Latest Odisha News

କବିତା : ହେ ଗୌତମ

ସୁପ୍ରିୟା ପଣ୍ଡା 

ହେ ଗୌତମ
ଆଉ ଲୋଡ଼ା ନାହିଁ ନିର୍ବାଣ
ମୋ ଅଂହକାରର ପରିବର୍ଦ୍ଧିତ ସୀମାରେ,
କାମନାର ବିନାଶ ଅସମ୍ଭବ
ମୁଁ ଚାହେଁ ଅୟୁତ ଅୟୁତ ଯନ୍ତ୍ରଣା
ଆଞ୍ଜୁଳିଏ ସୁଖ ପାଇଁ ।

ପାପ ପୁଣ୍ୟର ହିସାବ କରିବାକୁ
ମୋର ବା ସମୟ କାହିଁ
ନୁହେଁ ବି ମୁଁ ଚଣ୍ଡାଶୋକ
ଦୟାନଦୀର ରକ୍ତସ୍ରୋତ
ମୋ ପାଇଁ କେବଳ ଏକ ଦୃଶ୍ୟ
ପରିବର୍ତ୍ତନର ପ୍ରଶ୍ନ ନାହିଁ !

ତୁମ ବୁଦ୍ଧତ୍ୱ ପାଇଁ
ତେଜି ପାରିବିନି ତମାମ ମାୟା, ମୋହ
ହୋଇଥାଉ ଏ ସଂସାର ଦୁଃଖମୟ
ପାପୁଲିରୁ ଖସି ପଡୁଥାଉ
ମୋ ମାନବିକତା
ମତେ ଦେଖିବାର ନାହିଁ
ଦୁଃଖର କାରଣ କାମନା
ମୁଁ ଠିକ ଜାଣେ
ହେଲେ ବୁଝିବାକୁ ଚାହେଁନାହିଁ।

ଫେରିଯାଅ ସିଦ୍ଧାର୍ଥ
ଅଶ୍ୱତଥ ବୃକ୍ଷର ଛାୟାକୁ
ତୁମେ ଠିକ ଜାଣ
କେବେଠୁ ଚାପି ହୋଇଗଲାଣି
ମୋର ମୁକ୍ତିର ମାର୍ଗ
ମୁଁ ଚାହେଁ ଯୁଦ୍ଧ
ମୁଁ ଚାହେଁ ରକ୍ତପାତ
ମୁଁ ଚାହେଁ କୁଢ଼ କୁଢ଼ ଦୁଃଖ।

ତୁମ ନିର୍ବାଣ ପ୍ରାପ୍ତିର ନକସାକୁ
କେବେଠୁ ହଜେଇ ସାରିଛି
ମୋ ଛଳନାର ଗନ୍ତାଘରେ
ଏବେ କେବଳ କାମନା ଆଉ ବାସନା
ମାୟା ମୋହର ଠିକଣା
‘ମୁଁ’ର ପ୍ରବଞ୍ଚନା !

ତୁମେ ଫେରିଯାଅ
ସମାଧିସ୍ଥ ହୋଇ
ଫେରେଇ ନିଅ ତୁମ
“ବୁଦ୍ଧଂ ଶରଣଂ ଗଚ୍ଛାମି”
“ସଙ୍ଘ ଶରଣଂ ଗଚ୍ଛାମି”
ରୁଦ୍ଧ କରିଦିଅ ତୁମ ଦ୍ୱାର
ଫେରିଯାଅ ଗୌତମ
ଫେରିଯାଅ ।

Leave A Reply

Your email address will not be published.