Latest Odisha News

BREAKING NEWS

କବିତା : ଫଗୁଣ ଆସିଛି ବୋଲି

ଶୁଭ୍ରାଂଶୁ ଶେଖର ମାହୁନ୍ତ

ବନ ଉପବନ ପୁଲକିତ ଆଜି
ଫଗୁଣ ଆସିଛି ବୋଲି ,
ଆମ୍ବଡାଳେ ବସି ପଞ୍ଚମ ତାନରେ
ଗୀତ ଯେ ଗାଏ କୋଇଲି ।

କାକରଭିଜା ଏ ଫଗୁଣ ସକାଳେ
ଶିହରିତ ହୁଏ ମନ ,
ଚମ୍ପକ ବନର ମଧୁର ମହକ
କରୁଛି ସତେ ଉଚ୍ଛନ୍ନ।

ପହିଲି ବସନ୍ତ ନିଆରା ମଳୟ
ଆଣିଛି ଚୋରା ଚଇତି ,
ଧିର ସମୀରଣ ରୋମାଞ୍ଚିତ କରେ
ମଞ୍ଜୁଳ ଜୋଛନା ରାତି ।

ଚଉଦିଗୁ ବାସ ଚହଟଇ ପରା
ଆମ୍ବ ବଉଳର କଷି ,
ହଳଦୀବସନ୍ତ ଦୋଳି ଖେଳେ ପୁଣି
ଅଶୋକ ଡାଳରେ ବସି ।

ମଧୁମକ୍ଷୀକାର ପ୍ରେମ ନିବେଦନେ
ଥାଏ କେତେ ଅଭିଳାଷ,
ପ୍ରସ୍ଫୁଟିତ ପୁଷ୍ପ ଆନମନା ହୁଏ
ପାଇ ଯେ ତା’ର ପରଶ ।।

ଭଦ୍ରକ

Leave A Reply

Your email address will not be published.