Latest Odisha News

ଗଳ୍ପ : ପାର୍ସଲ

ଶ୍ୱେତପଦ୍ମା ପାଢୀ

ଡେଲିଭରୀ ବୟଟି ପାର୍ସଲ ଧରେଇ ଦେଇ ଚାଲିଗଲା । ପ୍ରାପ୍ତେଷୁ ସ୍ଥାନରେ ବାପାଙ୍କ ନାଁ ଲେଖା ହେଇଛି କିନ୍ତୁ ପ୍ରେରକ ସ୍ଥାନରେ ନାଁ ସହ ସଂଜ୍ଞାଟି ନଥିଲା । ନଥିଲା ବି ପ୍ରେରକର ଠିକଣା । ବାପା ଘରେ ସମସ୍ତଙ୍କୁ ପଚାରିଲେ କାହାର ଅନଲାଇନ୍ କିଛି ଜିନିଷ ଆସିବାର ଥିଲା କି ? ସମସ୍ତ ମନା କଲେ ।

ବଡ଼ ଭାଇନା କହିଲା, “ଓହୋ ! ଏତେ ପ୍ରଶ୍ନ କରିବା ଅପେକ୍ଷା ପାର୍ସଲଟି ଖୋଲି ଦେଖି ଦେଲେ ତ କଥା ଛିଣ୍ଡିଲା !” କହି
ସେ ପାର୍ସଲ ଖୋଲିବାକୁ ଯାଉଥିଲା ବେଳେ, ସାନଭାଇ ଦୈାଡି ଆସି କହିଲା ” ରହ‌ରହ, ସଂଜ୍ଞା କି ବିବରଣୀ କିଛି ଦିଆଯାଇ ନାହିଁ ; ହୁଏତ ଆମ ସମ୍ପର୍କୀୟମାନଙ୍କ ଭିତରୁ କିଏ ନ ହୋଇ କେହି ଖଳ ପ୍ରକୃତିର ଲୋକ ଯଦି ଏହାକୁ ପଠେଇଥିବ ! ଏଇ ପାର୍ସଲରେ ବୋମା ଯଦି ବାହାରିବ ? ନା…ନା… ଏତେ ବଡ଼ ରିସ୍କ୍ ନେଇ ହେବନି ! ଆମକୁ ପୋଲିସକୁ ଜଣେଇବାକୁ ପଡ଼ିବ ।

ଆମେ କେଉଁ ଭିଆଇପି ନା ତୁ କେଉଁ ଆଇଏଏସ୍ ଅଫିସର ଯେ, ପୋଲିସକୁ କହିଲେ ଏବେ ବମ୍ ସ୍କ୍ୱାର୍ଡ ଧରି ସାଙ୍ଗେ ସାଙ୍ଗେ ପଳେଇ ଆସିବେ ?

– ମୁଁ ସେ କଥା କିଛି ଜାଣି ନାହିଁ । ଯଦି ସେଇ ଦୁଷ୍ଟ ଲୋକଟା ବୋମା ପଠେଇଥିବ ?

କିଏ ?

ଗତ ପାଞ୍ଚବର୍ଷ ଧରି ଯେଉଁ ଗୁଣ୍ଡା ସହ ଜମିଜମା ବାବଦକୁ କୋର୍ଟ କେସ୍ ଚାଲିଛି ସେଇ ମେଘନାଦ ପଟ୍ଟନାୟକ ? ସେ ଦେଖିବାକୁ ବି କେତେ ଭୟଙ୍କର , ଆଖି ଉଠେଇ ଚାହିଁଲେ ଛାତି ଥରିଯିବ । ପୋଲିସ୍, ଓକିଲ ଆଉ କୋର୍ଟ ଚକ୍କରରେ ଆମକୁ କେତେ ହଇରାଣ କରିଛି ଏଇ ମେଘନାଦ ।

ବହୁତ ହଇରାଣ ହରକତ ପରେ ଦୁଇ ଦିନ ତଳେ କୋର୍ଟ କେସ ଆମେ ଜିତିଲେ । ସେଦିନ କୋର୍ଟରେ ଜଜଙ୍କ ରାୟ ଶୁଣାଣି ପରେ କଳାନାଗ ଫଣା ଟେକି ଫଁ ଫଁ କଲା ପରି ମେଘନାଦ ରାଗରେ ଫଁ ଫଁ ହେଇ କୋର୍ଟରୁ ବାହାରି ଯାଇଥିଲା । ତେଣୁ ସାନଭାଇର ଡର ବି ସ୍ବାଭାବିକ । ମନେ ପଡ଼ିଗଲା ପାଟଣାଗଡ଼ ପାର୍ସଲ ବୋମା କଥା । ନା…. ଏତେ ବଡ଼ ରିସ୍କ୍ ନେବାଟା ଠିକ୍ ହେବ ନାହିଁ ।

ବଡ଼ ଭାଇ ପାର୍ସଲ ଧରି ଦୈାଡିଲା ଗେଟ୍ ସେପଟର ନାଳ ପାଖକୁ । କନିଅର ଫୁଲ ତୋଳିବା ପାଇଁ ହାତେ ଲମ୍ବରୁ ଅଧିକା ଲମ୍ବା ଅଙ୍କୁଶ ବାଡିଟେ ଥିଲା ଆମ ବଗିଚାରେ । ସେଇ ବାଡ଼ିରେ ଏପଟ ସେପଟ କରି ପାର୍ସଲକୁ ଅଧା ଖୋଲିବା ଅବସ୍ଥାକୁ ଆଣିଲେ । ସେପରି କିଛି ବିସ୍ଫୋରକ ଜିନିଷ ଥିଲା ପରି ଲାଗିଲା ନାହିଁ ।

ଏତିକି ତ ମଣିଷ ସିଦ୍ଧାନ୍ତରେ ଉପନୀତ ହେଲା ଯେ ବୋମା ନାହିଁ ସେଥିରେ । ପୁରା ଖୋଲିଲା ପରେ ଭିତରୁ ବାହାରିଲା କାଜୁ କତଲିର ପ୍ୟାକେଟଟିଏ । ଆଉ କିଛି ନଥିଲା ପାର୍ସଲ ଭିତରେ । ସାନଭାଇର ସନ୍ଦେହ ଦୂର ହୋଇନଥିଲା । ମିଠାରେ ଯଦି ବିଷ ଥିବ ? ଡରରେ କେହି ଛୁଇଁଲେ ନାହିଁ । ସୁଭଦ୍ରା କହିଲା,” ତମେ ଜଗା ବଳିଆ ଦୁଇଟା ଯାକ ଏମିତି ଡରୁ ଥାଅ । ମୁଁ ଖାଇକି ଦେଖିବି କହି ଗୋଟେ କାଜୁ କତଲି ଟକ୍ କରି ପାଟିରେ ପକେଇ ଦେଲା ।

ସମସ୍ତଙ୍କ ପାଟିରୁ ଲାଳ ଗଡିଲାଣି, କିନ୍ତୁ ବିଷ ଭୟରେ ହାତ ଆଗକୁ ବଢୁନି । ଚୁଲବୁଲି ସୁଭଦ୍ରା ଦୁଷ୍ଟାମୀ କରି କହିଲା, “ସତରେ କ’ଣ ମିଶିଛି ମ, ପିତା ପିତା ଲାଗୁଛି । ବାପା ତ ମିଠା ଦେଖିଲେ ଜନ୍ଦା ହେଇଯାଆନ୍ତି । ରହ ମୁଁ ଖାଇକି ଦେଖେ କହି ସେ ବି ଗୋଟେ ଚୋବେଇ ଦେଲେ । ଜଣ ଜଣ କରି ମିଠା ଖାଇ ସାରିବା ପରେ ମନେ ପଡ଼ିଲା ଓଡ଼ିଶା ବାହାରେ ଥିବା ସମ୍ପର୍କୀୟା ଭଉଣୀଟି ରାକ୍ଷୀ ପାଇଁ ପଠେଇଥିବ ଆଉ ପାର୍ସଲରେ ଚିଠି ଆଉ ରାକ୍ଷୀ ପଠେଇବାକୁ ହୁଏତ ଭୁଲି ଯାଇଥିବ ।

ତା’ ପରଦିନ ସତ କୁ ସତ ଆଉ ଗୋଟେ ପାର୍ସଲ ଆସି ପହଞ୍ଚିଲା । ସେଥିରୁ ରାକ୍ଷୀ, ସିନ୍ଦୁର, ଚାଉଳ, ବର୍ଫି ପ୍ୟାକେଟ, ମୁଦ୍ରିତ ଚିଠି ଯେଉଁଥିରେ ସେ ସମ୍ପର୍କୀୟ ଭଉଣୀର ମେସେଜ ଥିଲା ଯେ କାଜୁ କତଲି ଆଉ ଗୋଟେ ପ୍ୟାକେଟରେ ଯାଇ ପହଞ୍ଚିବ । ସମସ୍ତେ ଆଶ୍ୱସ୍ତ ହେଲେ । ମନେ ମନେ ଭାବୁଥିଲେ ଅନଲାଇନ୍ ରେ ରାକ୍ଷୀ କି କିଛି ଉପହାର ଆସିଲେ ବି ମନରେ ପାର୍ସଲ ବୋମା ବୋଲି ଛନକା ପଶୁଛି !

ପୁନେ, ମହାରାଷ୍ଟ୍ର

Leave A Reply

Your email address will not be published.