କବିତା:ଏକାଦଶ ସ୍କନ୍ଧ

ଆଲୋକ ରଞ୍ଜନ ଷଡଙ୍ଗୀ

ନଇକୂଳ ମନ୍ଦିରରେ ଦେବତାଙ୍କୁ ପୂଜିବାକୁ ଯଉ ଆତୁରତା ଟିକକ ଶିଖିଥିଲେ
ସେତକ ଭୁଲି ଗଲା ପରେ
ମନ୍ଦିର ଭିତରୁ ଶୁଭେ କାହାର ୟେ କାନ୍ଦକାନ୍ଦ ସ୍ବର,
ବାପାଙ୍କର ନା ଇଶ୍ବରଙ୍କର..?
କେହି ଜାଣନ୍ତିନି ,କେହି ବି ଜାଣନ୍ତିନି ।

ଆଜିକାଲି, ଅକ୍ଷର ଚିହ୍ନି ପାରୁ ନଥିବା ବାପାଙ୍କୁ
ବହଳ ଅନ୍ଧାରର ଛାଇଟେ ଅନୁସରି ଯାଏ
ବାପାଙ୍କ ସହ ନଇରେ ଗାଧାଏ , ଦିଅଁ ପୂଜେ ,ଅୟୁତ ବର୍ଷର ଚଲାପଥେ ଝୁଣ୍ଟେ,ଘରକୁ ବାହୁଡେ…

ଦିନ ବାର ତିଥି ନକ୍ଷତ୍ର ଭୁଲି
ଅପେକ୍ଷାର ଦୁଆର ବନ୍ଧରେ ଘର ତୋଳି ବସିଥାଏ ବୋଉ,
କେବେ କୋଇଲିକୁ ଡାକି ଡାକି କୁଶଳ ବାରତା ପଚାରେ
‘ଆସୁଛି କି କୁମର ଆସୁଛନ୍ତି କି ଠାକୁର’
ଆଉ କେବେ ଶୁଖିଲା ଲୁହରେ ପଠାଏ ଖବର
‘ଏସନ ଦଶହରାକୁ ଫେରି ଆସ ହେ ମୋ ପୁରିଲା ସଂସାର’

ବୋଉ ଧିରେଧିରେ ହଜିଯାଏ,
ତାକୁ ଆଉ କେହି ଦେଖି ପାରନ୍ତିନି
ଦାଣ୍ତରେ ,ଦୁଆରେ, ଦୁନିଆରେ

ବାପା ବି ଆଉ ଫେରନ୍ତିନି ମନ୍ଦିରରୁ, ନଇରୁ,ଛାଇ ଅନ୍ଧାରରୁ
ଭୁଲିଯାଇ ଗୀତ ମିତ ଭାଗବତ…

ଘରଥାକରେ ଥୁଆ ହୋଇଥିବା
ଉଇ ଚରି ପାରି ନଥିବା ଏକାଦଶସ୍କନ୍ଧରେ
ଆଜିକାଲି ସାନ ଭଉଣୀ ବାହାଘର ଉଧାରି ତାଲିକା
ତେଇଶି ବରଷ ତଳ ଚିଠିଟେ ଯଉଥିରେ ମୁ ଜନମ ହେବାର ଖବର ଲେଖା
ଗୁଣନିଧି ପଣ୍ତିତେ ତିଆରିଥିବା ଆମ ଭାଇ ଭଉଣୀଙ୍କ ଜାତକ
ଖବର କାଗଜରେ ଫଟୋସହ ବାହାରିଥିବା ମୋର ‘ଶେଷଯୁଦ୍ଧ’ କବିତା,

ବେଳେବେଳେ ଇଚ୍ଛା ହୁଏ ହଜିଯାଇଥିବା ବୋଉକୁ ନବାକ୍ଷରୀ ରାଗରେ ବାହୁନି ବାହୁନି ଖୋଜିବି
କର୍ମ କଷଣେ ଦେହ ସହେ ଅବା ସାମ୍ବକୁ ନାରୀବେଶ କରିବାର ଭାଗବତକୁ ଗାଇବି,
ଖୋଜିବି ,ବୋଉକୁ ଖୋଜିବି,
ଆଣିବି ବାପାଙ୍କୁ ପୁଣିଥରେ ଫେରାଇ ଆଣିବି..

ସ୍ମୃତିର ପରସ୍ତେ ଧୂଳିକୁ ପାପୁଲିରେ ସଫାକରି
ବାପା ଗାଇ ବୋଉକୁ ଶୁଣାଉଥିବା ଏକାଦଶସ୍କନ୍ଧକୁ ଖୋଲି ଦେଖେତ
ସେଇମିତି କପୋତଟିଏ ପଡିଥାଏ ଲୁବଧକର ଜାଲରେ,
ମାୟାର ଭବଜଳରେ

ଆହାଃରେ କପୋତ,
ଆହାଃରେ ବାପା..

ଗନିଆପାଲି,ବରଗଡ
ପିନ୍-୭୬୮୦୪୯
ମୋ-୭୦୭୭୨୫୪୩୪‍୧