କବିତା : ମାମ୍ ଉପେତ୍ୟ ପୁନର୍ଜନ୍ମ

✍️ଜ୍ଞାନେନ୍ଦ୍ର..

ଅନ୍ଧାର ବେଶ୍ ଚିହିଁକି ଉଠୁଥାଏ
ଠିକ୍ ଏତିକିବେଳେ…
ନିକାଞ୍ଚନରେ ଏଇ ମୋର ସ୍ୱ-ଶବଯାତ୍ରା
ଜହ୍ନ ଦିଶୁଥାଏ ଖୁବ ମଳିନ ଅବସାଦ
ଆଖିରେ ଆଜି ତା’ ଦୁଇ ଟୋପା ଲୁହ
ସାରା ପ୍ରକୃତି ଖାଁ ଖାଁ ଖୁବ ବିଷାଦଗ୍ରସ୍ତ ।

ଅପୂର୍ବ ଏହି ବିଦାୟକାଳୀନ ଅଭିବାଦନ
କାନ୍ଧରେ ଯାହାର ପ୍ରେମିକାର ରୂପକଳ୍ପ
ତାହା ପୁଣି ଏକ ଶବଟିଏ ପରି ନିର୍ଜୀବ..!

ତା’ ପାଇଁ ବିଶେଷ ଅଭିବାଦନ… କିନ୍ତୁ କାହିଁକି..?

ସ୍ୱାଭାବିକ ସନ୍ଦେହ ଆଜି ମୋ ମନରେ…
କିଏ ମୁଁ..?

କବି, ପ୍ରେମିକ, ବିଷପୁରୁଷ, ନା
କାନ୍ଧରେ ପ୍ରିୟତମାର ଶବ ଯନ୍ତ୍ରଣାକୁ ଜୀଇଁଥିବା ନୀଳକଣ୍ଠ..?
ଶେଷଯାତ୍ରାରେ ଯିଏ ଆଜି
ନୁହେଁ କି ତା’ ଲାଗି ଏ ସବୁ ନିଷ୍ପ୍ରୟୋଜନ ଶବ୍ଦ ?

ଏଇ ମୋର ଜୀବନଯାତ୍ରା, ପ୍ରେମିକା ବିନା ଦୀର୍ଘତମ ମୃତ୍ୟୁର
ଶ୍ମଶାନ ପଥରେ ଆଜି ହେଉ ନିର୍ବାପିତ
ଏ ଯେ ଯନ୍ତ୍ରଣା ରାସ୍ତାରେ ମୁକ୍ତିର ଏକମାତ୍ର ପଥ…ମୁକ୍ତିପଥ ।

ସ୍ପଷ୍ଟ ଶୁଭିଲାଣି ଶ୍ବାନଟିଏର ବିକଳ କ୍ରନ୍ଦନ
ହଁ…କାହାର ସମୟ ସରିଲେ ଏମିତି ଶୁଭେ
ଏ ଯେ ବିଧିର ସୂଚନା…
ଦେଖୁନ, ସ୍ୱ-ହସ୍ତରେ ନିର୍ଦ୍ଧାରିତ ଚିତା ମୋର
ନିଜ ହାତେ ମୁଁ ସଜାଡି ଆସିଛି ।

ହେଇ ତ…
ଆଗରେ ଦିଶିଲାଣି ମଶାଣି… ସମୟ ଆଉ ମହଲତ ଦେବନାହିଁ !

ପୁଣ୍ୟତୋୟା…
ତୁମେ ଆଜି ସାକ୍ଷୀ ହୁଅ, ଅନ୍ତତଃ ଏ ବିଦାୟ ବେଳାରେ
ମୁଁ ତୁମକୁ ପୁନଶ୍ଚ ଖୋଜିବାକୁ ଚାହେଁ ପୁନର୍ଜନ୍ମ ନେଇ
ମୃତ୍ୟୁ ହିଁ ଏକମାତ୍ର ପନ୍ଥା, ସେହି ପୁନର୍ଜନ୍ମ ରାସ୍ତାରେ…।

ହଠାତ… ସାମ୍ନାରେ ଛାୟାଟିଏ ବାଟ ଓଗାଳେ
କିଏ ସେ ..? କିବା ଚଣ୍ଡାଳ ସେ…ନା ଶ୍ମଶାନ ରକ୍ଷକ..?

ଗୁରୁଗମ୍ଭୀର ଗଳାରେ ଛାୟାମୂର୍ତ୍ତିର ପ୍ରଶ୍ନ…
ହେ ଆଗନ୍ତୁକ ଶବ… ତୁମ କୃତ୍ୟକଣ..?
ଏ ପ୍ରବେଶ ରାସ୍ତାରେ ଲୋଡ଼ା ତୁମ ପରିଚୟ…ଅନ୍ୟଥା ନୁହେଁ !

: ମୁଁ କବିଟିଏ…

ଛାୟାମୂର୍ତ୍ତି କଣେଇ ହସି କହେ
କବି ସଦା ଅମର, ତାକୁ ଶ୍ମଶାନ କିଆଁ ଦରକାର..?

: ମୁଁ ପ୍ରେମିକଟିଏ…

ଛାୟାମୂର୍ତ୍ତି ଏଥର ବିକଟାଳ ହସେ
ବିଦ୍ରୁପ ସ୍ୱରରେ ପ୍ରେମିକ ଶବ୍ଦର ଭରସା ମାଗେ…

ମୁଁ ମରି ସାରିବି ବି ଏ ପ୍ରଶ୍ନରେ ପୁନର୍ବାର ମରୁଥାଏ..!
କାନ୍ଧରେ ପୁଣ୍ୟତୋୟାର ଶବ ସମ ରୂପକଳ୍ପ
ହଠାତ ଶୋଉ ଶୋଉ ଜୀଇଁ ଉଠେ
ପ୍ରେମିକାର ସ୍ୱ ପରିଚୟ ବି ଦିଏ…।

ଅନ୍ଧାର କାଳିମା ଆକାଶରୁ ଦୀର୍ଘଶ୍ଵାସଟେ ପରି
ଅସରାଏ ମେଘ ଧସ୍ କରି ଢାଳିଯାଏ…।

ମୁଁ କାହିଁକି ମରୁଥାନ୍ତି କୁହ,
ହାୟ… ଏତିକି ଶବ୍ଦରେ ପରା ଶବ ବି ଜୀଇଁଯାଏ…
ଅଫେରା ଯେ ଶ୍ମଶାନର ପଥରେ ମୋ ଯାତ୍ରା,
ଫେରିବାକୁ ବାଟ ନ’ ଦିଏ ।

ଏବେ ମୁଁ ଆଗକୁ ଆଉ ଆଗକୁ…ପ୍ରସ୍ତୁତ ସେହି ଜୁଇ ଆଡକୁ ।

ପଛରୁ ଦୀର୍ଘଶ୍ଵାସ ସହିତ
ଛାୟାମୂର୍ତ୍ତି ଗଳାରୁ ବାହାରି ଆସୁଥାଏ…
“ପ୍ରେମିକ ଜୁଇରେ ଜଳେନା… ଆଜୀବନ ଜଳେରେ
….ଆଜୀବନ ଜଳେରେ…ଆଜୀବନ ଜଳେରେ” ,

ବିକଳ ଦିଶୁଥାଏ ମୁଁ…
ତଥାପି ଯିବାକୁ ହେବ ଏହି ବିଦାୟ ପଥରେ ।

ବିଦାୟ…ପୁଣ୍ୟତୋୟା…

ଏବେ ଓହ୍ଲାଇ ଆସ ମୋ କାନ୍ଧରୁ, ମୋତେ ବିଦାୟ ଦିଅ…
ଏ କଣ..! ଚମକି ଉଠେ ମୁଁ…
ହାତରେ ଦପ୍ ଦପ୍ ମୁଖାଗ୍ନି ନେଇ
ବାସ୍ତବ ହୋଇ ଛିଡାହୁଏ ରୂପକଳ୍ପର ପ୍ରିୟତମା ମୋର..!

ହଁ…
ପ୍ରେମିକ ସିନା ଜୁଇରେ ଜଳେନା…ଆଜୀବନ ଜଳେରେ,

ହେଲେ ପ୍ରେମିକା ହାତର ମୁଖାଗ୍ନିରେ
ପ୍ରେମିକ…ଶାନ୍ତିରେ ଜଳିଯାଏ…
ବିଶ୍ୱାସରେ ମରିପାରେ…ପୁଣି ଆଶ୍ଲେଷରେ ଜୀଇଁପାରେ ।

ଏ ଯେ ପ୍ରେମ ପର୍ବର ଅଦ୍ଭୁତ ଗାଥା
ପ୍ରେମିକର ଜୁଇ ଲାଗି ଆହୁତି ବାଢୁଛି ପ୍ରେମିକା..!

ଅଥଚ ଜଳୁଥିବା ମୁଁ , କେମିତି କହନ୍ତି
ଓଃ… କି ଆଶ୍ୱାସ ଏହି ଲେଲିହାନ ଅଗ୍ନିରେ
ହଁ ପ୍ରେମିକ ଶାନ୍ତିରେ ମରିପାରେ
କେବଳ ହିଁ ପ୍ରେମିକା ହାତର ମୁଖାଗ୍ନିରେ ।

ପୁଣ୍ୟତୋୟା ମୁହଁରେ ହତାଶା…ଆଖିରେ ଲୁହ
ଯେମିତି ପୁନର୍ବାର ସେ ଫେରୁଛି ମୋ ଲାଗି
ଖୁବ ଅସହ୍ୟ…
ଟିକିଏ ଲୁହ ପୋଛିଦିଅନ୍ତି…ଆଲିଙ୍ଗନ କରିନିଅନ୍ତି ତାକୁ
ମୋର ଏ ପାଉଁଶ ହେବାର ବେଳାରେ
କିନ୍ତୁ, ସମୟ କି ଫେରିପାରେ..?

ପ୍ରେମପର୍ବରୁ ମହାପର୍ବର ବେଳା…
ଏ ଯେ ପ୍ରେମିକା ହୃଦୟର କେତେ ଜନ୍ମର ଶ୍ରଦ୍ଧା..!
ଅକସ୍ମାତ ଜଡେଇ ଧରେ ମୋତେ ସିଏ
ବାହୁ ମେଲେଇ ଜୁଇ ଅଗ୍ନିର ସମୁଦ୍ରରେ..!

ପ୍ରେମିକା ବି ସତୀ ସାଜିପାରେ…
ପ୍ରିୟତମା ପୁଣ୍ୟତୋୟା ମୋର ସତୀ ସାଜୁଥାଏ..!

ଏଇଠି ସମାପ୍ତି ହୁଏ ସବୁ ଅବଶୋଷର
ଏବେ ଆମେ ବଞ୍ଚୁଥାଉ ପରସ୍ପର ଭିତରେ
ଏବଂ ଗୋଟିଏ ନୂତନ ଆରମ୍ଭ ଲକ୍ଷ୍ୟରେ
ମୃତ୍ୟୁକୁ ଜୀଇଁ ଚାଲିଯାଉ ପୁନର୍ଜନ୍ମର ଅଭିଯାତ୍ରାରେ ।