Latest Odisha News

BREAKING NEWS

ଗଣଶିକ୍ଷା ବିଭାଗର ଅଭିନବ ପ୍ରୟାସ: ଷଷ୍ଠରୁ ଦଶମ ଶ୍ରେଣୀ ପିଲାଙ୍କ ଲାଗି ହେବ କୋଶ୍ଚିନ ବ୍ୟାଙ୍କ୍‌

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଲାଗି ଆରମ୍ଭ କରାଯାଇଛି ଅଭିନବ ପ୍ରୟାସ । ରାଜ୍ୟର ଷଷ୍ଠରୁ ଦଶମ ଶ୍ରେୀ ପିଲାଙ୍କ ଲାଗି ଗଣଶିକ୍ଷା ବିଭାଗ କରିବ କୋଶ୍ଚିନ ବ୍ୟାଙ୍କ । ଏପରିକି ଓଡ଼ିଆ ଭାଷା ସମେତ ୭ଟି ଆଞ୍ଚଳିକ ଭାଷାରେ ପ୍ରସ୍ତୁତି ହେବ ପ୍ରଶ୍ନପତ୍ର ।

ବିଶେଷକରି ଏହି ବ୍ୟବସ୍ଥାରେ ଓଡ଼ିଆ ଭାଷା ସମେତ ରାଜ୍ୟର ୭ଟି ଆଞ୍ଚଳିକ ଭାଷାରେ ଏହି ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏହି କୋଶ୍ଚିନ୍ ବ୍ୟାଙ୍କ୍ ଲାଗି ପ୍ରସ୍ତୁତି ପ୍ରକ୍ରିୟା ଆସନ୍ତା ଜାନୁଆରୀ ସୁଦ୍ଧା ଶେଷ ହେବ । ତେବେ ୨୦୨୦-୨୧ଶିକ୍ଷାବର୍ଷରୁ ଏହି ସୁବିଧା ପିଲାଙ୍କୁ ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି ।

ଏପରିକି ରାଜ୍ୟରେ ୫ମ ପାସ୍ କରୁଥିବା ପିଲାଙ୍କ ମଧ୍ୟରୁ ୬୨ପ୍ରତିଶତ ଛାତ୍ରଛାତ୍ରୀ ପଢ଼ାରେ ସମ୍ପୂର୍ଣ୍ଣ ଦୁର୍ବଳ ରହିଥାନ୍ତି । ସେହିପରି ଅଷ୍ଟମରେ ନାମଲେଖାଇଥିବା ପିଲାଙ୍କ ମଧ୍ୟରୁ ୫୦ପ୍ରତିଶତ ପିଲାଙ୍କ ପାଖରେ ୩୦ପ୍ରତିଶତରୁ କମ୍ ଦକ୍ଷତା ରହିଥାଏ । ନବମ ଓ ଦଶମରେ ପାସ୍‌-ଫେଲ୍ ବ୍ୟବସ୍ଥା ଥିବାରୁ ଅଷ୍ଟମ ପରେ ସିଧାସଳଖ ନବମରେ ନାମଲେଖାଇଥିବା ପିଲାଙ୍କ ମଧ୍ୟରୁ ୭୪ ପ୍ରତିଶତ ପିଲା ଗଣିତରେ ଫେଲ୍ ହେଉଥିବା ବେଳେ ୬୦ପ୍ରତିଶତ ପିଲା ଇଂରାଜୀରେ ଫେଲ ହେଊଛନ୍ତି । ଏପରିକି ୪୦ପ୍ରତିଶତ ପିଲା ଓଡ଼ିଆରେ ଫେଲ ହେଉଥିବା ଜଣାପଡ଼ିଛି । ଫଳରେ ଏହାର ପ୍ରଭାବ ଦଶମ ବୋର୍ଡ ପରୀକ୍ଷାରେ ପଡ଼ୁଥିବାରୁ ପୁଣି ପାସ୍‌-ଫେଲ୍ ବ୍ୟବସ୍ଥା ଲାଗୁ କରିବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ତେବେ ଏହି ବ୍ୟବସ୍ଥା ଉଚ୍ଛେଦ ହେବା ପରେ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଏବଂ ସମ୍ଭାବ୍ୟ ପ୍ରଶ୍ନୋତ୍ତର ସୁବିଧା ଯୋଗାଇବା ଲାଗି ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି ।
ଓଡ଼ିଆ ଭାଷା ସମେତ ହୋ, ଜୁଆଙ୍ଗ, ମୁଣ୍ଡା, ସୌର,କୁଇ, ସାନ୍ତାଳୀ ଏବଂ ପରଜା ଭାଷାରେ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ୧୧ଜଣିଆ କମିଟି ଗଠନ କରାଯିବ । ଯେଉଁଥିରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ, ବରିଷ୍ଟ ଶିକ୍ଷକ, ଭାଷାବିତ୍‌ଙ୍କ ସମେତ ବିଭାଗୀୟ ଅଧିକାରୀ ସମ୍ପୃକ୍ତ ରହିବେ । ତେବେ ପ୍ରଥମ ପର୍ଯ୍ୟାୟରେ ଶ୍ରେଣୀରେ ପଢ଼ାଯାଉଥିବା ଶିକ୍ଷାଦାନ ବ୍ୟବସ୍ଥା ଏବଂ ପରୀକ୍ଷାରେ କେଉଁ ପ୍ରକାର ପ୍ରଶ୍ନ ରହିବ ତାକୁ ଅନୁଧ୍ୟାନ କରାଯିବ । ଯେହେତୁ ସଂକ୍ଷିପ୍ତ ପ୍ରଶ୍ନପତ୍ରକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଏହି କୋଶ୍ଚିନ୍ ବ୍ୟାଙ୍କ୍‌ରେ ଦୀର୍ଘ ମୂଳକ ପ୍ରଶ୍ନ ରଖାଯିବ । ଯେଉଁଥିରେ ୨୦ମାର୍କ ସମେତ ୧୫ମାର୍କ, ୧୦ମାର୍କ, ୫ମାର୍କ, ଅଢ଼େଇ ମାର୍କ ଏବଂ ୧ମାର୍କର ସମ୍ଭାବ୍ୟ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ । ପିଲାଙ୍କ ଦକ୍ଷତା ଏବଂ ଉତ୍ତର ଦେବାର ଜ୍ଞାନକୁ ଗୁରୁତ୍ୱ ଦେଇ ଏହି ସମ୍ଭାବ୍ୟ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ । ତେବେ ସାଧାରଣବର୍ଗର ପିଲାଙ୍କ ସମେତ ଆଦିବାସୀ ପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ।

ସ୍କୁଲ ଓ ଗଣାଶିକ୍ଷା ବିଭାଗର ଜଣେ ବରିଷ୍ଟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ସ୍କୁଲ ସଂଖ୍ୟା ୬୫ହଜାର ୨୭୯ । ତେବେ ସରକାରୀ ସ୍କୁଲରେ ଷଷ୍ଟରୁ ଅଷ୍ଟମ ଶ୍ରେଣୀରେ ମୋଟ୍ ପିଲାଙ୍କ ସଂଖ୍ୟା ୨୨ଲକ୍ଷ ୧ହଜାର ୬୨୧ଜଣ । ତେବେ ପ୍ରଥମ ପର୍ଯ୍ୟାରେ ୫୦ହଜାର ସେଟ୍ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ । ପ୍ରତ୍ୟେକ ବିଦ୍ୟାଳୟକୁ ଗୋଟିଏ ଲେଖାଏଁ ପ୍ରଶ୍ନପତ୍ର ସେଟ୍ ପ୍ରଦାନ କରାଯିବ । ଏହାବ୍ୟତୀତ ପ୍ରତ୍ୟେକ ଜିଲ୍ଲାଶିକ୍ଷା ଅଧିକାରୀଙ୍କ ୱେବ୍‌ରେ ମଧ୍ୟ କୋଶ୍ଚିନ୍ ବ୍ୟାଙ୍କର ବ୍ୟବସ୍ଥା କରାଯିବ । ସ୍କୁଲଗୁଡିକରେ ଶ୍ରେଣୀରେ ଶିକ୍ଷକମାନେ ପରୀକ୍ଷା ପୂର୍ବରୁ ସମ୍ଭାବ୍ୟ ପ୍ରଶ୍ନପତ୍ର ମାଧ୍ୟମରେ ପିଲାଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ସହ ଯେଉଁ ଅଭିଭାବକମାନେ ଚାହିଁବେ ସେମାନେ କୋଶ୍ଚିନ୍ ବ୍ୟାଙ୍କ୍‌ରୁ ସେମାନଙ୍କ ପିଲାଙ୍କ ସବୁ ବିଷୟର ସମ୍ଭାବ୍ୟ ପ୍ରଶ୍ନପତ୍ର ଡାଉନ୍‌ଲୋଡ କରିପାରିବେ ।

ପ୍ରତି ୨ବର୍ଷରେ ଏହି ପ୍ରଶ୍ନପତ୍ରରେ ପରିବର୍ତ୍ତନ କରାଯିବ । ପିଲାଙ୍କ ମାନସିକତାକୁ ନଜର ଦେଇ ଏହି କୋଶ୍ଚିନ୍ ବ୍ୟାଙ୍କରେ ପ୍ରଶ୍ନପତ୍ର ରହିବ । ତେବେ ଏହି ବ୍ୟବସ୍ଥାରେ ଆବଶ୍ୟକସ୍ଥଳେ ଏସ୍‌ସିଇଆର୍‌ଟି, ରାମ୍‌ସା, ଓପେପାର ଅଧିକାରୀଙ୍କୁ ମଧ୍ୟ ସାମିଲ କରାଯିବ ବୋଲି ଜଣାପଡ଼ିଛି । ଏହାବ୍ୟତୀତ ପ୍ରତିବର୍ଷ ପିଲାଙ୍କ ପ୍ରତ୍ୟେକ ବିଷୟର ପୁସ୍ତକର ଶେଷରେ ୧୦୦ମାର୍କର ସମ୍ଭାବ୍ୟ ପ୍ରଶ୍ନପତ୍ର ରଖାଯିବାର ବ୍ୟବସ୍ଥା ମଧ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.