କବିତା : କିଛି ମୁହୂର୍ତ୍ତ ପାଇଁ

ବିଜୟ କୁମାର ପାତ୍ର 

କିଛି ମୁହୂର୍ତ୍ତ ପାଇଁ, ହେଉ ପଛେ,
ଲୁଚି ଯିବା ଚାଲ…
ଅର୍ଜିଥିବା ସମ୍ପର୍କକୁ ବନ୍ଦୀକରି;
ହଳେ ଆଖି ଭିତରେ,
ପରେ ବରଂ……
ଦୁଇ ବୁନ୍ଦା ଶ୍ରାବଣରେ
ନିଗାଡ଼ି ଦେବା,
ତୋ ମୋ ଭିତରେ ଥିବା ପାର୍ଥକ୍ୟକୁ,
ଅନ୍ତତଃ..
ସ୍ବପ୍ନ ଗୁଡାକୁ
ଅଦଳ ବଦଳ କରି
ବଞ୍ଚି ଶିଖିବା

ଆ….
ଗୋଟେ ରଙ୍ଗତୁଳୀ ନେଇ,
ଅନିଶ୍ଚିତ ଜୀବନକୁ
ଆକାଶର ପ୍ରଚ୍ଛଦରେ
ରୂପଟିଏ ଦେବା,
ପରେ ବରଂ…..
ଖୋଲା ମେଲା ଫଗୁଣରେ;
ଯନ୍ତ୍ରଣା ମହକ
ଭାଗବଣ୍ଟା କରି,
ବଳକା ନିଶ୍ୱାସକୁ ଜିଇଁ ଯିବା |

ଏ ବିଶେଷ ଶୀତୁଆ ସନ୍ଧ୍ୟାରେ;
ପୁଳାଏ ଏକଲାପଣ ପାଛୁଡ଼ି,
ଚାଲ ଯିବା….
ସେଇ ପୁରୁଣା ସ୍ମୃତିଖଳାକୁ,
ଯେଉଁଠି କେବେ ଫିଙ୍ଗିଥିଲେ;
ଝାପ୍ସା ଜହ୍ନ ଆଲୁଅରେ,
ତୁ ତୋଳିଥିବା ତାରାଫୁଲ
ମୁଁ ବୋଳି ହେଇଥିବା
ରାତ୍ରିର କଳଙ୍କ,
ଆମ ଭାଗରେ ଥିବା
ଅବଶିଷ୍ଟ ଝଗଡାକୁ
ଶେଷ କରିଦେବା,
ପରେ ବରଂ…
ଅନିର୍ଦ୍ଧିଷ୍ଟ ଗ୍ରୀଷ୍ମଦାହ ବେଳେ;
ଘର୍ମାକ୍ତ ଗୋଧୂଳିରେ,
ପଛକଥା ଭାବି…
ପୁଣି ଝଗଡ଼ିବା

ମାଟିରୁ ଉଠି ଚାଲିଆ….
ଏବେ ସହରରେ ପବନର
ହାବଭାବ କିଛି ଭଲ ନାହିଁ,
ଭକ୍ତମାନେ ଏଠି
ଈଶ୍ୱରର ରୂପନେଲେଣି,
ପୁରା ଅଜଣା ଏ ବସ୍ତିରେ,
ନା ଅଛି ଗୁହାରି କରିବାର ଠିକଣା;
ନା ଫେରାଦ ହେବାର ମଞ୍ଚ,
ତଥାପି ମନେ ପଡନ୍ତି..
ସବୁକିଛି ଲୁଟିଥିବା ଚରିତ୍ରମାନେ,
ବେଗି ବେଗି ଆସ….
ଏ ଦର୍ଶକଶୂନ୍ୟ ଇଲାକାରେ
ଲୁଚିଛପି ଜାଳିଦେବା,
ତୋ କାନିରେ
ଗଣ୍ଠି ପଡ଼ିଥିବା ବିଶ୍ୱାସ;
ଓଟ ପିଠିରେ ଲଦା ହେଇଥିବା
ଭରସାର ବୋଝ,
ପରେ ବରଂ….
କେବେ ଯଦି ଇଛାହୁଏ
ଅଦୃଶ୍ୟରେ ଆସି;
ଉଷୁମ ଉଷୁମ ପାଉଁଶ ଗଦାରୁ
ଚିମୁଟାଏ ନେଇ,
ପୁଣି ଫେରିଯିବା

ସଭାପତି, ପ୍ରତିଶ୍ରୁତି(ନୁ ସ ସ)
ଚୌଦ୍ୱାର, କଟକ