Latest Odisha News

କର୍ଣ୍ଣାଟକ ନିର୍ବାଚନ, ରାହୁଲ ଖେଳିଲେ ଜିଏସଟି କାର୍ଡ

ଭୁବନେଶ୍ୱର: କର୍ଣ୍ଣାଟକରେ ଏବେ ପ୍ରତିଶୃତିର ପାହାଡ଼। ବିଜେପି କଂଗ୍ରେସର ପ୍ରଚାର ସାଙ୍ଗକୁ ପ୍ରମୁଖ ନେତାମାନେ ଗଦା ଗଦା ପ୍ରତିଶୃତି ଦେଉଛନ୍ତି। ଯାହାକୁ ନେଇ ସରଗରମ କର୍ଣ୍ଣାଟକ ରାଜନୀତି।

ଏଭଳି ସ୍ଥିତିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କର୍ଣ୍ଣାଟକରେ ବଡ଼ ଘୋଷଣାଟିଏ କରିଦେଇଛନ୍ତି। କେନ୍ଦ୍ରରେ କ୍ଷମତାକୁ ଆସିଲେ କଂଗ୍ରେସ ଜିଏସଟି ଢାଞ୍ଚାରେ ପରିବର୍ତ୍ତନ କରିବ। ଗୋଟିଏ ଟିକସ ବ୍ୟବସ୍ଥା ରହିବ ଓ ଏହା ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ହେବ ବୋଲି କହିଛନ୍ତି ରାହୁଲ ଗାନ୍ଧୀ।

କେନ୍ଦ୍ରର ବିଜେପି ସରକାର କିଛି ଲୋକଙ୍କୁ ଫାଇଦା ଦେବା ପାଇଁ ଜିଏସଟି ଲାଗୁ କରିଥିବା ରାହୁଲ ଗାନ୍ଧି କହିଛନ୍ତି। ପ୍ରଭାବଶାଳୀ ଲୋକଙ୍କୁ ଫାଇଦା ଦେବା ପାଇଁ ଜିଏସଟି ଲାଗୁ କରାଯାଇଛି। ଏହି ଜଟିଳ ବ୍ୟବସ୍ଥାକୁ ଅନେକ ଆଦୌ ବୁଝିପାରୁ ନ ଥିବାବେଳେ ଛୋଟ ଛୋଟ ବ୍ୟବସାୟ ବନ୍ଦ ହୋଇଯାଉଛି ବୋଲି କହିଛନ୍ତି ରାହୁଲ।

ଏପରିକି ତେଲ ଗ୍ୟାସ ଦାମ ବୃଦ୍ଧିକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ। ଦୁଇ ତିନି ଜଣ ଶିଳ୍ପପତିଙ୍କୁ ସହଯୋଗର ହାତ ବଢ଼ାଯାଇଛି। କିନ୍ତୁ କଂଗ୍ରେସ ସବୁବେଳେ ଚାଷୀ ଓ ଗରିବଙ୍କ ପାଇଁ କାମ କରିଆସିଛି ବୋଲି କୁହାଯାଇଛି।

ରାହୁଲ ଉଠାଇଥିବା ଜିଏସଟି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ହୋଇଆସୁଛି। ଦେଶରେ ଜିଏସଟିକୁ ନେଇ ଆଜି ଯାଏ ବିରୋଧ ଦେଖିବାକୁ ମିଳୁଛି। ଏପରିକି ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଏ ପ୍ରସଙ୍ଗକୁ ନେଇ ଲଢେଇ ଆଜି ବି ଚାଲିଛି। ତେଣୁ ଏଭଳି ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ରାହୁଲ ସୂଚନା ଦେବା ପରେ ଏହାକୁ ନେଇ ସାରା ଦେଶରେ ଆଲୋଚନା ଜୋର ଧରିଛି।

ଏପରିକି କର୍ଣ୍ଣାଟକରେ ପ୍ରଚାର କିନ୍ତୁ ଲକ୍ଷ୍ୟ ଦେଶ ଉପରେ ବୋଲି କୁହାଯାଉଛି। କର୍ଣ୍ଣାଟକରେ ଆଖୁ ଚାଷୀଙ୍କୁ ଉଦବୋଧନ ଦେଇ ରାହୁଲ ଗାନ୍ଧି ଚାଷୀଙ୍କୁ ଫାଇଦା ଦେବା ଭଳି ପଦକ୍ଷେପ ନେବାକୁ କଂଗ୍ରେସ ଯୋଜନା କରିଥିବା କହିଛନ୍ତି। ଚାଷୀଙ୍କ ଋଣ ଛାଡ ଭଳି ସମ୍ବେଦନଶୀଳ ପ୍ରସଙ୍ଗ ଉଠାଇଛନ୍ତି ରାହୁଲ।

ସେପଟେ ବିଜେପି କିନ୍ତୁ କଂଗ୍ରେସର ବହୁ ଘୋଷଣାକୁ ଧୁଆଁ ବାଣ ବୋଲି କହୁଛି। ବିଭିନ୍ନ ରାଜ୍ୟରେ କଂଗ୍ରେସ ବହୁ ପ୍ରତିଶୃତି ଦେଇଥିଲେ ମଧ୍ୟ ତାହା ପୂରଣ କରିବାରେ ଅସମର୍ଥ ହୋଇଛି ବୋଲି ବିଜେପି ନେତାମାନେ କହିଛନ୍ତି। ଏପରିକି ହିମାଚଳ ପ୍ରଦେଶରେ ବହୁ ପ୍ରତିଶୃତି ଦେଇ ସରକାର ଗଢ଼ିଥିଲେ ମଧ୍ୟ ସେ ସବୁକୁ କଂଗ୍ରେସ ପୂରଣ କରିପାରିନି ବୋଲି କୁହାଯାଇଛି।

ସେପଟେ ବିଜେପି ଜେଡିଏସର ଭୋଟ ଉପରେ ମଧ୍ୟ ପ୍ରଭାବ ପକାଇବାକୁ ଯୋଜନା କରିଛି। କର୍ଣ୍ଣାଟକରେ ଜେଡିଏସକୁ ଭୋଟ ଦେବା ମାନେ ଏହା କଂଗ୍ରେସକୁ ଭୋଟ ଦେବା ସହ ସମାନ ବୋଲି ବିଜେପିର ବରିଷ୍ଠ ନେତାମାନେ ପ୍ରଚାରରେ କହିଛନ୍ତି। ଜେଡିଏସର ପ୍ରଭାବ ଥିବା ଅଞ୍ଚଳରେ ବିଜେପି ଜୋରଦାର ପ୍ରଚାର କରିବା ସହ ବିଜେପିକୁ ଭୋଟ ଦେବାକୁ ଆହ୍ୱାନ ଦେଇଛନ୍ତି।

କିନ୍ତୁ ଏ ସବୁ ମଧ୍ୟରେ ରାହୁଲ ଗାନ୍ଧୀ ଉଠାଇଥିବା ଜିଏସଟି, ତେଲ, ଗ୍ୟାସ ଦର ବୃଦ୍ଧି ଓ ଚାଷୀ ପ୍ରସଙ୍ଗ ଲୋକଙ୍କୁ ପ୍ରଭାବିତ କରିଥିବା କୁହାଯାଉଛି। ଆଗକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଚାରକୁ ଜୋରଦାର କରିବାକୁ ଥିବାରୁ କର୍ଣ୍ଣାଟକ ରାଜନୀତି କେଉଁ ମୋଡ଼ ନେଉଛି ତା ଉପରେ ନଜର।

Leave A Reply

Your email address will not be published.