Latest Odisha News

BREAKING NEWS

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା ଉଦ୍‌ଯାପିତ

ତୋଷାଳୀ ମେଳା, ହସ୍ତଶିଳ୍ପ ଓ ହସ୍ତତନ୍ତର ପ୍ରଚାର ଏବଂ ପ୍ରସାର କ୍ଷେତ୍ରରେ ଏକ ସ୍ବତନ୍ତ୍ର ପରିଚୟ

ଭୁବନେଶ୍ୱର :  ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଡିସେମ୍ବର ୧୫ ତାରିଖରୁ ସ୍ଥାନୀୟ ଜନତା ମଇଦାନଠାରେ, ଆୟୋଜିତ ୧୮ ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦଯାପିତ ହୋଇଯାଇଛି।

ଏହି ଅବସରରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ଵତ ମିଶ୍ର ଅତିଥି ଭାବରେ ଯୋଗ ଦେଇଥିଲେ । ତାଙ୍କ ସହ କେନ୍ଦ୍ର ସରକାରଙ୍କ ବସ୍ତ୍ର ମନ୍ତ୍ରାଳୟର ପୂର୍ବତନ ସଚିବ ସଞ୍ଜୟ କୁମାର ପଣ୍ଡା, ପଦ୍ମ ବିଭୁଷଣ ସୁଦର୍ଶନ ସାହୁ, ପ୍ରଭାକର ମହାରଣା, ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ, ବିଭାଗୀୟ ସ୍ବତନ୍ତ୍ର ଶାସନ ସଚିବ ତଥା ବୟନ ଓ ହସ୍ତତନ୍ତ ନିର୍ଦ୍ଦେଶକ ଶୋଭନ କ୍ରୀଷ୍ଣା ସାହୁ, ସ୍ବତନ୍ତ୍ର ଶାସନ ସଚିବ ସରୋଜ କୁମାର ପଟେଲ, ବୟନିକାର ପରିଚାଳନା ନିର୍ଦ୍ଦେଶିକା ତଥା ରାଜ୍ୟ ହସ୍ତଶିଳ୍ପ ନିର୍ଦ୍ଦେଶିକା ପ୍ରଣତୀ ଛୋଟରାୟ, ଅତିରିକ୍ତ ଶାସନ ସଚିବ ବିକ୍ରମାଦିତ୍ୟ ବାରିକ ତଥା ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ଏହି ସଭାରେ ଉପସ୍ଥିତ ଥିଲେ ।

ଏହି ଅବସରରେ ସମସ୍ତ ଅତିଥି ଏବଂ ମେଳା ପରିଚାଳନା ପାଇଁ ଗଠନ କରାଯାଇଥିବା କମିଟିର ମୁଖ୍ୟମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ  କରାଯାଇଥିଲା। ପରିଶେଷରେ, ସମସ୍ତ ଅତିଥି, ମେଳାକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କୁ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ଉଦଯାପନୀ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ, ଦିବ୍ୟାଙ୍ଗ କଳାକାର ସୋନାଲୀ ମହାପାତ୍ର ଓ ସାଥିଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା ।

ଏହି ମେଳାରେ, ଭାରତର ୨୧ ଟି ରାଜ୍ୟ ଓ ୨ ଟି କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ ୬୭୫ ଜଣ କାରିଗର ଓ ବୁଣାକାର  ଅଂଶ ଗ୍ରହଣ କରିଥିଲେ। ରାଜ୍ୟ ତଥା ରାଜ୍ୟ ବାହାରର ସୁସ୍ବାଦୁ ଖାଦ୍ଯ ଏବଂ ବିଶେଷଭାବରେ ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ଯପଦାର୍ଥ ଏହି ମେଳାର ଆକର୍ଷଣ ପାଲଟିଥିଲା। ଚଳିତ ବର୍ଷ ମେଳାରେ ୬୫୦ ରୁ ଉର୍ଦ୍ଧ୍ବ ଷ୍ଟଲରେ ପ୍ରାୟ ୩୦.୩୯ କୋଟି ଟଙ୍କାର ବ୍ୟବସାୟ ହୋଇଥିବାବେଳେ ଏହାମଧ୍ୟରୁ ୧୭.୫୫ କୋଟି ହସ୍ତଶିଳ୍ପ, ୯.୨୮ କୋଟି ହସ୍ତତନ୍ତ ଓ ଖାଦ୍ଯ ପ୍ରାଙ୍ଗଣରେ ୩.୯୫ କୋଟି ଟଙ୍କାର ବ୍ୟବସାୟ ହୋଇଅଛି ଏବଂ ପ୍ରାୟ ୨୫ ଲକ୍ଷରୁ ଅଧିକ ଦର୍ଶକ ମେଳା ପରିଦର୍ଶନ କରିଥିଲେ ।

 

 

 

Leave A Reply

Your email address will not be published.