Latest Odisha News

BREAKING NEWS

ଖୁବଶୀଘ୍ର ରାଜ୍ୟରେ ହେବ ପାଠାଗାର ନିର୍ଦ୍ଦେଶାଳୟ: ପ୍ରଶାସକ ଆର୍‌. ବାଲ୍‌କ୍ରିଷ୍ଣନ୍

ଭୁବନେଶ୍ୱର: ପୁସ୍ତକ ପଠନକୁ ଏକ ଆନ୍ଦୋଳନରେ ପରିଣତ କରିବାର ସମୟ ଆସିଛି । ଓଡ଼ିଶା ପରି ଏକ ରାଜ୍ୟ ଭାଷାଭିତ୍ତିରେ ଗଠିତ ହେବା ସମଗ୍ର ଭାରତରେ ଅନନ୍ୟ ହୋଇଥିବାବେଳେ ପୁସ୍ତକ ପଠନକୁ ଜୀବନର ଅଙ୍ଗ ଭାବରେ ଗ୍ରହଣ କରିବା ଅପରିହାର୍ଯ୍ୟ ବୋଲି ଦର୍ଶାଇ ବହି ନଥିଲେ ଜଣଙ୍କ ବାସଗୃହ ଅସଂପୂର୍ଣ୍ଣ ବୋଲି ଓଡ଼ିଶା ସରକାରଙ୍କ ପରାମର୍ଶଦାତା ବରିଷ୍ଠ ପ୍ରଶାସକ ତଥା ବିଶିଷ୍ଟ ଲେଖକ ଆର୍‌. ବାଲ୍‌କି୍ରଷ୍ଣନ୍‌ ମତ ଦେଇଛନ୍ତି ।

ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ର ଚତୁର୍ଥ ସନ୍ଧ୍ୟାରେ ଆୟୋଜିତ ସାରସ୍ୱତ ସମାଗମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଲ୍‌କ୍ରିଷ୍ଣନ୍‌ କହିଛନ୍ତି ଯେ ଛାପାଖାନାର ଆଗମନ ପରେ ଓଡ଼ିଶାର ଜ୍ଞାନଭଣ୍ଡାର ସାଧାରଣ ପାଠକ ପାଖରେ ପହଞ୍ଚିଲା । କ୍ରମେ କ୍ରମେ ପାଠାଗାର ନିମନ୍ତେ ଆଗ୍ରହ ସୃଷ୍ଟି ହେଲା । ୧୯୭୨ରେ ଓଡ଼ିଶା ବିଧାନସଭାରେ ପାଠାଗାର ବିଲ୍‌ ଆଗତ ହୋଇଥିବାବେଳେ ୨୦୦୧ରେ ଓଡ଼ିଶା ସରକାର ପାଠାଗାର ଆଇନ ପ୍ରଣୟନ କରିଥିଲେ ଏବଂ ଖୁବ୍‌ ଶୀଘ୍ର ରାଜ୍ୟ ସରକାର ପାଠାଗାର ନିର୍ଦ୍ଦେଶାଳୟ ଖୋଲିବା ପାଇଁ ଯାଉଛନ୍ତି ବୋଲି ଶ୍ରୀ ବାଲ୍‌କ୍ରିଷ୍ଣନ୍‌ କହିଥିଲେ ।

ଅନ୍ୟପକ୍ଷରେ ଭବିଷ୍ୟତ ପିଢ଼ି ଡିଜିଟାଲ୍‌ ହେବାକୁ ବାଧ୍ୟ ବୋଲି ଦର୍ଶାଇ ପ୍ରସଙ୍ଗ କ୍ରମେ ଓଡ଼ିଶା ଭର୍ଚୁଆଲ୍‌ ଏକାଡେମୀ ଉପରେ ସୂଚନା ଦେଇଥିଲେ । ଓଡ଼ିଶା ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଓଡ଼ିଆ ଭର୍ଚୁଆଲ୍‌ ଏକାଡେମୀର ବିଭିନ୍ନ ତଥ୍ୟ ଓ ବିବରଣୀ ବିଶ୍ୱର ୫୩ଟି ଦେଶର ଲୋକଙ୍କ ପାଖରେ ଉପଲବ୍ଧ ହେଲାଣି ବୋଲି ବାଲ୍‌କ୍ରିଷ୍ଣନ୍‌ ପ୍ରକାଶ କରିଥିଲେ । ରାଜ୍ୟ ପୁସ୍ତକ ମହୋତ୍ସବ ଖୁବ୍‌ ଶୀଘ୍ର ଜାତୀୟ ବହି ମେଳାର ମାନ୍ୟତା ଅର୍ଜନ କରିବ ବୋଲି ସେ ମତ ଦେଇଥିଲେ ।

ମୁଖ୍ୟବକ୍ତା ଭାବରେ ଯୋଗଦେଇ ପ୍ରସିଦ୍ଧ ହିନ୍ଦୀ ଲେଖିକା ଶ୍ରୀମତୀ ଚିତ୍ରା ମୁଦ୍‌ଗଲ୍‌ କହିଲେ ଯେ ସ୍ୱାଧୀନତାର ୭ ଦଶନ୍ଧି ପରେ ମଧ୍ୟ ଦେଶରେ ପୁସ୍ତକ ସଂସ୍କୃତିର ବିକାଶ ହୋଇ ନଥିବାବେଳେ ଓଡ଼ିଶା ସରକାର ସେ ବାବଦରେ ଧ୍ୟାନ ଦେବା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ । ଓଡ଼ିଶାର ପୁସ୍ତକ ସଂସ୍କୃତି ଏହି ଜାତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ପରି ବିଶ୍ୱବିଦିତ ହେଉ ବୋଲି ପ୍ରସିଦ୍ଧ ହିନ୍ଦୀ ସାହିତି୍ୟକା ଶ୍ରୀମତୀ ମୁଦ୍‌ଗଲ୍‌ ଆଶା ପ୍ରକଟ କରିଥିଲେ ।

ବ୍ୟାସ ସମ୍ମାନ ଓ କେନ୍ଦ୍ର ସାହିତି୍ୟ ଏକାଡେମୀ ପୁରସ୍କାର ବିଜେତା ଶ୍ରୀମତୀ ମୁଦ୍‌ଗଲ୍‌ କହିଲେ କହିଲେ ଯେ ପୁସ୍ତକ ଅଛି ତ ଭାଷା, ଇତିହାସ, ଭୂଗୋଳ, ସମାଜ ଏପରି କି ପୃଥିବୀର ସୁଗନ୍ଧ ଓ ଅଦ୍ଭୁତ ସୌନ୍ଦର୍ଯ୍ୟ ରହିଛି । ପୁସ୍ତକର ଜୀବନ ହିଁ ଭାବର ଜୀବନ । ପୁସ୍ତକ ମେଳା ହେଉଛି ଅନେ୍ୱଷା ଓ ଉନ୍ମେଷର ମହୋତ୍ସବ । ଗମ୍ଭୀର ସାହିତ୍ୟ ପ୍ରତି ନୂଆ ପିଢ଼ିର ବିମୁଖତା ଲକ୍ଷ୍ୟ କରି ସେ ମତ ଦେଇଥିଲେ ଯେ ଆମର ମୌଳିକତା ସହ ଇଂରାଜୀର କୌଣସି ନେଣଦେଣ ନାହିଁ ।

ସୋସିଆଲ୍‌ ମିଡ଼ିଆରେ ଆଜିର ପିଢ଼ି ନିଜ ସାହିତ୍ୟର ପ୍ରସାର ଘଟାଉଥିଲେ ମଧ୍ୟ ଭାଷାଗତ ଶୁଦ୍ଧତା ହରାଇଛନ୍ତି । ସେ ଗୀତଗୋବିନ୍ଦ, ଶାରଳା ମହାଭାରତ, ଏପରି କି ମାଟିମଟାଳ ପରି ଗ୍ରନ୍ଥର ଉଦହାରଣ ଦେଇ ଭାଷାର ଶୁଦ୍ଧତା ଉପରେ ଗୁରୁତ୍ୱ ପ୍ରଦାନପୂର୍ବକ ଆଜିର ପ୍ରକାଶକମାନେ ଏହି ଶୁଦ୍ଧତା ରକ୍ଷା ପାଇଁ ପ୍ରଯନି କରିବା ଆବଶ୍ୟକ ବୋଲି କହିଥିଲେ । ପର୍ଯ୍ୟାପ୍ତ ଅନୁବାଦ ଓ ନିର୍ଭୁଲ ମୁଦ୍ରଣ ନିମନ୍ତେ ଶ୍ରୀମତୀ ମୁଦ୍‌ଗଲ୍‌ ଅନୁବାଦ ଓ ପ୍ରୁଫ୍‌ ରିଡିଙ୍ଗ୍‌କୁ ପାଠ୍ୟକ୍ରମରେ ସ୍ଥାନ ଦେବାକୁ ପରାମର୍ଶ ଦେଇଥିଲେ ।
ବକ୍ତବ୍ୟରେ ସେ ଓଡ଼ିଶାର ଭାଷା, ସାହିତ୍ୟ ଓ ଐତିହ୍ୟର ଭୂୟସୀ ପ୍ରଶଂସା କରିଥିଲେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିବାବେଳେ ଓଡ଼ିଶା ଲଳିତ କଳା ଏକାଡେମୀ ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସମ୍ମନନୀୟ ଅତିଥି ଭାବେ ବକ୍ତବ୍ୟ ରଖିଥିଲେ ।

ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକ ବିଜୟ କୁମାର ନାୟକ ବିଭାଗ ପକ୍ଷରୁ ପ୍ରାୟୋଜିତ ଓଡ଼ିଆ ସାହିତ୍ୟର ବିଭିନ୍ନ ଅନୁବାଦ ଗ୍ରନ୍ଥ ଉପରେ ସୂଚନା ପ୍ରଦାନ କରିଥିବାବେଳେ କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶିତ ପୁସ୍ତକ ସାଙ୍ଗକୁ ପକ୍ଷୀଘର ପକ୍ଷରୁ ପ୍ରକାଶିତ ଶ୍ରୀମତୀ ମୁଦ୍‌ଗଲ୍‌ଙ୍କ ପୁସ୍ତକର ଓଡ଼ିଆ ଅନୁବାଦ ମଧ୍ୟ ଲୋକାର୍ପିତ ହୋଇଥିଲା ।  ମିଲନ୍‌ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ କଳିଙ୍ଗ ପୁସ୍ତକ ମେଳା କମିଟିର କର୍ମକର୍ତ୍ତା ଶ୍ରୀମତୀ ରେଣୁକା ମିଶ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave A Reply

Your email address will not be published.