କବିତା : ସ୍ବପ୍ନପ୍ରିୟା -ତୁମ ଗାଁ ବର୍ଷା

ପ୍ରଳୟ ନାୟକ

ଉତ୍ତରରେ
ହେଇ , ଏ ଦୂର ଦିଗଚକ୍ର ଛୁଇଁ
ତୋ ଗାଁ ମଥାନରେ ମେଘ,
ଆଉ ଏଠି…..
ମୋ ଗାଁ ସୁଧାର ଆକାଶ ପରେ କାକକୃଷ୍ଣ ମଦିର ଉତ୍ସବ,
ଶୁଣୁଛି ମୁଁ ଘୋର ବଜ୍ରନାଦ
ସମଗ୍ର ଆକାଶ ବ୍ୟାପି ଚମ୍ପାବତୀ ଶମ୍ପା’ର ତାଣ୍ଡବ,

ଜାଣେ ତୋତେ ବିଜୁଳି ବାଜିଲେ ଭାରି ଡର ଲାଗେ
ମୋତେ କିନ୍ତୁ ଗଡ଼ ଗଡ଼ ଶବ୍ଦେ ତା’ର ଢକ୍କାନାଦ ଶୁଭେ,
ମେଘ ଦୁର୍ଗେ ଅଗ୍ନିଖଡ୍ଗ ହାଣେ କିଏ ଦୃପ୍ତ ଅଶରୀରି
ପ୍ରଣୟିନୀ ଗୁଣୁଗୁଣୁ ଗୀତ
ମଦନ ପୀଡ଼ିତ ରାତି ଶେଷେ ଶୁଣାଯିବା ଭଳି
ଶୁଭେ ବେଙ୍ଗ ରଡ଼ି……
ମୋ ପ୍ରାଣ କନ୍ଦର ଭେଦି ବେପଥୁ ଉଜାଣି,

କେହି ଏବେ ଆସନ୍ତାନି
ଏକାକୀ ମୋ ବ୍ୟଗ୍ରବାହୁ ପାଶେ
ଦିଅନ୍ତି ମୁଁ ଆଲିଙ୍ଗନ ମଧୁ
କାଳର ପରଶ ଛେଦି
ପ୍ରେମ ବନ୍ୟା କୁମ୍ଭସ୍ନାନ ଭଳି……..

ମୋତେ କିଆଁ ଏବେଳେ କହୁଛୁ
ଶବ୍ଦରେ ଶବ୍ଦରେ ଆଉ ମୋତେ ଛନ୍ଦାଅନି କବି
ମୁଗ୍ଧବାଣୀ କେବେ କଣ ଛନ୍ଦେ……?
ସେ ତ ଖାଲି ଆଲିଙ୍ଗନ କରେ
କେବେ ପ୍ରେମେ
କେବେ କାମେ
ଅମୃତ ଅନ୍ୱେଷି…..

ଏ ଶବ୍ଦ ତୁମର ପ୍ରିୟେ…..
ବାଟ ଭୁଲି ଆସିଛି ମୋ ପାଶେ
ଦେବାକୁ ଉଦନ୍ତ ତୁମ
ବର୍ଷିଣୀ ଏ ମଧୁର ନିଦାଘ ରାତେ
ମୋ ସ୍ୱପ୍ନ ସମୀପେ

ନବ ଯଦି ନିଅ ଭରି ହୃଦୟ ଚୀବର
ପୂର୍ଣ୍ଣ ପ୍ରାପ୍ତ ପ୍ରାଣମଧୁ ଚୁମ୍ବନେ ଚୁମ୍ବନେ
ସ୍ୱପ୍ନ ପ୍ରିୟା ମୋର…..

ପ୍ରଳୟ ନାୟକ, ବାଲେଶ୍ଵର