ସୁଜାତା ମିଶ୍ର
ବିନା ଶବ୍ଦରେ
ସବୁରି ଅଲକ୍ଷ୍ୟରେ
ପାଦ ଥାପି ଥାପି
ତୁମେ ଆସ..
ଫୁଲ ପାଖୁଡ଼ାରେ
କାକରର ମହୁ ଝରିଲା ବେଳେ..
ଅରଣ୍ୟର ଘଞ୍ଚ ସବୁଜିମା
ଅନ୍ଧାରର ପଣତ
ବିଛେଇବା ବେଳେ..
ଘୁମନ୍ତ ପ୍ରହରେ
ଝିଁକାରିର ସ୍ୱର ନୀରବି ଗଲା ପରେ
ତୁମେ ଆସ..।
ମହାମାରୀର
ଆତଙ୍କମୁଖର
ମୁହୂର୍ତ୍ତରେ ..
କତରା ଲଗା ବୁଢ଼ା ମଣିଷର
ଢଳି ଯାଇଥିବା ଔଷଧ ଶିଶିରେ…
ଛାଇଟିଏ ପରି ତୁମେ ଦିଶ,
ତୁଠ ପଥରରେ
ଅଳତାର ଦାଗ ବିଳପି
ଉଠିଲା ବେଳେ..
ଭଙ୍ଗା ଚୁଡ଼ିର ଆର୍ତ୍ତନାଦ
ହୃଦୟକୁ ଖିନ୍ ଭିନ୍ କଲାବେଳେ
ତୁମେ ଆସ ।
ଜହ୍ନ ରାତିର କୁହୁକ
ମୁଣିରେ
ଅନ୍ଧାରର ପଦଧ୍ଵନୀ
ଚହଲି ଯାଉ ଥିବା ବେଳେ
ସବୁରି ଅଜାଣତରେ
ତୁମେ ଆସ..।
ଜକେଇ ଯାଏ ଲୁହ
ତରଳି ଯାଏ ଆଖି
ବାମ୍ଫେଇ ଯାଏ ଦୀର୍ଘଶ୍ୱାସ..
ଜମାଟବନ୍ଧା କୋହରେ..
ଦ୍ରବୀଭୂତ ଯନ୍ତ୍ରଣାର ପରିଧିରେ
ତୁମେ ଚୁପ୍ ଚାପ୍ ଆସ ..।
ଲିଭିଲା ଦୀପର
ଶେଷ ଧୂଆଁରେ ..
ଦେହରୁ ହରି ନିଅ
ଦାହର ଜ୍ଵାଳା..
ଅଣଚାଶ ପବନରେ
ଝୁଲି ଝୁଲି
ଦେହ ପାଇଁ ଅଦେହର
ବାତାୟନ ଖୋଲି ..
ତୁଳସୀ-ଗଙ୍ଗା ପାଣିର
ସ୍ୱାଦରେ ତୁମେ ଆସ ।
କଣା ମାଠିଆର ଝରନ୍ତା ପାଣିରେ
ଝରି ଯାଏ ସକଳ ଆୟୁଷ, ନ ଥାଏ ଶେଷ,
ନ ଥାଏ ବି କିଛି ଅବସୋସ..,
ଶେଷ ନିଦ୍ରାର ପାଲିଙ୍କି ଚଢ଼ି
ନିଃଶବ୍ଦ ଅତିଥି
ତୁମେ ଆସ ।
କସ୍ମୋପଲିସ
ଭୁବନେଶ୍ୱର