Latest Odisha News

ଗପ: ଅପୂର୍ବ ବାସ୍ନାର ସନ୍ଧାନେ…

ଦେବାଶିଷ ଆଚାର୍ଯ୍ୟ                                           

ଖରାଦିନ, ସକାଳୁ ସକାଳୁ ଦାଣ୍ଡ ପଟେ ପାଟି ଶୁଭିଲା , ଜୀଅନ୍ତା ମାଛ, ଜୀଅନ୍ତା ମାଛ…. । ସାଧନାଙ୍କ ଗଭୀର ଲୋଭ ମାଛ ପ୍ରତି । ତେଣୁ ସେ କିଛି ନଭାବି ଦଉଡ଼ି ଗଲେ ଦାଣ୍ଡକୁ । ଜିଅନ୍ତା ରୋହି ମାଛ ଦେଖି ସେ ଆଉ ରହି ପାରିଲେ ନାହିଁ । ସେ ଗୋଟେ ଜୀଅନ୍ତା ମାଛକୁ ଦେଖେଇ , ତାକୁ କାଟିବାକୁ କହିଲେ । କଟା ମାଛ ଧରି ଘରକୁ ଆସିଲେ ପଇସା ପାଇଁ ।

ସ୍ବାମୀ , ଅଭୟ ଗଭୀର ନିଦରେ ଥାନ୍ତି । ସାଧନା ପଇସା ମାଗିବାରୁ , ଅଭୟ ତାଙ୍କ ପ୍ୟାଣ୍ଟ୍ ପକେଟ୍ ରୁ ନେଇଯିବାକୁ କହିଲେ । ସଙ୍ଗେ ସଙ୍ଗେ ସାଧନା ପକେଟ୍ ରେ ଥିବା ପର୍ସରୁ ୫୦୦ଟଙ୍କିଆ ନୋଟ୍  ଧରି ଚାଲିଲେ ଦାଣ୍ଡକୁ । ମାଛ ବେପାରୀ ୩୦୦ ଟଙ୍କା ରଖି ବାକି ଫେରାଇଦେଲା । ତେଣୁ ବାକି ୨୦୦ ଟଙ୍କା କୁ ଘରକୁ ଆସି ସାଧନା ପର୍ସରେ ରଖିଲା ।
କିନ୍ତୁ ଏହି ସମୟରେ ହାତରୁ ପର୍ସ ଖସିଗଲା । ତଳୁ ଉଠାଇବା ବେଳେ ଏକ ଫଟୋ ଖସି ପଡ଼ିଲା । ଫଟୋଟି ବହୁତ୍ ପୁରୁଣା ହୋଇ ଯାଇଥିଲା । ଫଟୋ ଟି ଥିଲା ଜଣେ ମହିଳାଙ୍କ ।
ଫଟୋଟି ଦେଖି ପ୍ରଫୁଲ୍ଲ ମନଟି ସମ୍ପୂର୍ଣ ପାଣି ଫାଟିଗଲା ।
କିଏ ଏହି ମହିଳା ?
କଣ ପାଇଁ ଏତେ ଦାୟିତ୍ୱ ର ସହ ରହିଛି ଫଟୋଟି ?
ନିଜ ସ୍ତ୍ରୀ ପିଲା ଛୁଆଙ୍କ ଫଟୋ ନଥିବା ବେଳେ ଏହି ମହିଳା ଜଣଙ୍କ କିଏ ଯେ ଏତେ ଗୁରୁତ୍ବ?
କଣ ଅଭୟ ବାହାରେ ଆଉ ଜଣେ…..

ଏହି ଭଳି ଅନେକ ପ୍ରଶ୍ନ ମନ କୁ ଭାରାକ୍ରାନ୍ତ କରି ଦେଇଥାଏ, ସାଧନାର । ଗୋଟିଏ ଜାଗାରେ ସେ ସେହି ପର୍ସକୁ ଧରି ଗୁମ୍ ହୋଇ ବସିଥାନ୍ତି । ବିବାହର ୧୫ ବର୍ଷ ପରେ ଏକ ସନ୍ଦେହର ମଞ୍ଜି ।

କିଛି ସମୟ ପରେ ଉଠିଲେ ଅଭୟ ବାବୁ। ଆଖି ମଳି ମଳି ଚାଲିଲେ ଗାଧୁଆ ଘରକୁ । କିନ୍ତୁ ଏ କଣ, ନିଜ ଧର୍ମପତ୍ନୀଙ୍କ ଏମିତି କି ରୂପ । ପୁରା ଗୁମସୁମ୍ । ହାତରେ ତାଙ୍କ ନିଜ ପର୍ସ । କିଛି ବୁଝି ପାରୁନଥାନ୍ତି ଅଭୟ ।

ଅ : କିହୋ, ମାଡାମ୍ ମାଛ ତ କିଣିଲ, ଆଉ ଏମିତି ମୁହଁଟା ଫୁଲେଇକି କାଇଁ ବସିଛ ଯେ …..
ପ୍ରତି ଉତ୍ତରରେ ସାଧନା ବଢେଇ ଦେଲେ ସେହି ପର୍ସ ଓ ସେହି ଫଟୋଟିକୁ ….

ସା : ବାହାରେ ତ ଗୋଟେ ରଖିଚ, ଏ ଶୁଖିଲା ସୁହାଗ ଆଉ କାହାକୁ ଦେଖେଇବ ଯା । ଯା ତୁମ ରକ୍ଷିତା ସହ ରହିବ ….(ଭୋ ଭୋ କି କାନ୍ଦିଲେ )

ଅଭୟ କିଛି ଭାବି ପାରୁ ନଥାନ୍ତି , କଣ ଚାଲିଛି ଏଠି । ସେପଟେ ସାଧନା ବି କିଛି ବୁଝିବା ପରିସ୍ଥିତିରେ ନାହାନ୍ତି ।

ଅ : ଟିକିଏ ମୋ କଥା ଶୁଣ, ମୋ କଥା ବୁଝିବାକୁ ଚେଷ୍ଟା କର ।

ସା : ମୋତେ ଆଗ କୁହ , ମୋର କଣ କମି ରହିଲା ଯେ ତୁମେ ବାହାରେ ଜଣଙ୍କୁ ରଖିଲ , ସତରେ ମୁଁ କଣ ଏତେ ଖରାପ ….( କାନ୍ଦି କାନ୍ଦି ପଚାରିଲେ )

ଅ : ଶୁଣ , ଏହି ଯୋଉ ଫଟୋ ଦେଖି ଏତେ ମ୍ରିୟମାଣ ହୋଇ ପଡିଚ , ସେ ହେଲେ ଆତିଫା , ଆଉ ଆଜି ଯଦି ମୋତେ ତୁମେ ଦେଖୁଚ କି ମୋର ଏହି ଧନ ସଂପତ୍ତି , ସବୁ ତାଙ୍କରି ଦାନ । ସେ ମୋର …… (ଉଦାସ ହୋଇଗଲେ ଅଭୟ)

ଉଭୟ ସମ୍ପୂର୍ଣ୍ଣ ଚୁପ୍ ଚାପ୍ ଘର । ଉଭୟ ଉଦାସ ।

ଅ: ଶୁଣ ମୋର ଘର ଏଠି ନୁହଁ । ମୋ ଘର ସୁଦୂର କଳାହାଣ୍ଡି । ବାପା ଚାଲିଯିବା ପରେ, ସାବତ ମା ର ଅକଥନୀୟ ଅତ୍ୟାଚାର ସହି ନ ପାରି ଚାଲି ଆସିଲି ଏହି ଭୁବନେଶ୍ୱର । ପାଠ ବେଶି ପଢି ନଥିବାରୁ ଏଠି ଆସି ମୂଲିଆ କାମ କଲି, ଧୀରେ ଧୀରେକୁ ସଙ୍ଗରେ ପଡି ମଦର ମଧ୍ୟ ଶିକାର ହେଲି ଓ ଯାହା ରୋଜଗାର ସବୁ ସେଥିରେ ଉଡେଇ ଦେଉଥିଲି ।

ଦିନେ ସନ୍ଧ୍ୟାରେ ମୁଁ ମଦ ପି ରାସ୍ତାରେ ପଡିଥାଏ , ତ ପରଦିନ ସକାଳୁ ନିଜକୁ ଆବିଷ୍କାର କରେ ଏକ ସୁନ୍ଦରୀ ମହିଳାଙ୍କ ଘରେ । ସେଥିଲେ ଆତିଫା, ଜଣେ ସ୍ୱଳ୍ପ ବୟସ୍କା ବାପା ମା ଛେଉଣ୍ଡ  ମୁସଲିମ ଝିଅ । ଖୁବ୍ ଗରିବ ଝିଅ , ନିଜ ବାଡ଼ିରେ ଫୁଲ ଗଛ ଲଗାଇ ତାକୁ ବିକି ସେ ଚଳୁଛି ।
ତାଙ୍କୁ କାଲିର କାମ ପାଇଁ ଧନ୍ୟବାଦ ଦେଲି । ଆତିଫା ମୋ ବିଷୟରେ ପଚାରିବାରୁ , ମୁଁ ନିଜର ପରିଚୟ ଦେଲି ।
ମୋ ଦେହରେ ଜର ଥିବାରୁ ଆତିଫା ମୋତେ ତାଙ୍କ ଘରେ ବିଶ୍ରାମ ନେବାକୁ କହି କିଛି ଖାଇବା ଥୋଇ ନିଜ କାମକୁ ବାହାରିଗଲେ । ମୁଁ ଦ୍ଵିପହରେ ଉଠି ଖାଇଲି ଓ ଟିକିଏ ଭଲ ଲାଗିବାରୁ ବାଡ଼ିରେ ଯାଇ ବୁଲା ବୁଲି କଲି । ଲାଗିଥିବା ଫୁଲ ଗଛ ଦେଖି ମୋ ମନ ଖୁସି ହୋଇଗଲା । ଖୁବ୍ ସୁନ୍ଦର ଭାବେ ଗଛର ଯତ୍ନ ନିଆ ଯାଇଥିଲା । କୌଣସି ଗଛ ମୂଳରେ ଗୋଟିଏ ମଧ୍ୟ ଘାସ ନଥିଲା ।
ଆତିଫା ଖାଇବା ପାଇଁ ଆସିଲେ ଘରକୁ , ମୋତେ ସେ ବାଡି ପଟେ ଦେଖି ଏକ କ୍ଷୁଦ୍ର ହସ ମାଧ୍ୟମରେ କହିଲେ , “ଏହି ଗଛଲତା ମୋର ପରିବାର , ମୋର ଏହି କ୍ଷୁଦ୍ର ପରିବାର ର ଖୁବ୍ ସୁନ୍ଦର ଭାବେ ମୁଁ ଯତ୍ନ ନେଇଥାଏ ଓ ସେହି ପରିବାର ମୋ ପେଟକୁ ଦି ଓଳା ଦି ମୁଠା ଖାଇବାକୁ ମଧ୍ୟ ଦିଏ ।”
ଏହି ଦୁଇ ପଦ କଥା ମୋ ମନକୁ ପାଇଥିଲା । ସତରେ କର୍ମକୁ ନିଜ ପରିବାର …..
ତା ପରଦିନ ମୁଁ ଆଉଥରେ ଅଶେଷ ଧନ୍ୟବାଦ ଦେଇ ବାହାରି ଗଲି । କାମ ସାରି ପୁଣି ସାଙ୍ଗ ମାନଙ୍କ ସହ ଚାଲିଲି ମଦଭାଟି କୁ, କିନ୍ତୁ ସେହି ଫୁଲ ଗଛ ଓ ଆତିଫା ଙ୍କ ସେହି ଦୁଇ ପଦ କଥା ମୋ ମନକୁ ଖୁବ୍ ଆନ୍ଦୋଳିତ କଲା । ମଦ ନ ପିଇ ଫେରି ଆସିଲି ନିଜ ବସାକୁ ।
ତା ପରଦିନ ସକାଳୁ ସକାଳୁ ଯାଇ ପହଞ୍ଚି ଗଲି ଆତିଫା ଙ୍କ ଘରେ । ସେ ସେତେବେଳକୁ ଭିନ୍ନ ଭିନ୍ନ ଫୁଲ ଧରି ବାହାରିଥିଲେ ବିକିବା ପାଇଁ ।    ମୋତେ ଦେଖି ପଚାରିଲେ , “ଆଉ ଏବେ କେମିତି ଅଛ, ଦେହ ଠିକ୍ ଅଛି ତ ? ”
ମୁଁ ପ୍ରତି ଉତ୍ତର ରେ କହିଲି , ” ମୋତେ କିଛି କାମ ଦିଅନ୍ତୁ , ଯାହା କହିବେ ସବୁ କରିବି ।”
ଆତିଫା କହିଲେ , ” ମୁଁ ତ ଗରିବ ଝିଅଟିଏ , ମୁଁ କଣ କାମ ଦେବି ”
ମୁଁ କହିଲି ,”ହଉ ଠିକ୍ ଅଛି ଆଜି ଠାରୁ ମୁଁ ଏହି ଗଛ ଗୁଡ଼ିକର ଯତ୍ନ ନେବି , ଆଉ ଖାଲି ପଡ଼ିଥିବା ଜାଗାରେ ଆଉ କିଛି ପରିବା ଚାଷ କରିବି , ଆପଣ ଦୟା କଲେ”
ହଉ କହି ଚାଲିଗଲେ ଆତିଫା । ସେ ଆସିଲା ବେଳକୁ ଚିହ୍ନି ପାରିଲେନି ତାଙ୍କ ସେହି କ୍ଷୁଦ୍ର କୁଟୀର କୁ । ସାମ୍ନାରେ ଥିବା ସବୁ ଘାସ ସଫା କରି କାମରେ  ଲାଗିଥାଏ ମୁଁ ।
କ୍ରମାନ୍ୱୟରେ ଆମେ ଦୁଇ ଜଣ ପରସ୍ପର ସହାୟତାରେ ଫଳ ଓ ପରିବାର ଏକ କ୍ଷୁଦ୍ର ଫାର୍ମ କଲୁ । ଖୁବ୍ ପାଖରୁ ଆମେ ପରସ୍ପରକୁ ଜାଣି ପାରିଲୁ । ଆମ ଉଭୟଙ୍କ ପରିଶ୍ରମ ଯୋଗୁଁ ଖୁବ୍ ଲାଭ ବି ହୋଇ ଛୋଟ ବ୍ୟବସାୟୀ ମଧ୍ୟ ପାଲଟିଗଲୁ ।
ତାଙ୍କର ସୁନ୍ଦରତା ତଥା କାମରେ ଓ ମୋ ଜୀବନରେ ତାଙ୍କ ଭୂମିକାରେ ବିମୋହିତ ହୋଇ ମୁଁ ତାଙ୍କ ପ୍ରେମରେ ପଡି ଯାଇଥିଲି ଓ ଜୀବନସାଥି କରିବାର ସଂକଳ୍ପ ନେଇ ଏକ ଗୋଲାପ ପ୍ରେମ ଭିକ୍ଷା କରିଥିଲି । ସେ ମଧ୍ୟ ଏଥିରେ ସହମତି ପ୍ରକାଶ କରିଥିଲେ ।
କିନ୍ତୁ ଏଥିରେ ବାଧା ଥିଲା , ସେ ଥିଲେ ଜାତିରେ ମୁସଲମାନ ଓ ବୟସରେ ମୋ ଠାରୁ ବଡ଼ । କିନ୍ତୁ ଏହା ଆମକୁ ଅଲଗା କରି ପାରିଲା ନାହିଁ । କୋର୍ଟ ରେ ବିବାହ ପାଇଁ ମନସ୍ଥ କରି ମଟରସାଇକେଲରେ ଯିବା ସମୟରେ ଘଟିଲା ଏକ ଦୁର୍ଘଟଣା । ଏକ ଦୁର୍ଘଟଣାରେ ଉଭୟ ସାଙ୍ଘାତିକ ଆଘାତ ପ୍ରାପ୍ତ ହୋଇଥିଲୁ ।
୧୫ ଦିନ ପରେ ଯେତେବେଳେ ମୁଁ ଆଖି ଖୋଲିଲି , ମୁଁ ଥିଲି ଡାକ୍ତରଖାନାରେ । ଡାକ୍ତର ମୋତେ ଦେଖା ଯାଉଛି କି ନାହିଁ ବୋଲି ପଚାରିଲେ, ମୁଁ ଉତ୍ତର ରେ ହଁ କହି ଆତିଫାଙ୍କୁ ଖୋଜିବାରୁ ଏକ ଚିଠି ଟିଏ ଦେଇ ଚାଲିଗଲେ ।
ଚିଠି ଖୋଲି ଦେଖିଲି , ସେଇଟା ଥିଲା ଆତିଫାଙ୍କ । ଲେଖାଥିଲା ,” ପ୍ରିୟର ଅଭି, ଦୁର୍ଘଟଣାରେ ମୋର ପ୍ରାୟ ସବୁ ଅଙ୍ଗ ନଷ୍ଟ । ଡାକ୍ତର କହିଲେ ବଞ୍ଚିବା ସମ୍ଭାବନା ବହୁତ କମ୍ । ତୁମର ଆଖି ମଧ୍ୟ ଦୁର୍ଘଟଣାରେ ନଷ୍ଟ ହୋଇଥିବା ଜାଣି ମୋର ଶେଷ ସମ୍ବଳ ଆଖି ଦୁଇକୁ ତୁମକୁ ଦେଲି । ମୋତେ ଯଦି ଭଲ ପାଉଥିବ, କେବେ ବି ଆଖିରୁ ଲୁହ ଗଡ଼ାଇବନି । ଆଉ ତୁମକୁ ମୋ ରାଣ, ଆଉ ଜଣଙ୍କୁ ବିବାହ କରିବ ଓ ମୋ ଠୁ ଅଧିକ ଭଲ ପାଇବା ତାଙ୍କୁ ଦେବ । ଏହି ଜନ୍ମରେ ତ ତୁମର ହେଇ ପାରିଲି ନାହିଁ, କିନ୍ତୁ ଆର ଜନ୍ମରେ ….
ଆମର ମାନସ ସନ୍ତାନ ସେହି ଗଛ ଲତାର ଠିକ୍ ରେ ଯତ୍ନ ନେବ ।”

ଚିଠି ଟି ପଢି ମୁଁ ଦୌଡିଲି ଡାକ୍ତରଙ୍କ ପାଖକୁ , ପଚାରିବାରୁ ଉତ୍ତର ମିଳିଲା,” ସେ ଆଉ ନାହାନ୍ତି ଓ ତାଙ୍କ ମୃତ ଶରୀରକୁ ସେ ଦାନ କରି ଦେଇଛନ୍ତି ।”

ଏତିକି ବେଳକୁ ଆଖିରେ ଆଖିଏ କୁହ ଥାଇ ବି କାନ୍ଦି ପାରୁ ନ ଥାନ୍ତି ଅଭୟ, ହଠାତ୍ ସାଧନା କହି ଉଠିଲେ, ସତରେ ଆତିଫା, ଜଣେ ମହିୟସୀ ମହିଳା । ମୋତେ କ୍ଷମା କରିଦିଅ ଅଭୟ କହି କୁଣ୍ଢାଇ ଧରି ପକାଇଲେ ସାଧନା ।

ତା ପରଦିନ ଠାରୁ ସାଧନା ମଧ୍ୟ ଅଭୟଙ୍କ ସେହି ପ୍ରଥମ ପ୍ରେମର ଅପୂର୍ବ ମହକ ତଥା ସେମାନଙ୍କ ସନ୍ତାନ ବୃକ୍ଷରାଜିର ଯତ୍ନ ନେଇ ସେ ଶାଶ୍ଵତ ପ୍ରେମକୁ ଅନୁଭବ କରିବାରେ ଲାଗି ପଡ଼ିଲେ ।

Leave A Reply

Your email address will not be published.