Latest Odisha News

BREAKING NEWS

କବିତା : ମାଦଳା ୨୦୨୧

ପ୍ରମେଶରଙ୍କ ରଥ ବଡଦାଣ୍ଡେ ଗଡିଲା
କେତେ ନୂଆ ନୂଆ କଥା ଘଟିଲା
ନିରିଘଣ୍ଟ କାଳରେ ନୀତି ବଢିଲା
ଧାଡି ପହଣ୍ଡିରେ ଟାହିଆ ଝୁଲିଲା
ଗଜପ୍ତି ଛେରା ପହଁରା କଲେ
ଏସନ ବିରଳ ଯାତ ବୋଲି ମାନିଲେ
ସ୍ନାହାନ ବେଦିକୁ ଆସିନଥିଲେ
ଗୁରୁଜୀ ରଥରେ ଦରଶନ କଲେ
ସବୁ ପ୍ରମେଶରଙ୍କ ଲୀଳା ବୋଇଲେ ।

ରଥଚଳା ସହଳ ଆରମ୍ଭ ହୋଇଲା
ଦରୋଗାଏ ରଥ ପଛରେ ରସି ଜଗିଲେ
ସେବକେ ରଥ ଉପରେ ନରହିଲେ
ରଥ ଖାଲି କୁ ପଥ ଖାଲି ସରବେ ଦେଖିଲେ
ଘଣ୍ଟୁଆଏ ରଥ ଆଗରେ ତଳେ ବଜାଇଲେ
ଅଧିକାରୀଏ ଅଧିକ ତତପର ହେଲେ
ନେତାଏ ତଦାରଖ କରିବାକୁ ଆସି ରହିଲେ
ସଭିଏଁ ଏକ ହେଇ ରଥ ଟାଣିଲେ
ଭୋଇ ସେବକେ ବଳ ଯୋଡିଲେ
ଦାରୁଣ ତାତିରେ ଡହଳବିକଳ ହେଲେ
ଥୋକାଏ ପାଦରେ ଫୋଟକା ଭୋଗିଲେ
ସରବେ ପ୍ରମେଶରଙ୍କ ନାମେ ସାହସ ବାନ୍ଧିଲେ।

ଭକ୍ତଜନେ ଘରେ ବନ୍ଧନରେ ରହିଲେ
ପରଦାରେ ପ୍ରମେଶରଙ୍କ ଦରଶନ କଲେ
କିଏ ଝରକାରେ ଉଣ୍ଡି ଯାତ ଦେଖିଲେ
ଯିଏ ପତିଆରା ଦେଖେଇଲା ଲାଠି ଖାଇଲା
ନର୍ତକମାନେ ଦାଣ୍ଡରେ ତାଳ ପକାଇଲେ
ନର୍ତକୀଏ ଘରଛାତରେ ନାଚ କଲେ
ବଡଦାଣ୍ଡେ କେହି ଭକ୍ତ ନଦୁଶିଲେ
ହେଲେ ସରବେ ଭାବରେ ବୁଡିଲେ।

ବେଳବୁଡେ ସରଧାବାଲିରେ ରଥ ଲାଗିଲେ
ସରବେ ପ୍ରମେଶରଙ୍କ ଜୟ ବୋଇଲେ
ଭକତିରେ ମୁଖିଆ ଭଜନ ଗାଇଲେ
ଭକ୍ତ ଜନଙ୍କୁ ଆଡ କରି ରଖିଲେ
ତୃତୀୟା ରାତି ଘଡିଏକୁ ଘରେ ପଶିଲେ
ଆଡପ ମଣ୍ଡପେ ରୁନ୍ଧା ହୋଇଲେ
ଅଧିକାରୀଏ ତ୍ରାହି ତ୍ରାହି ଡାକିଲେ
ପୁଣ ବାହୁଡା ଯାତକୁ ନିଘା ରଖିଲେ ।

Leave A Reply

Your email address will not be published.