ଗଳ୍ପ : ବିଶ୍ୱାସର ବ୍ରତ

ସ୍ନେହଲତା ଚୌଧୁରୀ 

ଭାଇ ଆଜି ସାବିତ୍ରୀ ବ୍ରତ। ମୁଁ ମେଡିକାଲରେ ଥିଲେ କଣ ହେଲା? ମୁଁ ଆଜି ଏଇଠି ସାବିତ୍ରୀ ବ୍ରତ କରିବି। ତୁ ମୋ ପାଇଁ ସବୁ ଜିନିଷ ଆଣିଦେ। ଭାଇର ଆଖି ଲୁହରେ ଜକେଇ ଆସିଲା, ନୀରବ ହୋଇ ଠିଆ ହୋଇଛି, ତା ପାଖରେ ଭାଷା ନାହିଁ କଣ କହି ଲିନାକୁ ବୁଝାଇବ।

ଗତ ଦୁଇ ତିନି ସପ୍ତାହ ହେବ ଲିନା ମେଡିକାଲରେ ଅଛି। ତା ଆଗରୁ ସ୍ବାମୀ ତାର କୋରୋନାରେ ସଂକ୍ରମିତ ହୋଇ ଅନ୍ୟ ଏକ ମେଡିକାଲରେ ଚିକିତ୍ସିତ ହେଉଥିଲେ। ସ୍ଵାମୀଙ୍କ ବିଷୟରେ ଚିନ୍ତା କରି କରି ସେ ଆଜି ମେଡିକାଲରେ ଶଯ୍ୟାଶାୟୀ। ଯେତେବେଳେ ଚେତା ପାଉଛି, ସ୍ଵାମୀଙ୍କ ଭଲମନ୍ଦ ପଚାରୁ ପଚାରୁ ପୁଣି ଅଚେତ୍ ହେଇଯାଉଛି। କିନ୍ତୁ ପାଞ୍ଚ ଦିନ ତଳେ ସ୍ବାମୀ ତାର କୋରୋନା ସହ ସଙ୍ଘର୍ଷ କରି କରି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ଯାହାକି ଲିନାକୁ ଏ ପର୍ଯ୍ୟନ୍ତ ଅବଗତ ନାହିଁ। ଲିନାର ସ୍ୱାସ୍ଥ୍ୟବସ୍ଥା କାଳେ ଅଧିକ ବିଗିଡି ପାରେ ଭାବି, ପରିବାର ଲୋକ ତାକୁ ତା ସ୍ଵାମୀଙ୍କ ବିଷୟରେ କିଛି ଜଣାଇ ନାହାନ୍ତି। କିନ୍ତୁ ସେ ଆଜି କହୁଛି – “ମୁଁ ସାବିତ୍ରୀ କରିବି। ସେ ମେଡିକାଲରେ ଅଛନ୍ତି ,ମୁଁ ଆଜି ବ୍ରତ ରଖିଲେ ତାଙ୍କ ଦେହ ନିଶ୍ଚୟ ଭଲ ହୋଇଯିବ”। ତାକୁ ବୁଝାଇବ କିଏ?

ହେ ପ୍ରଭୁ ତୁମେ ଆଜି କୋଉଠି? ଆଉ କେତେ ଯନ୍ତ୍ରଣା ଦେଲେ ତୁମ ମନ ଶାନ୍ତି ପାଇବ। ଏତେ ଯନ୍ତ୍ରଣା ଆଉ ସହି ହେଉ ନାହିଁ। ଏଇ କୋରୋନା ମହାମାରୀ ପାଇଁ ଜନ, ଜୀବନ ଓ ଜୀବିକା ସବୁ କିଛି ପ୍ରଭାବିତ। ସମସ୍ତଙ୍କ ସଂସାରକୁ ଉଜାଡି ଦେଲାଣି ଏହି ଅଦୃଶ୍ୟ ଭୁତାଣୁ। ତୁମର ଏଇ ସୁନ୍ଦର ପୃଥିବୀକୁ ଜନଶୂନ୍ୟ ହେବାରୁ ରକ୍ଷା କର ପ୍ରଭୁ, ରକ୍ଷା କର। ଏହି ଦୁଃଖଦ ସମୟରେ ସବୁ ସଧବା ନାରୀଙ୍କ ଶଙ୍ଖା ସିନ୍ଦୂର ସୁରକ୍ଷିତ ରହୁ, କେବଳ ଏତିକି କାମନା।