Latest Odisha News

କବିତା: ଆଜି ଯେ ଜାଗର

ସାଧନା ପଣ୍ଡା 

ତୁମ ଆରାଧନା କରନ୍ତି ଭକତେ
ପୂଜା ପାଉଅଛ ଏ ମହି ମରତେ
‘ମୁଁ ‘କାର’ ବରଜି ‘ଓଁ’ କାରକୁ ହେଜି
ଜାଗର ପାଳିବୁ ଆଜି ଭକ୍ତି ଚିତ୍ତେ ।

ପ୍ରତି ରାତ୍ରି ଜାଳି ନୟନ ଦୀପାଳି
ହୃଦ କପିଳାସ ଭକ୍ତି ରସେ
ବାହି ପ୍ରୀତି ଝର ଆନନ୍ଦ ଅଶ୍ରୁର
ସ୍ୱୟଂ ସ୍ୱୟମ୍ଭୁଙ୍କୁ ଜପେ ହରଷେ ।

ହେ ଭୋଳା ଶଙ୍କର ଶିବ ମହେଶ୍ୱର
ବିସ୍ତାରିଛ ତ୍ରୀଭୁବନେ ମାୟା
ସଂସାର ବନ୍ଧନୁ ପାରିକର ପ୍ରଭୁ
ତେଜି ଜଞ୍ଜାଳର ମୋହ ମାୟା ।

ଶିରରେ ଆଶିଷ ଅକ୍ଷୟ କବଚ
ଅଭୟଦାୟକ ବର ସାଜେ
ଭକ୍ତ ମନ ଜାଣି କଣ୍ଠେ ବସୁ ପୁଣି
ଗନ୍ଧ ଧୂପ ଦୀପେ ନିତି ଭଜେ ।

ହୃଦୟ ଦର୍ପଣେ ତୁମ ପ୍ରତିବିମ୍ବ
ଥାପିଚି ପ୍ରଭୁହେ ଆଜି ଅକିଞ୍ଚନ
ତୁମ୍ଭ ଦିବ୍ୟ ଜ୍ଜ୍ୟୋତି ଦେଉ ହେ ମୁକତି
ଯନ୍ତ୍ରଣା କାତର ମୋ ନିଶିଦିନ ।

ଆଜି ଏ ଜାଗରେ ବିତେ ପ୍ରତୀକ୍ଷାରେ
ତୁମରି ଭକ୍ତିରେ ପାପ କ୍ଷୟ
ଆସିଛୁ ମନ୍ଦିର ହେ ଭୋଳା ଶଙ୍କର
କେମନ୍ତେ ପୂଜିବୁ ତୁମେ କୁହ ?

କଳ୍ପନା
ଭୁବନେଶ୍ବର

Leave A Reply

Your email address will not be published.