Latest Odisha News

BREAKING NEWS

ଲୋକସଭାରେ ଲଢ଼ିବା ପାଇଁ ଏନଡିଏରେ ଲାଗିଲାଣି ଯୁଦ୍ଧ !

ଭୁବନେଶ୍ୱର: ମହାରାଷ୍ଟ୍ରର ଶାସକ ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ଲଢେ଼ଇ ଆରମ୍ଭ ହୋଇଗଲାଣି। ଗୋଟିଏ ପଟେ ସିନ୍ଦେ ଗୋଷ୍ଠୀ ବିଧାୟକଙ୍କ ଅଯୋଗ୍ୟ ଘୋଷଣା ସମ୍ପର୍କିତ ନିଷ୍ପତ୍ତି ଉପରେ ସମସ୍ତଙ୍କର ନଜର ଥିବାବେଳେ ସିନ୍ଦେ, ବିଜେପି, ଅଜିତ ସରକାରରେ ନିଜ ନିଜ ମଧ୍ୟରେ ଲଢେ଼ଇ ତୀଵ୍ର ହେବାରେ ଲାଗିଛି।

ଆଗାମୀ ଲୋକସଭା ନିର୍ବାଚନରେ ସିଟ ଭାଗବଣ୍ଟାକୁ ନେଇ ଏହି ଲଢେଇ ଆରମ୍ଭ ହୋଇଛି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ମହାରାଷ୍ଟ୍ରର ୪୮ ଟି ଲୋକସଭା ସିଟ ମଧ୍ୟରୁ ୨୬ ଟିରେ ଲଢ଼ିବା ନେଇ ମନ୍ତବ୍ୟ ଦେଇଛନ୍ତି।

ତେଣୁ ଆଉ ୨୨ ଟି ସିଟ ସିନ୍ଦେ ଓ ଅଜିତ ପାୱାର ଗୋଷ୍ଠୀ ମଧ୍ୟରେ ବଣ୍ଟନ ହେବ ବୋଲି ଆଲୋଚନା ହେଉଛି। ଅଜିତ ପାୱାର ଗୋଷ୍ଠୀ ୨୨ ଟି ସିଟ ମଧ୍ୟରୁ ୧୧ ଟିରେ ଲଢ଼ିବା ନେଇ ପ୍ରସ୍ତୁତ ହେଉଥିବା କୁହାଯାଉଛି।

କିନ୍ତୁ ଶିବସେନା ସିନ୍ଦେ ଗୋଷ୍ଠୀର ଏବେ ୧୩ ଜଣ ସାଂସଦ ଥିବାବେଳେ ଅଜିତ ପାୱାର ଗୋଷ୍ଠୀର ମାତ୍ର ଜଣେ ସାଂସଦ ରହିଛନ୍ତି। ରାୟଗଡ଼ ନିର୍ବାଚନ ମଣ୍ଡଳୀରୁ ଅଜିତ ଗୋଷ୍ଠୀର ସୁନୀଲ ଟଟକାରେ ସାଂସଦ ରହିଛନ୍ତି।

କିନ୍ତୁ ଅଜିତ ଗୋଷ୍ଠୀ ମାଭଲ, କୋଲ୍ହାପୁର, ନାଶିକ ସିଟ ପାଇଁ ଅଜିତ ଗୋଷ୍ଠୀ ଦାବି କରୁଥିବା ଚର୍ଚ୍ଚା ହେଉଛି। ଯେଉଁଠି ଶିବସେନା ସାଂସଦ ମାନେ ଜିତିଛନ୍ତି।

ଏପରିକି ପରଭାନୀ, ଧାରାଶିବ ଏବଂ ଦକ୍ଷିଣ ମୁମ୍ବାଇ ଉପରେ ମଧ୍ୟ ଅଜିତ ଗୋଷ୍ଠୀ ନଜର ପକାଇଛି। ଯେଉଁଠି ଉଦ୍ଧବ ଗୋଷ୍ଠୀର ସାଂସଦ ମାନେ ଅଛନ୍ତି।

ମାଭଲ ଲୋକସଭା ସିଟରେ ଏନସିପିର ଦୁଇଜଣ ବିଧାୟକ ଥିବାବେଳେ ବିଜେପିର ତିନିଜଣ ଓ ସିନ୍ଦେ ଗୋଷ୍ଠୀର ଜଣେ ମାତ୍ର ବିଧାୟକ ରହିଛନ୍ତି। କୋଲ୍ହାପୁରରେ ଏନସିପିର ଦୁଇଜଣ, କଂଗ୍ରେସର ତିନିଜଣ ଓ ଶିନ୍ଦେ ଗୋଷ୍ଠୀର ଜଣେ ବିଧାୟକ ରହିଛନ୍ତି।

ସେହିପରି ନାଶିକରେ ଏନସିପି ଓ ବିଜେପିର ତିନୋଟି ଲେଖାଏଁ ବିଧାୟକ ଥିବାବେଳେ କଂଗ୍ରେସ ଓ ସିନ୍ଦେ ଗୋଷ୍ଠୀର ଜଣେ ଲେଖାଏଁ ବିଧାୟକ ରହିଛନ୍ତି। ତେଣୁ ଏସବୁ ସ୍ଥାନରେ ବିଧାୟକଙ୍କ ସଂଖ୍ୟାକୁ ଆଧାର କରି ଅଜିତ ଗୋଷ୍ଠୀ ଏସବୁ ଲୋକସଭା ସିଟରେ ଲଢ଼ିବାକୁ ଚାହୁଁଥିବା କୁହାଯାଉଛି।

କିନ୍ତୁ ଏସବୁକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହାକୁ ନେଇ ରାଜି ନ ଥିବା ଚର୍ଚ୍ଚା ହେଉଛି। ଯାହାକୁ ନେଇ ଲଢେଇ ତୀଵ୍ର ହେବାରେ ଲାଗିଛି।

ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ ବିରୋଧୀ ମେଣ୍ଟ ଇଣ୍ଡିଆର ସିଟ ଭାଗବଣ୍ଟାକୁ ନେଇ ପ୍ରକ୍ରିୟା ଚାଲିଛି। ଦେଶର ପାଞ୍ଚୋଟି ରାଜ୍ୟର ନିର୍ବାଚନ ଫଳାଫଳ ପରେ ଏହି ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ତେଣୁ ଏ ଭିତରେ ଏନଡିଏ ମେଣ୍ଟ ମଧ୍ୟରେ ଥିବା ସିନ୍ଦେ ଓ ଅଜିତ ଗୋଷ୍ଠୀ ଏନସିପି ମଧ୍ୟରେ ଲଢ଼େଇ ଚର୍ଚ୍ଚାର ପ୍ରମୁଖ ପ୍ରସଙ୍ଗ ପାଲଟିଛି।

Leave A Reply

Your email address will not be published.