ଦେବୀ ପ୍ରସନ୍ନ ନନ୍ଦ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଉଦ୍ଦିଷ୍ଟ ରଥ ନିର୍ମାଣରେ ନିୟୋଜିତ ‘ସପ୍ତରଥି‘ଭାବରେ ପରିଚିତ ଶିଳ୍ପସେବକମାନଙ୍କ ମଧ୍ୟରେ ରୂପକାର ଅନ୍ୟତମ । ଶ୍ରୀମନ୍ଦିର ସତ୍ୱଲିପିର ୮୩ ପରିଚ୍ଛଦରେ ରୂପକାର ସେବା ବିଷୟରେ ବର୍ଣ୍ଣନା କରାଯାଇଛି ।ଏହି ବର୍ଗର ଶିଳ୍ପୀମାନେ ଶ୍ରୀମନ୍ଦିର ସେବା ଅନ୍ତର୍ଭୁକ୍ତ ଯାବତୀୟ କାଠ ଖୋଦେଇ କାମ କରନ୍ତି । ରୂପକାରମାନେ ରଥଯାତ୍ରା ସମୟରେ ରଥଗୁଡ଼ିକରେ ଖଚିତ ବିଭିନ୍ନ ରୂପର ନିର୍ମାଣ କାର୍ଯ୍ୟରେ ନିଯୁକ୍ତ ରହନ୍ତି । ଏଥି ସହିତ ବିଭିନ୍ନ ପର୍ବପର୍ବାଣୀରେ ଆବଶ୍ୟକ ମୁତାବକ କାଷ୍ଠକର୍ମ କରନ୍ତି । ମୁଖ୍ୟତଃ ରଥଯାତ୍ରା ବେଳେ ରଥମାନଙ୍କରେ ବ୍ୟବହୃତ ପାଶ୍ୱର୍ଦେବତା, ସାରଥୀ, ଘୋଡ଼ା, କଳସ, ସଖୀ, ଶୁଆ ଆଦି ରୂପକାରମାନଙ୍କ ଦ୍ୱାରା ନବକଳେବର ପୂର୍ବରୁ ନୂତନ ଭାବେ ନିର୍ମିତ ହୋଇଥାଏ ଏବଂ ପ୍ରତିବର୍ଷ ଏଗୁଡ଼ିକର ମରାମତି ସହ ରଥ ଉପରେ ଠାକୁରଙ୍କ ପଛପାଶ୍ୱର୍ରେ ରହୁଥିବା ବିରାଟ ପ୍ରଭାପଟାରେ ଡାଲିମ୍ବ, ପଟାକୁଜ, କୋଣକୂଜ, ନାଟଗଡ଼ୁ, ଠେକରାବାଡ଼, ପ୍ରଭୃତିରେ ରୂପକାରମାନଙ୍କ ଦ୍ୱାରା ଖୋଦିତ ବିଭିନ୍ନ ପାରମ୍ପରିକ ନକ୍ସା ଉପରେ ଚିତ୍ରକାରମାନେ ଚିତ୍ର କରିଥାନ୍ତି । ପୂର୍ବେ ଏହି ସବୁଥିରେ କେବଳ ଗାର ଟାଣିବା ଭଳି ଖୋଦେଇ କରାଯାଉଥିଲା । ପ୍ରାୟ ଦଶ ବର୍ଷ ପୂର୍ବରୁ କଣଗୁଜଗୁଡ଼ିକରେ ଗଭୀର ଭାବରେ ଖୋଦେଇ କରାଯାଇ ରୂପଗୁଡ଼ିକ
ଆହୁରି ଆକର୍ଷଣୀୟ କରାଯାଉଛି । ପ୍ରଭା ପଟାରେ ମଧ୍ୟ ଅଧିକ ଖୋଦେଇ କରାଯାଉଛି ।
ରୂପକାରଙ୍କ କାର୍ଯ୍ୟଦକ୍ଷତା ନବକଳେବର ବେଳେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାରଥୀ, ଘୋଡ଼ା ଏବଂ ପ୍ରତି ରଥର ନ’ମୂର୍ତ୍ତି ପାଶ୍ୱର୍ ଦେବତା ପ୍ରଭୃତିରେ ପ୍ରକାଶ ପାଇଥାଏ । ଏଣୁ ଏହି କଳାତ୍ମକ ସାମଗ୍ରୀଗୁଡ଼ିକୁ ରଥଯାତ୍ରା ପରେ ନଷ୍ଟ କରାନଯାଇ ଶ୍ରୀମନ୍ଦିର ପ୍ରକାଶନ ପକ୍ଷରୁ ବିକ୍ରୟ ତଥା ଉପହାର ସୂତ୍ରରେ ବିଭିନ୍ନ ସଂସ୍ଥା ବା ବ୍ୟକ୍ତିବିଶେଷଙ୍କୁ ଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଏହା ଦ୍ୱାରା ପ୍ରଶାସନକୁ କିଛି ରାଜସ୍ୱ ମଧ୍ୟ ପ୍ରାପ୍ତ ହେଇପାରୁଛି । ରଥଯାତ୍ରାରେ ବେଳେ ପ୍ରତି ରଥର ଶୀର୍ଷଦେଶରେ ସ୍ଥାପିତ ଧ୍ୱଜରୂପ ମଧ୍ୟ ରୂପକାରମାନଙ୍କ ଦ୍ୱାରା ଗଢ଼ାଯାଇଥାଏ । ଶ୍ରୀମନ୍ଦିରରେ ବ୍ୟବହୃତ ବିମାନ, ପାଲିଙ୍କି, ଚଉଦଳ, ଆଦି ମଧ୍ୟ ରୂପକାରମାନେ ନିର୍ମାଣ ତଥା ମରାମତି କରିଥାନ୍ତି । ପୂର୍ବେ ରୂପକାରମାନେ ହାତୀଦାନ୍ତରେ ଖୋଦନ କରିବାରେ ପାରଙ୍ଗମ ଥିଲେ । ପ୍ରଭୁଙ୍କ ପହଡ଼ ନିମନ୍ତେ ଉଦ୍ଧିଷ୍ଟ ଗଜଦନ୍ତ ପଲଙ୍କ ଏହି ବର୍ଗର ଶିଳ୍ପୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥାଏ । ଏମାନେ ମହାପାତ୍ର ସାଙ୍ଗିଆ ବହନ କରିଥାନ୍ତି । ବଢେଇ ମହାରଣାଙ୍କଠାରୁ ଉର୍ଦ୍ଧ୍ୱରେ ଏମାନେ ଏକ ସ୍ୱତନ୍ତ୍ର ପାହ୍ୟା ଦାବି କରନ୍ତି । ରୂପକାର ଓ ବଢ଼େଇ ମହାରଣା ବର୍ଗର ଶିଳ୍ପସେବକମାନଙ୍କୁ ବିଶ୍ୱକର୍ମା ବୋଲି କୁହାଯାଏ । ଏମାନଙ୍କର ବୈବାହିକ ସଂପର୍କ ଚିତ୍ରକାର ପରିବାର ସହିତ ମଧ୍ୟ ସଂପନ୍ନ ହୋଇଥାଏ ।
ନବକଳେବର ସମୟରେ ଶ୍ରୀବିଗ୍ରହ ଗଠନରେ ଏମାନଙ୍କ ସେବାର ଆବଶ୍ୟକତା ପଡ଼ିଥାଏ । କାଠ ବ୍ୟତୀତ ପିତଳ, ରୂପା, ସୁନା ଆଦି ଅଷ୍ଟଧାତୁରେ ମଧ୍ୟ ରୂପକାରମାନେ ଚଳନ୍ତି ପ୍ରତିମାମାନଙ୍କର ରୂପ ଢଳେଇ ମାଧ୍ୟମରେ ପ୍ରସ୍ତୁତ କରିବାରେ ସକ୍ଷମ । ଏହା ଶାଢୀ ବନ୍ଧା ସେବା ଅଟେ ଏବଂ ମାତ୍ର ତିନି ଗୋଟି ପରିବାରର ସଦସ୍ୟମାନେ ତିନି ବାଡ଼ରେ ବିଭକ୍ତ ହୋଇ ନୃସିଂହ ଚତୁର୍ଦ୍ଦଶୀଠାରୁ ସେବାକାର୍ଯ୍ୟ କରିଥାନ୍ତିି । କେବଳ ଜଣେ ପୁରୁଖା ରୂପକାର ଅକ୍ଷୟତୃତୀୟା ଦିନ ରଥ ଅନୂକୂଳ ବେଳେ ତଢାଉ କରଣଙ୍କ ହାତରୁ ଶାଢୀ ବନ୍ଧାଇ ରଥ ନିର୍ମାଣରେ ସେବା କାର୍ଯ୍ୟ ଆରମ୍ଭ କରିଥାଆନ୍ତି । ତା’ପରେ ପର୍ଯ୍ୟାୟ କ୍ରମେ ସମସ୍ତ ସାମଗ୍ରୀ ପ୍ରସ୍ତୁତ କରି ରଥ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବାରେ ସାହାଯ୍ୟ କରିଥାନ୍ତି । ଶ୍ରୀମନ୍ଦିର ସେବାରେ ରୂପକାରମାନେ ସାମିଲ ହେଇ ସେଭଳି ଅଧିକ ପାରିଶ୍ରମିକ ନ ପାଇଲେ ମଧ୍ୟ ମହାପ୍ରଭୁଙ୍କ ନିକଟରେ ସମର୍ପିତ ହୋଇ ଯେଉଁ କାର୍ଯ୍ୟ ନିର୍ବାହ କରିଥାଆନ୍ତି ତାହା ପୁରୁଷାନୁକ୍ରମେ ଉତ୍କଳୀୟ ପାରମ୍ପରିକ ଶିଳ୍ପକଳା ବିଭବକୁ ସତେଜ ରଖିପାରିଛି ଏହା ଅନସ୍ୱୀକାର୍ଯ୍ୟ ।
କୁଣ୍ଢେଇବେଣ୍ଟ ସାହି, ପୁରୀ
ମୋ: ୯୪୩୭୧୬୬୩୬୯