Latest Odisha News

BREAKING NEWS

କବିତା : ଭୁବନେଶ୍ୱର

ସୁପ୍ରିୟା ପ୍ରଶାନ୍ତ

ଭୁବନେଶ୍ୱର ନିରୁଦ୍ଧିଷ୍ଟା ଜଣେ ରହସ୍ୟମୟୀ ନାରୀ
ତାକୁ ଦେଖିଥିବା ଲୋକେ ମନେ ପକାନ୍ତି ,
ସେ ନିରୀମାଖୀ, ଏକବାରେ ମନୋଇ
ଟିଆପଖିଆ ପଣତ ତାର ଲମ୍ବିଥାଏ ,
ଖଣ୍ଡଗିରିରୁ ଚନ୍ଦକା ଶେଷଯାଏ,
ତା ବୁକୁରେ ମୁହଁ ଗୁଞ୍ଜନ୍ତି , ଡେଉଁଥାନ୍ତି ପଲେ ମାଙ୍କଡ଼ଛୁଆ ।

ଦିନେ ତାକୁ ଖୋଜି ଆସିଥିଲେ
କେତେ ସପନ ବଣିକ , ଆଉ କେତେ ଚତୁର୍ମାସିଆ ପ୍ରେମିକ
କଥା ଦେଲେ , ରଖିବୁ ମନରେ ସଜେଇବୁ ନିତି,
ଅପରୂପ ବଧୂଟିଏ ପରି ,
ଆନିବୁନି କେବେ ତୋ ସମ୍ମାନରେ ଟିକେ ହେଲେ ଆଞ୍ଚ ।

ସେ ଦିନ ଥିଲା ମଧୁମୟ
ଓଲଡ ଟାଉନ ମହାଦେବ ମନ୍ଦିରରେ,
ପ୍ରାତଃ ଆରତୀର ଘଣ୍ଟ , ଶଙ୍ଖଧ୍ୱନୀ
ଚମ୍ପା ପୁଳର ମହକ ଭିତରୁ
ବାରି ହୋଇପଡ଼ୁଥିଲା ତା ଆତ୍ମାର ଅନ୍ତର୍ଧ୍ୱନୀ ।

ଭୁବନେଶ୍ୱର ନିର୍ବାକ ଜଣେ ଆଶାହରା ନାରୀ
ତାକୁ ଚିହ୍ନିଥିବା ପୁରୁଖା କୁହନ୍ତି
ସେ କେମିତି ବୁଝୁବୁଝୁ ବଡ ବିବାଦ, ପ୍ରତିବାଦ
ଆଧୁନିକ ଝଲମଲ ଚାଦରଟିଏ ଘୋଡ଼େଇ ହେଇ
ପାଲଟିଗଲା ରାଜରାସ୍ତାର ବାୟାଣୀଟିଏ ;
ମନକୁ ହସେ , ମନକୁ କାନ୍ଦେ , ଗୁଣୁଗୁଣୁ ଗାଏ
ପୁରୁଣା ଅଭୁଲା ଗୀତ !
ଜନତା ମୈଦାନ କୁଟୀର ଶିଳ୍ପ ବଜାରରେ
କେବେ ମାଷ୍ଟ୍ର କ୍ୟାଣ୍ଟିନ ଗୋଳେଇ ପାଖରେ
ଆଉ କେବେ ଅସ୍ତ ସୂର୍ଯ୍ୟ ସିନ୍ଦୁର ଢାଳୁଥାଏ କୁଆଖାଇ ନଈ ପରେ ।

Leave A Reply

Your email address will not be published.