Latest Odisha News

BREAKING NEWS

ଗଳ୍ପ : ଫଗୁଣ ଫେରିଲାଣି

ସୁମିତା ବେହେରା ବାପି

କୋଇଲିର କୁହୁରେ ନିଦ ମୋର ଅଚାନକ ଭାଙ୍ଗିଗଲା । ମୋର ଅଗୋଚରରେ ବସନ୍ତ ଆସିଗଲା କି ଆଉ ? ସୁକୁମାରଙ୍କର ଯିବା ପରେ ଫଗୁଣ କେତେବେଳେ ଆସିକି ଚାଲିଯାଏ, ମୁଁ ଜାଣିପାରେ ନାହିଁ । କାନ ଡେରିଲି, ରହି ରହି କୋଇଲିର କରୁଣ ମୂର୍ଚ୍ଛନା ଭାସି ଆସୁଥିଲା। ଅଳସ ଭାଙ୍ଗି ଝରକା ଆଡ଼େ ଚାହିଁଲି। ସାଥୀକୁ ଡାକିଦେଇ, ପ୍ରତ୍ୟୁତ୍ତରର ଅପେକ୍ଷା କରିଥିଲା ବୋଧେ ସିଏ। କିଛି ସମୟ ପରେ ଆଉ ତା’ ସ୍ୱର ଆଉ ଶୁଣାଯାଉ ନ ଥିଲା।

ଦୀର୍ଘ ବାର ବର୍ଷ ପରେ ଆଜି ଫୁଲ ବଗିଚାକୁ ମୋର ଭଲରେ ଦେଖୁଥିଲି। ସୁକୁମାର ଓ ମୁଁ ସାଙ୍ଗ ହୋଇ ଏଇ ବଗିଚାରେ ବସି ସନ୍ଧ୍ୟାର କଫି ପିଉଥିଲୁ। ସେ ଗଲା ପରଠାରୁ ଆଉ ଏଠିକି ଏକା ଆସିବାର ସାହସ ଯୁଟାଇ ପାରିନି। ଆଜି କାହିଁକି କେଜାଣି ବଗିଚାରେ ଅନେକ ସମୟ ବସି ରହିବାକୁ ମନ ହେଲା ।

ବଗିଚାର ଗୋଟିଏ କୋଣରେ କିଛି ଡାଲିଆ ଫୁଲର ଚାରା ଆଣି ମାଳି ଲଗେଇ ଦେଇଛି। କଢ଼ ଆସିଗଲାଣି ସେଥିରେ । କେଉଁ ରଙ୍ଗ ନେଇ ଏଇ ଫୁଲମାନେ ଆସିବେ, ଭାବିବାରେ ଲାଗିଲି। ମନେ ପଡିଗଲା ଅଫିସ୍ ର କିଛି କାମ ବାକି ରହିଛି। ଫେରି ଆସିଲି ଘର ଭିତରକୁ।

ଡାଲିଆ ଫୁଲ ଗୁଡ଼ିକ କେଉଁ ରଙ୍ଗର ହେବେ ଜାଣିବା ପାଇଁ ମୋର ଉତ୍ସୁକତା, ସବୁଦିନ ମୋତେ ବଗିଚା ଆଡ଼କୁ ଆକର୍ଷିତ କରୁଥିଲା। ଅଫିସ୍ ରୁ ଫେରି ଦେଖିବାକୁ ଯାଉଥିଲି, ଫୁଲ ଗୁଡ଼ିକ ଫୁଟିଲେଣି କି ନାହିଁ ! ଅନ୍ୟ କଢ଼ିମାନଙ୍କର ତଳେ ରହିଯାଇଥିବା ଗୋଟିଏ କଢକୁ‌ ଛାଡ଼ି ବାକି ସବୁଗୁଡ଼ିକ ପତ୍ରର ବନ୍ଧନୀ ଭିତରୁ ମୁହଁ କାଢ଼ିବାକୁ ଆରମ୍ଭ କରିଥିଲେ । ସବୁଗୁଡ଼ିକ ହଳଦିଆ ରଙ୍ଗର ଥିଲେ । ଯେଉଁଟି ଫୁଟି ନ ଥିଲା, ତା’ ରଙ୍ଗ କିପରି ହେବ ଜାଣିବା ପାଇଁ ମୋର ଉତ୍କଣ୍ଠା ଦିନକୁ ଦିନ ବଢ଼ି ଯାଉଥିଲା।

ସପ୍ତାହେ ପାଇଁ ଅଫିସ୍ ରୁ ଛୁଟି ଆଣିଥିଲି। ସବୁଦିନ ସେଇ ଏକା ପ୍ରକାରର କାମ କରି କରି ଚିଟା ହୋଇଯାଇଥିଲା ମନ। ଖବରକାଗଜ ହାତରେ ନେଇ ବଗିଚାର ବେଞ୍ଚ୍ ଉପରେ ବସିଲି। ନଜର ଥିଲା ଡାଲିଆ କଢ଼ଟି ଉପରେ। ଅନ୍ୟ କଢ଼ ଗୁଡ଼ିକ ମଧୁପର ଛୁଆଁ ପାଇ ଅଧା ଅଧା ଫୁଟି ପବନରେ ଦୋଳି ଖେଳୁଥିଲେ। ଅଫୁଟା କଢଟି ପାଇଁ ମୋ ମନରେ ଦୁଃଖ ହେଉଥିଲା। ଅନ୍ୟ ଫୁଲମାନଙ୍କ ତଳେ ଭ୍ରମରର ଦୃଷ୍ଟି ଆଢ଼ୁଆଳରେ ବୋଧହୁଏ ଲୁଚି ଯାଇଛି ସିଏ। ଏଇଟି ନିଶ୍ଚୟ ମୋ ମନର ଭ୍ରମ ଥିଲା। ଫୁଲର ସୁଗନ୍ଧରେ ଆକୃଷ୍ଟ ହୋଇ ଭ୍ରମର ଆସେ, ତା’ ରୂପ ଦେଖିକି ନୁହେଁ। ଆହା, ମନ ମାରି ରହି ଯାଇଛି ବିଚାରୀ। ମୋ ମନ ମଧ୍ୟ ଉଦାସ ହେଇଗଲା। ମୋ ସହିତ କଢଟିର ଭାଗ୍ୟକୁ ତୁଳନା କରୁଥିଲି।

ପରଦିନ ଆସି ଦେଖେ, ପତ୍ର ଭିତରୁ କଢଟି ମୁହଁ କାଢି ନିରୀହ ଆଖିରେ ଚାହିଁଛି। ଟୋପା ଟୋପା ଶିଶିର ବିନ୍ଦୁ ତା’ର ଅଧା ଖୋଲା ପାଖୁଡ଼ା ଉପରେ ପଡ଼ି ତା’କୁ ଖୁବ୍ ସୁନ୍ଦରୀ କରି ଦେଇଛି। ଅନ୍ୟ ସବୁ ଡାଲିଆ ହଳଦିଆ ରଙ୍ଗର ହୋଇଥିବା ବେଳେ, ଇଏ ଥିଲା ଗୋଲାପି ରଙ୍ଗର। ଦେଖିଲି ଭଅଁରଟିଏ ଆସି ବସିଛି ତା’ ଉପରେ। ଗୁଣୁ ଗୁଣୁ ହୋଇ କିଛି କହୁଛି ତା’ କାନରେ। କ’ଣ କହୁଥାଇ ପାରେ! କାନେଇଲି ଶୁଣିବା ପାଇଁ। ସିଏ ବୋଧେ କହୁଥିଲା,

ପ୍ରତୀକ୍ଷା ରଜନୀ
ପାହି ତ ଗଲାଣି
ଆଖି ଖୋଲି ପ୍ରିୟା ଚାହଁ ଥରେ ,
ଆସିଛି ମୁଁ ଆଜି
ଚିତ୍ତଚୋର ସାଜି
ଧରା ଦିଅ ବାହୁ-ବନ୍ଧନୀରେ ।

ମନ ମୋର ଖୁସି ହୋଇଗଲା। ଧୀରେ ଧୀରେ ପାଖୁଡ଼ା ମେଲୁଥିଲା ଡାଲିଆ । ତା ‘ ଗୋଲାପି ରଙ୍ଗ ଅଧିକ ଗାଢ଼ ଦିଶୁଥିଲା। ସପ୍ତାହକର ଛୁଟି ମୋର ସରିଯାଇଥିଲା। ଆଜି ଅଫିସ୍ ଯିବି। ବେଞ୍ଚ୍ ରୁ ଉଠିବାକୁ ଯାଉଛି, ସହକର୍ମୀ ଅରିନ୍ଦମଙ୍କର ମେସେଜ୍, “ତୁମେ ଥିଲେ , ଅଫିସ୍ ଟା ସ୍ବର୍ଗ ପରି ଲାଗେ, ଆଉ ତୁମ ଅନୁପସ୍ଥିତିରେ ଅଫିସ୍….” ଡ଼ଟ୍ ଡ଼ଟ୍ ଦେଇ ଛାଡ଼ି ଦେଇଥିଲେ। ସ୍ନିଗ୍ଧ ହସଟିଏ ମୋ’ ଓଠକୋଣରେ ଲେସି ହୋଇଯାଉଥିଲା।

 

Leave A Reply

Your email address will not be published.