ଲେଖୁ।
କବିତାରେ ପ୍ରତିବାଦର ଆଉ ଏକ ସାମାଜିକ ପକ୍ଷ ମଧ୍ୟ ରହିଛି। ଗୋଟେ ସମୟ ଓ ସମାଜର ସାମଗ୍ରିକ ଆକଳନ କେବଳ ଖବର କାଗଜ ବା ଦଲିଲରୁ ହୁଏନାହିଁ। ଅନେକ ସମୟରେ ମଣିଷ ଜାତିର ଇତିହାସ ଲେଖିବାକୁ ଆମକୁ କବିତାର ଆଶ୍ରୟ ନେବାକୁ ପଡିଥାଏ। କବି ନିଜ ସମୟର ଅନ୍ୟତମ ରେକର୍ଡ କିପର ମଧ୍ୟ। ତେବେ ସମୟ ଓ ସମାଜର ନଥି ପ୍ରସ୍ତୁତ କଲାବେଳେ ସେ କି ଭାଷା ଓ ଚିତ୍ରର ପ୍ରୟୋଗ ସେ କରିବ, ସେ ସ୍ଵାଧୀନତା କବିର ରହିଛି। ସେ ଫେସବୁକ ରେ ଯେଉଁ କବିତା ଲେଖିଛି, ତାହା ନିକୃଷ୍ଟ ବା ଉତ୍କୃଷ୍ଟ କବିତା, ସେ ବିବେଚନା ସମୟ କରିବ। ହେଲେ ସେ କବିତା ଯଦି ତା ସମୟର ସାକ୍ଷୀ ଭାବରେ ଠିଆ ହୋଇଛି, ତାକୁ ଅସ୍ଵୀକାର କରିବାର ଅଧିକାର କାହାର ନାହିଁ।
ମନେ ରଖନ୍ତୁ, ରାସ୍ତାରେ ପ୍ଲାକାର୍ଡ ଧରି ପ୍ରତିବାଦ କରିବା, ଜଗତର ଏକମାତ୍ର ପ୍ରତିବାଦ ନୁହେଁ। ନିଜ ଡାଏରୀରେ ଚୁପଚାପ ଲେଖା ହୋଇଥିବା ଧାଡିଏ କବିତା, ପ୍ରତିବାଦର ଆଗ୍ନେୟ ଉଦାହରଣ ହୋଇପାରିବ। ସମୟ ଓ ସମାଜର ସାକ୍ଷୀ ଭାବରେ ଯେଉଁ ସବୁ କବିତା ଲେଖା ହେଉଛି, ସେ ସବୁ ଅବାରିତ ବୋହି ଚାଲନ୍ତୁ। ପାଠକ ଭାବରେ କଣ ପଢିବେ, ସେ ପସନ୍ଦ ଆପଣଙ୍କର। ସେମିତି କବି ତା କବିତାରେ କଣ ଲେଖିବ, ତାର ନିଷ୍ପତ୍ତି ସେ ନିଜେ ନେଉ ।