Latest Odisha News

BREAKING NEWS

‘ମିଶନ୍ ସୁନ୍ଦରୀ’ ସଫଳତା ପରେ ଏବେ ‘ଯଶୋଦା’କୁ ନେଇ ଚର୍ଚ୍ଚା…

ଅନୁଗୁଳ: ସମଗ୍ର ସାତକୋଶିଆ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଥିବା ବାଘୁଣୀ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍ କରାଯିବା ପରେ ଏବେ ସବୁଆଡ଼େ କିନ୍ତୁ ହାତୀ ‘ଯଶୋଦା’କୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି ।

ସାତକୋଶିଆ ବନକର୍ମଚାରୀ, ମଧ୍ୟପ୍ରଦେଶରୁ ଆସିଥିବା ସ୍ୱତନ୍ତ୍ର ଟିମ ଏବଂ ଓଡ଼ିଶାର ବିଶେଷଜ୍ଞ ଦଳର ରାତିଦିନ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ବାଘୁଣୀ ଧରାପଡ଼ିଥିଲେ ମଧ୍ୟ ଏହି ସଫଳତାର ସମସ୍ତ ଶ୍ରେୟ ହାତୀ ଯଶୋଦା ନିକଟକୁ ଯାଇଛି । ଏବେ ସାତକୋଶିଆ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ଯଶୋଦା ବେଶ୍ ପ୍ରଶଂସିତ ହେବାରେ ଲାଗିଛି ।

ମିଶନ ସୁନ୍ଦରୀ ସଫଳ ହେବାପରେ ସାତକୋଶିଆ ପିସିସିଏଫ ସନ୍ଦୀପ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ବାଘୁଣୀଟି ଟ୍ରାଙ୍କୁଲାଇଜ୍ ହେବା ପରେ ଏନଟିସିଏ, ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ବରିଷ୍ଠ ଅଧିକାରୀ ତଥା ଡବ୍ଲ୍ୟୁଆଇଆଇର ଏକ ଉଚ୍ଚସ୍ତରୀୟ କମିଟିର ବୈଠକ ବସିବ । ଏନକ୍ଲୋଜର୍ ମଧ୍ୟରେ ଥିବା ବାଘୁଣୀ ସୁନ୍ଦରୀର ଚାଲିଚଳନ ତଥା ଗତିବିଧି ଉପରେ ତିନିଦିନ ଧରି ନଜର ରଖାଯିବ ଏବଂ ଏହାକୁ ଲକ୍ଷ୍ୟକରି ଏହି କମିଟି ସ୍ଥାନାନ୍ତରୀକରଣ ଲାଗି ଯାହାକିଛି ପଦକ୍ଷେପ ଗ୍ରହଣ କରିବ ତାହା କମିଟି ହିଁ ନିଷ୍ପତ୍ତି ନେବ” ।

ସୁନ୍ଦରୀ ଜଙ୍ଗଲ ଅତିକ୍ରମ କରିଥିଲା, ରକ୍ତମୁଖା ହୋଇ ଆତଙ୍କିତ କରିଦେଇଥିଲା ସାତକୋଶିଆ ଅଭୟାରଣ୍ୟର ଆଖପାଖ ଗାଁ’ଗଣ୍ଡାରେ । ସୁନ୍ଦରୀର ଉତ୍ପାତ ସମସ୍ତଙ୍କ ମୁଣ୍ଡବ୍ୟଥାର କାରଣ ହୋଇଥିଲା । ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ବନବିଭାଗ ସୁନ୍ଦରୀକୁ ଧରିବାର ଯୋଜନା ପ୍ରସ୍ତୁତ କଲେ ।

ଘଞ୍ଚ ବୁଦା ଆଢୁଆଳରେ ସୁନ୍ଦରୀ ଲୁଚିଯାଉଥିବାରୁ ବନବିଭାଗ ଏବଂ ବିଶେଷଜ୍ଞ ଦଳ ତାକୁ ଟ୍ରାଙ୍କୁଲାଇଜ୍ କରିବାକୁ ଅନେକ ଉଦ୍ୟମ କରିଥିଲେ ମଧ୍ୟ ଧରାପଡୁନଥିଲା ।

ମିଶନ୍ ସୁନ୍ଦରୀ ସଫଳ ହେଉନଥିବା ବେଳେ ବନବିଭାଗ ଦ୍ୱାରା ନଭେମ୍ବର ୨ ତାରିଖରେ ଚନ୍ଦକା ଅଭୟାରଣ୍ୟରୁ ‘ଯଶୋଦା’ ନାମ୍ନୀ ଏକ ତାଲିମପ୍ରାପ୍ତ କୁମକୀ ହାତୀକୁ ସାତକୋଶିଆକୁ ଅଣାଯାଇଥିଲା । ସୁନ୍ଦରୀ ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିବା କାର୍ଯ୍ୟରେ ପୋଷାହାତୀ ଯଶୋଦା ନଭେମ୍ବର ୪ ତାରିଖରେ ନିୟୋଜିତ ହେଲା ।

ସାଧାରଣତଃ ହାତୀର ଶକ୍ତି ଏବଂ ବିଶାଳକାୟ ରୂପ ପ୍ରତି ମହାବଳ ବାଘମାନେ ସବୁବେଳେ ସତର୍କତା ଅବଲମ୍ବନ କରିଥାଆନ୍ତି । ଯଶୋଦା ଉପରେ ବିଶେଷଜ୍ଞ ଦଳ ଟ୍ରାଙ୍କୁଲାଜ କରିବାକୁ ରାତିରେ ଖୋଜିବା ପରେ ସୁନ୍ଦରୀକୁ ଠାବ କରାଯାଇଥିଲା ।

ପ୍ରଥମ ଚେଷ୍ଟାରେ କିନ୍ତୁ ବାଘୁଣୀ ଟ୍ରାଙ୍କୁଲାଇଜ ହେବାରୁ ଅଳ୍ପକେ ଖସିଯାଇଥିଲା । ବନବିଭାଗ ପକ୍ଷରୁ ମଝିପଡ଼ା ନିକଟସ୍ଥ ଜଙ୍ଗଲରେ ଏକ ମଇଁଶୀକୁ ବନ୍ଧା ଯାଇଥିଲା । ସୁନ୍ଦରୀକୁ ରାତିରେ ଭୀଷଣ ଭୋକ ଲାଗିବାରୁ ମଇଁଶୀକୁ ଶିକାର କଲା ସୁନ୍ଦରୀ ।

ମନଭରି ମଇଁଶୀ ମାଂସ ଖାଇଲା ପରେ ମଝିପଡ଼ା ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ବାଘୁଣୀ ବୁଲାବୁଲି କରିବାରେ ଲାଗିଲା ।

ଏହାର ସୁଯୋଗ ନେଇ ଯଶୋଦା ଉପରେ ବିଶେଷଜ୍ଞ ଦଳ ବସି ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ପୁନର୍ବାର ଅଭିଯାନ ଆରମ୍ଭ କଲେ ।

ଶେଷରେ ଯଶୋଦା ହାତୀ ଉପରୁ ଟ୍ରାଙ୍କୁଲାଇଜ୍ ସଫଳ ହେଲା । ବାଘୁଣୀ ସୁନ୍ଦରୀ ଶରୀରକୁ ଟ୍ରାଙ୍କୁଲାଇଜର୍ ଡ଼ାର୍ଟ ଭେଦ କଲା । ବାଘୁଣୀ ନିଶ୍ଚେତକର ମାତ୍ରାରେ ତଳେ ପଡ଼ିଗଲା । ସଙ୍ଗେସଙ୍ଗେ ତାକୁ ଯନ୍ତାରେ ଭର୍ତ୍ତିକରି ରାଇଗୁଡ଼ା ଜଙ୍ଗଲରେ ରଖାଯାଇଥିଲା ।

 

Leave A Reply

Your email address will not be published.