Latest Odisha News

BREAKING NEWS

କବିତା : ଜୀବନ ଫୁଲ

ରଞ୍ଜିତା ହୋତା

କାନନେ ଫୁଟେ କୁସୁମ କଳି,
ବିବିଧ ବାସ,ରଙ୍ଗେ ଝଳି,
ମଉଳି ପୁଣି ଝରଇ ମାଟି ଦେହେ ।
ଜୀବନ ବନେ ଯେ ଫୁଲ ଫୁଟେ,
ବୃନ୍ତ ତା’ର କେବେ କି ତୁଟେ ?
ଦୀପ୍ତହୋଇ ଅନ୍ତରେ ସେ ଶୋହେ।

ହୃଦଫଳକେ ‘ପ୍ରଣୟ ଜବା’,
ମୁଗ୍ଧ କରେ ଲୋହିତ ଆଭା,
କିମିଆଁ କରେ କୋଟି ମରମ ତଳ।
ଉଛୁଳା ତା’ର ରଙ୍ଗେ ଭିଜି,
ଆସଇ ନୀଳ ସ୍ୱପ୍ନ ରାଜି
ଫାଲଗୁନର ସେ କିବା ପିକ ସୁର।

କମନୀୟ ତା’ କନକ କାନ୍ତି,
ତୁଟାଏ ମନୁ ସକଳ ଭ୍ରାନ୍ତି,
‘ମମତା ଫୁଲ’ ଏବୁକେ ଯେବେ ଫୁଟେ।
ଦିବ୍ୟ ତା’ର ପରଶେ ଲାଗେ,
ସରଗ ସୁଧା ଏ ମନ ଭୋଗେ-
ନଶ୍ଵର ଏ ନିଃସ୍ୱ ତନୁ ତଟେ।

“ଆଶିଷ ଫୁଲ” ଶୁଭ୍ର ଚିର,
ଅନ୍ଧାରେ କି ଦେବତା ଗିର,
ଅବା ଚପଳା,ଚପଳ ଘନ ପଥେ।
ଆହା କି ଦିବ୍ୟ ମାଧୁରୀ ତା’ର,
ସବୁ ଯାତନା,ବିଘ୍ନ ହର,
ସର୍ବ ଶୁଭେ ନିଏ ଜୀବନ ରଥେ।

ସବୁଠୁ ଚିର ସତେଜ ତାହା,
“ସ୍ମୃତି ଫୁଲ” ଟି ସବୁଜ ଯାହା,
ଚିତ୍ତାକାଶେ ତାରକା ସମ ଝଳେ।
ମଉଳେ ନାହିଁ କେବେ ତା ରୂପ,
କୁସୁମ ରାଜ୍ୟେ ସତେକି ଭୂପ,
ଧୂପଟି ସମ ମହକେ କାଳେ କାଳେ।

Leave A Reply

Your email address will not be published.