ସ୍ଵାଗତିକା ସାହୁ
ସ୍ଵାଗତିକା ସାହୁ
ଜୀବନ ଗୋଟିଏ ଅଙ୍କା ବଙ୍କା ନଈ
ବହିଯାଏ ତା ବାଟରେ
କେବେ ସୁଖ ପୁଣି ଦୁଃଖର ପରଶ
ଛାଡିଦିଏ ତା ଶଯ୍ୟାରେ ।
ଅଭିନୟ ମଞ୍ଚ ଏ ସାରା ଦୁନିଆ
ଆମେ ସବୁ ଅଭିନେତା
ନିଜ ନିଜ କାର୍ଯ୍ୟ ଅଭିନୟ ସାରି
ବାହୁଡ଼ିବା ଏ ସମତା ।
ଜୀବନ କେବେ ଖୋଲା ବହି ପରି
ଅସରନ୍ତି ଗପପେଡି
ପ୍ରତି ପୃଷ୍ଠା ତଳେ ଲୁଚିରହିଥାଏ
ଅକୁହା ବେଦନା ରଡି ।
ମୁହୂର୍ତ୍ତରେ ପରା ବଦଳିଯାଏରେ
ଏ ଆଖିର ପରିଭାଷା
ପରିତୃପ୍ତି ଭାବି ପରିତାପ ନିଆଁ
ଜଳାଏ ହୃଦୟ ତୃଷା ।
ଘଟଣା ଘଟିବା ନିୟତିର ଖେଳ
ସମୟ ଚକ୍ରର ନୀତି
ସବୁ ଘଟଣାଯେ ନୁହେଁ ଦୁର୍ଘଟଣା
ନୁହେଁ ଅକାଳ ବିରତି ।
କିଛି ଘଟଣାରେ ସ୍ୱାଭିମାନ ବଢ଼େ
କିଛି ଦିଏ ଆତ୍ମ ସୁଖ
ଦିଏ କିଏ ମନେ ଆଶା ପାରିଜାତ
ପୁଣି ପ୍ରେମର ମୟୂଖ ।
ଦୁଃଖର ସୁଅରେ ଭସାଇ ଦିଏ ସେ
ବେଦନାରେ ଦିଏ ପୋତି
ଲୁହର ସାଗରେ ବୁଡାଇ କହେସେ
ଆହାରେ କୋମଳମତି ।
ସୁଖ ହେଉ ଅବା ଦୁଃଖ ର ଘଟଣା
କରିଲେ ଅଗ୍ରାଧିକାର
ହୃଦୟକୁ ଛୁଇଁ ଆତ୍ମାକୁ ଥରାଇ
ପ୍ରବେଶେ ମନ ସମ୍ଭାର ।
ସବୁ ଘଟଣା ଯେ ନୁହେଁ ଦୁର୍ଘଟଣା
ଏମିତି କିଛି ରହିଛି
ସମୟ ନଈରେ ଶୁଖିଲା ପତର
ବଞ୍ଚିବା ରାହା ପାଇଛି ।
ଅସ୍ତଗାମୀ ସୂର୍ଯ୍ୟ ବାର୍ତ୍ତା ଦେଇଯାଏ
ଅନ୍ଧାର ଆସୁଛି ଘୋଟି
କାଲିର ନୂତନ ଆଶାକୁ ସଞ୍ଚାରି
ସ୍ବପ୍ନକୁ ଦେବ ସେ ଭେଟି ।