ଯଶୋବନ୍ତୀ ରାଉତ
କେବେ କେବେ ଚେଇଁ ଉଠେ ଗଣତନ୍ତ୍ର
ଜାତୀୟ ଦିବସ ନାଁରେ,
ସଭା ସମିତିରେ,
ସରକାରୀ ଅଫିସ ଆଉ କାର୍ଯ୍ଯାଳୟ ସାମନାରେ !
ଏଠି ଏମିତି ବର୍ଷ ତମାମ୍
ନୀରବି ଯାଇଥିବା ପାଦଚିହ୍ନମାନଙ୍କର ସମୀକ୍ଷା ଚାଲେ,
ଫୁଲମାଳଟେ, ଧୂପକାଠିଟେ ଦେଇ
ସେମାନଙ୍କୁ ପୁନର୍ବାର ଆସନ୍ତା ବର୍ଷ ଯାଏ
ଚୁପ୍ କରାଇବାକୁ ପଡେ ।
ସେମାନଙ୍କ ନାଁ’ ନେଇ
ଲକ୍ଷ ଲକ୍ଷ ଯୋଜନା ପ୍ରସ୍ତୁତ ହୁଏ,
ଅଳନ୍ଧୁଲଗା ଫାଇଲ୍ ଭିତରେ
“ପୋଖରୀ ଚୋରି ” କିଛି ନୂଆ ଘଟଣାଟେ ନୁହେଁ
କେତେ ଚାଟୁକାର୍ ,
ଗୋଲାମମାନଙ୍କ ଗୋଲାମିପଣରେ
ପ୍ରଗତିର ଫମ୍ପା ଢୋଲ ପିଟା ଚାଲିଥାଏ,
ତେଣେ ଚାଷୀ ଆତ୍ମହତ୍ୟା,ବେକାରୀ,
ଦୁଷ୍କର୍ମ, ବଳାତ୍କାର, ଗୁଣ୍ଡାଗର୍ଦିର ଲମ୍ବା ଚିଠା
ଆହୁରି ଲମ୍ବି ଚାଲିଥାଏ ।
କେବେ ଏ ମାଟିର ତ୍ରାଣକର୍ତ୍ତାଟିଏ
କ୍ରାନ୍ତି ପାଇଁ ଡାକ ଦେଇଥିଲେ ‘ଦିଲ୍ଲୀ ଚଲୋ ‘
ଏବେ ଏ ମାଟିର ମାଟିପୁତ୍ରମାନେ ବି
ରଟିଲେଣି ‘ଦିଲ୍ଲୀ ଚଲୋ’ ।
ସତରେ କୋଉଠି ଯେମିତି
ରହି ଯାଉଛି ଏକ ବିରାଟ ପ୍ରଶ୍ନବାଚୀ
ଯେ ଭୁଲ୍ କାହାର ??
କ’ଣ ହେଇପାରେ ୟା’ର ପ୍ରତିକାର ??
ଆମେ ସ୍ବାଧୀନତ୍ତୋର ଦେଶର
ସଚେତନ ସାକ୍ଷର ??
ନିଜ ପାଇଁ ନିଶ୍ଚୟ
ଏକ ସମୀକ୍ଷାର ସ୍ବର ।
“ମୋ ଦେଶ” “ମୋ ମାଟି ”
“ମୋ ସରକାର୍ ”
ଯେ’ ଯାଏ ଆତ୍ମାକୁ ଆଲୋଡିତ ନ କରିଛି ଏଇ ଭାବ,
ନା ଏ ଗଣତନ୍ତ୍ର, ନା ଏ ଦେଶ ନା ମୋର
ଉନ୍ନତି ଅସମ୍ଭବ ।
ସମସ୍ଯା ତ ଅନେକ ରହିବ,
ସମାଧାନ ପାଇଁ ଲୋଡା
ଏକ ସମ୍ମିଳିତ ଜାତୀୟ ସ୍ବର,
ଏ ଦେଶ ମୋର
ଏ ମା’ ମୋର
ତା’ର ଦୁଃଖ, ଶୋକ, କଷଣ ବି ମୋର।
ତ୍ରିରଙ୍ଗାର ପଣତରେ ଅଙ୍କା
ସାର୍ବଭୌମତ୍ବର ଚିତ୍ରରେଖା
ଚିତ୍ରିତ ହେଉ ପ୍ରତିଟି ପ୍ରାଣ ସ୍ପନ୍ଦନରେ
ପବିତ୍ର ଦିବସ ସ୍ମୃତିରେ ,
ଏହା ହିଁ ମୋ ଦେଶ ପାଇଁ ହେବ
ଶୁଭେଚ୍ଛା ଶୁଭ କାମନାର ଶ୍ରେଷ୍ଠ ଉପହାର ।
ଶିକ୍ଷୟିତ୍ରୀ
ଗହ୍ମାପୁର ,ଜଗତସିଂହପୁର