Latest Odisha News

ଅନୁବାଦ କବିତା : ଚିରନ୍ତନ ପ୍ରେମ

ମୂଳ ବଙ୍ଗଳା : ରବୀନ୍ଦ୍ରନାଥ ଠାକୁର 

ତୁମକୁ ଯେମିତି ପାଇଛି ମୁଁ ଭଲ
ଶତ ରୂପେ ଶତବାରେ
ଜନମେ ଜନମେ , ଯୁଗେ ଯୁଗେ, ସବୁ କାଳେ।

ଚିରଦିନ ଏଇ ବିଭୋର ହ୍ରଦୟ
ଗୁନ୍ଥିଛି ଯେ ଫୁଲହାର
କେତେ ଭାବେ ତୁମେ ପିନ୍ଧିଛ ଗଳାରେ
ନେଇ ସେଇ ଉପହାର
ଜନମେ ଜନମେ, ଯୁଗେ ଯୁଗେ ବହୁବାର।

ଯେତେ ଶୁଣେ ସେହି ଅତୀତ କାହାଣୀ
ପୁରୁଣା ପ୍ରେମର ବ୍ୟଥା
ଅତି ପୁରାତନ ବିରହ ମିଳନ କଥା
ଚାହିଁ ଚାହିଁ ସେଇ ସୀମାହୀନ ଅତୀତରେ
ଦେଖିପାରେ ଅବଶେଷେ
କାଳ ତିମିରର ରଜନୀକୁ ଭେଦି
ତୁମରି ମୂରତି ଦିଶେ
ଚିର ସ୍ମୃତିମୟୀ ଧ୍ରୁବ ତାରକାର ବେଶେ।

ଆମେ ଦୁଇଜଣ ଆସିଅଛୁ ଭାସି
ଯୁଗଳ ପ୍ରେମର ସ୍ରୋତେ
ଅନାଦି କାଳରୁ
ହ୍ରଦୟ ଉତ୍ସ ଚିରି
ଆମେ ଦୁହେଁ ମିଶି ଖେଳିଛୁ ବହୁତ
କୋଟି ପ୍ରେମିକଙ୍କ ସାଥେ
ବିରହ ବିଧୁର ନୟନର
ମଧୁର ମିଳନ ଲାଜେ
ପୁରୁଣା ପ୍ରେମର ନିତ୍ୟ ନୂତନ ରୂପେ।

ଅତୀତର ସେଇ ପୁରୁଣା ଦିନର
ପ୍ରେମର ହୋଇଛି ଇତି
ଝରି ପଡ଼ିଛି ସେ ତୁମ ପାଦତଳେ ଆଜି
ଅସୀମ ସୁଖ ଓ ବହୁତ ଦୁଃଖର
ଅନେକ ଅଭୁଲା ପ୍ରୀତି
ଗୋଟିଏ ପ୍ରେମରେ ହୋଇଛି ସେ ଲୀନ
ସମସ୍ତ ପ୍ରେମର ସ୍ମୃତି
ସବୁ ସମୟରେ ସବୁ କବିଙ୍କର ଗୀତି ।

ଅନୁବାଦ : ମନୋରଞ୍ଜନ ହୋତା

Leave A Reply

Your email address will not be published.