Latest Odisha News

BREAKING NEWS

କବିତା : ହିଡ଼

ଗଦାଧର ସାହୁ 

ମାଟି ଉପରେ ମାଟି ନଦି
ବାପା, ଜେଜେବାପା
ତିଆରି କରିଥିଲେ
ବିଲ ପାଇଁ ହିଡ଼ ।

ଅଟକଉଥିଲେ  ପାଣି
ଚାଲୁଥିଲା  ଚାଷ କାମ
କାଟୁଥିଲେ  ସୁନାର ଫସଲ ।

ସେ ହିଡ଼ ତଳେ
ବାସ କରୁଥିଲେ
ମାଛ, କଙ୍କଡା
ସାପ, ବେଙ୍ଗ
ଜିଆ,ଗେଣ୍ଡା,କୁଚିଆ ।

ହିଡ଼ ଉପରେ
କାଦୁଅ ଲଗା ଦେହରେ
ବାପା, ଜେଜେବାପା
ଚକାମାଡି ବସିକରି
ଖାଉଥିଲେ ବାସି ପଖାଳ,
ଦିପହରର ଉଷୁମ ଖାଦ୍ୟ,
ମୁଣ୍ଡର ଠେକାରେ ପୋଛୁଥିଲେ
ହାଡ ଭଙ୍ଗା ପରିଶ୍ରମର
ସିଆର କଟା  ଝାଳ,
ମେଣ୍ଟାଉଥିଲେ  ଥକାପଣ,

ଝରି ପଡୁଥିବା ରକ୍ତ ବନ୍ଦ ପାଇଁ
ଗୁଡାଉଥିଲେ ଚିରା କନା
ଗେଣ୍ଡା କଟା ଗୋଡରେ
ଦା କଟା ଆଙ୍ଗୁଠିରେ ।

ଏବେ ଆମେ ପାଠ ପଢୁଆ
ଚିହ୍ନି ପାରୁନୁ ନିଜ ବିଲ
ଚାଷ କରିବାକୁ କୁନ୍ଥୁ କୁନ୍ଥୁ
ମାଟି ହିଡ ମିଶି ଗଲାଣି ମାଟିରେ

ରାସାୟନିକ ସାର
କୀଟ ନାଶକ ଓଷଦ ପ୍ରୟୋଗରେ
ନିଶ୍ଚିହ୍ନ  ପ୍ରାୟ
ମାଛ, କଙ୍କଡା
ସାପ, ବେଙ୍ଗ
ଜିଆ,ଗେଣ୍ଡା,କୁଚିଆ,

ଯାହା ବାକି ଅଛି
ଆମମାନଙ୍କ ପାଳି ,
ମିଶିଯିବାକୁ ମାଟିରେ
ମାଟି ହିଡ଼ ଭଳି  ।

ବ୍ରହ୍ମଗିରି
ଯୋଗାଯୋଗ- ୭୨୦୫୪୦୧୨୧୩

 

Leave A Reply

Your email address will not be published.