ଭକ୍ତ ଚରଣ ସୁନାନୀ
ଭାବୁଥିଲି
ସାରାଜୀବନ ଏମିତି ଲୁଚେଇ ଦେବି
ଛାତି ତଳେ ମୋ ଅକୁହା ବ୍ୟଥାକୁ
ଆଖି ପଲକରେ ସବୁ ଲୁହକୁ
ମିଛର ଲଫାପାରେ ସବୁ ସତକୁ
ଅନ୍ଧାରର ପଣତରେ ସବୁ ଲାଜକୁ
ମୋ ଦେହର ଅଲୋଡା କ୍ଷତକୁ
ଅସ୍ପୃଶ୍ୟ ଦାଗକୁ।
ଜୀଇଁଯିବି ଏମିତି ସମାଜରେ
ଉଆଁଶୀ କନ୍ୟାଟେ ପରି
ମୁହଁରେ ମୁଠାଏ ଅନ୍ଧାର ବୋଲି
ଯେମିତିକି ମତେ କେହି ଚିହ୍ନି ପାରିବେନି
ଡାକିବେନି ହାତଠାରି
ପଚାରିବେନି ମତେ ଆଉ
ସେ ପୁରୁଣା କଥା ଗୋଟି ଗୋଟି
ଅତୀତର ଛାତି ଚିରି।
ଭାବୁଥିଲି
ନିଘୋଡ଼ ନିଦରେ ଶୋଇଯିବି
ସବୁ ଦୁଃଖ ଯନ୍ତ୍ରଣାକୁ ତକିଆ ତଳେ ଜାକି
ହେଲେ ଶାନ୍ତିରେ ଶୋଇ ପାରିଲିନି ସାରା ରାତି
ଟିକେ ନିଃଶ୍ବାସ ମାରି
ରହି ପାରିଲିନି ଗୋଟେ ବି ମୁହୂର୍ତ୍ତ
ଟିକେ ଧୈର୍ଯ୍ୟ ଧରି
ମନକୁ ବୁଝେଇ।
ଯେତେ ନିଜକୁ ବୁଝାଉଥିଲି
ବାରମ୍ବାର ସେତେ ବ୍ୟସ୍ତ ବିବ୍ରତ କରୁଥିଲା ମତେ
ସେ ଭୟଙ୍କର ରାତିର କରୁଣ ଦୃଶ୍ୟ
ସେ ଅକୁହା ବେଦନା
ସେ ଦୁଃଖଦ ମୁହୂର୍ତ୍ତ।
ଶେଷରେ ଜୀଇଁବାର ଇଚ୍ଛା ମରିଗଲା
ମରିଗଲା ନ୍ୟାୟ ପାଇଁ ବଞ୍ଚିଥିବା ଅପେକ୍ଷା
ସାଇତି ରଖିଥିବା ବିଶ୍ୱାସ
ଆଶା ଓ ଭରସା
ଗୋଟେ ନିଶବ୍ଦ ରାତିରେ
ସବୁଦିନ ପାଇଁ ନୀରବିଗଲା ମୋ ଶୁଖିଲା ଓଠର ସ୍ବର
ଛାତିତଳ ଅସହାୟ ନିଃଶ୍ବାସ।
ଖୁଣ୍ଟିଆ, ପର୍ଲା, କଳାହାଣ୍ଡି
ମୋ ୯୩୩୭୬୭୪୬୭୧