Latest Odisha News

BREAKING NEWS

କବିତା : କୁହୁଡି ପହଁରା

ସୁବ୍ରତ କୁମାର ଜେନା

ସ୍ଥିର ଏଇ କ୍ଷଣ,
ହେଲେ ପ୍ରକୃତି ନିଏ ଲେଉଟାଣି,
ଅଡ଼ୁଆ ତାଡୁଆ ଅନେକ ପ୍ରଶ୍ନଗୁଛ,
କିନ୍ତୁ ଭାଗ୍ୟଯେ ବାଆଁରା ପକ୍ଷୀ,
କେବେ ଉର୍ଦ୍ଧଗାମୀ କେବେ ରସାତଳ ,
ପ୍ରୟାସ କିନ୍ତୁ ଲାଗି ରହିଛି ନିରନ୍ତର,
ହୁଏତ ବାନ୍ଧିପାରେ ଜହ୍ନକୁ ହାତ ପାପୁଲିରେ ।

ବାଲି ସମୁଦ୍ରକୁ ଡେଇଁବାକୁ ଉଦ୍ୟମ,
ଆୟୋଜନ ଶେଷ ସୋପାନରେ,
ଆମନ୍ତ୍ରିତ ଅତିଥିଙ୍କ ଦେଖା ନାହିଁ,
ତାହେଲେ କଣ ?

କିଏ କହିଲେବି କୁହୁଡି ପହଁରା
ଯେମିତି ହେଉ ଆଗକୁ ବଢିବାକୁ ହେବ।

ସାଧୁବାଦ ନମିଳିଲା ନାହିଁ,
ଏମିତିରେ ବି ଜୀବନଟା ଏକା,
ସାଥି କେବଳ ଆଲୁଅର ଛାଇ,
ଅନ୍ଧାରରେ ଦୁକ୍ ଦୁକ୍ ବଢ଼ାଉଥିବା ଭୟ,
କିନ୍ତୁ ଆଗଭଳି ଆଉ ଡରାଇ ପାରୁନି,
ଆମ ଗାଁ ମୁଣ୍ଡ ଓସ୍ତ ଗଛ ଓ ବର ଓହଳ ।

ପିଲାଦିନେ ଶୁଣିଥିଲି ଅନେକ କଥା,
ଆଜି କିନ୍ତୁ ମିଛ ଲାଗିଲେ ବି ମାନିବାକୁ ମନ କୁହେ,
କେମିତି ପିଠି କରିବି ସେ କଥାଗୁଡା
ତାଙ୍କରି ଲାଗି
ଝାପ୍ସା ଜହ୍ନ ଆଲୁଅରେ କାଶିଆ ଗଛରେ ଭୂତର ଭ୍ରମ,
ନିଦ ଭାଙ୍ଗିଗଲେ
ଲାଗୁଛି ସ୍ଥିର  ଏ କ୍ଷଣ,
କିନ୍ତୁ ନାଁ ,ଏ ଗୋଟିଏ ଭ୍ରମ ।

ଚେଷ୍ଟା କରି ହାରିବାରେ କ୍ଷତି କଣ ?
କାଳେ ହୁଏତ ହୋଇପାରେ କିଛି ନୂଆ !
ନିଶ୍ଚିତ ଜାରିରହିବ ଏ ପ୍ରକ୍ରିୟା ନିରନ୍ତର ଯୁଗ ପରେ ଯୁଗକୁ ।

ସୁରଡ଼ିହ,ନନ୍ଦିପୁର,ଯାଜପୁର

Leave A Reply

Your email address will not be published.