Latest Odisha News

BREAKING NEWS

ଗଳ୍ପ : ରାକ୍ଷୀ

ସୁନିତା ପ୍ରଧାନ

ଆଜି ରାକ୍ଷୀ ପୂର୍ଣ୍ଣିମା। ଯେତେ ଯାହା କାମ ଥିଲେ ମଧ୍ୟ ଆଜି ଦିନରେ ଯେମିତି ହେଲେ ଭାଇ ଆସିବ ତା ହାତରୁ ରାକ୍ଷୀବାନ୍ଧିବା ପାଇଁ । ଭାଇ ଭଉଣୀ ପବିତ୍ର ସମ୍ପର୍କର ଏକ ସୁଦୃଢ଼ ସେତୁବନ୍ଧ ଏହି ରାକ୍ଷୀ ।ତେଣୁ ଭାଇପସନ୍ଦର ଖିରୀ, କାକରା, ଚିତଉ ଭଳି ଆଦି କିଛି ଖାଇବା ପ୍ରସ୍ତୁତ କରୁ କରୁ କିଚେନରୁ ଦାଣ୍ଡ ଦରଜାକୁ ବାରମ୍ବାର ଚାହୁଁଥିଲେ ଅନିମା।

ମମି ଗେଟକୁ ଏମିତି ବାରମ୍ବାର ଚାଁହୁଥିବା ଓ ଝାଳ ନାଳ ହୋଇ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରୁଥିବା ଦେଖି ତାଙ୍କ କଲେଜ ପଢୁଆ ପୁଅ ରୋହନ କହିଲା, ମମି କାହିଁକି ଏତେ କଷ୍ଟ କରୁଛ ? ଆଜିକାଲି ଏହି ଅନଲାଇନ ଯୁଗରେ ସବୁ ଜିନିଷ ମିଳି ଯାଉଛି।
ମୋତେ ତୁମେ ଥରେ ଖାଲି କହିଥାନ୍ତ,କଣ କଣ ଦରକାର ମୁଁ ଜୋମାଟୋ କିମ୍ବା ଶ୍ୱିଗୀ ରୁ ସବୁ ଓର୍ଡେର୍ କରି ଦେଇଥାନ୍ତି।ତୁମକୁ ଅଯଥା ରେ ଏତେ ହଇରାଣ ହେବାକୁ ପଡିନଥାନ୍ତା।

ମମି ହସିକି କହିଲେ, ” ବାପରେ ଅନଲାଇନରେ ସିନା ଦୁନିଆର ସବୁ ଜିନିଷ ମିଳିଯିବ କିନ୍ତୁ ଭାଇ ଭଉଣୀଙ୍କ ଉଭୟଙ୍କ ମନରେ ପରସ୍ପର ପ୍ରତି ଥିବା ସ୍ନେହ, ମମତା,ଆତ୍ମୀୟତା ଭଳି କିଛି ଜିନିଷ ଅଛି ଯାହାକି କେବେ ବି ଅନଲାଇନରେ ମିଳି ପାରିବନି।”

ମୋ ହାତ ତିଆରି ଜିନିଷରେ ମୋ ଭାଇ ପାଇଁ ମୋର ଯେଉଁ ସ୍ନେହ, ମମତା ଆତ୍ମୀୟତା, ଆନ୍ତରିକତା ଅଛି,ତାହା କଣ ବାହାରୁ ମଗେଇଥିବା ଜିନିଷରେ କେବେ ବି ମିଳି ପାରିବ ?

ଏତିକି ବେଳେ ଗେଟ ଖୋଲିବା ଶବ୍ଦ ଶୁଣି ରୋହନ ଜୋରରେ କହୁଥିଲା, “ମମି ମାମୁଁ ଆସିଲେଣି !”

( ୨)

ସହରର ବିଶିଷ୍ଟ ରାଜନେତାଙ୍କ ପୁଅକୁ ହତ୍ୟା କରିଥିବା ମୁଖ୍ୟ ହତ୍ୟାକାରୀକୁ ଦୀର୍ଘ ଦିନ ଧରି ଖୋଜି ଖୋଜି ପୋଲିସ ନୟାନ୍ତ ହୋଇଥିବା ବେଳେହଠାତ ମୁଖ୍ୟ ଆସାମୀ ନିଜେ ଆସି ଏସପିଙ୍କ କାର୍ଯ୍ୟାଳୟରେ ଆତ୍ମସମର୍ପଣ କରିବା ସାରା ସହରରେ ଏକ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଯାଇଥିଲା

ତା’ଠାରୁ ଅଧିକ ଚର୍ଚ୍ଚାର ବିଷୟ ବସ୍ତୁ ଥିଲା, ତା ବୟାନ। ସେ ତା ବୟାନରେ କହିଥିଲା ଯେ,ସେ ରାଜ ନେତାଙ୍କ ପୁଅକୁ ମାରିନି ଯେ, ଏ ସହରର ଅସଂଖ୍ୟ ଭଉଣୀଙ୍କ ଇଜ୍ଜତକୁ ରକ୍ଷା କରିଛି। ସିଏ ଗୋଟିଏ ଅମଣିଷ ଥିଲା। ଯିଏ କି ପର ଝିଅ ବୋହୂ ଉପରେ ସଦାବେଳେ ଖରାପ ଦୃଷ୍ଟି ପକାଉ ଥିଲା। ସେଦିନ ସେହି ରାକ୍ଷସର ଶିକାର ବନି ଥିଲା ତା ଭଉଣୀ। ଆଉ ଭଉଣୀକୁ ତା କବଳରୁ ରକ୍ଷା କରିବା ପାଇଁ ସେ ହତ୍ୟା କରିଥିଲା ସେ ନର ରାକ୍ଷସକୁ।

ତା କଥା ଶୁଣି ଏସପି ପଚାରିଲେ, ଯଦି ଏକଥା ସତ ତେବେ ତୁମେ ଏତେ ଦିନ ଯାଏଁ ଲୁଚି ଥିଲ କାହିଁକି ?

ସେ ହସିଲା,ନିଜ ହାତରେ ଥିବା ଗୋଟିଏ ରାକ୍ଷୀକୁ ଦେଖେଇ କହିଲା,କେଵଳ ଏହି ଗୋଟିଏ ଜିନିଷ ପାଇଁ ! ମୁଁ ଯଦି ପୂର୍ବରୁ ଆତ୍ମ ସମର୍ପଣ କରି ଦେଇ ଥାନ୍ତି ତେବେ ମୋ ଭଉଣୀ ମୋ ହାତରେ ରାକ୍ଷୀ ବାନ୍ଧିବାରୁ ବଞ୍ଚିତ ହୋଇଥାନ୍ତା। ଆଜି ମୁଁ ତା’ର ରାକ୍ଷୀର ମାନ ରଖି ଦେଇଛି ସାର। ମୋତେ ଏବେ ଫାଶୀ ହୋଇଗଲେ ମଧ୍ୟ ଦୁଃଖ ନାହିଁ। ଏକଥା ଶୁଣିବା ପରେ ସେଠାରେ ଉପସ୍ଥିତ ଥିବା ସମସ୍ତ ପୋଲିସ କର୍ମଚାରୀଙ୍କ ଆଖିରେ ଟଳମଳ ହେଉଥିଲା ଲୁହ ।

(୩)

ରାକ୍ଷୀ ଉପଲକ୍ଷେ ଭଉଣୀ ପାଇଁ ଗୋଟେ କାର ଉପହାର ଦେବ ବୋଲି ମନସ୍ଥ କରି କାରଟିଏ ବୁକିଂ କରି ଫେରିବା କରି ଫେରିବା ବେଳେ ଦିବ୍ୟ ଭାବୁଥିଲା ସିଏ ତା ଭଉଣୀକୁ ଏଇ ରାଖିରେ ସବୁଠାରୁ ଦାମୀ ଉପହାରଟିଏ ଦେବାକୁ ଯାଉଛି,ଏମିତି ଉପହାର ଦୁନିଆର କ୍ଵଚିତ ଭାଇ ତା ଭଉଣୀକୁ ଦେଇଥିବ !

ହଠାତ ଦିବ୍ୟର ନଜର ପଡ଼ିଲା ରାସ୍ତା କଡରେ ବେଲୁନ ବିକୁଥିବା ଗୋଟେ ଦଶ ବର୍ଷର ପୁଅ ଉପରେ। କିଛି ଅସ୍ୱାଭାବିକ ଥିଲା ପିଲାଟିର ଚାଲି ଚଲଣ । ପିଲାଟି ସାମ୍ନା ବାଉଁଶରେ ଫୁଙ୍କା ଯାଇଥିବା ନାଲି ନେଳି ବେଲୁନକୁ ବାନ୍ଧୁଥିବାବେଳେ ପଛରେ ବାନ୍ଧି ଥିଲା ନିଜ ସ୍ବପ୍ନକୁ। ନିଜର ଏକମାତ୍ର କୁନି ଭଉଣୀକୁ। ଦାରିଦ୍ର୍ୟ ଓ ଏକାକ୍କୀତ୍ୱର ଏକ ନିଛକ ଉଦାହରଣ ଥିଲେ ଏ ଭାଇ ଭଉଣୀ।

ପିଲାଟିକୁ ଦେଖି କୌତୁହଳ ଜାତ ହେବାରୁ ତା ପାଖକୁ ବେଲୁନ କିଣିବା ବାହାନା ରେ ଯାଇ ଗୋଟିଏ ବେଲୁନର ଦାମ ପଚାରିବାରୁ ପିଲାଟି କହିଲା, “ବାବୁ ଦୟା କରି ୪ ଟି ବେଲୁନ ନିଅ। ସନ୍ଧ୍ୟା ବେଳୁ କିଛି ବି ବିକ୍ରି ହେଇନି, ଯଦି କିଛି ବିକ୍ରି ନହୁଏ ତେବେ ଭଉଣୀ ମୋର ଆଜି ଭୋକ ଉପବାସରେ ରହିବ। ଭାଇ ଥାଉ ଥାଉ ଯଦି ଭଉଣୀ ଉପାସରେ ରୁହେ, ତେବେ ସେ ଭାଇ ଜୀବନ ଧିକ୍”।

ସେ ପିଲାଟି କଥା ଶୁଣି ଦିବ୍ୟ ଆଖିରେ ଲୁହ ଜକେଇ ଆସିଥିଲା, ସେ ସବୁତକ ବେଲୁନ କିଣି ପିଲାଟିକୁ ପଇସା ଦେଲା ବେଳେ ଭାବୁଥିଲା ଏହା ହିଁ ଗୋଟିଏ ଭଉଣୀ ପ୍ରତି ଭାଇର ସର୍ବଶ୍ରେଷ୍ଠ ଉପହାର।

ଲକ୍ଷ୍ମୀପୁର, କୋରାପୁଟ

Leave A Reply

Your email address will not be published.