Latest Odisha News

BREAKING NEWS

କବିତା : ଜୀବନ

ବଳରାମ ପୂଜାରୀ

ଆଞୁଳାଏ ଆୟୁଷରୁ ଉଧାର ଆଣିଥିବା
ବୁନ୍ଦାଏ ଅତଏବ,
ଗାଁରୁ ମଶାଣୀ ମୁହାଁ ସରୁ ପାଦଚଲା
ରାସ୍ତାରୁ ଦୁଇ ପାଦ ଭୂମି ,
ସବୁ ମୋହମାୟାର ଉର୍ଦ୍ଧ୍ବମୁଖୀ
ଅଣଚାଷ ଅବଶୋଷ ମାନେ ,
ସନ୍ଧାନର ସନ୍ଧିରେ ସମାଧିସ୍ଥ
ପାଣି ଫୋଟକା ମାନେ ହିଁ ତ ଜୀବନ ।।

ସବୁ ନିର୍ଣ୍ଣୟମାନଙ୍କୁ ଅବରୋଧ କରି
ସଙ୍ଗରୋଧରେ ଶୁଆଇ ପାରୁଥିବା
ଅଗାଧ ଆଶୀର୍ବାଦର ଦି ପଦ କଥା ,
ସବୁ ପ୍ରତିଶୃତିମାନଙ୍କୁ ପୂର୍ଣଗର୍ଭା
କରିବାର ପୂର୍ଣାଙ୍ଗ ଦାୟିତ୍ବ ,
ପିଠିରେ ପିଠିଏ ଅଳି ଅର୍ଦ୍ଦଳିକୁ
ବୋହି, ଈଶ୍ବର ପାଲଟିଥିବା
ମୁହୂର୍ତ୍ତ ମାନେ ହିଁ ତ ଜୀବନ ।।

ଧାଁ ଦଉଡରେ ଧଇଁ ସଇଁ ହୋଇ
ଆଗରେ ଚାଲୁଥିବା ପାଦ ଯୋଡ଼ିକ
କର୍ତ୍ତବ୍ୟ ଓ ଦାୟିତ୍ୱର ମେରିଖୁଣ୍ଟରେ
କଟା ମୁଣ୍ଡ ଥୋଇ ମହାଭାରତରେ
ସାକ୍ଷୀ ପାଲଟିଥିବା
ନିରୀହ ଆଖି ଯୋଡିକ ,
ଭାର ,ବେଭାରରେ ଛନ୍ଦି ହୋଇଥିବା
ଭାରୁଆ କାନ୍ଧମାନେ ବି ଜୀବନ
ବିଶେଷ୍ଯ ମାନଙ୍କ ଭିଡ ଭିତରେ ,
ଦରାଣ୍ଡୁ ଥିବା ଆପଣାର ଲୋକଙ୍କ ଠିକଣା,
ଘାଟରୁ ଘର ପର୍ଯ୍ୟନ୍ତ ଧାଉଁଥିବା
ନିଷ୍ଫଳ ପ୍ରୟାସ ର ଅନ୍ୟ ନାମ ହିଁ ତ “”ଜୀବନ “”।

କୁଡୁମୁଲୁଗୁମ୍ମା ମାଲକାନଗିରି
୯୬୬୮୬୮୮୪୭୪

Leave A Reply

Your email address will not be published.