ରାମକୃଷ୍ଣ
ବଡ଼ ଉଗ୍ରରୂପ ନେଇ ସେମାନେ ଆସନ୍ତି
ମନେହୁଏ ଏଇ ଯେମିତି ସବୁଶେଷ
ଫଳନ୍ତି ସ୍ବପ୍ନ ସବୁ
ଧରାଶାୟି ହୁଅନ୍ତି ବାତ୍ୟାରେ
ମନେହୁଏ ଆଉ ଜମାରୁ ଫୁଟିବନି
ଫୁଲ ରକ୍ତରେ ।
ଅଥଚ ସେମାନେ ଫେରିଯିବା ବେଳେ
ଭୁଲ୍ ପ୍ରମାଣିତ ହୁଏ
ଆମର ଯାବତୀୟ ଭୟ
ଓ ଆଶଙ୍କାର ମାନଚିତ୍ର,
ମନର ପ୍ରାଚୀନ ଆବର୍ଜନା ସବୁ
ଭାସିଯାଏ ତତଲା ନିଶ୍ବାସର
ପ୍ରଖର ସୁଅରେ ।
ଶତ୍ରୁର ମୁଖାତଳେ ଲୁଚିଥିବା
ବନ୍ଧୁତାର ଆହ୍ବାନ
ବୁଣି ହୋଇଯାଏ ଘରସାରା
ସେମାନଙ୍କ ଫେରିଯିବା ପରେ ପରେ ।
ସେମାନେ କିନ୍ତୁ ବାରମ୍ବାର ଆସିବେ
ଯେତେବେଳେ ଆମର
ଯିବାର ଦରକାର ଥିବ
ଉତ୍ସବ ମୁଖର ଆଲୋକର ଉଆସକୁ
ଅଥଚ ଆମେ ଶୋଇ ପଡି଼ଥିବା
ନିଘୋଢ ନିଦରେ ।
ସମ୍ବଲପୁର