Latest Odisha News

BREAKING NEWS

ବାତ୍ୟା ପ୍ରଭାବିତ ଅଞ୍ଚଳରେ ଜୋରଦାର୍ ଚାଲିଛି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ – ଏସଆରସି

ଭୁବନେଶ୍ୱର: ଓଡ଼ିଶାର ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ୨ ଦିନ ଧରି ବାତ୍ୟା ତିତିଲି ଭୟଙ୍କର ତାଣ୍ଡବ ଲୀଳା ରଚିବା ପରେ ଶନିବାର ଦିନ ରାଜ୍ୟ ସରକାର ବାତ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ବିଷ୍ଣୁପଦ ସେଠୀ କହିଛନ୍ତି, ଗଞ୍ଜାମ ଜିଲ୍ଲାରେ ଆସ୍କା ଓ ପୁରୁଷୋତ୍ତମପୁର ବ୍ଳକର ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳରେ ଭାରତୀୟ ନୌବାହିନୀର ୨ଟି ହେଲିକପ୍ଟର ସାହାଯ୍ୟରେ ରିଲିଫ ବଣ୍ଟନ କାର୍ଯ୍ୟ ଜୋରଦାର ଚାଲିଛି । ଏହାଛଡ଼ା ବିଶାଖାପାଟଣାରୁ ଆହୁରି ଅଧିକ ହେଲିକପ୍ଟର୍ ରିଲିଫ କାର୍ଯ୍ୟରେ ନିୟୋଜିତ ହେବାକୁ ଆସୁଛି । ଏହି ୨ଟି ହେଲିକପ୍ଟର୍ ଗଜପତି ଏବଂ ରାୟଗଡ଼ା ଜିଲ୍ଲାରେ ରିଲିଫ ବଣ୍ଟନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ ।

ସେ ମଧ୍ୟ ଗଣମାଧ୍ୟମକୁ କହିଛନ୍ତି, ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ଉତ୍ସ ବିଭାଗ ପକ୍ଷରୁ ଗାଈ, ଗୋରୁ ପ୍ରଭୃତି ପଶୁ ସମ୍ପଦର ଚିକିତ୍ସା ତଥା ଖାଦ୍ୟ ଯୋଗାଣ ଲାଗି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ଉଦ୍ଧାର କାର୍ଯ୍ୟ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିଲାଗି ୨୦୦ ମେଟ୍ରିକ ଟନ ଗୋଖାଦ୍ୟ ଗଞ୍ଜାମ ଓ ୧୦୦ ମେଟ୍ରିକ ଟନ ଗୋଖାଦ୍ୟ ଗଜପତି ଜିଲ୍ଲାକୁ ବଣ୍ଟନ ନିମନ୍ତେ ସରକାରଙ୍କ ପକ୍ଷରୁ ଯୋଗାଇଦିଆଯାଇଛି ।

ଏପରିକି ସରକାରଙ୍କ ପକ୍ଷରୁ ୧୦ ଜଣ ବରିଷ୍ଠ ଅଫିସର ଏହିସବୁ ବଣ୍ଟନ କାର୍ଯ୍ୟ ସୂଚାରୁରୂପେ ତଦାରଖ କରିବାକୁ ଏହି ୩ଟି ଜିଲ୍ଲାକୁ ଗସ୍ତ କରିଛନ୍ତି ।

ଏସମ୍ପର୍କରେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ବିଷ୍ଣୁପଦ ସେଠୀ କହିଛନ୍ତି, ଏହିସବୁ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଅଗ୍ନିଶମ ବିଭାଗ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ।

“ଅଗ୍ନିଶମ ବିଭାଗର କର୍ମଚାରୀମାନେ ଦିନରାତି ଅକ୍ଳାନ୍ତ ପରିଶ୍ରମ କରି କାଶୀନଗର-ଗୁଣପୁର, ପଲାସା-ପାରଳାଖେମୁଣ୍ଡି, ମୋହନା-ଆର ଉଦୟଗିରି, ମୋହନା-ରାୟଗଡ଼ ଏବଂ ନୂଆଗଡ଼-ଖଜୁରୀପଦା ରାସ୍ତାରେ ପଡ଼ିରହି ଅବରୋଧ କରୁଥିବା ପ୍ରକାଣ୍ଡ ଗଛଗୁଡ଼ିକୁ କାଟି ପରିଷ୍କାର କରିଛନ୍ତି । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ରାସ୍ତା ଧୋଇଯାଇଥିବା ବେଳେ ମାଟି ପକାଇ ମରାମତି କରିବା ସହିତ ରାସ୍ତାର କେତେକ ପୋଲ ମରାମତି କରିଛନ୍ତି ।

ଏତଦବ୍ୟତୀତ, ୨୦ଟି ପାୱାର ବୋଟରେ ୧୫୦ ଜଣ ଫାୟାରମ୍ୟାନ ଆସ୍କାରେ ୧୦୦ଟି ଏମରଜେନ୍ସି ଲାଇଟ ସହିତ ଉଦ୍ଧାରକାର୍ଯ୍ୟ ଲାଗି ଗତକାଲି ପହଞ୍ଚିଛନ୍ତି । ”

ଏହାଛଡ଼ା ଗଞ୍ଜାମ ଓ ଗଜପତି ଜିଲ୍ଲାର ବାତ୍ୟା ପ୍ରପୀଡ଼ିତ ଅଞ୍ଚଳରେ ଏନଡ଼ିଆରଏଫ ଏବଂ ଓଡ୍ରାଫ ଟିମର କର୍ମଚାରୀମାନେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜୋରଦାର୍ ଜାରି ରଖିଛନ୍ତି । ଗଞ୍ଜାମରେ ୭୮ଜଣ ଏନଡ଼ିଆରଏଫ କର୍ମଚାରୀ ଓ ୧୦୦ଜଣ ଓଡ୍ରାଫ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଗଜପତି ଜିଲ୍ଲାରେ ୪୬ଜଣ ଏନଡ଼ିଆରଏଫ କର୍ମଚାରୀ ଓ ୩୭ଜଣ ଓଡ୍ରାଫ କର୍ମଚାରୀ ନିୟୋଜିତ ହୋଇଥିବା କଥା ପ୍ରକାଶ କରିଛନ୍ତି ଏସଆରସି ଶ୍ରୀ ସେଠୀ ।

ଏତଦବ୍ୟତୀତ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ନିଗମ (ଓଏଫଡ଼ିସି) ପକ୍ଷରୁ କର୍ମଚାରୀ ପଠାଯାଇ ଗଜପତି ଜିଲ୍ଲାର ୫ କିଲୋମିଟର ବ୍ୟାପୀ ସୁଣ୍ଢିଆପଦାରୁ ପାରଳାଖେମୁଣ୍ଡି ରାସ୍ତା ସଫା କରିଛନ୍ତି ।

ସେ ମଧ୍ୟ କହିଛନ୍ତି ଗଜପତି ଜିଲ୍ଲାରେ ଟେଲି ଯୋଗାଯୋଗ ବ୍ୟାହତ ହୋଇଛି । ଏସମ୍ପର୍କରେ ରାଜ୍ୟ ସରକାର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦୀୟ ଟେଲି ଯୋଗାଯୋଗ ବିଭାଗକୁ ଜଣାଇଛନ୍ତି । ସେ ଆହୁରିମଧ୍ୟ ଜଣାଇଛନ୍ତି, ଆମେ ଆଶା କରୁଛୁ ବିଏସଏନଏଲ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

Leave A Reply

Your email address will not be published.