ଅନୀତା ପାଣି
ଶ୍ରାବଣର ଶେଷେ ଧୋଇ ନେଲା ଯେତେ ସୁଖର ସୁରଭି ବାସ,
ଆଖିରେ ଆଖିଏ ଭରିଥିଲି ଯେତେ ସପନର ଅଭିଳାଷ ।
ଭାଗ କରିଦେଲା ଅଯୋଡା ଅକ୍ଷର ଆଦ୍ୟ ଅନ୍ତ ସୀମାରେଖା,
ଆର ଶ୍ରାବଣରେ ଶ୍ରାବିତ ନୟନ ଏମିତି ପଡିବ ସୁଖା ।
ମନା ଆଉ ଥରେ ଖୋଜିବା ସପନେ ଉଜୁଡା ମରମ ମୂଲ,
ମନା ଆଉ ଥରେ ଉଜୁଡା କୁନ୍ତଳେ ସାଜିବା ସୁନାର ଫୁଲ।
ହଜିଗଲା ଯାହା ସମୟ ସୁଅରେ ଫେରାଇବି କେଉଁ ମତେ,
ଖୋଜିଲେ କି ହେବ ଜୀବନ ଘାଟରେ ବିଗତ ଫେରିବ ସତେ ?
ସ୍ମୃତି ଫେରୁଥାଏ କୂଳ ଲଙ୍ଘୁଥାଏ ଏଇ ମୋ ନୟନ ତୀରେ,
ଆଉ ବୁହାଅନା ମନର ମୁହାଣେ କିଛି ଥାଉ ନେପଥ୍ୟରେ ।
ଶେଷ ଶ୍ରାବଣର ଟୋପା ଟୋପା ସ୍ମୃତି ସାଇତିଚି କାଲି ପାଇଁ,
ବଞ୍ଚିବାର ଏଇ ମାଧ୍ୟମ ମୋହର ଲିଭାଇ ଦିଅନା କେହି ।
ଲୁହର ସାଗରେ ଯେମିତି ଏ ସ୍ମୃତି ଶାମୁକା ଗରଭେ ମୋତି,
ସ୍ବାତୀ ନକ୍ଷତ୍ରର ପରଶେ ପିଉଷ ଜୀବନର ଅନୁଭୁତି।
ସାଉଥ୍ ବଲଣ୍ଡା,ତାଳଚେର