Latest Odisha News

BREAKING NEWS

ରଥଯାତ୍ରା ପ୍ରସ୍ତୁତି, ଆଇନ ଶୃଙ୍ଖଳା ନିୟନ୍ତ୍ରଣ ପାଇଁ ଲାଗିବ ୨୩୬ ସିସିଟିଭି କ୍ୟାମେରା

ପୁରୀ: ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଉଭୟ ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଓ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ବୈଠକ କରିଛନ୍ତି। ଏଏସଆଇ ସୁପରିଟେଣ୍ଡେଣ୍ଟ ଯାତ୍ରୀ ପରିକ୍ରମା ମାର୍ଗ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ସେପଟେ ଆସନ୍ତା ୨୦ ତାରିଖରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ହେବ ରଥଯାତ୍ରା ସମନ୍ୱୟ କମିଟି ବୈଠକ। ରଥଯାତ୍ରା ପାଇଁ ସବୁ ବିଭାଗ କରିଛନ୍ତି ପ୍ରସ୍ତୁତି। ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ଲାଗିବ ୨୩୬ ସିସିଟିଭି କ୍ୟାମେରା। ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ନେଇ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

ହାଇକୋର୍ଟରେ ସତ୍ୟପାଠ ପରେ ପ୍ରଥମ ଥର ପାଇଁ ଏଏସଆଇ ସୁପରିଟେଣ୍ଡେଣ୍ଟ ଶୁକ୍ରବାର ପୁରୀରେ ପହଞ୍ଚିଥିଲେ। ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଯାତ୍ରୀ ପରିକ୍ରମା କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଏଥିସହ ସେ ବିଭାଗୀୟ ଅଧିକାରୀଙ୍କ ସହ ଏକ ଭର୍ଚୁଆଲ ବୈଠକରେ ଯୋଗ ଦେଇଥିଲେ । ରଥଯାତ୍ରା ପୂର୍ବରୁ ଏଏସଆଇ ସହଯୋଗରେ ଶ୍ରୀମନ୍ଦିର ଭିତରେ କିଭଳି ଓ କେଉଁ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବ, ଡ୍ରଇଂ ଓ ଏସ୍ଆଇର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ।

ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ରଥଯାତ୍ରା ପ୍ରସ୍ତୁତି ନେଇ ଏକ ବୈଠକ ବସିଥିଲା। ଏଥିରେ ଜିଲ୍ଲାପାଳ, ଶ୍ରୀମନ୍ଦିର ନୀତି ଓ ଉନ୍ନୟନ ପ୍ରଶାସକ ପ୍ରମୁଖ ଉପସ୍ଥିତ ଥିଲେ ବୈଠକ ପରେ ଜିଲ୍ଲାପାଳ ସୂଚନା ଦେଇ କହିଛନ୍ତି ଆସନ୍ତା ୨୦ ତାରିଖରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଦ୍ଵିତୀୟ ରଥଯାତ୍ରା ସମନ୍ୱୟ କମିଟି ବୈଠକ ବସିବ।

ରଥଯାତ୍ରା ପାଇଁ ସବୁ ବିଭାଗ କିଭଳି ପ୍ରସ୍ତୁତି କରିଛନ୍ତି ତାହା ସମୀକ୍ଷା ହେବ। ସେହିପରି ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିରରେ ଲାଗିବ ୨୩୬ଟି ସିସିଟିଭି କ୍ୟାମେରା।ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି।

ଗତ ୫ ତାରିଖରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପାଇଁ ପ୍ରଥମ ସମୀକ୍ଷା ବୈଠକ ବସିଥିଲା। ଏଥର କୋଭିଡ ସ୍ଥିତି ସ୍ୱାଭାବିକ ରହିଲେ ଦେଢ଼ ଗୁଣା ଅଧିକ ଅର୍ଥାତ୍ ୧୨ ରୁ ୧୫ ଲକ୍ଷ ଭକ୍ତଙ୍କ ସମାଗମ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୋଲିସ ପ୍ରଶାସନ ସହ ଶ୍ରୀମନ୍ଦିର ପ୍ରଶାସନ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ଜିଲ୍ଲାର ସମସ୍ତ ବିଭାଗ ସମୀକ୍ଷା ବୈଠକରେ ଆକ୍ସନ ପ୍ଲାନ୍ ରିପୋର୍ଟ ପ୍ରଦାନ କରିଥିଲେ। ଫୋନି ବାତ୍ୟାର ଅଚଳ ହୋଇପଡ଼ିଥିବା ସିସିଟିଭି କ୍ୟାମେରା ସଂସ୍ଥାପନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେଇଛି।ପ୍ରଥମ ଦଫାରେ ଶ୍ରୀମନ୍ଦିର ଭିତରେ ଓ ବାହାରେ ଏବଂ ଗୁଣ୍ଡିଚା ମନ୍ଦିର ଭିତରେ ୨୩୬ଟି ସିସିଟିଭି କ୍ୟାମେରା ଲଗାଇବା ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଏହି ସିସିଟିଭି କ୍ୟାମେରା ଗୁଡିକରେ ପ୍ରୋଗ୍ରାମିଙ୍ଗ କରାଯିବ।ରଥଯାତ୍ରା ପୂର୍ବରୁ ଏହି କାର୍ଯ୍ୟ ଶେଷ କରିବା ପାଇଁ ଏହି ବୈଠକରେ ଆଲୋଚନା ହୋଇଛି।

ସେହିପରି ବିନା ଭକ୍ତରେ ଓ ଭକ୍ତଙ୍କ ଗହଣରେ ରଥଯାତ୍ରା କରିବା ପାଇଁ ଦୁଇଟି ପ୍ଲାନ୍ ପ୍ରସ୍ତୁତ ହୋଇଛି।ଭକ୍ତଙ୍କ ଗହଣରେ ରଥଯାତ୍ରା ହେଲେ ଏଥିପାଇଁ ରହିଥିବା ଚାଲେଞ୍ଜକୁ କିଭଳି ସାମ୍ନା କରାଯାଇପାରିବ ,ସୁରୁ ଖୁରୁରେ ଓ ଶୃଙ୍ଖଳିତ ଭାବେ ରଥଯାତ୍ରା ସମ୍ପନ୍ନ କରାଯାଇପାରିବ ସେ ନେଇ ମଧ୍ୟ ଆଲୋଚନା କରାଯାଇଛି। ୨୦ ତାରିଖରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ଏ ନେଇ ବିସ୍ତୃତ ଆଲୋଚନା କରାଯିବ। ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ନେଇ ଉଭୟ ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଧେଶ ପରେ ଏଏସ୍ଆଇ ସୁପରିଟେଣ୍ଡେଣ୍ଟଙ୍କ ପୁରୀ ଗସ୍ତ ଓ ଅନ୍ୟ ପଟେ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

Leave A Reply

Your email address will not be published.