Latest Odisha News

BREAKING NEWS

ଦିନିକିଆ ବିଶ୍ୱକପ କ୍ରିକେଟ: ଭାରତ ୭, ପାକିସ୍ତାନ ୦

ଦିନିକିଆ ବିଶ୍ୱକପ କ୍ରିକେଟର ନିଶା ଏବେ ପ୍ରଶଂସକଙ୍କ ଉପରେ ଚଢ଼ିବାରେ ଲାଗିଛି । ଅକ୍ଟୋବର ୧୪ରେ ଭାରତ-ପାକିସ୍ତାନ ମଧ୍ୟରେ ଚଳିତ ବିଶ୍ୱକପର ହାଇ ଭୋଲଟେଜ ମୁକାବିଲା ଖେଳାଯିବ । ପାକିସ୍ତାନ ବିପକ୍ଷରେ ଭାରତ ଦିନିକିଆ ବିଶ୍ୱକପରେ କେବେ ହେଲେ ହାରି ନାହିଁ । ଭାରତ ୭ଟି ମ୍ୟାଚରେ ଜିତିଥିବା ବେଳେ ପାକିସ୍ତାନ ଖାତା ଖୋଲିପାରି ନାହିଁ । ଆସନ୍ତୁ ନଜର ପକାଇବା ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚର ରୋମାଂଚ ଉପରେ-

୧୯୯୨: ଭାରତ ୪୩ ରନରେ ବିଜୟୀ: ବିଶ୍ୱକପର ୪ଟି ସଂସ୍କରଣରେ ମୁହାଁମୁହିଁ ହୋଇ ପାରି ନ ଥିବା ଭାରତ-ପାକିସ୍ତାନ ୧୯୯୨ରେ ପରସ୍ପରକୁ ପ୍ରଥମ ଥର ଭେଟିଥିଲେ । ସିଡନୀରେ ଖେଳା ଯାଇଥିବା ଏହି ମ୍ୟାଚରେ ଭାରତ ୪୩ ରନରେ ବିଜୟୀ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୪୯ ଓଭରରେ ୭ୱିକେଟ ହରାଇ ୨୧୬ ରନ କରିଥିଲା । ସଚିନ ତେନ୍ଦୁଲକର ୬୨ ବଲରେ ୫୪ ରନ କରିଥିଲେ । ମୁସ୍ତାକ ଅହମ୍ମଦ ୩ଟି ଓ ଆକ୍ୱିବ ଜାଭେଦ ୨ଟି ୱିକେଟ ନେଇଥିଲେ । ଜବାବରେ ଭାରତ ୪୮.୧ ଓଭରରେ ୧୭୩ ରନରେ ପାକିସ୍ତାନ ଅଲଆଉଟ କରି ଦେଇଥିଲା । କପିଳ ଦେବ, ଜଭାଗଲ ଶ୍ରୀନାଥ ଓ ମନୋଜ ପ୍ରଭାକର ୨ଟି ଲେଖାଁଏ ୱିକେଟ ନେଇଥିବା ବେଳେ ଭି ରାଜୁ ଓ ସଚିନ ଗୋଟିଏ ଲେଖାଁଏ ୱିକେଟ ହାସଲ କରିଥିଲେ । ଅମୀର ସୋହେଲ ୬୨ ଓ ଜାଭେଦ ମିଆଁଦାଦ ୪୦ ରନ କରିଥିଲେ । ଏହି ମ୍ୟାଚରେ କିରନ ମୋରେଙ୍କ ଉପରେ ରାଗି ମିଆଁଦାଦ କରିଥିବା ଫ୍ରଗ ଡ୍ୟାନ୍ସ ଏବେ ବି ଲୋକଙ୍କ ମନରୁ ଲିଭି ନାହିଁ ।୧୯୯୬: ୩୯ ରନରେ ଭାରତ ବିଜୟୀ: ସେମିଫାଇନାଲରେ ପ୍ରବେଶ ପାଇଁ ଏହି ମ୍ୟାଚରେ ବିଜୟ ଉଭୟଙ୍କ ପାଇଁ ଜରୁରୀ ଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ନଭଜୋତ ସିଂ ସିନ୍ଧୁଙ୍କ ୧୧୫ ବଲରେ ୯୩ ଓ ଶେଷ ଭାଗରେ ଅଜୟ ଜାଡେଜାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ୨୮୭ ରନ କରିଥିଲା । ପାକିସ୍ତାନର ଦୁଇ ଓପନର ପ୍ରଥମ ୧୦ ଓଭରରେ ୮୪ ରନ ସଂଗ୍ରହ କରିଥିଲେ । ଭେଙ୍କେଟେଶ ପ୍ରସାଦଙ୍କ ବୋଲିଂରେ ଚୌକା ମାରି ସୋହେଲ ତାଙ୍କୁ ଥଟ୍ଟା କରିଥିଲେ । ପ୍ରସାଦ ପରବର୍ତୀ ବଲରେ ତାଙ୍କୁ ବୋଲ୍ଡ କରି ଦେଇଥିଲେ । ଏହା ବିଶ୍ୱକପର ଏକ ଅଭୂଲା ସ୍ମୃତି ହୋଇ ଯାଇଥିଲା । ପାକିସ୍ତାନକୁ ହରାଇ ଭାରତ ସେମିଫାଇନାଲରେ ପ୍ରବେଶ କରିଥିଲା । ପ୍ରସାଦ ଓ ଅନୀଲ କୁମ୍ବଲେଙ୍କ ବୋଲିଂର ଜବାବ ସେମାନଙ୍କ ପାଖେ ନ ଥିଲା ।୧୯୯୯: ଭାରତର ସହଜ ବିଜୟ:କାର୍ଗିଲ ଯୁଦ୍ଧ ପରେ ମାଂଚେଷ୍ଟରରେ ଉଭୟ ଦେଶ ସାମ୍ନାସାମ୍ନି ହୋଇଥିଲେ । ଭାରତ ପ୍ରଥମେ ବ୍ୟାଟିଂ କରି ୨୨୭ ରନ କରିଥିଲା । ସଚିନ ତେନ୍ଦୁଲକର, ରାହୁଲ ଡ୍ରାଭିଡ ଓ ମହମ୍ମଦ ଆଝାରୁଦ୍ଦିନ ଅର୍ଦ୍ଧଶତକ ହାସଲ କରିଥିଲେ । ପୁନର୍ବାର ଭେଙ୍କେଟେଶ ପ୍ରସାଦ ଭାରତୀୟ ବୋଲିଂର ହୀରୋ ସାଜିଥିଲେ । ସେ୫ଟି ୱିକେଟ ନେଇଥିଲେ । ଜଭାଗଲ ଶ୍ରୀନାଥ ମଧ୍ୟ ଚମତ୍କାର ବୋଲିଂ କରିଥିଲେ । ଆଉ ୨୭ ବଲ ବାକିଥିବା ବେଳେ ପାକିସ୍ତାନ ୧୮୦ ରନ କରି ଅଲଆଉଟ ହୋଇ ଯାଇଥିଲା ।
୨୦୦୩: ଭାରତ ୬ ୱିକେଟରେ ବିଜୟୀ:ଏହି ବିଶ୍ୱକପରେ ୱାସିମ ଆକ୍ରମ, ୱାକର ୟୁନୁସ ଓ ଶୋଏବ ଅଖତାରଙ୍କୁ ସାମ୍ନା କରିବା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ଚ୍ୟାଲେଞ୍ଜ ଥିଲା । ସଏଦ ଅନୱରଙ୍କ ୧୦୧ ରନ ସହାୟତାରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୭୩ ରନ କରିଥିଲା । ଜବାବରେ ସଚିନ ତେନ୍ଦୁଲକରଙ୍କ ୯୮ ଏବଂ ରାହୁଲ ଡ୍ରାଭିଡ(୪୪ ନଟଆଉଟ) ଓ ଯୁବରାଜ ସିଂ(୫୦ ନଟଆଉଟ)ଙ୍କ ବିସ୍ଫୋରକ ବ୍ୟାଟିଂ ଭାରତକୁ ବିଜୟୀ କରାଇଥିଲା । ୪୫.୪ ଓଭରରେ ୪ ୱିକେଟ ହରାଇ ଭାରତ ଟାର୍ଗେଟ ହାସଲ କରିଥିଲା ।୨୦୧୧: ଭାରତ ୨୯ ରନରେ ବିଜୟୀ: ପୁନର୍ବାର ବିଶ୍ୱକପ ସେମିଫାଇନାଲରେ ଏହି ପ୍ରତିଦ୍ୱନ୍ଦ୍ୱୀ ଟିମ ସାମ୍ନା ସାମ୍ନି ହୋଇଥିଲେ । ଭାରତ ପ୍ରଥମେ ବ୍ୟାଟିଂ କରି ସଚିନ ତେନ୍ଦୁଲକର ୮୫ ରନ ସହାୟତାରେ ୨୬୦ ରନ କରିଥିଲା । ଜବାବରେ ମିସବା ଉଲ ହକଙ୍କ ୫୬ ରନ ସତ୍ୱେ ପାକିସ୍ତାନ ୨୩୧ ରନରେ ଅଲଆଉଟ ହୋଇ ଯାଇଥିଲା । ଜାହୀର ଖାଁ, ଆଶୀଷ ନେହେରା, ମୁନାଫ ପଟେଲ, ହରଭଜନ ସିଂ ଓ ଯୁବରାଜ ସିଂ ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଏହି ମ୍ୟାଚରେ ସଚିନଙ୍କ ୪ଟି କ୍ୟାଚ ଡ୍ରପ ହୋଇଥିଲା । ୱାହାବ ରିୟାଜ ୫ଟି ୱିକେଟ ଅକ୍ତିଆର କରିବା ଯୋଗୁ ଭାରତ ୩୦୦ ପାର କରିପାରି ନ ଥିଲା ।୨୦୧୫: ଭାରତ ୭୬ ରନରେ ବିଜୟୀ: ଆଡିଲେଡରେ ଖେଳାଯାଇଥିବା ଏହି ମୁକାବିଲାରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ୧୦୭ ଓ ସୁରେଶ ରାଇନାଙ୍କ ୭୪ ରନ ସହାୟଜାରେ ଭାରତ ପ୍ରଥମେ ବ୍ୟାଟିଂ କରି ୩୦୦ ରନ କରିଥିଲା । ପାକିସ୍ତାନ ୪୭ ଓଭରରେ ୨୨୪ ରନ କରି ଅଲଆଉଟ ହୋଇ ଯାଇଥିଲା । ମହମ୍ମଦ ସାମୀ ୪ଟି ୱିକେଟ ଅକ୍ତିଆର କରି ଭାରତ ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ମିସବା ଉଲ ହକ ୭୬ ରନର ଇନିଂସ ଖେଳିଥିଲେ ।୨୦୧୯: ଭାରତ ୮୯ ରନରେ ବିଜୟୀ: ମାଂଚେଷ୍ଟର ଦୀର୍ଘ ୨୦ ବର୍ଷ ପରେ ଉଭୟ ଟିମ ବିଶ୍ୱକପରେ ପୁନର୍ବାର ସାମ୍ନାସାମ୍ନି ହୋଇଥିଲେ । ରୋହିତ ଶର୍ମାଙ୍କ ୧୪୦ ଓ ବିରାଟ କୋହଲିଙ୍କ ୭୭ ରନ ବଳରେ ଭାରତ ୩୩୬ ରନ ସଂଗ୍ରହ କରିଥିଲା । ବର୍ଷା ହେବା ଯୋଗୁ ପାକିସ୍ତାନ ସମ୍ମୁଖରେ ରିଭାଇଜଡ ଟାର୍ଗେଟ ୩୦୨ ରହିଥିଲା । ପାକିସ୍ତାନ ଟିମ ୨୧୨ ରନ କରିବାକୁ ସକ୍ଷମ ହୋଇଥିଲେ । ଫକର ଜମାନ ୬୨ ରନ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ୱିକେଟ ଅକ୍ତିଆର କରିଥିଲେ । ଏଥର ୮ମ ଥର ପାଇଁ ଉଭୟ ଟିମ ସାମ୍ନା ସାମ୍ନି ହେବେ । ଭାରତ ୮-୦ରେ ଅପାଜେୟ ରହୁଛି ନାଁ ପାକିସ୍ତାନ ତାର ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ବିରୁଦ୍ଧରେ ବିଜୟ ଖାତା ଖୋଲିବ ।

Leave A Reply

Your email address will not be published.