ଗପ : ସାଥୀ ଏକ ଭିନ୍ନ ପ୍ରକାରର

ଦେବାଶିଷ ଆଚାର୍ଯ୍ୟ                                                     

ବିଜୟ ବାବୁ । ଅବସର ପ୍ରାପ୍ତ  ଜଣେ ପ୍ରଥମ ଶ୍ରେଣୀ କର୍ମଚାରୀ । ଗତ ବର୍ଷ ଏକ ଦୁର୍ଘଟଣାରେ ପତ୍ନୀ ସ୍ନିଗ୍ଧାଙ୍କ ବିୟୋଗ । ଏକମାତ୍ର କନ୍ୟା ସାଲିନା , ୪/୫ ବର୍ଷ ପୂର୍ବେ ହୋଇ ଯାଇଛି ବାହାଘର । ନିଜ ସ୍ୱାମୀ ଓ ପୁଅ ସହ ସୁଦୂର ଆମେରିକାରେ ସାଲିନା ।

ପାଖରେ ଅଛି ଅପର୍ଯ୍ୟାପ୍ତ ସମ୍ପତ୍ତି । କିନ୍ତୁ ପାଖରେ କେହି ଜଣେ ବି ନାହାନ୍ତି ଉପଭୋଗ କରିବାକୁ । ଝିଅ ଡାକିଲା ପାଖକୁ, କିନ୍ତୁ ନିଜ ମାଟି ମା ପାଖରେ ରହିବାର ନିଶା ଯୋଗୁ ବିଜୟ ବାବୁ ସମ୍ପୂର୍ଣ୍ଣ ମନା କରିଦେଲେ ଯିବାକୁ ଆମେରିକା ।

ଏତେ ସମ୍ପତ୍ତି , କଣ କରିବେ ? ଏମିତି ଭାବୁ ଭାବୁ ଥରେ ଏକ ନିଷ୍ପତ୍ତି ନେଲେ । ସମ୍ପତ୍ତିର ଅର୍ଦ୍ଧେକ ଝିଅକୁ ଦେଲେ ଓ ବାକି ଅର୍ଦ୍ଧେକ ଏକ ଅନାଥ ଆଶ୍ରମ ଓ ବୃଦ୍ଧାଶ୍ରମକୁ ଦେଲେ । ଅବସର ସମୟ ସେମାନଙ୍କ ସହ ବିତାଇବାକୁ ମନସ୍ଥ କଲେ ।

ସକାଳୁ ଉଠି ପ୍ରାତଃଭ୍ରମଣ ସାରି ପହଞ୍ଚି ଯାନ୍ତି ଅନାଥ ଆଶ୍ରମରେ । ଛୋଟ ଛୋଟ ଛୁଆଙ୍କ ସହ ହସ ଖୁସିର ସହ ଜଳଖିଆ କରି ଲାଗି ଯାନ୍ତି ସେମାନଙ୍କ ପାଠ ପଢାରେ । ପିଲାଙ୍କ ପାଠ ପଢାର ସମ୍ପୂର୍ଣ ଦାୟିତ୍ଵ ନିଅନ୍ତି ବିଜୟ ବାବୁ । ପିଲା ମାନେ ସ୍କୁଲ ଚାଲିଯିବା ପରେ ସେ ଚାଲନ୍ତି ନିଜ ଗୃହକୁ । ଗାଧୁଆ ସାରି ଠାକୁର ପୂଜା କରି ପହଞ୍ଚି ଯାନ୍ତି ବୃଦ୍ଧାଶ୍ରମରେ । ସେଠାରେ ମଧ୍ୟାହ୍ନ ଭୋଜନ କରି ଚାଲେ ତାସ , ଲୁଡୁ , କ୍ୟାରମ୍ ଭଳି ଖେଳ । ଖୁବ୍ ହସ ଖୁସିରେ ସରିଯାଏ ଦ୍ୱିପହର ସମୟ । ସନ୍ଧ୍ୟାରେ ଚା ଜଳଖିଆ ସହ ଚାଲେ ସାହିତ୍ୟ ଓ ପୁରାଣ ଆସର । ରାତ୍ରି ଭୋଜନ କରି କେବେ କେବେ ସେଠି ହିଁ ବିଶ୍ରାମ ନିଅନ୍ତି , ନତୁବା ଘରକୁ ଫେରି ଆସନ୍ତି।  ଏହା ଥିଲା ବିଜୟ ବାବୁଙ୍କ ନିତି ଦିନିଆ ଜୀବନ ଯାପନ ।

ଦିନକର କଥା । କୌଣସି ଏକ ସରକାରୀ  କାମରେ ଭୁବନେଶ୍ୱର ଯାଇଥିଲେ । କାମରେ ବିଳମ୍ବ ଓ ଭୋକ ହେବାରୁ ଦ୍ଵିପହରେ ତର ତର ହୋଇ ଚାଲିଲେ ଓ  ଥିବା ପିଅନକୁ ପଚାରିଲେ ଖାଇବା କଥା । ପିଅନ କହିଲା ” ସାର ଆଜି ମାର୍କେଟ ବନ୍ଦ ଅଛି , ଗୋଟେ କାମ କରନ୍ତୁ ଅଫିସ ପାଖରେ ଥିବା ଏକ ଚାଳିଆ  ହୋଟେଲରୁ ଖାଇ ଦିଅନ୍ତୁ । ”

ଅସମ୍ଭାଳ ଭୋକ ଯୋଗୁ ବିଜୟ ବାବୁ ଦଉଡି ଗଲେ ସେହି ଚାଳ କୁଡିଆ କୁ । ଜଣେ ବୟସ୍କା ବୃଦ୍ଧା ଆସି ଆସନ ପକାଇଲେ ଓ ବସିବାକୁ କହି ପାଣି ଗିଲାସ ଓ ଲୁଣ ଲେମ୍ବୁ ଥୋଇ ଖାଇବା ଆଣିବାକୁ ଗଲେ।  କିଛି ସମୟ ପରେ ସମ୍ପୂର୍ଣ ନିରାମିଷ ଖାଇବା ଆଣି ଏକ ଖଲି ପତ୍ର ପକାଇ ପରସି ଗଲେ । ଭାତ, ଡାଲମା, ଘାଣ୍ଟ ତରକାରୀ ସାଙ୍ଗକୁ ଖଟା ଓ ପାମ୍ପଡ, ….ସମ୍ପୂର୍ଣ ଓଡିଆ ଖାଦ୍ୟ ।

ଦୁଇ ଚାରିଥର ଖାଇବା ପରେ , ହଠାତ୍ ଆଶ୍ଚର‌୍ୟ୍ୟ ହୋଇଗଲେ ବିଜୟ ବାବୁ । ୟେ କଣ ? ଏହି ଖାଇବା ଖୁବ୍ ନିଜର ଲାଗୁଚି । ଖୁବ୍ ଆପଣାର ଲୋକଟିଏ ସତେ ରୋଷେଇ କରିଛି । ଭୋକ ଯୋଗୁଁ ପୁଣି ଖାଇବାକୁ ଲାଗିଲେ । କିନ୍ତୁ ମନ ବୁଝୁ ନଥିଲା ।

ତେଣୁ ସେ ସଙ୍ଗେ ସଙ୍ଗେ ସେ ବୃଦ୍ଧା ଙ୍କୁ ….

ବିଜୟ : ମାଉସୀ , ଖାଇବା ବହୁତ୍ ସୁସ୍ୱାଦୁ ହୋଇଛି । କଣ ତୁମେ କରୁଚ କି ରୋଷେଇ ?
ମାଉସୀ : ନା ସାର୍ । ମୁଁ ତା ବୁଢ଼ୀ ହେଲିଣି । ମୋ ଆଖିକି ସ୍ପଷ୍ଟ ଦିଶୁ ନାହିଁ । ବାର ଦୁଆର ସୁଣ୍ଢି ପିଣ୍ଡା ହେଉଥିଲି । ଏହି ଝିଅ ତାପସୀ ପାଇଁ ମୁଁ ଏଠି ଟିକେ ଦି ଓଳା ଖାଇ ରହି ପାରୁଛି ।

ତାପସୀ , ଏହି ନା ଟା ଶୁଣି ବିଜୟ ବାବୁ ହଠାତ୍ ଛାନିଆ ହୋଇଗଲେ । ୟେ ସେହି ତାପସୀ ନୁହଁ ତ , ଯିଏ ତାଙ୍କର ସେହି ବିଗତ ଦିନର ତପୁ । ଖାଇବା ପରେ ନା ଟା ବି ନିଜର ।

ବିଜୟ : ମାଉସୀ , ଦୟାକରି ଆପଣଙ୍କ ଝିଅ କୁ ଟିକିଏ ଡାକି ଦିଅନ୍ତୁ , ତାଙ୍କ ଖାଦ୍ୟ ଖୁବ୍ ସୁନ୍ଦର ହୋଇଚି , ଦୁଇ ପଦ କଥା ହୋଇ ଯିବି ।
ମାଉସୀ : ନାଇଁ ସାର । କଣ କହିବେ ମୋତେ କୁହନ୍ତୁ , ସେ ଦେଖା କରନ୍ତି ନାହିଁ କାହାକୁ।

ଏହି ସମୟରେ ଭିତର ଘରୁ ଜଣେ ମହିଳା , “କଣ ହେଲା ମାଉସୀ “କହି ଚାଲି ଆସିଲେ ।

ସ୍ୱର ବି ଖୁବ୍ ନିଜର ଲାଗୁଥିଲା । କିନ୍ତୁ ଏ କଣ ? ଜଣେ ମହିଳା , ବୟସ ପାଖା ପାଖି ୬୦ ହେବ। ଏକ ସଫା ଲୁଗା ପିନ୍ଧି ଚାଲି ଆସିଲେ । କିନ୍ତୁ ଏକ ଆଶ୍ଚର‌୍ୟ୍ୟ ର କଥା, ମୁହଁଟି ସମ୍ପୂର୍ଣ ଘୋଡ଼ା ହୋଇଚି । କେବଳ ଆଖି ଦ୍ବୟ ହିଁ ଦିଶୁଛି ।

ବିଜୟ : ଆପଣଙ୍କ ହାତ ରନ୍ଧା ବହୁତ୍ ସୁନ୍ଦର । ଆପଣଙ୍କ ପରିଚୟ ଜାଣି ପାରେ କି ? ଆପଣଙ୍କ ଘର କୋଉଠି ? ବୋଧ ହୁଏ ମୁଁ ଆପଣଙ୍କୁ ଚିହ୍ନିଚି । ଆପଣଙ୍କ ଘର …….

କିନ୍ତୁ ସେହି ମହିଳା ସମ୍ପୂର୍ଣ ନୀରବ ରହିଲେ ।

ଏହି ନିରବତା ଆହୁରି ବ୍ୟତିବ୍ୟସ୍ତ କରାଇ ଦେଉଥାଏ ବିଜୟଙ୍କୁ । ହଠାତ୍ କହିଲେ ତୁମେ ସେହି ତପୁ ନୁହଁ ତ ?

ସେହି ମହିଳା ଆଉ ସମ୍ଭାଳି ପାରିଲେନି । ମୁହଁରେ ଘୋଡାଇ ରଖିଥିବା କପଡାକୁ କାଢି ଦେଲେ । ଦେଖା ଗଲା ଏକ ବିବତ୍ସ ରୂପ  । ମୁହଁ ସମ୍ପୂର୍ଣ ପୋଡ଼ି ଯାଇଥାଏ ଓ ଆଖିରୁ ବୋହୁଥାଏ ଦୁଇ ଧାର ଲୁହ ।

ବିଜୟ ଆଶ୍ଚର‌୍ୟ୍ୟ ହୋଇ ପଚାରିଲେ , ତପୁ…..ସେହି ମହିଳା ଆହୁରି ଜୋର୍ କାନ୍ଦିଲେ ।

ବିଜୟ : କଣ ଏହି ଦିନ ଦେଖେଇବା ପାଇଁ ସେଦିନ ମୋତେ ରାଣ ପକେଇ ଥିଲ ।
ମହିଳା : ନା ବିଜୁ । ଏଇଟା ମୋର ଭାଗ୍ୟ । ତୁମେ ଯିବା ପରେ ମୋର ରବିଙ୍କ ସହ ବିବାହ ହୋଇଥିଲା ଏହି ଭୁବନେଶ୍ଵରରେ । ବିବାହର କିଛି ଦିନ ପରେ ମୋ ଉପରେ ଆରମ୍ଭ ହେଲା ଯନ୍ତ୍ରଣା । ସେହି ଯନ୍ତ୍ରଣାରୁ ମୁକୁଳିବା ପାଇଁ ମୁଁ ଏକ ଛୋଟ ଚାକିରି କରୁଥିଲି । କିନ୍ତୁ ସେଦିନର ସେହି କାଳ ରାତ୍ରି ……
(ବହୁତ୍ ଜୋର୍ ରେ କାନ୍ଦିବାକୁ ଲାଗିଲେ ତପୁ ।)

୩/୪ ଜଣ ଲମ୍ପଟ ମୋତେ ଭିଡ଼ି ନେଇ କାର ରେ ମୋର ସର୍ବସ୍ବ ଲୁଟି ନେଲେ ଓ ମାେ ମୁହଁରେ ଏସିଡ ପକାଇ ….
ମୋର କଷ୍ଟ ଦେଖି ଜଣେ ମଉସା ମୋତେ ଆଣି ଡାକ୍ତରଖାନାରେ ଭଲ କଲେ। ପରିଚୟ ଓ ଠିକଣା ପଚାରିବାରୁ ମୁଁ ମନା କଲି କି ଆଉ ସେ ଶାଶୁଘର ଯିବିନି। ତାଙ୍କର ଏହି ଦୋକାନ, ତାଙ୍କ ଅନ୍ତେ ମୁଁ ଏଇଟାକୁ ଚଲଉଛି ।

ବିଜୟ ସମ୍ପୂର୍ଣ ଚୁପ୍ ଚାପ୍ । କିଏ କିଛି କହିବା ଆଗରୁ ସେ କହିଲେ,” ବହୁତ୍ ହୋଇଗଲା । ତୁମ ରାଣ ବି ବହୁତ୍ ମୂଲ୍ୟ ମିଳିଗଲା । ଚାଲ ଏବେ ମାେ ସହ ।”

କାରରେ ବସିଲେ ସେହି ବୃଦ୍ଧା ଓ ତପୁ । ବିଜୟ ଉଭୟଙ୍କୁ ନେଇ ଚାଲିଲେ ନିଜ ଘରକୁ । ବାଟରେ ବସି ବିଜୟ ଭାବୁଥିଲେ ପିଲା ଦିନର ସେହି ସ୍ମୃତି ।

” ଥିଲି ମୁଁ ଏକ ଜାରଜ । ବାପା କିଏ ମୁଁ ଜାଣିନି। ସ୍କୁଲ୍ ଯାଉଥିଲି, କିନ୍ତୁ ସମସ୍ତେ ଜାରଜ ପିଲା କହି ମାେ ସହ କେହି ସବୁ କଥା ବି ହୁଅନ୍ତିନି। ତପୁ ଯିଏ ପ୍ରଥମେ ମାେ ସହ ବନ୍ଧୁତା କଲା । ବହି ଖାତା ଠୁ ଆରମ୍ଭ କରି ମାେ ମା ଚାଲି ଯିବା ପରେ ମୋର ଖାଇବା ପାଇଁ ସବୁ ପ୍ରକାର ସାହାଯ୍ୟ ମଧ୍ୟ ସିଏ କରିଛି । କଲେଜରେ ପଢିବା ସମୟରେ ନିଜେ କେତେ ଥର ନିଜେ ରୋଷେଇ କରି ଖାଇବାକୁ ଦେଇଛି ତାହାର ହିସାବ ନାହିଁ । ଜୀବନରେ ପାଇଥିଲି ଏକ ହୀରା । ଚାଂହିଥିଲି ଜୀବନସାଥି କରିବାକୁ , କିନ୍ତୁ ମୋତେ ଜାରଜ କହି ଭର୍ତ୍ସନା କରିବାରୁ , ସମ୍ପୂର୍ଣ ଭାଙ୍ଗି ପଡ଼ିଥିଲା ତପୁ । ତେଣୁ ତା ଜୀବନରୁ ସମ୍ପୂର୍ଣ ଦୂରେଇ ଯିବାକୁ ରାଣ ପକାଇ ଦେଇ ଥିଲା । କିନ୍ତୁ ସେହି ରାଣ…..”

ଘରେ ପହଞ୍ଚି ଉଭୟ ପରସ୍ପର କୁ ଚାହିଁ କହିଲେ ବୋଧ ହୁଏ ଭଗବାନଙ୍କ ନିର୍ଦ୍ଦେଶ ଆମେ ପରସ୍ପରର ଜନ୍ମ ଜନ୍ମର ସାଥି  । ତା ପର ଠାରୁ ଚାଲିଲା ସେହି ପୁରୁଣା କାମ । ସେହି ଅନାଥ ଆଶ୍ରମ ଓ ବୃଦ୍ଧାଶ୍ରମ । ଖୁବ୍ ଖୁସି ମଜାଜ ରେ ଉଭୟ କାମ କରି ଚାଲିଲେ , ଅତି ଆପଣାର ହୋଇ ଓ  ଏକ ମନ ହୋଇ । ସମସ୍ତେ ଏହି କଥା ଶୁଣି କୁହନ୍ତି ଉଭୟ ବୋଧେ ଜନ୍ମ ଜନ୍ମାନ୍ତରର ସାଥି ।

ଓଡ଼ଗାଁ , ନୟାଗଡ଼