କବିତା:ଚିତ୍ର ସହ ସମ୍ପର୍କ

ପ୍ରଣୟ ସୁଧା

ହୃଦୟ ନିଖୋଜ ହେଲା ବେଳକୁ
ପାହାଡ଼ ତରଳି ସାରିଥିଲା,
ମନ ଝୁଣ୍ଟି ପଡିଲା ବେଳକୁ
ନଦୀ ଉପରୁ ଶୋଷର ବିଶ୍ୱାସ
ଭାଙ୍ଗିସାରିଥିଲା,
ଆଖି ଝରିଲା ବେଳକୁ
ସମୁଦ୍ରରୁ ମରା ସାରିଥିଲା ସବୁତକ ଲୁଣ ,
ଆଉ ଏତକ ହେଲା ବେଳକୁ
ଅଙ୍କା ହୋଇ
ସରି ଯାଇଥିଲା ଗୋଟେ କାନଭାସ ।

ତଦନ୍ତ କରନା
କି ଅନୁତାପ ବି କରନା,
କଥା ଏତିକି ଯେ
ସେ ଆସିଲା ;
ଆମେ ମାପିହେଲେ,
ସେ କଥା ହେଲା ;
ଆମେ ଆଙ୍କି ହେଲେ ଛାଇରେ,

ଆଉ ସେ ଯେବେ ଗଲା
ମୋର କିଛି ଭଙ୍ଗା ସ୍ବପ୍ନ ସହ
ତୁମ ମୁକୁଟ ଓ ପୌରୁଷ ଗୋଟେ
ଚିତ୍ର ହେଇ ରହିଗଲା  କାନଭାସରେ ।

ଜାଣିଛ ଥରେ ଅଙ୍କା ହେଲେ
ଚିତ୍ରମାନେ କାଳେ ଦେହ ଛାଡ଼ନ୍ତି ନାହିଁ,
ରଙ୍ଗ ଫେରେନା ବୋତଲକୁ,
ତୁଳୀରୁ ଛୁଟେନା ନିଅଇଁଠାର ବାସ୍ନା
ବି ଖୋଜି ପାଏନା
ତା’ର ନିଷ୍କଳଙ୍କ ଯୌବନ ।

ଏବେ କାନ୍ଭା  କାନଭାସଟି
କାହାର ବୋଲି ପଚାରନା
ପାରୁଛ ଯଦି ଯାଅ ସାବଧାନ କର ସମୟକୁ ,
ଖବର ଦିଅ ଖଟି ରେ ,
କବି, ଚିତ୍ରକର, ଗାଳ୍ପିକ
ବୁଦ୍ଧିଜୀବୀ ଓ ବୈଜ୍ଞାନିକ ମାନଙ୍କୁ କହିଦିଅ
“ସ୍ବପ୍ନ ମାନଙ୍କ ସରହଦ ଡେଇଁ ,
ଲହୁ ଲୁହାଣ ହୋଇ
ସେମାନେ ମେଳି ବାନ୍ଧିଲେଣି ,
ଜୀବନ , ସମ୍ପର୍କ , ଚରିତ୍ର
ଓ ମାଟିର ଇତିହାସ ଠାରୁ
ଚିତ୍ରମାନଙ୍କର ଆୟୁଷ ଅଧିକା ବୋଲି
ହୁଏତ କାନଭାସମାନେ ଜାଣି ସାରିଲେଣି ” ।

ପ୍ରଣୟ ସୁଧା
ଧର୍ମଶାଳା, ଜାରକା, ଯାଜପୁର