କବିତା : ସବୁକିଛି ମିଳି ଯାଏ 

ଅନସୂୟା ପଣ୍ଡା

ଘଟଣାର ଅର୍ଥ ଜାଣି ଥିବା ଲୋକ ହିଁ ସୁଖୀ,
ହେଲେ କଣ ଜାଣି କି ଲାଭ ଯେ?

ଉଚ୍ଚ ପର୍ବତ ସବୁ ଜାଣେ,
ବିଶାଳ ଆକାଶର ଗମ୍ଭୀରତା,
ଅନନ୍ତ ସାଗରର ଅସ୍ଥିରତା,
ଚୁଲବୁଲି ବର୍ଷାର ଚଞ୍ଚଳତା,
ସର୍ବସଂହା ପୃଥିବୀର ସ୍ଥିରତା l

ସେ ସୁଖୀ କି?
ବୋଧ ହୁଏ ସେ ସୁଖୀ,
ଖୁବ ନିରବ, ଶାନ୍ତ,
ତେଣୁ ସେ ସ୍ଥିର ସ୍ଥିବିର, ନିର୍ବିକାର l

ନ ଜାଣିବା ଯାଏ କଥା ଅଜଣା ଥାଏ,
ନ ପାଇବା ଯାଏ ଜିନିଷ ଅମୁଲ ରୁହେ,
ନ କରିବା ଯାଏ କାମଟି କଠିନ ଲାଗେ,
ମୁହାଁ ମୁହିଁ ନ ହେବା ଯାଏ ଘଟଣାଟି ଅସହଜ ଲାଗେ,
ନ ଛୁଇଁ ବା ଯାଏ ଆକାଶ ଅସୀମ ଜଣାପଡ଼ୁଥାଏ ସିନା,
ଲକ୍ଷ୍ୟଟିଏ ଆଗରେ ଥିଲେ କିନ୍ତୁ
ସମୁଦାୟ ଦାୟୀତ୍ବ ଆପେ କାନ୍ଧକୁ ଆସିଯାଏ l

ଜିଣିଷଟି ହାତ ପାହାନ୍ତାରେ ମିଳିଗଲେ,
ଆକାଶକୁ ପାଖରୁ ଛୁଇଁ ଦେଲେ,
ସବୁ ସତ୍ୟ ଆପେ ଧାରା ପଡ଼ିଯାଏ,
ସବୁ ଚଞ୍ଚଳତା ଧିମେଇ ଯାଏ l
ନିଜକୁ ନିଜେ ପ୍ରଦୀପ ଲଗାଇ ଖୋଜିବାକୁ ପଡ଼େନି l

ଆରେ ଏତେ ସହଜ ଜିନିଷଟା ପାଇଁ ଏତେ ସମୟ ନଷ୍ଟ ହୋଇଗଲା !
ଏତ ମୋର ଲକ୍ଷ୍ୟ ନୁହେଁ,
ଏତ ମୋତେ ସମ୍ପୂର୍ଣ୍ଣ କରି ପରିଲାନି?

ପୁଣି ଏକ ବଳିଷ୍ଠ ଲକ୍ଷ୍ୟର ଖୋଜା ଚାଲେ l
ଯେତେ ଯିଏ କହିଲେ ବି ସେ ବୁଝେନି,
ଭୁଲିଯାଏ, ଯେତେବଡ ଲକ୍ଷ୍ୟ, ସେତେ କଠିନ ପରୀକ୍ଷା,
ସେତେ ବି ବନ୍ଧୁର ରାସ୍ତା l

ସୁଖ ଶାନ୍ତି ଖୁବ ଦାମିକା ଜିନିଷ ସଂସାରରେ,
କେବେ କଣ ଏକାଠି ମିଳିଛି କାହାକୁ?
ସେ ବୁଝେ, ଶାନ୍ତ ହୁଏ,
ଯେତେବେଳେ ସେ ନିଜେ ସତଟାକୁ ଆଖିରେ ପରଖେ,
ନିଜ ପ୍ରକୃତି ନିକଟରେ ଖାଣ୍ଟି ହେବା ହିଁ ଧର୍ମ ବୋଲି ଜାଣେ,
ନିଜ ଉପରେ ବିଶ୍ୱାସ ହିଁ ସନ୍ତୋଷ ବୋଲି ଅନୁଭବ କରେ l
ନିଜକୁ ନିଜେ ନ ଜାଣିଲା ଯାଏ କଣ ସିଏ ସୁଖୀ ହୁଏ?
ସେ ଯାହା ଚାହେଁ ତାହା ଭୁଲ କରି ଚାହେଁ,
ଯାହା ପାଏ ତାହା ଚାହିଁ ନଥାଏ l

ସକାଳ ଆସିବା ପୂର୍ବରୁ ରାତିଟା ଯେ ଖୁବ ଗାଢ଼ ଥାଏ l
ମୁଁ କିଛିଗୋଟେ ପାଇବିର କ୍ଷୀଣ ଇଚ୍ଛା ସରିଗଲା ଦିନ,
ସବୁ କିଛି ମିଳିଯାଏ,
ସବୁ କିଛି,
ଯାହା ଦିନେ ଅପହଞ୍ଚ ଥିଲା,
ମନରେ ଯାହା ବସା ବାନ୍ଧିଥିଲା
ଚିର ଅପ୍ରାପ୍ୟ ସୁଖ ହୋଇ l

କାର୍ଡଗୁଡି, ବାଙ୍ଗାଲୋର,