Latest Odisha News

BREAKING NEWS

ଅନୁବାଦ ଗଳ୍ପ : ଦର୍ପଣ

ସୁପ୍ରସିଦ୍ଧ ପଞ୍ଜାବୀ ଗାଳ୍ପିକ ଗୁରୁଦେବ ସିଂହ ରୂପାନା ଅବିଭକ୍ତ ପଞ୍ଜାବର ମୁକ୍ତସର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ଦେଶ ବିଭାଜନ ପରେ ସେ ଭାରତ ଚାଲିଆସିଥିଲେ । ଦୀର୍ଘ ସାତ ଦଶନ୍ଧିରୁ ଅଧିକକାଳର ସାହିତ୍ୟ ସାଧନା ଭିତରେ ସେ ଅନେକ ଗଳ୍ପ ସଂକଳନ, ନାଟକ, କବିତା ଏବଂ ଉପନ୍ୟାସ ରଚନା କରିଥିଲେ । ୨୦୨୦ ମସିହାରେ ତାଙ୍କୁ ପରିଣତ ବୟସରେ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା । ୨୦୨୧ ମସିହା ମାର୍ଚ୍ଚ ୧୪ ତାରିଖ ଦିନ ୮୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା ।

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୫

ମୂଳ ପଞ୍ଜାବୀ: ଗୁରୁଦେବ ସିଂହ ରୂପାନା 

ଯୁବକଟି ସିନା ଦେଖିବାକୁ ପତଳା, ହେଲେ ପୂରା ଖେଳୁଆଡ଼ ଚେହେରା । ବୟସ ପଚିଶ ପାଖାପାଖି ହେବ । ଦେହର ରଙ୍ଗ ମାଜିଲା ତମ୍ବା ପରି ଦାଉଦାଉ । ତା’ ନାଁ ଡେନିସ୍ । ସେ ପ୍ୟାରିସରୁ ଆସିଥିଲା ବିଂଶ ଶତାବ୍ଦୀ ପଞ୍ଜାବୀ ସାହିତ୍ୟ ଉପରେ ପିଏଚଡି କରିବା ପାଇଁ । ଦିଲ୍ଲୀକୁ ସେ ଆସିଥିଲା କିଛି ବହି ଯୋଗାଡ଼ କରିବାକୁ । ତା’ଛଡ଼ା କିଛି ସ୍ଥାନୀୟ ପଞ୍ଜାବୀ ଲେଖକଙ୍କ ସାଙ୍ଗରେ ବି ଦେଖାସାକ୍ଷାତ ହୋଇଯିବ । ସେଇ ପ୍ରକ୍ରିୟାରେ ହିଁ ତା’ସହିତ ମୋର ଭେଟ ହୋଇଥିଲା । କନୱଲ ଓ ଗୁରଦିଆଲ ସିଂହଙ୍କ ଉପନ୍ୟାସ ପଢ଼ଇଲାବେଳେ ସେ କେବେ ବୁଝିପାରୁ ନ ଥିଲା । ‘ମାଲୱାଇ’ (ଯାହା ମାଲୱା ଅଞ୍ଚଳରେ ବସବାସ କରୁଥିବା ପଞ୍ଜାବୀ ଲୋକମାନଙ୍କ କଥିତ ଭାଷା ଥିଲା)

ଦୁନିଆ କାହାକୁ କହନ୍ତି? ଶବ୍ଦକୋଷ ଦେଖି ବିଫଳ ହେବା ପରେ ସେ ଏହାର ଅର୍ଥ ବୁଝିବା ସକାଶେ ମୋର ସାହାଯ୍ୟ ଲୋଡ଼ିଥିଲା । ଦିନେ ମୋର ବନ୍ଧୁମାନଙ୍କଠାରୁ ଡେନିସ୍ ଜାଣିବାକୁ ପାଇଥିଲା ଯେ ମୁଁ ଆମ ପୈତୃକ ଗାଆଁ ରୋପାନାକୁ କିଛିଦିନ ଲାଗି ଯାଉଛି । ସେ ମୋ ନିକଟକୁ ଆସି ତା’ର ସେଇ ଖଣ୍ଡଖଣ୍ଡିଆ ହିନ୍ଦୀରେ ଅନୁରୋଧ କଲା, ‘ମୁଁ… ଆପଣଙ୍କ ସାଙ୍ଗରେ… ଆପଣଙ୍କ ଗାଆଁକୁ … ଯାଇପାରେ କି ?’ ଅବଶ୍ୟ ତା’ ଅନୁରୋଧଠାରୁ ତା’ ମନର ସଙ୍କୋଚ ଭାବକୁ ମୁଁ ଠିକ୍‌ ଠଉରାଇ ପାରିଥିଲି । ଡେନିସ୍ କାହା ଉପରେ କେବେ ବି ବୋଝ ବନିବାକୁ ଚାହୁଁ ନ ଥିଲା । ମୁଁ ତାକୁ ନିର୍ଭର ପ୍ରତିଶ୍ରୁତି ଦେଇ କହିଲି ଯେ ମୋ ମା ଗାଆଁରେ ରହୁଛି । ତେଣୁ ମୋ ସାଙ୍ଗରେ ଗଲେ କିଛି ଅସୁବିଧା ହେବନି । ତା’ର ସେଠାରେ ରହିବାକୁ ଫଟା ପାହୁଲାଟିଏ ସୁଦ୍ଧା ଖର୍ଚ୍ଚ କରିବାକୁ ପଡ଼ିବନି । ଆମକୁ ଯାହା ବସ୍ ଖର୍ଚ୍ଚ ଦେଇ ଗାଆଁରେ ପହଞ୍ଚିବାକୁ ପଡ଼ିବ । ତେଣୁ ସେ ମୋ ସାଙ୍ଗରେ ଯିବାକୁ ମୁଁ ଖୁସିରେ ରାଜି ହୋଇଗଲି ।

ମୋ’ଠାରୁ ଏକଥା ଶୁଣି ସେ ଖୁସିରେ ଆତ୍ମହରା ହୋଇଉଠିଲା । ତା’ପର ଦିନ ଆମେ ଦିଲ୍ଲୀ- ଫିରୋଜପୁର ବସ୍ ଧରିଲୁ । ବାଟରେ ଗଲାବେଳେ ସେ ମୋତେ ଅସଂଖ୍ୟ ପ୍ରଶ୍ନ ପଚାରି ଚାଲିଥିଲା । ମୁଁ ମଧ୍ୟ ତା’ର ଉତ୍ସୁକତାକୁ ପ୍ରଶମିତ କରିବା ସକାଶେ ସବୁ ପ୍ରଶ୍ନର ଉତ୍ତର ଗୋଟି ଗୋଟିକରି ଦେଇ ଚାଲିଥିଲି । ତାକୁ ଉତ୍ତର ଦେବା ପ୍ରକୟିୟାରେ ମୁଁ ମଧ୍ୟ ଆମ ଲୋକମାନଙ୍କ ମହତପଣ ଓ ସୁଗୁଣର କୀର୍ତ୍ତନ କରିଚାଲିଥିଲି । ଆମେ ପଞ୍ଜାବରେ ପହଞ୍ଚିଲା ବେଳକୁ ମୋର ଏଭଳି ପ୍ରଶଂସା ଆକାଶଛୁଆଁ ହୋଇ ସାରିଥିଲା । ମୁଁ ବି ମନେମନେ ଖୁସି ହେଉଥିଲି ଯେ ଡେନିସ୍‌ ମୋର ସବୁ କଥା ଆଗ୍ରହର ସହ ଶୁଣୁଥିଲା । ତା’ମନକୁ ମୁଁ ସତେ ଯେମିତି ଗୋଟାପଣେ ଆଚ୍ଛନ୍ନ କରି ରଖିଥିଲି!

ଅପରାହ୍ନ ପ୍ରାୟ ତିନିଟାବେଳେ ଆମେ ଗାଆଁରେ ପହଞ୍ଚିଲୁ ଓ କେନାଲ ବନ୍ଧ ପାଖରେ ଓହ୍ଲେଇପଡ଼ିଲୁ । ବନ୍ଧଟା ବସ୍ ଷ୍ଟାଣ୍ଡ୍‌ର ଠିକ୍ ପୂର୍ବରୁ । ଆମ ଘର ଗାଆଁର ଶେଷମୁଣ୍ଡରେ । ଆମେ ଯଦି ବସ୍ ଷ୍ଟାଣ୍ଡ୍‌ରେ ଓହ୍ଲେଇ ଥାଆନ୍ତୁ, ତା’ହେଲେ ଆମକୁ ଗାଆଁଦାଣ୍ଡ ବାଟେ ଚାଲି ଚାଲି ଯିବାକୁ ପଡ଼ିଥାଆନ୍ତା । ଗାଆଁଲୋକେ ଗୋରା ବିଦେଶୀ ଲୋକଟିକୁ ଦେଖି ତାକୁ ଗାରଡେଇ ଚାହିଁଥାଆନ୍ତେ ଓ ମୋତେ ନାନା ପ୍ରକାର ପ୍ରଶ୍ନ ପଚାରି ଥାଆନ୍ତେ । ସେତେବେଳକୁ ବସ୍‌ରେ ବସି ବସି ମୁଁ ସମ୍ପୂର୍ଣ୍ଣ
ହାଲିଆ ହୋଇ ସାରିଥିଲି । ତେଣୁ ସେମିତିକିଆ ମୂଲ୍ୟହୀନ କଥାବାର୍ତ୍ତା ହେବା ମାନସିକତାରେ ମୁଁ ନ ଥିଲି ।

ପୋଲ ଉପରେ ଠିହାହୋଇ ଡେନିସ୍ ପ୍ରଥମେ ଚାରିଆଡ଼କୁ ଚାହିଁଲା । ତା’ପରେ ସେଇ ଖଣ୍ଡି ପଞ୍ଜାବୀରେ ସେ ମୋତେ ପଚାରିଲା, ‘ଆପଣ… କ’ଣ… ଆପଣଙ୍କ … ଗଳ୍ପ ‘ହାୱା’ରେ ଯେଉଁ ସଡ଼କ କଥା ଲେଖିଛନ୍ତି… ଇଏ ସେଇ ସଡ଼କ…?’

ମୁଁ ‘ହଁ’ କରି ସମ୍ମତି ଭରିଲି । ତା’ରେ କହିଲି, ‘ଏଇ ସଡ଼କରେ ହିଁ ହଜାର ହଜାର ଲୋକ ପିମ୍ପୁଡ଼ିଧାର ଭଳି ଆସୁଥିବାବେଳେ ସେମାନଙ୍କୁ ହତ୍ୟା କରାଯାଇଥିଲା । ଯେଉଁ କେତେଜଣ ସେ ଗଣହତ୍ୟାରୁ ବର୍ତ୍ତି ଯାଇଥିଲେ ସେମାନେ ଆସି ଏଠାରେ ଆଶ୍ରୟ ନେଇଥିଲେ । ଏଇ ପୋଲର ଆରମ୍ଭରୁ ଯେଉଁ ସଡ଼କଟା ଆଗକୁ ଲମ୍ବିଯାଇଛି, େଇଟା ଧିଗାନେ ଗାଆଁକୁ ପଡ଼ିଛି । ମୋ ଗଳ୍ପର ଶେଷ ଆଡ଼କୁ ମଦନ ନାମକ ଯେଉଁ ଚରିତ୍ରଟି ସେଇଠି ଆସି ପହଞ୍ଚିଥିଲା ।

ଡେନିସ୍ କିଛି ଦିନ ଆଗରୁ ମୋର ସଦ୍ୟ ପ୍ରକାଶିତ ଉପନ୍ୟାସ ‘ଗୋରୀ’କୁ ମଧ୍ୟ ପଢ଼ିଥିଲା । ଏଥର ସେ ପଚାରିଲା, ‘ଆଉ ଗୋରୀ ଉପନ୍ୟାସରେ… ଦେବ ଆଉ ମିଠୁ ଯେଉଁଠି ବାଲିଗରଡ଼ା ସାଉଁଟିବାକୁ ଯାଆନ୍ତି…?’ ମୋର କ୍ଳାନ୍ତି ଦୂରକରି ମନକୁ ସଜେତ କରିବା ସକାଶେ ସତେକି ଡେନିସ୍ ଏଭଳି ପ୍ରଶ୍ନମାନ ପଚାରି ଚାଲିଥିଲା । ପୁଣି ଥରେ ତା’ସାଙ୍ଗରେ ଗପସପ ହେବାର ଆଗ୍ରହ ମୋ ମନରେ ଜାଗି ଉଠିଥିଲା ।

ଆମେ ସେଇ କେନାଲବନ୍ଧ ବାଟେ ମଶାଣିପଦା ପାଖ ଦେଇ ଘରମୁହାଁ ଚାଲିଥିଲୁ । ମଶାଣିରେ କାହାର ଜଣକ ଶବ ସଂସ୍କାର ହେଉଥିଲା । ଚିତାଗ୍ନି ହୁତ୍‌ହୁତ୍ ହୋଇ ଜଳୁଥିଲା । ତା’ର ଲେଲୀହାନ ଶିଖା ରହି ରହି ଜିଭ କାଢ଼ିବା ପରି ଉପରକୁ ଉଠୁଥିଲା । କେଇଜଣ ମାଲଭାଇ ସେଇ ଚିତାଗ୍ନି ଚାରିକଡ଼େ ଠିଆ ହୋଇଥିଲେ ।ବୋଧହୁଏ ଗାଆଁର କେହି ଜଣେ ଅବିବାହିତ ବୃଦ୍ଧ ବ୍ୟକ୍ତିଙ୍କର ପରଲୋକ ଘଟି ଥାଇପାରେ ବୋଲି ମୁଁ ମନେମନେ ଭାବୁଥିଲି । ଆଉ କିଏ ଜଣେ ସେତିକିବେଳେ କହିବାର ମୋ କାନରେ ପଡ଼ିଲା, ‘ବୁରା ବଦବାସଟାର କାଳ ହୋଇଗଲା ।’

ମୁଁ ମନେମନେ ଭାବୁଥିଲି, ଭଲ ହେଲା, କେଇଜଣ ଯୁବକଙ୍କ ଜୀବନ ରକ୍ଷା ପାଇଗଲା ।

ବୁରାର ବୟସ କେବେ ବଢ଼ି ନ ଥିବା ପରି ଲାଗୁଥିଲା । ସତ କହିଲେ ଗାଆଁରେ ସେ ଆଉ ପିଢ଼ିଏ ଯୁବକଙ୍କୁ ତା’ରି ଭଳି କୁଶିକ୍ଷା ଦେଇ ଉତାରୁଥିଲା । କଥାରେ ଅଛି ଯେତେବେଳେ ନର୍ତ୍ତକୀଟିଏର ବୟସ ବଢ଼ିଯାଏ ସେ ଆଉ ନ ନାଚି ନୃତ୍ୟଶାଳାଟିଏ ଖୋଲିଦିଏ । ବୁରା ବି ଗାଆଁରେ ପଞ୍ଝାଏ ଲଫଙ୍ଗା ଟୋକାଙ୍କୁ କୁଶିକ୍ଷା ଦେଇ ନଷ୍ଟ କରିଚାଲିଥିଲା । ତା’ରି କାନଫୁସୁଲାରେ ପଡ଼ି କେଉଁ ପିଲା ସ୍କୁଲ ଯିବା ବନ୍ଦ୍ କରୁଥିଲା ତ ଆଉ କିଏ ତା’ବାପ ମୁହଁରେ ଜବାବ ଦେଉଥିଲା । ଆଉ ଏମିତି ହୀନ କାର୍ଯ୍ୟ ଦେଖି ବୁରା ମନେମନେ ବିଚିତ୍ର ଆନନ୍ଦ ଅନୁଭବ କରୁଥିଲା । ନିଜ ପ୍ରଭାବର ସଫଳତାରେ ଖୁସି ହେଉଥିଲା । ତା’ରି କଥାରେ ପଡ଼ି ଅନେକଙ୍କ ଘର ଉଜୁଡ଼ି ସାରିଥିଲା । ଜୀବନରେ ସେ କେବେ କାହାରି ଶିରି ଦେଖୁ ନ ଥିଲା । କାହାରି ସାଙ୍ଗରେ ଭଲମନ୍ଦ କଥା ପଦେ ହେଉ ନ ଥିଲା । ଏମିତିକି ସେଭଳି କରିବାର ଛଳନା ସୁଦ୍ଧା କରୁ ନ ଥିଲା ।

କେହି ଜଣେ ଲୋକ ଚିତା ଉପରକୁ ଆଉ କେଇଖଣ୍ଡ ଶୁଖିଲା କାଠ ଫିଙ୍ଗିଦେଲା । ପୁଣି ଥରେ ସଭିଏଁ ନିଜ ନିଜ ଗପରେ ମଜ୍ଜିଗଲେ ।

‘ଏମିତି ମରଣ ଭାରି ଭଲ ।’ ‘ନା ଜର, ନା ଯନ୍ତ୍ରଣା ।’

‘ଆରେ ଲୋକଟା ଗୋଟିଏ ଦିନ ବି କତରାରେ ପଡ଼ିଲାନି କି କଲା କର୍ମ ଭୋଗିଲାନି!’

‘ଗୋଟିଏ ଦିନ ତ ବହୁତ ହେଇଗଲା – ପାଞ୍ଚମିନିଟ ପାଇଁ ସୁଦ୍ଧା ନୁହଁ ।’

‘ସତେ ଯେମିତି ଜୀବନସାରା ଢେର୍ ପୁଣ୍ୟ ଅର୍ଜିଥିଲା!’ ‘ହଁ ପରା! ଦେଖୁନ, ଦଣ୍ଡେ ବୋଲି ଭୋଗିଲାନି ।’

ଡେନିସ୍ ଜାଣିବାକୁ ଚାହୁଁଥିଲା ‘ପୁଣ୍ୟ’ ବୋଇଲେ କ’ଣ? ତା’ପରେ ସେ ପଚାରିଲା, ଯେଉଁ ଲୋକଟି ମରିଥିଲା ସେ କ’ଣ ଢେର୍ ପୁଣ୍ୟ ଅର୍ଜନ କରିଥିଲା?

ସେଇଥିପାଇଁ ଏ ଲୋକମାନେ ତା’ ବିଷୟରେ ଏମିତି କଥାବାର୍ତ୍ତା ହେଉଛନ୍ତି? ମୁଁ କିନ୍ତୁ ଅନୁଚ୍ଚ ସ୍ୱରରେ ବୁରାର ଚରିତ୍ର ଓ ସ୍ୱାଭାବ ବିଷୟରେ ସବୁକଥା
ବୁଝେଇଦେଲି । ଲୋକଟା ମହାପାପୀ, ସାକ୍ଷାତ ସୈତାନଟାଏ ଥିଲା ବୋଲି କହିଲି ।

ବୁରାର ପୁଅ କେହାରୁ ମୋତେ ଦେଖିଲା ଓ ମୋ ପାଖକୁ ଆସିଲା । ତାକୁ ସମବେଦନା ଜଣେଇବା ଭଳି ଅଭିନୟ କରି ମୁଁ ପଚାରିଲି, ‘ଭାଇଙ୍କର କ’ଣ ଦେହ ଅସୁସ୍ଥ ଥିଲା?’

କେହାରୁ ମୋ ଆଗରେ ସତ କଥା କହିବାକୁ କେମିତି ଥଙ୍ଗମଙ୍ଗ ହେଲା । ତେବେ ମୁଁ ବାରମ୍ବାର ସେଇ ପ୍ରଶ୍ନକୁ ଦୋହରାଇବାରୁ ସେ ମୁଖସ୍ଥ କରିଥିବା କବିତାଟିଏ ପରି ମତେ ଶୁଣେଇ ଚାଲିଲା, ‘ନାଇଁ ତାଙ୍କର ଦେହ ଆଦୌ ଖରାପ ନ ଥିଲା । ବରଂ ସେ ପୂରା ସୁସ୍ଥ ଥିଲେ । ଟିକେ ଥଣ୍ଡା କି ଜର, କିଛି ସୁଦ୍ଧା ହୋଇ ନ ଥିଲା ।
ଗଲାକାଲି ରାତିରେ ବେଶ୍ ଆରାମରେ ଯାହା ଖାଇବା କଥା ଖିଆପିଆ ବି କରିଥିଲେ । ଗାଆଁପିଲାମାନଙ୍କ ସାଙ୍ଗରେ ଢେର୍ ରାତି ପର୍ଯ୍ୟନ୍ତ ବସି ଗପସପ କରୁଥିଲେ । ଏପରିକି ଶୋଇବାକୁ ଗଲାବେଳେ ମଧ୍ୟ ଭଲ ଥିଲେ । ତାଙ୍କ କୋଠରୀରେ ଭିତରପଟୁ କବାଟ କିଳି ଶୋଇଲେ । ଆଜି ସକାଲେ ମୁଁ ଚା’କପ୍ ନେଇ ତାଙ୍କ କବାଟ ବାଡେଇଲି । ସିଏ କିଛି ଜବାବ ଦେଲେନି । ମୁଁ କବାଟ ଖୋଲି ଦେଖିଲି ରେଜେଇ ଘୋଡ଼ିହୋଇ ଶୋଇଛନ୍ତି । ଆଖି ପାଟି ବି ବନ୍ଦ୍ ଥିଲା । ମତେ ଲାଗିଲା ଯେମିତି ଗାଢ଼ ନିଦରେ ଶୋଇଛନ୍ତି । ତେଣୁ ମୁଁ ଫେରିଆସି ଷ୍ଟୋଭ୍ ଉପରେ ଚା’ରଖିଦେଲି । ତାଙ୍କର ତ ଚା’ପିଆ ଅଭ୍ୟାସ ।

ବାମ୍ଫଉଠା ଗରମ ଚା’ ପିଉଥିଲେ । ତା’ପରେ ମୁଁ ଘରକାମରେ ବ୍ୟସ୍ତ ରହିଲି । ଆଉକିଛି ଛୋଟମୋଟ କାମରେ ଗାଆଁ ଭିତରକୁ ବି ଗଲି । ଫେରିଆସି ଦେଖିଲାବେଳକୁ ଷ୍ଟୋଭ୍‌ ଉପରେ ଚା’ସେମିତି ଥୁଆ ହୋଇଚି । ସେତେବେଳକୁ ଦିନ ଘଡ଼ିଏ ଗଡ଼ି ସାରିଥିଲା । ମୁଁ ପୁରି ଥରେ ତାଙ୍କ ଖଟ ପାଖକୁ ଯାଇ ଡାକିଲି । ତଥାପି କିଛି ଜବାବ ପାଇଲିନି । ସେତେବେଳକୁ ସବୁ ଶେଷ ହୋଇ ସାରିଥିଲା । ସିଏ ଆଉ ମୋ ଡାକର ଜବାବ ଦେବାକୁ ନ ଥିଲେ । ତାଙ୍କ ମୁହଁ ଉପରୁ ଚାଦର
ହଟେଇ ମୁଁ ଚାହିଁଲି । ଦେହ ମୁଣ୍ଡକୁ ହଲେଇଲି । ସେତେବେଳକୁ ତାଙ୍କ ଶରୀର ପୂରା ଥଣ୍ଡା ଓ କାଠ ପାଲଟି ସାରିଥିଲା । ସେଇ ନିଦରେ ତାଙ୍କର କାଳ ହୋଇ ଯାଇଥିଲା । ବାସ୍ ।’ କେହରୁର ଓଠ କେମିତିଚେପେଟିଗଲା । ମୁଁ ଜାଣିଲି ତା’ଭିତରୁ କୋହ ଉଠୁଥିଲା । ବାପକୁ ହରାଇବାର କୋହ । ସେ କିନ୍ତୁ ଆଖିର ଲୁହକୁ ଅଟକେଇ ନେଇଥିଲା ।

ଆମେ ଯେଉଁଠି ଠିଆ ହୋଇଥିଲୁ କେନାଲର ଠିକ୍‌ ଆରପଟୁ କେହି ଜଣେ ଧରମ ସିଂହ କେମିତି ମଲା ସେକତା କହି ଚାଲିଥିଲା- ଆରେ ଏତେ ଧାର୍ମିକ ଓ ପବିତ୍ର ମଣିଷ! ସବୁଦିନ ଦିଅଁପୂଜା ନକରିବା ପର୍ଯ୍ୟନ୍ତ ତୁଣ୍ଡରେ ଅନ୍ନଜଳ ସୁଦ୍ଧା ଦେଉ ନ ଥିଲେ । କିଏ ଯଦି କେଉଁଠି ସୁବିଧା ଅସୁବିଧାରେ ପଡ଼ିଲା, ସାହାଯ୍ୟର ହାତ ବଢ଼େଇବାରେ ସେ ଥିଲେ ପ୍ରଥମ ଲୋକ । ହେଲେ ଦେଖ, ତାଙ୍କ ମରଣ କେମିତି ହେଲା! ଛଅମାସ ଧରି କତରାଲଗା ହୋଇ ଘାଣ୍ଟି ହେଲେ । ଦେହମୁଣ୍ଡରେ ଘାଆ ହୋଇ ପୂଜପାଣି ବୋହିଲା । ନିଜ ନିତ୍ୟକର୍ମ ସୁଦ୍ଧା କରିପାରିଲେନି । ରାତି ରାତି ବଡ଼ ପାଟିରେ ମରଣ ହେଉ ବୋଲି କେତେ ଚିତ୍କାର ଛାଡ଼ିଲେ । ହେଲେ
ମରଣ କ’ଣ କାହା ହାତରେ ଅଛି! ଯେତିକିବେଳେ ଆସିବା କଥା ଆସିବ । ଯେତିକି ଭୋଗେଇବା କଥା ଭୋଗେଇବ । ବିଚରା ଧରମ ସିଂହଙ୍କୁ ଏଇ ଜନ୍ମରେ ନର୍କ ଯନ୍ତ୍ରଣା ଭୋଗିବାକୁ ପଡ଼ିଲା । ଭଗବାନଙ୍କ ବିଚାର ବଡ଼ ବିଚିତ୍ର!

ଧରମ ସିହାଙ୍କ ମରଣ ବିଷୟରେ ସମସ୍ତଙ୍କର କିଛି ନା କିଛି କହିବାର ଥିଲା । ତା’ପରେ ଆଲୋଚନା ଘୂରିଲା ଦି’ଜଣଙ୍କ ମୃତ୍ୟୁ ଭିତରେ ଥିବା ତଫାତକୁ ନେଇ – ଧରମ ସିଂହ ଆଉ ବୁରାର ମରଣ ପ୍ରସଙ୍ଗରେ । ଜଣେ ଧାର୍ମିକ ଲୋକ ଓ ଅନ୍ୟ ଜଣେ ମହାପାପୀ, ପାଷଣ୍ଡ । ଧାର୍ମିକ ଲୋକଟି ଘାଣ୍ଟି ହୋଇ ମଲା ଓ ପାପୀକୁ ସୁଖ ମରଣ ମିଳିଲା! ସମସ୍ତେ ଧରବ ସିଂହ ବିଷୟରେ ଏକା ସ୍ୱରରେ କଥାବାର୍ତ୍ତା ହେଉଥିଲେ – ‘ତାଙ୍କ ଜୀବନରେ ଧର୍ମକର୍ମ ସଂଖ୍ୟ ଗଣିହେବନି ।’ ଆଉ ବୁରା ପ୍ରସଙ୍ଗରେ- ‘ଲୋକଟା ଜୀବନରେ ଭଲକାମ କ’ଣ ଜାଣି ସୁଦ୍ଧା ନ ଥିଲା ।’

କେହରୁର ସ୍ଥିତି ଭାରି ଦୟନୀୟ ଲାଗୁଥିଲା । ତା’କାନରେ ସବୁ କଥା ପଡ଼ୁଥିଲା । ତା’ବାପାର ସୁଖ ମୃତ୍ୟୁକୁ ଗାଆଁଲୋକେ ଗ୍ରହଣ କରିପାରୁ ନ ଥିଲେ । ସମସ୍ତଙ୍କ ମନ ଊଣା ପରି ଲାଗୁଥିଲା । ଏଭଳି ମୃତ୍ୟୁର ସେ ହକ୍‌ଦାର ନୁହନ୍ତି ବୋଲି ସମସ୍ତଙ୍କ ମତ ଥିଲା । ଦେହରେ ଛୋଟ ଚଦର ଖଣ୍ଡିଏ ବେଢ଼େଇହୋଇ ସେ ଅଶ୍ୱତ୍ଥ ଗଛମୂଳେ ସେମିତି ଠିଆ ହୋଇଥିଲା । ସତେ ଯେମିତି ତାକୁ ସବା ଶେଷରେ କିଛି ଭାଷଣ ଦେବାର ଥିଲା!

ପରିଶେଷରେ କେହରୁ କହିଲା, ‘ସତ କହିଲେ ତାଙ୍କର ଗୋଟିଏ ଭଲ କାମ ହିଁ ତାଙ୍କର ଏଭଳି ସୁଖ ମୃତ୍ୟୁରେ ସହାୟକ ହୋଇଥିଲା । ସେଇଥିପାଇଁ ସେ କତରାରେ ପଡ଼ି ଘାଣ୍ଟି ହୋଇ ନ ଥିଲେ ।’ ଏକଥା ଶୁଣି ସମସ୍ତେ ଚୁପ୍ ପଡ଼ିଗଲେ । ଯେମିତି କେହରୁଠାରୁ ସେ ଭଲ କାମଟି କଥା ଶୁଣିମାକୁ ସେମାନଙ୍କ କାନ ଠିଆ ହୋଇଯାଇଥିଲା । ବୁରା – ପୁଣି ଭଲ କାମ! କ’ଣ ସମସ୍ତଙ୍କ ଦୃଷ୍ଟି ଆଢ଼ୁଆଳରେ ସେ ଏମିତିକା କାମ ସଂପାଦନ କରିଥିଲା? ସେ କାମଟି କ’ଣ ଯାହା ବୁରାକୁ ଏଭଳି ଶାନ୍ତିରେ ଶେଷ ନିଃଶ୍ୱାସ ତ୍ୟାଗ କରିବାକୁ ସହାୟକ ହେଲା?

ଏଥର କେହରୁ କହିଲା, ‘ଦେଶ ବିଭାଜନ ପରେ ଯେତେବେଳେ ଆମ ଗାଆଁ ଆଗ ସଡ଼କ ଦେଇ ମାଇଲ ମାଇଲ ପର୍ଯ୍ୟନ୍ତ ଅସହାୟ ଶରଣାର୍ଥୀଙ୍କର ଧାର ଲମ୍ବିଥିଲା, ସେତେବେଳେ ମୋ ବାପା ତିରିଶଜଣ ଅନାଶ ଶିଶୁଙ୍କୁ ସେ ଯନ୍ତ୍ରଣାରୁ ଉଦ୍ଧାର କରିଥିଲେ । ସେଇ ପୁଣ୍ୟ ବଳରେ ତାଙ୍କୁ ଈଶ୍ୱର ସୁଖ ମୃତ୍ୟୁ ଦେଇଛନ୍ତି ।’

ସମସ୍ତଙ୍କ ମନ ସେଇ ଛାତିଥରା ଅତୀତ ଆଡ଼କୁ ଫେରିଗଲା । ୧୯୪୭ ମସିହାର ଦେଶ ବିଭାଜନ ବେଳର କଥା । ସମସ୍ତଙ୍କର ମନେ ପଡ଼ିଗଲା ସେତେବେଳେ ଗାଆଁ ଆଗ ରାସ୍ତାରେ ପନ୍ଦର କି କୋଡ଼ିଏ ମାଇଲ୍ ପର୍ଯ୍ୟନ୍ତ ଶରଣାର୍ଥୀଙ୍କ ଧାର କେମିତି ଲାଗିଥିଲା । ସେଇ ଅସହାୟ ଶରଣାର୍ଥୀମାନଙ୍କୁ ମଝିରେ ମଝିରେ ଲୁଟେରାମାନେ ଘୋଷାରି ନେଉଥିଲେ । ପୁରୁଷ, ମହିଳା, ଶିଶୁ ଯାହାକୁ ପାଇଲେ ତାକୁ ନେଇଯାଉଥିଲେ । କାହାକୁ ମାରି ପକାଉଥିଲେ ଅବା ଆଉ କାହା ପ୍ରତି ପାଶବିକ ଅତ୍ୟାଚାର
କରୁଥିଲେ । କାହାକୁ ଲୁଟୁଥିଲେ କିମ୍ବା କାହା ଜୀବନ ଫାର୍ଶାର ଗୋଟିଏ ଚୋଟରେ ସମାପ୍ତ କରିଦେଉଥିଲେ । ବେଳକୁ ବେଳ ଦଙ୍ଗାକାରୀଙ୍କ ସଂଖ୍ୟା ଓ ସେମାନଙ୍କ ପ୍ରାଦୁର୍ଭାବ ବଢ଼ି ବଢ଼ି ଚାଲିଥିଲା । କେହି ରୋକିବାକୁ ନାହିଁ, କେହି ପ୍ରତିବାଦ କରିବାକୁ ନାହିଁ । ଏମିତି ଦଙ୍ଗା, ହାଣକାଟ, ଲୁଟ ଓ ଅତ୍ୟାଚାର ଭିତରେ ଶରଣାର୍ଥୀଙ୍କ ଆତଯାତ କିନ୍ତୁ ଜାରି ରହିଥିଲା । ରାସ୍ତା କଡ଼ରେ ଶବସବୁ ପଚି ସଢ଼ୁଥିଲା । ଗାଆଁରେ ମହାମାରୀ ବ୍ୟାପିବା ଭୟରେ ଲୋକମାନେ ଶବଗୁଡ଼ିକୁ ଅନ୍ୟଆଡ଼େ
ହଟେଇ ଦେଉଥିଲେ । କେଉଁଠି ସେଇ ଶବଗଦା ଭିତରୁ ଜୀଅନ୍ତା ଶିଶୁମାନଙ୍କୁ ସୁଦ୍ଧା ଉଦ୍ଧାର କରାଯାଉଥିଲା । ସେମାନଙ୍କୁ ଗାଆଁ ଧର୍ମଶାଳାକୁ ଆଣି ରଖିବାର ବନ୍ଦୋବସ୍ତ କରାଯାଉଥିଲା । କିନ୍ତୁ ସେଥିରେ ମଧ୍ୟ ଗୋଟିଏ ସମସ୍ୟା ଥିଲା । ଏସବୁ ଶିଶୁମାନଙ୍କର କିଏ ସବୁଦିନେ ଯତ୍ନ ନେବ? କିଏ ସେମାନଙ୍କୁ ପାଳିବ? ଅବଶ୍ୟ
କେଇଟି ଶିଶୁଙ୍କୁ ଆଖପାଖ ଗାଆଁର କେତେଜଣ ନିଃସନ୍ତାନ ଦମ୍ପତ୍ତି ପୋଷ୍ୟ ଭାବେ ଗ୍ରହଣ କରିନେଇଥିଲେ । ତଥାପି ଆହୁରି ତିରିଶଜଣ ଶିଶୁ ବଳି ପଡ଼ିଥିଲେ । ସେମାନେ ଥିଲେ ମାତ୍ର କେଇ ମାସର କଅଁଳ ଶିଶୁ । ମାତ୍ର ସପ୍ତାହେ ଯାଇଛି କି ନାହିଁ ଗାଆଁ ଲୋକମାନେ ସେମାନଙ୍କ ଯତ୍ନ ନେଇ ନେଇ ଅତିଷ୍ଠ ହୋଇ
ଉଠିଲେ । କିଏ ଭଲା ଏମିମତି ଅଜଣା ଶିଶୁମାନଙ୍କର ଯତ୍ନ ନେବାକୁ ଭଲପାଇବ? ତା’ଛଡ଼ା କେତେ ଦିନ ପର୍ଯ୍ୟନ୍ତ ନେବ?

ପିଲା ପାଳିବା କିଛି ଛୋଟ କଥା ନୁହଁ । ଗାଆଁଲୋକଙ୍କ ଭିତରେ ଏଇ କଥାକୁ ନେଇ ଚାଲିଲା ଭିଡାଓଟରା । ମନୋମାଳିନ୍ୟ ଆରମ୍ଭ ହେଲା । କିଏ କହିଲେ ସେ ଶିଶୁମାନଙ୍କୁ ପାକିସ୍ତାନ ପଠେଇ ଦିଅ । ଆଉ କିଏ କହିଲା ଅନାଥାଶ୍ରମକୁ ପଠାଯିବା ଉତ୍ତମ ହେବ । ହେଲେ ସେଠାକୁ ନେଇ ଯିବ କିଏ? ସମୟ ଭଲ ନଥିଲା ଓ କେହି ନିଜ ଜୀବନକୁ ଜାଣିଶୁଣି ବିପଦ ମୁହଁକୁ ଠେଲିଦେବାକୁ ଚାହୁଁ ନ ଥିଲେ ।

ବୁରା କହିଲା, ‘ସେମାନଙ୍କୁ ପୂରା ମୁକ୍ତି ଦେଇ ଦିଆଯାଉ । ଆମେ ପାକିସ୍ତାନ ପଠେଇଲେ ସେମାନଙ୍କୁ ସ୍ୱାଗତ କରିବାକୁ କିଏ ଭଲା ସେଠାରେ ଅପେକ୍ଷା କରିବସିଛି?’
ହେଲେ ଏତେଗୁଡ଼ିଏ ନିରିହ ନିଷ୍ପାପ ଶିଶୁଙ୍କୁ ମାରିବାକୁ ଅବା କାହାର ହାତ ଯିବ? ଏଭଳି ନୃଶଂସ କାମ କରିବାକୁ କେହି ରାଜି ହେଲେନି । ଯଦି ଏମାନେ ସେପରି କାଣ୍ଡ କରିବେ, ତା’ହେଲେ ଯେଉଁମାନେ ଶରଣାର୍ଥୀ ଦଳ ଉପରେ ଆକ୍ରମଣ କରିଥିଲେ ସେମାନେ କାହିଁକି ଏ ଶିଶୁମାନଙ୍କୁ ନ ମାରି ଜୀଅନ୍ତା ଛାଡ଼ି ଦେଇଥିଲେ? ସେଇ ଲୁଟେରାମାନେ ତ ଏମାନଙ୍କୁ ମାଆମାନଙ୍କୁ ଲୁଟିଥିଲେ, ଧର୍ଷଣ କରିଥିଲେ ଓ ସେମାନଙ୍କୁ ହତ୍ୟା କରିଥିଲେ । ଏଭଳି ପ୍ରସ୍ତାବ ଶୁଣି ସମସ୍ତଙ୍କ ଛାତି ଥରିଉଠିଥିଲା । ହେଲେ ପରିଶେଷରେ ବୁରା କହିଲା, ‘ଛାଡ଼, କେହି ଯଦି ରାଜି ନ ହେଉଛ, ମୁଁ ସେକାମ ସାରିଦେବି । କି କଠିନ କାମଟା କି?

ଗୋଟିଏ ଗୋଯିଏ ଚୋଟରେ ତ କାମ ଶେଷ! ନ ହେଲେ ତ ଏମାନେ ସେମିତି ବେସାହାରା ଅନାଥ ଶିଶୁ ହୋଇ ଜୀବନସାରା ରହିଯିବେ…’

ବୁରା ସେଇସବୁ ଶିଶୁମାନଙ୍କୁ କେନାଲ ବନ୍ଦ ପର୍ଯ୍ୟନ୍ତ ନେଇଯାଇଥିଲା ଓ ଖୁବ୍ ଜଲ୍‌ଦି ସବୁକାମ ଶେଷ କରିଦେଇଥିଲା । ନିଷ୍ପାପ ଶିଶୁମାନଙ୍କୁ ମାରି କେନାଲ ପାଣିରେ ଫିଙ୍ଗି ଦେଇଥିଲା । ତା’ବାପାର ଏଇ ଭଲ କଥାଟିକୁ କେହରୁ ଗୌରବର ସହ ଅନ୍ୟମାନଙ୍କ ଆଗରେ ବଖାଣିଥିଲା । ସେଇଥିପାଇଁ ଭଗବାନ ତାକୁ ସୁଖକର ମୃତ୍ୟୁ ପ୍ରଦାନ କରିଛନ୍ତି ବୋଲି ଦାବି କରୁଥିଲା ।

କେହରୁର କଥା ଶୁଣି ଡେନିସ୍ କିଛି ବୁଝିପାରୁ ନ ଥିଲା । ତେଣୁ ଏହାର ଅର୍ଥ କ’ଣ ବୋଲି ବୁଝିବାକୁ ସେ ଅନ୍ୟମାନଙ୍କ ମୁହଁକୁ ବଲବଲ କରି ଚାହିଁଲା । ଡେନିସ୍ କେହରୁକୁ ପଚାରିଲା, ‘ଏ ଘଟଣା… କ’ଣ… ତୁମେ… ନିଜ …ଆଖିରେ… ଦେଖିଛ?’

ଜଣେ ଅପରିଚିତ ବ୍ୟକ୍ତି ତୁଣ୍ଡରୁ ଏଭଳି ପ୍ରଶ୍ନ ଶୁଣି କେହରୁର ସ୍ୱର ବଦଳିଗଲା । ସେ ଦମ୍ଭର ସହ କହିଲା, ‘ହଁ, ହଁ, ମୁଁ ନିଜ ଆଖିରେ ଦେଖିଛି । ସେତେବେଳେ ମୋତେ ତେରବର୍ଷ ହୋଇଥିଲା । ଗୋଟିଏ ଶଗଡ଼ରେ ଲଦି ଆମେ ସେ ପିଲାଗୁଡାଙ୍କୁ କେନାଲବନ୍ଧ ପର୍ଯ୍ୟନ୍ତ ନେଇଥିଲୁ ।’

‘ସେ ପିଲାମାନଙ୍କ ବୟସ କେତେ ଥିଲା?’ ଡେନିସ୍ ପୁଣି ପଚାରିଲା ।

‘ସେମାନେ ଛୋଟ, ଅତି ଛୋଟ ଥିଲେ ।’ କେହରୁ କହିଲାବେଳେ ନିଜ ଦି’ହାତ ଦେଖାଇ ସେଇସବୁ ଶିଶୁମାନଙ୍କ ଆକାର ସୂଚାଇବାକୁ ଚାହୁଁଥିଲା । ‘ଏଡ଼ିକି ଛୋଟ ଛୋଟ ହୋଇଥିଲେ । ସମସ୍ତେ କୋଳ ଶିଶୁ, କ୍ଷୀରଖିଆ ଛୁଆ । ସେଇ ପୁଣ୍ୟ ତ ମୋ ବାପାଙ୍କୁ ଏ ସଂସାରରୁ ଭଲରେ ଭଲରେ ବିଦାୟ
ନେବାରେ ସହାୟକ ହୋଇଥିଲା ।’

‘ସେମାନଙ୍କୁ ସମସ୍ତଙ୍କୁ… କ’ଣ… ଖଣ୍ଡାରେ… ଗଡ଼ଗଡ଼ କରି…?’ କେହରୁ ନିଜ ହାତକୁ ପବନରେ ବୁଲେଇ କେମିତି ଖଣ୍ଡା ଚୋଟରେ ଗଡ଼ଗଡ଼ କରାଯାଇଥିଲା ତାହା ଦେଖାଇ କହିଲା,’ଗୋଟିଏ ଲେଖାଏଁ ଚୋଟ… ବାସ୍‌… ସବୁ ଶେଷ!’ ଡେନିସ୍ ଥରି ଉଠିଲା । ତା’ ତମ୍ବା ବର୍ଣ୍ଣର ମୁହଁ ଫିକା ପଡ଼ିଗଲା ଓ ପୂରା ସେତା ଦିଶିଲା । ଆଉ କିଛି ନ କହି ସେ କେବଳ ସେଠାରୁ ପଳେଇଯିବାକୁ ମୋତେ ହାତ ଠାରିଲା । ସେ ଆଉ କିଛି କହି ପାରୁ ନ ଥିଲା ।

ଆମେ ସେ ଲୋକମାନଙ୍କୁ ଆଡ଼େଇ ଆଗକୁ ଜାଲିଲୁ । ହଠାତ୍ ଡେନିସ୍ ତା କାନ୍ଧରେ ଝୁଲୁଥିବା ବ୍ୟାଗ୍‌ଟିକୁ ତଳେ ଥୋଇଦେଲା । ଯେମିତିକି ସେ ଭାବୁଥିଲା, ତା ବ୍ୟାଗକୁ ଖୋଲିବ ନା ନାହିଁ । ତା’ପରେ ସେ ନିଜ ଗାଲରେ ଆଙ୍ଗୁଳିକୁ କେଇଥର ମାରି ନିଜ ମାନସିକ ସ୍ଥିତିକୁ ମାପିବାକୁ ଚାହିଁଲା ପରି ଲାଗିଲା । ହଠାତ୍ ତା’ର କ’ଣ ହେଲା କେଜାଣି ସେ ସଡ଼କ କଡ଼କୁ ଘୁଞ୍ଚି ଯାଇ ଟାଣିହୋଇ ବାନ୍ତି କରିଚାଲିଲା । ମୁଁ ତା’ ହାତକୁ ଧରି ତଳେ ବସେଇଦେଲି । ଥରେ ନୁହେଁ କି ଦି’ଥର ନୁହେଁ, ଲାଗ୍ ଲାଗ୍ ତିନି ତିନିଥର ବାନ୍ତି କରିଚାଲିଲା । ସଡ଼କର ଆର କଡ଼କୁ ଲାଗି ପୁଷ୍କରିଣୀଯିଏ । ମୁଁ ଡେନିସ୍‌କୁ ଧରିଧରି ନେଇ ସେଇ ପୋଖରୀ କୂଳରେ ବସେଇଲି । ସେ
ତା’ର ହାତମୁହଁ ଧୋଇନେଲା । କେଇ ଆଞ୍ଜୁଳା ପାଣି ନେଇ ମୁହଁକୁ ଛାଟିଲା ଓ ତା’ପରେ ରୁମାଲ୍ ବାହାରକରି ମୁହଁ ହାତ ପୋଛି ହେଲା । ଏବେ ସେ ମୋ ମୁହଁକୁ ଚାହିଁ କ୍ଷମାପ୍ରାର୍ଥୀ ହେଲାପରି କହିଲା: ‘ମୁଁ… ଦୁଃଖିତ… ମୋର ହୁଏତ… ମନକୁ… ଦୃଢ଼ କରିନେବାର ଥିଲା… ମୋତେ… କ୍ଷମା… କରିଦେବ… ମଣିଷ
…ଏତେ… ଦୁର୍ବଳ… ହେବା… ଅନୁଚିତ ।’

ଆମେ ଘରେ ପହଞ୍ଚିଲୁ । ମୋ ମାଆ ବିଦେଶାଗତ ଯୁବ ଅତିଥିର ଖୁବ୍ ଆଦରଯତ୍ନ କଲେ । ଯେତେହେଲେ ସେ ନିଜ ଘରଠାରୁ କାହିଁ କେତେ ଦୂରକୁ ଆସିଥିଲା । ଡେନିସ୍ ହାତମୁହଁ ଧୋଇବା ଲାଗି ମାଆ ତାକୁ ଗରମପାଣି ଆଣି ଦେଲେ । ଚା’ଠାରୁ ଆରମ୍ଭ କରି ଜଳଖିଆ ଓ ଖାଦ୍ୟ ପର୍ଯ୍ୟନ୍ତ ଠିକ୍‌ ସମୟରେ ପରଷିଲେ ।

ଡେନିସ୍‌ର ଓ ତାଙ୍କ ଘରର ଅନ୍ୟମାନଙ୍କ କୁଶଳ ଜିଜ୍ଞାସା କଲେ କିନ୍ତୁ କାହିଁକି କେଜାଣି ଡେନିସ୍ ହଠାତ୍‌ ଚୁପ୍ ପଡ଼ିଯାଇଥିଲା । ତା’ର ମନ ଖୁସି କରେଇବା ଲାଗି ମୁଁ ଡେନିସ୍‌କୁ ଧରି ମୋ କାକାଙ୍କ ଘରକୁ ବୁଲେଇନେଲି । କାକାଙ୍କ ଘରେ ଚକେନ୍ ଫ୍ରାଏ ସାଙ୍ଗକୁ ହ୍ୱିସ୍କି ସହ ସେମାନେ ତାକୁ ଆପ୍ୟାୟିତ କଲେ । କିନ୍ତୁ ଡେନିସ୍ ସଦାବେଳେ ସେମିତି ଗୁମ୍‌ସୁମ୍ ରହିଲା । ଯେତିକି ପଚାରିବ ସେତିକି ଉତ୍ତର ଦେଉଥିଲା । ସଯେ ଯେପରି ତା’ମନର ସରାଗ ଓ ଉତ୍ସୁକତା କୁଆଡ଼େ ଉଭେଇ ଯାଇଥିଲା! ଏପରିକି ସେ ଆମ ଘରେ ଖୁବ୍ ଅଳ୍ପ ଖିଆପିଆ କଲା । ତା’ର ନିରବତା ଓ ଗୁମ୍‌ସୁମ୍ ଭାବ ବେଳକୁ ବେଳ ଏମିତି ତୀବ୍ର ଲାଗୁଥିଲା ଯେ ଡେନିସ୍ ସାମ୍‌ନାରେ ମୁଁ ଆଉ ଆମ ଗାଆଁ ଲୋକ କି ଦେଶକୁ ପ୍ରଶଂସା କରି କିଛି କହିପାରୁ ନ ଥିଲି । ଆମ ଲୋକଙ୍କ ସ୍ନେହ ଓ ଆତିଥେୟ ଭାବ ତା’ ଆଗରେ ବଖାଣିବାର ସୁଯୋଗ ବି ପାଉ ନ ଥିଲି । ଏପରିକି ଅନାଗତ ଅତିଥିମାନଙ୍କ ପ୍ରତି ଆମ ଗାଆଁଲୋକଙ୍କ ମନରେ ଶ୍ରଦ୍ଧାଭାବ ଭରିରହିଛି ବୋଲି କହିବାକୁ ମୋ ପାଟି ଖଲଖଲ ହେଉଥିଲା ।

ଡେନିସ୍‌କୁ ଆମେ ଆମର ଉପର ମହଲାରେ ଥିବା କୋଠରୀଟିକୁ ଛାଡ଼ିଦେବାକୁ ମନସ୍ଥ କଲୁ । ସେ କୋଠରୀଟି ଭିତରକୁ ବେଶ୍ ଭଲ ଆଲୋକ ଆେଓ ଏବଂ
ସେଥିରେ ବିଜୁଳି ପଙ୍ଖା ଓ ବତୀର ବ୍ୟବସ୍ଥା ଥିଲା । ତେଣୁ ସେ ଚାହିଁଲେ ନିରୋଳାରେ ସେଇଠି ବସି ଲେଖାପଢ଼ା କରିପାରିବ । କିନ୍ତୁ ସେଥିରେ ସେ ଅମଙ୍ଗ ହେଲା । ମୋରି ସହିତ ଗୋଟିଏ କୋଠରୀରେ ରହିବାକୁ ଜିଦ୍ କଲା । ଅଗତ୍ୟା ଆମେ ତା’କଥାରେ ରାଜିହେଲୁ । ମୋ ସହିତ ଏକା ରୁମ୍‌ରେ ରହିସୁଦ୍ଧା ଡେନିସ୍ ସେମିତି ଚୁପ୍‌ଚାପ୍ ଲାଗୁଥିଲା । କଦବା କେତେବେଳେ ମୋ ସାଙ୍ଗରେ ପଦେ ଦି’ପଦ ଯାହା କଥାବାର୍ତ୍ତା କଲା । ସଦାବେଳେ ମୁହଁରେ ତକିଆଟିଏ ଜାକି ଶୋଇ ରହିଲା ।
ସେଦିନ ପ୍ରାୟ ରାତି ଅଧ ବେଳେ ଡେନିସ୍‌ର କଣ୍ଠସ୍ୱର ଶୁଣି ମୁଁ ଧଡ଼ପଡ଼ ହୋଇ ନିଦରୁ ଉଠିବସିଲି । ମୋ ରେଜେଇ ଭିତରୁ ମୁହଁ ଟେକି ପ୍ରଥମେ ଚାହିଁଲି । ଲକ୍ଷ୍ୟକଲି, ଡେନିସ୍ କୋଠରୀର ସବୁ ବତୀର ସୁଇଚ୍ ଅନ୍ କରିଦେଇଥିଲା । ନିଜ ଖଟ ଉପରେ ବସି ମନକୁ ମନ ଫରାସୀ ଭାଷାରେ କ’ଣସବୁ ଗପି ଚାଲିଥିଲା । ଫରାସୀ ଭାଷାରେ ମୋର ଯତ୍‌ସାମାନ୍ୟ ଧାରଣା ଥିଲା ମୁଁ ସେଥିରୁ ଠଉରେଇଲି ଯେ ସେ  ଗପିଚାଲିଥିଲା: ‘ସେ ଘଟଣାର ଆଜକୁ ପଇଁତିରିଶ ବର୍ଷ ବିତିସାରିଥିଲେ ସୁଦ୍ଧା ସେମାନେ ଆଜି ବି ଏଭଳି କାଣ୍ଡକୁ ପୁଣ୍ୟକାମ ବୋଲି ଦାବି କରୁଛିନ୍ତି! ସତେ ନା କ’ଣ! ମୋ ଝିଅ ତ ମାତ୍ର ତିନିମାସର… କ୍ଷୀରଖିଆ ନିଷ୍ପାପ ଶିଶୁଟିଏ…’
ତା’ପରେ କ’ଣ ହେଲା କେଜାଣି ଡେନିସ୍ ଖଟ ଉପରେ ଗଡ଼ିଚାଲିଲା । ଯେମିତି ତା’ ଭିତରେ କୌଣସି ହଳାହଳ ବିଷର ଜ୍ୱାଳାକୁ ସେ ଅନୁଭବ କରୁଥିଲା! ଏବେ ସେ ଦାନ୍ତ କଡ଼ମଡ଼ କରୁଥିଲା । ତା’ ଦାନ୍ତ ରଗଡ଼ା ଶବ୍ଦ ମୋତେ ଶୁଭୁଥିଲା । ହେଲେ ତା’ କଥା ଅସ୍ପଷ୍ଟ । ସେ ଏତେ ଜୋର୍‌ରେ ଗଡ଼ୁଥିଲା ଯେ ଖଟଟା କଟମଟ ହେଉଥିଲା । ଏକଥା ଦେଖି ମୁଁ ପୂରାପୂରି ଡରିଗଲି । ଏଥର ସାହସ କୁଳେଇ ମୁଁ ଡାକିଲି, ‘ଡେନିସ୍‌, ତୁମର କ’ଣ ହୋଇଛି? କାହିଁକି ନିଦରୁ ଉଠିପଡ଼ିଲ?’

ମୋ ଡାକ ଶୁଣି ସେ ସିଧା ଖଟ ଉପରୁ ତଳକୁ ଡେଇଁପଡ଼ିଲା । ସେତେବେଳକୁ ତା’ମୁହଁ ପୂରା ଶେତା ପଡ଼ିସାରିଥିଲା ଓ ସେ ବରଡ଼ାପତ୍ର ପରି ଥରୁଥିଲା । ଥାକରେ
ଥୁଆ ହୋଇଥିବା ଦର୍ପଣଟିକୁ ଉଠେଇଆଣି ସେ ନିଜ ମୁହଁକୁ ନିରୀକ୍ଷଣ କରିଚାଲିଲା । ମଝିରେ ମଝିରେ ବେକକୁ ଘଷି ପକାଉଥିଲା ।

: ‘ଇଏ କ’ଣ ଡେନିସ୍‌? ତୁମର କ’ଣ ହେଇଛି?’

: ‘ନା, ମୁଁ କେବଳ ଦର୍ପଣରେ ମୋ ନିଜ ଚେହେରାକୁ ଦେଖିବାକୁ ଚାହୁଁଛି । ମୋ ଝିଅଟା ମାତ୍ର ତିନିମାସର ଶିଶୁ ।’

: ‘ମୁଁ ବୁଝିପାରୁନି ଦର୍ପଣ ତୁମ ତିନିମାସର ଝିଅ ସହ ସଂପର୍କ କ’ଣ?’

‘ମୁଁ ନିଜେ ବି ସେକଥା ବୁଝି ପାରୁନି… ସରି! ମୁଁ ଆପଣଙ୍କୁ ନିଦରୁ ଉଠେଇଦେଲି । ମୁଁ ନିଜକୁ ସମ୍ଭାଳି ରଖି ପାରିଲିନି ।’ ସେ ସେମିତି କ୍ଷମାପ୍ରାର୍ଥୀ ହୋଇଚାଲିଥିଲା ଓ ଦର୍ପଣରେ ନିଜ ମୁହଁକୁ ଦେଖି ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଥିଲା । କିନ୍ତୁ କ’ଣ ପାଇଁ ଏଭଳି କରୁଛି ତାହା ବୁଝେଇ କହିପାରୁ ନ ଥିଲା ।

ଏଥର ମୋ ମୁହଁକୁ ଚାହିଁ ଡେନିସ୍ ପଚାରିଲା, ‘ଆଚ୍ଛା ସେ ଲୋକଟି ଯେଉଁ ଶରଣାର୍ଥୀ ଦଳଙ୍କ କଥା କହୁଥିଲା, ଆପଣଙ୍ଗ ଗଳ୍ପ “ହାୱା”ରେ ସେଇ ଶରଣାର୍ଥୀଙ୍କ କଥା ଆପଣ ସୂଚାଇଛନ୍ତି ନା?

ମୁଁ ସମ୍ମତି ଜଣାଇବାଲାଗି ହଁ କହିଲି । ‘ତା’ହେଲେ ଆପଣ ସେ ଗପରେ କାହିଁକି… କାହିଁକି ସେ ଶିଶୁମାନଙ୍କ ହତ୍ୟା କଥା ବଖାଣି ନାହାନ୍ତି?’ ଡେନିସପ ପାଖରୁ ଏଭଳି ଏକ ପ୍ରଶ୍ନ ମୁଁ ଆଶା କରୁ ନ ଥିଲି । ସେ ପ୍ରଶ୍ନର ମୁଁ ସମ୍ଭବତଃ ଅନେକ ପ୍ରକାର କାରଣ ଦର୍ଶାଇ ପାରିଥାଆନ୍ତି । କିନ୍ତୁ ମୋତେ ଲାଗିଲା ସେ ଗପରେ ମୁଁ କେବଳ ଆମ ଲୋକମାନଙ୍କୁ ଇଁ ପ୍ରଶଂସା କରିବାକୁ ଏକରି ଲେଖିଛି ବୋଲି ସେ ଅଭିଯୋଗ ବାଢ଼ିଥିଲା । ମୁଁ ଡେନିସକୁ କେବଳ କହିପାରିଥାଆନ୍ତି ଯେ ସେ ଭୟଙ୍କର ଘଟଣାକୁ
ମୁଁ ପୂରାପୂରି ଭୁଲି ସାରିଛି । ସେ ବିଷୟରେ କିଛି ଆଲୋଚନା କରିବାକୁ ଚାହେଁନି ।

ତା’ପରଦିନ ବଡ଼ି ଭୋରରୁ ଡେନିସ୍ ଉଠିପଡ଼ି ଦିଲ୍ଲୀ ବସ୍‌ ଧରିଥିଲା । ଆମେ ତାକୁ ଯେତେ ବୁଝେଇଲେ ସୁଦ୍ଧା ସେ କାହା କଥା ରଖି ନ ଥିଲା ।

 

ରୂପାନ୍ତରଣ: ସୁଭାଷ ଶତପଥୀ
ମୋ: ୯୭୭୬୪୯୭୭୩୩ 

 

Leave A Reply

Your email address will not be published.