Latest Odisha News

ଅନୁବାଦ କବିତା : ଏକ ଅ-ପ୍ରେମିକ ପାଇଁ

ମୂଳ ବାଂଲା : ତସଲିମା ନାସରିନ

ତୁମେ ଏଇ ସହରରେ ରହିବ
କାମ ଅକାମରେ ଏଠାକୁ ସେଠାକୁ ଦୌଡ଼ିବ
ଅବସର ପାଇଲେ କେଉଁଠି ଆଡ୍ଡା ମାରିବ
ମଦ ପିଇବ, ତୁମୁଳ ହଇଚଇ କରିବ
ରାତି ଶୋଇ ପଡ଼ିବ
ତୁମେ ଶୋଇବନି ।

କେତେବେଳେ ଖାଲି ସମୟ ମିଳିଲେ
ଏଘର ସେଘର ହେବ
ଖାଇବା ଲାଗି, ଖେଳିବା ଲାଗି
କିଏ ଜାଣିଛି, ହୁଏତ କାହାର
ପିନ୍ଧା ଶାଢ଼ି ଖୋଲିବାକୁ ଯିବ
ମୋ ଅଗଣା ଡେଇଁ ଆଉ କାହା ଘରକୁ।

ଏଇ ସାହିରେ ହିଁ ହୁଏତ
ଦୁଇ ଓଳି ଚଲାବୁଲା କରିବ
ହାତ ପାଆନ୍ତାରେ ହିଁ ଥିବ
ହୁଏତ କେତେବେଳେ ମତେ
ଜଣାଇଦେଇ ପାର ଯେ
ପାଖରେ ଅଛ ;
ସଙ୍କୁଚିତ ହେଉଥିବି
ଛୋଟ ଛୋଟ କରି ନିଜକୁ
କାଟି ପକାଉଥିବି
ଦେଖା ନହେବାର ଯନ୍ତ୍ରଣାରେ
ତେବେ ବି କହିବିନି ଆସ ବୋଲି।

ସତରେ କହିବିନି
ତୁମକୁ ନା କହିବାର ସୁଯୋଗ ଦେବି ନାହିଁ
କହିବାକୁ ଦେବିନି ଯେ ଯେହେତୁ ତୁମର ସମୟ ନାହିଁ
ଆଜିକାଲି ଭାରି ବ୍ୟସ୍ତ
ତୁମର ଅ-ପ୍ରେମଠାରୁ ବଞ୍ଚାଇବି ନିଜକୁ
ତୁମ ସହିତ ମୋର ଆଉ ଦେଖା ହେବ ନାହିଁ।

ବର୍ଷ ବିତିଯିବ ତୁମ ସହ
ଦେଖା ହେବନି ମୋର
ଦେଖା ନହୋଇ ନହୋଇ
ଭୁଲି ଚାଲିଥିବି ତୁମେ ଦେଖିବାକୁ ଠିକ୍ କେମିତି ଥିଲ
ତୁମ ସହିତ ସକ୍ଷାତଟା କେମିତି ହୋଇଥିଲା
କେଉଁ ରଙ୍ଗର ସାର୍ଟ ପିନ୍ଧ ତୁମେ
ହସିଲେ କେମିତି ଲାଗ ଦେଖିବାକୁ
କଥା କହିଲା ବେଳେ ଦାନ୍ତରେ ନଖ
କାମୁଡୁ ଥାଅ
ଅବା ଆଖିରେ ଆଖି ନରଖି
ଅନ୍ୟ ଦିଗକୁ ଚାହଁ, ଗୋଡ଼ ହଲାଅ
ଘନ ଘନ ଚେୟାର ଛାଡ଼ି ଛିଡ଼ାହୁଅ
ଅଥବା ଗ୍ଲାସରୁ ପାଣିପିଅ
ଭୁଲି ଚାଲିଛି, ଭୁଲି ଚାଲିଛି ସବୁ।
ଦେଖା ନହୋଇ ନହୋଇ ଭୁଲି ଚାଲିଥିବି
ତୁମେ ଦେଖିବାକୁ ଠିକ୍ କେମିତି ଥିଲ
ତିଳ ଗୁଡ଼ାକ ଠିକ୍ କେଉଁଠି ଥିଲା
ଦେଖା ନହୋଇ ନହୋଇ ଭୁଲି ଚାଲିଥିବି
ତୁମେ ଦେଖିବାକୁ ଠିକ୍ କେମିତି ଥିଲ
ତିଳ ଗୁଡ଼ାକ ମୁହଁରେ ଠିକ୍ କେଉଁ ଜାଗାରେ ଥିଲା
ଅବା ଆଦୌ ଥିଲା କି ନା
ତୁମର ଚୁମା ଦେବାଟା କେମିତି
ଆଲିଙ୍ଗନ କରି ଟେକି ବୁଲାଇ ଦେଇ
ବାଳରେ ବା ଛାତିରେ
ମୁହଁ ଲୁଚାଇବାଟା କେମିତି ଥିଲା
ଭୁଲି ଯାଉଥିବି ।

ଅନେକ ବର୍ଷ ବିତିଯିବ
ତୁମର ମୋର ଦେଖା ହେବ ନାହିଁ
ଆମେ ଏକା ସହରରେ
କିନ୍ତୁ ଦେଖା ସାକ୍ଷାତ ନାହିଁ
ରାସ୍ତା ଭୁଲିବି କେହି କାହାରି
ପଥକୁ ଅନାଇବା ନାହିଁ
କୌଣସି ଛକରେ, ପେଟ୍ରୋଲ ପମ୍ପରେ
କିମ୍ବା ମାଛ ଦୋକାନରେ, ପୁସ୍ତକ ମେଳାରେ
ରେସ୍ତୋରାଁରେ କେଉଁଠିବି
ପରସ୍ପରକୁ ଭେଟିବାନି ।

ଭାବି ରଖିଛି ଆଜିଠୁ ଅନେକ ବର୍ଷ ପରେ
ଯେଉଁଦିନ ହଠାତ୍ ହୁଡମୁଡ଼ କରି
ଅନେକ ଆଲୋକର ଝାଡ଼ ନେଇ
ସନ୍ଧ୍ୟା ପଶି ଆସିବ ମୋ ନିର୍ଜନ ଘରେ,
ଯେଉଁଦିନ ବାରନ୍ଦାରେ ଛିଡ଼ା ହେଲେ
ମୋର ଅଞ୍ଚଳକୁ ଉଡାଇ ନେଉଥିବ
ବନ୍ୟ ବୈଶାଖୀ
ଆକାଶ ଭରା ଜହ୍ନ ସହିତ ଯେଉଁ ଦିନ
କଥା ହେବି ସାରା ରାତି
ସେଇଦିନ ତୁମକୁ ମନେ ମନେ କହିବି
କଣ ଏମିତି ହୋଇଯିବ ଦେଖା ନହେଲେ
ବିନା ଭେଟରେ କଣ ବଞ୍ଚି ରହିହେବ ନାହିଁ ?

କିଏ କହୁଛି, ଠିକ୍ ବଞ୍ଚିହେବ !
ତୁମ ସହିତ ଦେଖା ହୋଇ ନାହିଁ
ହୁଏତ କେତେ ହଜାର ବର୍ଷ
ତା’ ବୋଲି କଣ ମୁଁ ବଞ୍ଚି ରହି ନାହିଁ
ଏକଦମ୍ ଠିକ୍ ଅଛି!

ଭାବୁଛି କହିବି ତୁମେ ତ ଅସଲରେ ଜଣେ ନା ଧରଣର କିଛି
ତୁମକୁ ଆଙ୍କିଥିଲି ମୋ ନିଜ ଆକଂକ୍ଷାରେ
ମୋର ଇଚ୍ଛାକୁ ନେଇ ତୁମକୁ ପ୍ରେମିକ କରିଥିଲି
ପୁଣି ସେଇ ଇଚ୍ଛା ନେଇ
ତୁମକୁ ଅ-ପ୍ରେମିକ ବି କରିଛି
ତୁମକୁ ନଦେଖି ବି ବଞ୍ଚିପାରେ ହଜାରେ ବରଷ
ଅ-ପ୍ରେମିକକୁ ନ ଛୁଇଁ
ଅନନ୍ତ କାଳ।

ଟୋପାଏ ଆଖିର ଲୁହ
ବର୍ଷା ଜଳ ପରି ଧୋଇ ନେଇପାରେ
ଏତେ କାଳ ଧରି ଅଙ୍କା ସମସ୍ତ ଛବି
ସେ ଆଖିର ଅଶ୍ରୁ ତୁମର ନାମଧାମ
ସବୁକୁ ନିଶ୍ଚିହ୍ନ କରି ଦେଇପାରେ
ମତେ କେବେ ବି ଏକା ବୋଲି ଭାବିବନି
ତୁମର ଅ-ପ୍ରେମ ମୋର ଚିର ସହଚର ।

ଅନୁବାଦ: ମନୋରଞ୍ଜନ ହୋତା 

Leave A Reply

Your email address will not be published.