Latest Odisha News

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୬୧)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୬୧ 

ବାହାପିଆ ମଣିଷ  ସବୁକରିପାରିବାର ଆସ୍ପର୍ଦ୍ଧା ନେଇ ହେୟଜ୍ଞାନ କରେ ଯାହାକୁ, ତା’କୁଇ ସେ ଖୋଜୁଥାଏ ତମାମ ଜୀବନ। ପାଏ କି ନାହିଁ କେଜାଣି, କହିପାରେନା କାହାକୁ କିଛି, ଏକା ଏକା ଭିତରେ ଭିତରେ ଗୁମୁରୁ ଥାଏ। ଚକ୍ର ଭଳି ଗତି, ସବୁ ଆରମ୍ଭର ଶେଷ ଭଳି ପରିସମାପ୍ତି … ତଥାପି ଅପେକ୍ଷା ରହେ,ତଥାପି ଖୋଜାଚାଲିଥାଏ । ତଥାପି, ଅଥଚ, କିନ୍ତୁ, କାହିଁକି ସହ  ବାନ୍ଧିହୋଇ ଅହରହ   ମଣିଷ  ନୂଆ ଜନ୍ମ ନେଉଥାଏ । କ୍ଷଣ କ୍ଷଣ ବଦଳୁଥାଏ।

ପରିବର୍ତ୍ତିତ ପରିସ୍ଥିତିରେ ରଞ୍ଜୁ ସହ ଘଟୁଥିଲା ଅନେକ କିଛି। ମନ ବଦଳୁଥିଲା ଅନେକ ଭାବରେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପରିବର୍ତ୍ତନ ଦରକାର ସତରେ। ସବୁ ବଦଳୁଛି ତ ଆମେ ବଦଳିବାନି କାହିଁକି….ନିଜକୁ ପଢଉଥିଲା ସେ ଏକା ଏକା।

କ୍ଲବ ଟାଉନ ଏନକ୍ଲେଭରେ ଯେଉଁ  ‘କ୍ବେଷ୍ଟର କ୍ଲବ’ ଅନୁସନ୍ଧିତ୍ସୁମାନଙ୍କ ପାଇଁ ଚାଲୁଥିଲା, ସେଠାକୁ ଥରେ ଗଲେ ମନରେ ଅପାର ଶାନ୍ତି ମିଳେ। ଯିଏ ଯାଏ ସେ ଫେରିବାକୁ ମନ କରେନା। ଯାହା ଆମପାଇଁ ଦରକାର ସେଇ ଅନୁସାରେ ଆଲୋଚନା ହୁଏ, ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ହୁଏ। ସବୁ ମନକୁ ଛୁଏଁ। ସଦସ୍ୟ ରୂପେ ଅଳ୍ପକିଛି ଦେଇ ଥରେ ସଦସ୍ୟତା ନେଲେ ଆଜୀବନ ଜଣେ ରହିପାରିବ।ଡକ୍ଟର ବସାଙ୍କ କଥାରୁ ଏସବୁ ବାରମ୍ବାର ଶୁଣି ତାଙ୍କ ସହିତ ଦିନେଗଲା ରଞ୍ଜୁ ।ଫୋନକରି ଦେଖାକରିବାକୁ ନିର୍ଦ୍ଧାରିତ ସମୟ ନେଇଗଲା ପୂର୍ବରୁ ।

କହଇ  ମନ ଆରେ ମୋ’ ବୋଲ କର… ଓଃ କି ସ୍ବର…ମାଇକରେ ପ୍ରଚରୁଥିଲା ଏ ଗୀତ। ଲାଗୁଥିଲା କୋଉଠି ଶୁଣିଛି , ଶୁଣିଛି ନିଶ୍ଚୟ। ଅଞ୍ଜୁକୁ ଦେଖିବାକୁ ଯେତେବେଳେ ଯାଉଥିଲା ମାମୁ ଘରକୁ, ସେଇଠି ଗାଉଥିଲା ଆଈ। କାନ୍ଦଣା ଗୀତଭଳି ଲାଗେ। ବୁଝିପାରେନି, ଆଈ କାନ୍ଦେ କେମିତି ଏକ ତନ୍ମୟ ଭାବରେ। ଆସିଛି ମାନେ ଯିବାକୁ ପଡିବ। ଦେହ ମାଟିରେ ମିଶିବ,ସବୁ ଜାଣି କିଏ ଲଢେଇ ନକରେ ଯେ , ବାଦ ନକରେ । ଈର୍ଷା, ଦ୍ବେଷ ନକରେ, ନା ଲୋଭ, ରାଗ ଦେଖାଏନି। କହିବା ଆଉ କାମରେ କରିବା କି କଷ୍ଟକର ସତରେ।

ଅଞ୍ଜୁ ଯେମିତି ଭୁଲିଗଲା ଏ ମାଟିକୁ… ମାଆକୁ। କି ସ୍ବାର୍ଥପର ମଣିଷ। ଅଷ୍ଟ୍ରେଲିଆରେ ରିଏଲ ଇଷ୍ଟେଟ ଓ କନଷ୍ଟ୍ରକସନ ବିଜନେସ କରୁଛି । କେତେ ନା କେତେ କମଉଛି , ଥରେ ମନ କହୁନି ତ ଫେରିବାକୁ। ଏଇ ମାଟି, ଖୁଏଇ, ପିଏଇ ବଡ କରିଛିରେ, ଭୁଲିଯାଉଚୁ କେମିତି ତା’କୁ ? ନ ଆସିଲେ ନ ଆସୁ ସିଏ। ନକରୁ ତା’ କର୍ତ୍ତବ୍ୟ। ମୁଁ କାହିଁକି ମୋ’ ଖୁସିକୁ ଜଳାଞ୍ଜଳି ଦେବି ମ ତା’ପାଇଁ। ମତେ ଯାହା ଖୁସି ଦବ ସେ କାମ କରିବି। କର୍ତ୍ତବ୍ୟ କରିବି, ଦାୟିତ୍ୱ ତୁଲେଇବି। ଯୋଉ ଆତ୍ମିକ ଶିକ୍ଷା ପାଇଛି ତା’କୁ ବ୍ୟବହାର କରି ଆଗକୁ ବଢିବି। ଚିନ୍ତା ଚେତନାର ସ୍ତରକୁ ଊର୍ଦ୍ଧ୍ବକୁ ନେବି। ଏଇଠୁ ଥାଇ କହୁଛିରେ, ତୁ ଭଲରେ ଥାଆ, ବହୁତ ଆଗକୁ ଯାଆ। ଟଙ୍କା ଶାନ୍ତି ଦବନିରେ, ଥରେ ଏକଲା ଭାବିକି ଦେଖ, ଶାନ୍ତି କୋଉଠି ଅଛି? ଦେହଛୁପା ଦେଇ ପର କରିଦେଲେ ସମ୍ପର୍କ ତୁଟିଯିବକି, କହ ? ମଲେ ତୁଟିବ, ପାଟି ବୁଜିବରେ। ସେବେଳେ ଆଉ କୋଉ ଦରକାର ପଡିବ କାହାକୁ। ଶୂନ୍ୟରେ ମିଳେଇଯିବ ସତ୍ତା। ବଞ୍ଚିଥିବା ବେଳେ ଆଦର ଦେଇପାରିନ ଯଦି ଗଲାବେଳେ ଯେତେ ଗଜରା ପିନ୍ଧେଇଲେ କ’ଣ ହବ ଆଉ !

କେତେ ବୁଝେଇବ କାହାକୁ …କେତେ ବଖାଣିବ ନିଜକୁ …। ପୁଣି କୈଫୟତ …ପୁଣି ପ୍ରମାଣ …। କାହିଁକି ବାବା …। ଯାଅ , ତୁମେ ସମସ୍ତେ, ଯାହା ବୁଝୁଚ ବୁଝ, ଯାହା କହୁଛ କୁହ, ଯାହା ମନ ତାହା କର….କିଛିବି ଫରକ ପଡିବନି। ମନେପଡୁଥିଲା ‘କୁଛ୍ ତ ଲୋଗ କହେଙ୍ଗେ , ଲୋଗଙ୍କା କାମ ହେ କହନା ….ଛାଡ ମ ସେ ବେକାରିଆ କଥା। କୋଉ ନିକିତିରେ ମାପିଦବ କିଏ କାହାକୁ …। ନିଜକୁ ନିଜେ ପଚାର ତ ଥରେ। ଦିନରାତି କରୁଥିବା, ଖରାଶୀତ ଆଣୁଥିବା, ତାରିଖ ମାସ ଅଲଗା ହେଉଥିବା ଯଦି ସତ , ତାହାହେଲେ ଆଉ କାହାର ସାହାରା କ’ଣ ଦରକାର ଯେ… ଉପପାଦ୍ୟ ତ ଆପେଆପେ ପ୍ରମାଣିତ। ସିଦ୍ଧାନ୍ତ ଗ୍ରହଣୀୟ ବୋଲି ବୁଝିଗଲେ ହେଲା।

Leave A Reply

Your email address will not be published.