ଧାରାବାହିକ ଉପନ୍ୟାସ: କୁକୁର କାହାଣୀ (୬)

ମାନବୀୟ ସମ୍ପର୍କର କଥାଶିଳ୍ପୀ ମୃଣାଳ (ଡ. ମୃଣାଳ ଚାଟାର୍ଜୀ, ଜନ୍ମ ୧୯୬୧) ସାହିତ୍ୟର ବିଭିନ୍ନ ବିଭବରେ ସ୍ୱଚ୍ଛନ୍ଦ ବିଚରଣ କରନ୍ତି । ଗଳ୍ପ, ଉପନ୍ୟାସ, ନାଟକ, ନିବନ୍ଧ, ପ୍ରବନ୍ଧ, ସବୁ ଲେଖିଛନ୍ତି ସେ । ଜଣେ ସ୍ତମ୍ଭକାର ଭାବରେ ସେ ବେଶ ପରିଚିତ । ବଙ୍ଗଳା, ହିନ୍ଦୀ ଓ ଇଂରାଜୀରୁ ଓଡ଼ିଆକୁ ଅନୁବାଦ ବି କରିଛନ୍ତି । ଜଣେ ସୃଜନାତ୍ମକ ଲେଖକ ଭାବରେ ତାଙ୍କର ଦୁଇଟି ବିଶେଷତ୍ୱ । ପ୍ରଥମ: ବିଷୟର ଅଭିନବତ୍ୱ । ଅପାରମ୍ପରିକ ବିଷୟକୁ ନେଇ ଗଳ୍ପ ରଚି ପାରନ୍ତି ସେ । ଆଉ ଦ୍ୱିତୀୟ: ତାଙ୍କ କାହାଣୀଗୁଡ଼ିକରେ ହସ ଆଉ ଲୁହ ମିଶାମିଶି ହୋଇ ଥାଏ । ଅଧ୍ୟାପନାରୁ ସକ୍ରିୟ ସାମ୍ବାଦିକତା ପୁଣି ସେଠୁ ଗଣମାଧ୍ୟମ-ଅଧ୍ୟାପନାକୁ ଆସି ଏବେ ସେ ଭାରତୀୟ ଜନସଂଚାର ସଂସ୍ଥାନର ପୂର୍ବ ଭାରତୀୟ ଶାଖାର ପ୍ରଫେସର ତଥା ଆଞ୍ଚଳିକ ନିର୍ଦ୍ଦେଶକ ଅଛନ୍ତି । (ଯୋଗାଯୋଗ: ୯୪୩୭୦୨୬୧୯୪)

‘କୁକୁର କାହାଣୀ’ ଉପନ୍ୟାସରେ କଣ ଅଛି ?

(ଆପଣମାନଙ୍କ ଚାରିପାଖରେ ଦେଖିବେ ଦୁଇ ପ୍ରକାର କୁକୁର ବସବାସ କରନ୍ତି । ଦଳେ ହେଲେ ପୋଷାକୁକୁର । ଦଳେ ବୁଲାକୁକୁର । ଏ ଦୁଇ ଜାତିର କୁକୁରଙ୍କ ଭିତରେ ବିଶେଷ ସଦ୍ଭାବ ନାହିଁ । ବୁଲାକୁକୁରମାନଙ୍କ ଭିତରେ ମଧ୍ୟ ନିଜ ଏରିଆକୁ ନେଇ, ସୁନ୍ଦରୀ କୁକୁରୀଙ୍କ ଉପରେ ଅଧିକାରକୁ ନେଇ ବହୁତ ବିବାଦ । ବହୁସହସ୍ର ବର୍ଷ ଧରି ମଣିଷ କୁକୁରକୁ ପୋଷା ମନେଇ ରଖିଛି । କିନ୍ତୁ ଧରନ୍ତୁ ଯଦି ଏ କୁକୁରମାନେ ନିଜର ବିବାଦ ଓ ବିଭେଦ ଭୁଲି ଏକ ହୁଅନ୍ତି ଆଉ ମଣିଷଜାତି ବିରୋଧରେ ଯୁଦ୍ଧ ଘୋଷଣା କରନ୍ତି, ତେବେ କଣ ହେବ? ଇଏ ହେଲା ଏ ଉପନ୍ୟାସର କାହାଣୀ-ସାର । କୁକୁରମାନଙ୍କ କାହାଣୀ ଭିତରେ ଯଦି ପାଠକ ଆଉକିଛି କଥା ଓ କାହାଣୀ ଖୋଜି ପାଇଲେ- ତେବେ ସେ କୃତିତ୍ୱ ସମ୍ପୂର୍ଣ୍ଣ ଭାବେ ତାଙ୍କର ।)

କୁକୁର କାହାଣୀ

ମୃଣାଳ

(ଧାରାବାହିକ ଉପନ୍ୟାସର ଷଷ୍ଠ ଭାଗ)

୬: ରଜନୀକାନ୍ତର ଡାଇରି

ମୁଁ ଏକ ବୁଲା କୁକୁର । ସାଧାରଣତଃ ବୁଲା କୁକୁରର କିଛି ନାଁ ନ ଥାଏ । ହେଲେ ମୋର ଅଛି । ମୋ ନାଁ ରଜନୀକାନ୍ତ । ବୁଲା କୁକୁରର ଏମିତି ସାହିତ୍ୟକ-ଛୁଙ୍କର ନାଁ କେମିତି ହେଲା ବୋଲି ଯଦି ଆପଣମାନେ ଭାବୁଥିବେ- ତେବେ ଆପଣଙ୍କୁ କହିଦିଏ- ଏ ନାଁ ମୋତେ ଦେଇଛନ୍ତି ଭରତପୁର ଗାଁର ଏକନମ୍ବର କବି ଭରତ ମଲ୍ଲିକ । ସେ ହେଲା କଣ ନା- ମୁଁ ସେତେବେଳେ ଟିକିଟିଏ ହୋଇଥିଲି । କଳା ମୁସମୁସ ଚେହେରା ଥିଲା ମୋର । କବି ଭରତ ମଲ୍ଲିକ ସଂଜବେଳେ ଭାଟିରେ ବସି ଦେଶୀ ପାନ କରୁଥିଲେ, ତାଙ୍କ ସହିତ ଆଉ ଚାରି ପାଞ୍ଚ କବି ସାହିତ୍ୟିକ ବି ଥିଲେ । ମୁଁ ତାଙ୍କ ପାଦତଳେ ନସର ପସର ହେଲି । ଭାଟିରେ ମଦ ପିଉଥିବା ଲୋକମାନେ ଘରକୁ ଯାଇ କଣ କରୁଥିବେ ସେ ଭିନ୍ନ କଥା, ହେଲେ ଭାଟିରେ ଥିଲାବେଳେ ସେମାନେ ବଡ଼ ଦୟାଳୁ । ସେମାନେ ତାଙ୍କ ଚାଟରୁ ଆମକୁ ଦିଅନ୍ତି । ସହରର ଦାମିକିଆ ବାରରେ କେହି ବୁଲା କୁକୁରକୁ କିଛି ଦିଏ! ସେଠି ତ ବୁଲାକୁକୁରଙ୍କୁ ପଶିବାକୁ ବି ଦିଅନ୍ତିନି । ହେଟ ହେଟ କରି ଦରୁୱାନ ତଡ଼ିଦିଏ ଦୁଆର ମୁହଁରୁ । ଦେଶୀ ଭାଟିରେ ସେ ସବୁ କଟକଣା କିଛି ନାହିଁ । ସେଠି ଆମର ଅବାଧ ପ୍ରବେଶ । … ତ ମୋତେ ଦେଖି କିଏ ଜଣେ କହିଲା- ହେଇ ବ୍ଲାକି.. ! ତାକୁ ଶୁଣି ଭରତ ମଲ୍ଳିକ ବିଗିଡ଼ି ଯାଇ କହିଲେ- ଆବେ ବିଦେଶୀ କୁକୁରର ଯାହା ବିଦେଶୀ ନାଁ ଦଉଛ- ଦେଶୀ କୁକୁରର ବିଦେଶୀ ନାଁ କାହିଁକି ହେବ? ଆମ ଓଡ଼ିଆ ଭାଷା ସାହିତ୍ୟର ବାରଟା ବଜେଇ ଦଉଛ ଶଳେ । ବ୍ଲାକି ଫ୍ଲାକି ନୁହେଁ । ଏ କୁକୁର ନାଁ ହେବ ରଜନୀକାନ୍ତ । ରଜନୀ ଭଳି କଳା, ତେଣୁ ରଜନୀକାନ୍ତ ।

ଏ ନାଁଟା ଭାଟିରେ ଉପସ୍ଥିତ ସମସ୍ତଙ୍କର ଭାରି ପସନ୍ଦ ହେଲା । ସମସ୍ତେ ମୋତେ ସେଇ ନାଁରେ ଡାକିବାକୁ ଲାଗିଲେ । ଯୋଗକୁ ସେଇବର୍ଷ ଲିଭରରେ ରୋଗ ହୋଇ କବି ଭରତ ମଲ୍ଲିକ ଈଶ୍ୱରଙ୍କ ପାଖକୁ ଚାଲିଗଲେ । ହେଲେ ସେ ଯିବା ପୂର୍ବରୁ ତାଙ୍କ ପାଦତଳେ ଥାଇ ଦେଶଦୁନିଆର ବହୁ କଥା ଜାଣିପାରିଛି ମୁଁ । ତାଙ୍କ ଶୋକସଭାରେ ଏ ନାମକରଣ ଘଟଣା କଥାଟି କହିଲେ ତାଙ୍କ ବନ୍ଧୁ ପ୍ରୀତିମୟ । ସେ ଦିନ ପ୍ରୀତିମୟ ଭରତ ମଲ୍ଲିକଙ୍କ ସହିତ ଭାଟିରେ ଥିଲେ । ଅବଶ୍ୟ ଭାଷଣବେଳେ ସେ ଭାଟିରେ ଥିବା କଥାଟି କହିନଥିଲେ । କହିଲେ- ଦିନେ ଗୋଟେ ଜାଗାରେ ବସିଥିଲାବେଳେ… । ତେବେ ସେ ଯାହା ହେଉ, ତାପରଠୁଁ ବହୁ ଶୋକସଭାରେ, ବହୁ ସାହିତ୍ୟ ସଭାରେ ଭରତ ମଲ୍ଲିକଙ୍କ ଓଡ଼ିଆ ଭାଷା ସାହିତ୍ୟ ପ୍ରୀତି ବିଷୟରେ ଲୋକେ ଉଦାହରଣ ଦେବାକୁ ମୋ କଥା କହନ୍ତି । ଏମନ୍ତେ ମୋ ନାଁଟା ଭାରି ଫେମସ ହୋଇଗଲା ।

ଭରତପୁର ବଜାରର ତଳ ସାହିର ଦକ୍ଷିଣ ପଟରେ ମୁଁ ମୋର ପରିବାର ନେଇ ରହେ । ପରିବାର କହିଲେ ମୋ ମା, ମୋର ଦୁଇ ସ୍ତ୍ରୀ ଆଉ ଛ ସନ୍ତାନ । ବମ୍ବେ ହେୟାର କଟିଂ ସେଲୁନ ତଳେ ଆମେ ରାତିରେ ଶୋଉ । ବର୍ଷା ଫର୍ଷା ହେଲେ ଭରତପୁର ଉଚ୍ଚ ପ୍ରାଥମିକ ସ୍କୁଲ ବାରଣ୍ଡାକୁ ଉଠିଯାଉ । ସେଠି ଦିଚାରିଟା ବୁଲା ଗାଈ ବି ରହନ୍ତି । ସେମାନଙ୍କର ଭାରି କଷ୍ଟ । ଦିନସାରା ରାସ୍ତାରେ ବଜାରରେ ବୁଲନ୍ତି । ଏଠି ସେଠି ମୁହଁ ମାରି ଖାଆନ୍ତି । ସଂଜ ବେଳେ ମାଲିକ କ୍ଷୀର ଦେବା ପାଇଁ ଘରକୁ ଡାକିନିଏ । କ୍ଷୀର ନେଇ ସାରିଲା ପରେ ଘରୁ ବାହାର କରି ଦିଏ । ସେମାନଙ୍କ ଖାଇବା କଥା ବି ବୁଝେନି । ଭୋକିଲା ପେଟରେ ଗାଈଗୁଡ଼ାକ ଭାରି କଷ୍ଟ ପାଆନ୍ତି । ଇଏ କେମିତି କଥା ମୁଁ ବୁଝିପାରେନି । ଗାଈକୁ ସେମାନେ ମା ବୋଲି କହନ୍ତି । ମା ସହିତ କଣ କେହି ଏମିତି ବ୍ୟବହାର କରେ? ଆମ କୁକୁର ସମାଜରେ ତ କେହି ଏମିତି କରନ୍ତିନି । ଆମ ସମାଜରେ କିନ୍ତୁ ବାପାମାନେ ପୁଅମାନଙ୍କ ସହିତ ବଡ଼ ଖରାପ ବ୍ୟବହାର କରନ୍ତି ।

ଏଇ ଯେମିତି ମୋର ବାପା କିଏ, ମୁଁ ଜାଣିନି । ମୁଁ କେମିତି ବଡ଼ ହେଲି ତାହା ବି ମୋତେ ଠିକ ମାଲୁମ ନାହିିଁ । ମୋ ମା କହେ, ମୋ ବାପା କୁଆଡେ଼ ବିଦେଶୀ । ବଡ଼ ବଡ଼ ଲୋମ ବାଲା ଉଚ୍ଚା ଚେହେରା । ଉଜ୍ଜ୍ୱଳ ନୀଳ ଆଖି । ବଡ଼ ବଡ଼ କାନ । ଦିନେ ସେ ସନ୍ଧ୍ୟାବେଳେ ବୁଲି ବାହାରିଥିଲା ବେଳେ ମୋ ମାର ସୌନ୍ଦର୍ଯ୍ୟରେ ଆସକ୍ତ ହୋଇପଡ଼ିଥିଲେ । ଆଉ ଯୋଗକୁ ସେଇ ସମୟରେ ତାଙ୍କୁ ଯିଏ ବୁଲେଇବାକୁ ଆଣିଥିଲା, ସେ ଆଉ କେଉଁ କାମରେ ବ୍ୟସ୍ତ ହୋଇ ପଡ଼ିଥିଲା । କୁକୁର ସମାଜରେ ସହବାସ ପାଇଁ ବେଶି ସମୟ ଲାଗେନି । ସହବାସ ପରେ ସେ ତାଙ୍କ ଘରକୁ ଚାଲିଯାଇଥିଲେ । ଥରେ ବି ବୁଲି ଚାହିିଁନଥିଲେ ।

ମୁଁ ଜନ୍ମ ହେଲା ପରେ ଦିନେ ମୋ ବାପାଙ୍କୁ ଦେଖିଛି । ସନ୍ଧ୍ୟାବେଳେ ବୁଲି ବାହାରିଥିଲେ । କି ଚାଲି! କି ଚାହାଣୀ! କି ସମ୍ଭ୍ରାନ୍ତ କଣ୍ଠସ୍ୱର! ମୋ ମା ମୋତେ ଦେଖେଇ ଦେଇଥିଲା- ହେଇ ଦେଖ ତୋ ବାପା । ମୁଁ ତାଙ୍କ ପାଖକୁ ଯିବାକୁ ଚାହୁଁଥିଲି । ତାଙ୍କ ସାନ୍ନିଧ୍ୟ ପାଇବାକୁ ଚାହୁଁଥିଲି । ହେଲେ ବାପା ମୋତେ ଚିହ୍ନି ପାରିଲେନି । ତାଙ୍କୁ ନେଇ ଆସିଥିଲା ଯେଉଁ ଲୋକଟି ସେ ମୋତେ ମାରି ଗୋଡେ଼ଇଲା । ମୋ ମା କହିଲା, କାହିଁକି ଯାଉଛୁ ତାଙ୍କ ପାଖକୁ । ସେ ତ ମୋତେ ଚିହ୍ନି ପାରୁନାହାନ୍ତି, ତୋତେ କଣ ଚିହ୍ନିବେ! ମା ଆଖିରେ ଲୁହ ଟୋପା ଚିକ ଚିକ କରୁଥିଲା । ତା ପରଠୁଁ ମୁଁ କେବେ ବାପାଙ୍କ ପାଖକୁ ଯିବାର ଚେଷ୍ଟା କରିନି । ସେ ଯଦି ଆମକୁ ଚିହ୍ନୁନାହାନ୍ତିି, ଆମେ କାହିଁକି ତାଙ୍କ ପାଖକୁ ଯିବୁ । ରାସ୍ତାରେ ଅଛୁ ବୋଲି କଣ ଆମର ସ୍ୱାଭିମାନ ନାହିଁ!

ମୁଁ ରାଜରାସ୍ତାରେ ବଢ଼ିଛି । ତେବେ ବାପାଙ୍କ ରକ୍ତ ମୋ ଭିତରେ । ତେଣୁ ମୋ ଚେହେରାଟା ଟିକେ ଅଲଗା । ମୁଁ ପିଲା ଥିଲାବେଳେ ମୋତେ ଜଣେ ଘରକୁ ରଖିବା ପାଇଁ ନେଇଯାଇଥିଲେ । ବେଶୀ ଦିନ ସେଠି ମୋତେ ଭଲ ଲାଗିଲାନି । ଖାଇବାକୁ ଦେଉଥିଲେ ଭଲ । ହେଲେ ସେ ଘରର କିଶୋରୀ ଝିଅଟି ମୋତେ ଛାତିରେ ଚାପି ଧରି ଗେଲ କରୁଥିଲା । ମୋତେ ଅଣନିଶ୍ୱାସୀ ଲାଗୁଥିଲା । ଦିନେ ସେଠୁ ପଳେଇ ଆସିଲି ଯେ ରାସ୍ତାରେ ହିିଁ ରହିଛିି । ଏବେ ବେଳେବେଳେ ମୋର ମନେ ହୁଏ, ସେଠି ରହିଯାଇଥିଲେ ବୋଧହୁଏ ଭଲ ହୋଇଥାନ୍ତା । କମସେ କମ ନିୟମିତ ଖାଇବାକୁ ତ ମିଳୁଥାନ୍ତା ।

ଆମେ ବୁଲା କୁକୁରମାନଙ୍କୁ ଖାଇବାକୁ ମିଳିବ ବୋଲି କିଛି ଗ୍ୟାରେଣ୍ଟି ନାହିିଁଁ । କେତେବେଳେ ବହୁତ ମିଳିଯାଏ, କେତେବେଳେ ମିଳେନି । ବାହାଘର ସିଜନରେ ବହୁତ ମିଳେ । ଏ ଦେଶରେ ଲୋକେ ବହୁତ ଖାଦ୍ୟ ନଷ୍ଟ କରନ୍ତି । ଗୋଟେ ଦୃଷ୍ଟିରୁ ଦେଖିଲେ ଭଲ କରନ୍ତି । ନହେଲେ ଆମେ କେମିତି ଖାଆନ୍ତୁ । ସେଦିନ ଦେଖିଲାବେଳକୁ ଦିଚାରିଟା ମଣିଷ ପିଲା ବି ଆମ ସହିତ ଅଳିଆ ଗଦାରେ । ସେମାନେ ଆମଠୁଁ ଛଡେ଼ଇ ନେଉଥାନ୍ତି । ଗୋଟାକୁ ଦେଲି ପୁଳେ କାମୁଡ଼ି । ଶଳେ, ତମେ ମଣିଷ ହୋଇ ଆମ ଖାଦ୍ୟ କାହିଁକି ଖାଇବ? ତମେ ମଣିଷ ପିଲା । ମଣିଷ ସମାଜରେ ଯାଇ ରୁହ । ଆମ ଖାଦ୍ୟରେ କାହିଁକି ଭାଗ ବସେଇବାକୁ ଚାଲିଆସୁଛ?

ବର୍ଷା ଚାରି ମାସ ଆମେ ଭାରି ହଇରାଣ । ଖାଇବାକୁ ହଇରାଣ । ରହିବାକୁ ହଇରାଣ । ଆଉ କିଛି କିଛି ସମୟରେ ବି ଆମକୁ ଭାରି ତକଲିଫ ହୁଏ । ଯେମିତି ଧର ଧର୍ମଘଟ, ହରତାଳରେ ବଜାର ହାଟ ବନ୍ଦ ହେଲେ ଆମର ଭାରି ପ୍ରବଲେମ । ଘରେ ପୋଷା କୁକୁରୁ ତ କିଛି ସମସ୍ୟା ନାହିଁ । ବନ୍ଦ ହେଉ କି ଯାହା ହେଉ- ତାଙ୍କର ହୋଲେ ନା ଢୋଲେ । ହେଲେ ରାସ୍ତାର କୁକୁରମାନେ ତ ବଜାରର ହୋଟେଲ ଉପରେ ନିର୍ଭର ନା! ବନ୍ଦରେ ହୋଟେଲ ବନ୍ଦ । ହୋଟେଲର କର୍ମଚାରୀମାନେ ଯାହା ଯେମିତି ଭାତ ଡାଲମା କରି ଖାଇବେ- ହେଲେ କୁକୁରମାନେ ଖାଇବେ କଣ? ସେଦିନ ଖାଡ଼ା ଓପାସ । ଯେଉଁମାନେ ବନ୍ଦ କରୁଛନ୍ତି- ସେମାନେ କଣ କୁକୁରମାନଂକ କଥା ବୁଝନ୍ତି । ଦିନରେ ବନ୍ଦ କରି ରାତିରେ ଶଳେ ଚିକେନ ଫଡ଼ିଆ ଟାଣିବେ । ମାଲ ପିଇବେ ।

ଆଉ ଗୋଟେ ସମସ୍ୟା ହେଲା ପୂଜା ପାର୍ବଣରେ । ହୋଲି ହେଉ ବା ଦୀପାବଳି- ଲୋକେ ରାସ୍ତାର ବୁଲା କୁକୁର ଆଉ ଗାଈଗୋରୁମାନଂକ ଉପରେ କାହିଁକି ଏତେ ଦାଉ ସାଧନ୍ତି କେଜାଣି! ଏଥର ଦୀପାବଳିରେ ଗୋଟେ ବାତରା ଟୋକା ଆମ ରୂପାର ଲାଂଜରେ ଗୋଟେ ଝରଝରି ବାଣ ବାନ୍ଧି ଜଳେଇ ଦେଲା ଯେ ରୂପା ଆମର ଧାଇଁ ଧାଇଁ, କାନ୍ଦି କାନ୍ଦି ନୟାନ୍ତ । ଇଆଡେ଼ ନିଆଁ ଝୁଲ ପଡ଼ୁଛି ଉପରେ । ଆଉ ସେ ବାତରା ଟୋକା- ହେଁ ହେଁ ହୋଇ ହସୁଛି । ମୋ ମୁଣ୍ଡକୁ ତ ପିତ୍ତ ଚଢ଼ିଗଲା । ଦେଲି ଶଳାକୁ ପୁଳେ କାମୁଡ଼ି । ମୋ ଜିଭରେ ତାର ଲୁଣିଆ ରକ୍ତର ସ୍ୱାଦ ଏବେ ବି ଲାଗି ରହିଛି । ଶଳାଟା କେଁକେଁ ହୋଇ ଧାଇଁ ପଳେଇଲା । ନେଇଥିବ ଶଳା ନାହି ମୂଳରେ ଚଉଦ ଇଞ୍ଜେକସନ । ଆଉ କେବେ କେଉଁ କୁକୁର ଲାଂଜରେ ଝରଝରି ବାନ୍ଧିବନି । ବେଳେବେଳେ ପ୍ରତିବାଦ ଦରକାର ।

ସେମିତି ହୋଲିରେ ଦଳେ ଟୋକା ମଦ ଭାଂଗ ପିଇ ଆମକୁ ରଂଗ ଲଗେଇବାକୁ ଭାରି ଆତୁର ହୋଇ ପଡ଼ନ୍ତି । ରଙ୍ଗର ଉତ୍ସବ ତ- ଗାଈଗୋରୁ କୁକୁର ଛେଳି ସମସ୍ତଙ୍କୁ ରଂଗୀନ କରିଦେବେ । ଆବେ ଆମେ ହେଲୁ କୁକୁର ଜାତି । ଆମେ କଣ ମଣିଷ! ଆମର କଣ ଗାଧୁଆ ଘର ଅଛି? ସାବୁନ ଲଗେଇ ଗାଧୋଇ ପଡ଼ିବୁ ଆଉ ରଂଗ ଛାଡ଼ିଯିବ! ଆଜିକାଲିକାର ରଂଗରେ ସବୁ କେମିକାଲ । ସେଗୁଡ଼ାକ ଲାଗି ରହି ଆମ ଦେହ ସାରା ଘା ହୋଇଯାଏ । ତାକୁ କିଏ ବୁଝିବ? ଇଏ ଶଳା କଣ ବୁଝନ୍ତି- ଆମର କେେତେ କଷ୍ଟ ହୁଏ! ନିଜର ଟିକିଏ ଟିକିଏ ଖୁସି ପାଇଁ ଆମ ଉପରେ କେତେ ଅତ୍ୟାଚାର କରନ୍ତି ଏ ମଣିଷମାନେ!

ସେଥିପାଇଁ ଆମେ ବି ଏଣିକି କିଛିଟା ତେଢ଼ା ହୋଇଛୁ । ନିଛାଟିଆ ରାସ୍ତାରେ ସାଇକଲ ମଟରସାଇକଲବାଲାକୁ ଦେଖିଲା ମାତ୍ରେ ଆମେ ତା ପଛରେ ଭାଉ ଭାଉ ହୋଇ ଖଣ୍ଡେ ବାଟ ଖେଦିଯାଉ । ସେମାନେ ଇଲୋ ବୋଉଲୋ ବାପାଲୋ ବୋଲି ଧାଇଁ ପଳାନ୍ତି । ମୋତେ ବହୁତ ମଜା ଲାଗେ । କେତେ ମଟରସାଇକଲବାଲାକୁ ଆମେ ରାସ୍ତାରେ ଗଡେ଼ଇ ପକେଇଛୁ । ମଟରସାଇକଲ ପଛରେ ଦିଜଣ ଭାଉ ଭାଉ କରି ଧାଇଁଯିବୁ । ଆଉ ଜଣେ ତା ସାମ୍ନାରୁ ଚାଲିଆସିବୁ କି ଚକ ଭିତରେ ପଶିଯିବୁ । ଆମ ପାଇଁ ଏବେ ଏଟା ଗୋଟେ ଆଡଭେଞ୍ଚର ଖେଳ ହୋଇଛି । ମଟରସାଇକଲ ବାଲା ଦୁଲଦାଲ କଚାଡ଼ି ହୋଇପଡ଼ନ୍ତି । ପଡ଼ନ୍ତୁ ଶଳେ । ମରନ୍ତୁ । ଆମକୁ ସେମାନେ ଯେମିତି ହଇରାଣ କରନ୍ତି- ଏଇବାଟେ ଆମେ ତାର ପ୍ରତିଶୋଧ ନେଉଛୁ । ଆଉ ଗୋଟେ କଥା ବି ଅଛି ।

ଏଇ ଯେଉଁ କାର ଗୋଟେ ଚାଲିଗଲେ ତା ପଛରେ ଆମେ ଭାଉ ଭାଉ ହୋଇ ଦଉଡ଼ିଯାଉ- କାହିଁକି ଯାଉ କହିଲେ? ଆମେ ଜାଣୁ କାର ସହିତ ରେସରେ ଆମେ ପାରିବନୁନି । ହେଲେ ଆମ ଉପସ୍ଥିତିଟା ଜାହିର କରିବାକୁ ଆମେ କାର ପଛରେ ଦଉଡ଼ୁ । କାର ବାଲା ଜାଣୁ ଆମେ ଅଛୁ । ଆଉ ଆମେ ଜୋରରେ ଦଉଡ଼ି ପାରୁ । କାମୁଡ଼ି ପାରୁ । କାର ବାଲା ଜାଣୁ ସେ ଜାଗା ଛାଡ଼ି ବାହାରକୁ ଆସିଲେ ଆମ ହାବୁଡ଼ରେ ପଡ଼ିପାରେ । ତା ଭିତରେ ଆମ ପ୍ରତି ଗୋଟେ ଭୟ ଥାଉ । ଭୟ ନଥିଲେ ମଣିଷ ଆମକୁ ତୁଚ୍ଛ ବୋଲି ଜ୍ଞାନ କରିବ । ମଣିଷ ବଡ଼ ଇତର ପ୍ରାଣୀ । ଭଲ ପାଇବା ବୁଝେନି । କ୍ଷମତାକୁ ବୁଝେ । ଶକ୍ତିଶାଳୀ ଆଗରେ ମୁଣ୍ଡ ନୁଆଏଁ । ଦୁର୍ବଳ ଉପରେ ହାକିମାତି କରେ । ଭାରି ସ୍ୱାର୍ଥପର । ମଣିଷ ସମାଜରେ ଅନ୍ୟ ଜୀବଜନ୍ତୁ କଥା ବୁଝିବା, ସେମାନଙ୍କୁ ଭଲ ପାଇବା ଲୋକ ବହୁତ କମ ।

ଆଚ୍ଛା, ସମାଜ କଥାରୁ ମନେ ପଡ଼ିଲା, ମଣିଷ ଭଳିଆ ଆମେ ବି ସାମାଜିକ ପ୍ରାଣୀ । ଆମେ ଦଳ ବାନ୍ଧି ରହୁ । ମଣିଷର ଯେମିତି ନିଜ ନିଜର ଗାଁ ଅଛି, ପ୍ରଦେଶ ଅଛି, ଦେଶ ଅଛି ଆମର ବି ନିଜ ନିଜ ଏରିଆ ଅଛି । ଆମ ଏରିଆ ଭିତରେ ଅନ୍ୟ କୁକୁର ପଶିଆସିଲେ ଆମେ ତାତି ଉଠୁ । ଧୁମ ଲଢେ଼ଇ ହୁଏ । କାମୁଡ଼ା କାମୁଡ଼ି ହୁଏ । ସେଦିନ ରାତିରେ ଭୋଳୁ ଦଳର କିଛି କୁକୁର ଆମ ଏରିଆର କଲ୍ୟାଣ ମଣ୍ଡପ ପାଖକୁ ଚାଲି ଆସିଥିଲେ । ଆମେ ଖେଦିଗଲୁ -ଆମ ଏରିଆର କଲ୍ୟାଣ ମଣ୍ଡପର ମାଲ ତମେ ଖାଇବାକୁ କିଏ! ଏମିତି ଲଢେ଼ଇ ଚାଲିଲା ଯେ କିଛି ଲୋକ ଆମକୁ ହେଇ ହୁଇ କଲେ, ଗାଳିଗୁଲଜ କଲେ, ଆମ ଉପରକୁ ଟେକା ପଥର ମାରିଲେ । ଆବେ, ତମେ ଯେତେବେଳେ ଲଢ଼ାଲଢ଼ି ହେଉଛ- ଆମେ କିଛି କହୁଛୁ? ଆମେ ତ ତମଭଳି ହାତ ହତିଆର, ଅସ୍ତ୍ରଶସ୍ତ୍ର କିଛି ବ୍ୟବହାର କରୁନା । ନିଜେ ଯାହା କାମୁଡ଼ାକାମୁଡ଼ି ହେଉ । ଆମ ଲଢେ଼ଇରେ କିଛି ଖଣ୍ଡିଆଖାବରା ହୁଅନ୍ତି, ତମ ଲଢେ଼ଇରେ ତ ଶହ ଶହ ମଣିଷ ମରିଯାଆନ୍ତି ।

ଆଚ୍ଛା, ସେଦିନର ଘଟଣା ପରେ କିଏ ଯାଇ ମୁ୍ୟନିସିପାଲିଟିରେ କମପ୍ଲାନ କଲା ଯେ ମୁନିସିପାଲିଟି ବାଲାଏ ମଝିରେ ଆମକୁ ଧରିବାକୁ ଚେଷ୍ଟା କଲେ । ଏ ସହରରେ ବି କିଛି ପଶୁପ୍ରେମୀ ଅଛନ୍ତି । ସେମାନେ ବେଳେବେଳେ ଆମକୁ ବିସ୍କୁଟ ଫିସ୍କୁଟ ଦିଅନ୍ତି । ଆମକୁ ସାଙ୍ଗରେ ଧରି ଫଟୋ ଉଠାନ୍ତି । ସେମାନେ ଏଥିକୁ ପାଟିତୁଣ୍ଡ କଲେ । ଈଶ୍ୱର ସେ ସ୍ତ୍ରୀଲୋକର ଭଲ କରନ୍ତୁ- କଣ ନାଁ .. ହଁ ମେନକା ଗାନ୍ଧୀ- ଈଶ୍ୱର ତାର ଭଲ କରନ୍ତୁ ସେ କଣ ସବୁ ନିୟମ ଫିୟମ କରିଥିଲେ, ସେକଥା କହି ମୁ୍ୟନିସିପାଲିଟି ବାଲାଙ୍କୁ ଡରେଇଲେ । ସେଠୁ ଆମକୁ ଆଉ କେହି ଧରିଲେ ନି । ଆମେ ବଡ଼ ଆନନ୍ଦରେ ଥିଲୁ । ଏବେ ଶୁଣୁଛି ଆମର ଜନ୍ମନିୟନ୍ତ୍ରଣ ଅସ୍ତେ୍ରାପଚାର କରାଯିବ । କାହିଁକି? ନା, ସହରରେ ଆମ ସଂଖ୍ୟା କୁଆଡେ଼ ବହୁତ ବଢ଼ିଗଲାଣି । ଆମ ଯୋଗୁଁ ମଣିଷମାନଙ୍କର ବହୁତ ସମସ୍ୟା ହେଉଛି । ଆମ ଯୋଗୁଁ ସହରର ପରିମଳ ବ୍ୟବସ୍ଥା ଖରାପ ହେଉଛି, ଦୁର୍ଘଟଣା ହେଉଛି । ଆରେ ଶଳା, ତମେ ଭଲରେ ଚଳିବ ବୋଲି କଣ ଆମେ ଛୁଆପିଲା ବି ଜନ୍ମ କରିବୁନି? ଏ ପୃଥିବୀକୁ ତୁମେ ପ୍ରଥମେ ଆସିଛ ନା ଆମେ? ଏ ପୃଥିବୀ ଉପରେ ତମର ବେଶି ଅଧିକାର ନା ଆମର?

ଆମ ଏରିଆ ଭିତରକୁ ପୋଷା କୁକୁର ପଶିଆସିଲେ ଆଗେ ଆମେ ଭାରି ଭାଉଭାଉ କରୁଥିଲୁ । ଏବକୁ ଭରତପୁରରେ ପୋଷା କୁକୁର ସଂଖ୍ୟା ଟିକେ ବଢ଼ିଯାଇଛି । ତାର ବି ଗୋଟେ କାରଣ ଅଛି । କହୁଛି ।

ପାଞ୍ଚ ସାତ ବର୍ଷ ତଳ କଥା । ଭୋଟ ବେଳ ଆଗତ ହେବାରୁ ଆମ ଅଞ୍ଚଳରେ ଜଣେ ପ୍ରାର୍ଥୀ ଆସି ପହଞ୍ଚିଲେ । ପ୍ରାର୍ଥୀଙ୍କ ମୁହଁରେ ଅମାୟିକ ହସ । କଥାରେ ମହୁ । ଆଖିରେ ଦରଦ । ଲୋକମାନଙ୍କୁ ଦେଖି କହିଲେ, ଆହା, ଆହା, ଆପଣମାନେ କେତେ କଷ୍ଟରେ ଅଛନ୍ତି ସତେ! ଆପଣମାନଙ୍କ ଅବସ୍ଥା ଦେଖି ମୋ ଛାତି ମନ୍ଥି ହୋଇ ଯାଉଛି । ହୃଦ ଦୁହିଁ ହୋଇ ଯାଉଛି । ହେଇ ଦେଖନ୍ତୁ ମୋ ଆଖିରେ ଲୁହର ବନ୍ୟା । ଖାସ ଆପଣମାନଙ୍କ ଦୁଃଖ ଦୂର କରିବା ପାଇଁ, ଏ ଅବସ୍ଥା ବଦଳେଇବା ପାଇଁ, ସମାଜକୁ ସୁଧାରିବା ପାଇଁ, ପୃଥିବୀରେ ଏକ ପରିବର୍ତ୍ତନ ଆଣିବା ପାଇଁ ଅଣ୍ଟା ଭିଡ଼ିଛି ମୁଁ । ଆପଣମାନଙ୍କ ଶୁଭେଚ୍ଛାକୁ ବାଟର କଉଡ଼ି କରି ନିର୍ବାଚନ ବୈତରଣୀ କୂଳରେ ଆସି ଠିଆ ହୋଇଛି । ମା ମାଉସୀ, ବାପା ଭାଇମାନେ ଏଇ ଘାଟଟା ମୋତେ ପାରେଇ ଦିଅନ୍ତୁ । ତାପରେ ଦେଖନ୍ତୁ ମୁଁ ଆପଣମାନଙ୍କ ପାଇଁ କଣ କରୁଛି । ଦେଖନ୍ତୁ ଆପଣମାନେ କେମିତି ଘିଅମହୁରେ ଭାସିବେ । ଏ ନିର୍ବାଚନ ମଣ୍ଡଳୀର ତମାମ ଚାଳଘରକୁ ମୁଁ ପଞ୍ଚତାରକା ହୋଟେଲର କକ୍ଷ କରିଦେବି । ସବୁ ଟୁବି ଗଡ଼ିଆ ହେବ ସୁଇମିଂ ପୁଲ । ପିଇବା ପାଣି ଭାବରେ ଆପଣଙ୍କ ପାଇଁ ମିନେରାଲ ୱାଟରର ବ୍ୟବସ୍ଥା କରିଦେବି ଦୁଇ ଟଂକା କିଲୋରେ ମିଳିବ ଏକ ନମ୍ବର ବାସମତୀ ଚାଉଳ, କୋଡ଼ିଏ ଟଂକାରେ ସମ୍ବଲପୁରୀ ପାଟ । ଆପଣମାନଙ୍କ ପୁଅଝିଅମାନେ ମୋ ପୁଅଝିଅ ପରି ଇଂଲିସ ମିଡିଅମ ସ୍କୁଲରେ ପାଠ ପଢ଼ିବେ । ଗ୍ୟାଟମ୍ୟାଟକ୍ୟାଟ ଶବ୍ଦରେ ମୁଖରିତ ହେବ ଆପଣଙ୍କ ଘର । ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି ପାଇଁ ହନୁଲୁଲୁରୁ ଆସିବେ ବିଜ୍ଞ ଅଧ୍ୟାପକ ମଣ୍ଡଳୀ । ସବୁ ବେକାରଙ୍କୁ ଚାକିରି ମିଳିଯିବ, ପୁଣି ଏମିତି ଚାକିରି ଯେଉଁଥିରେ ବିନା କାମରେ ମିଳିବ ମୋଟା ଦରମା । ସବୁ ବାଢ଼ୁଅ ଝିଅଙ୍କୁ ମନଲାଖି ବର ମିଳିଯିବ । ସବୁ ଅପୁତ୍ରିକ ପୁତ୍ରଲାଭ କରିବେ ।

… ମୋତେ ଭୋଟ ଦେଇ ଜିତେଇବାର ପାଞ୍ଚ ବର୍ଷ ଭିତରେ ଏସବୁ କରିବାର ଦୃଢ଼ ପ୍ରତିଶ୍ରୁତି ଦେଉଛି ମୁଁ । ଏସବୁ ଯଦି ମୁଁ ନ କରିପାରେ, ତେବେ ପାଞ୍ଚବର୍ଷ ପରେ ମୋ ନାଁରେ ଆପଣମାନେ ଗୋଟେ କୁକୁର ପାଳିବେ ।

ପାଞ୍ଚ ବର୍ଷ ପରେ ଦେଖାଗଲା ଭରତପୁର ଅଞ୍ଚଳରେ ଲୋକମାନଙ୍କର କୁକୁର ପାଳିବା ସଉକ ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଛି । ପ୍ରତ୍ୟେକ ଘରେ ଗୋଟେ ଗୋଟେ କୁକୁର ।

ଏ କୁକୁରମାନଙ୍କ ଭିତରୁ ଅଧିକାଂଶ ହେଲେ ବିଦେଶୀ ଜାତିର । ଲୋକେ କାହିଁକି କେଜାଣି ବିଦେଶୀ ଜାତିର କୁକୁର ପୋଷିବାକୁ ବେଶି ଭଲ ପାଆନ୍ତି । ଏଠି ତାଙ୍କର ସ୍ୱଦେଶ ପ୍ରୀତି କୁଆଡେ଼ ଗାଧୋଇବାକୁ ଚାଲିଯାଏ । ତ ଏମାନେ ତ ପୁଣି ଝାଡ଼ାଝପଟ ଯିବେ । ବାହାର ପବନରେ ଟିକେ ବୁଲିବେ! ତେଣୁ ସେମାନଙ୍କୁ ନେଇ ମାଲିକମାନେ ବାହାରକୁ ଆସନ୍ତି । ଆଗରୁ ଆମେ ଏମାନଙ୍କୁ ଦେଖିଲାମାତ୍ରେ ବହୁତ ଭାଉ ଭାଉ କରୁଥିଲୁ । ଏବେ କମ କରୁଛୁ । କାରଣ ଦୁଇଟି । ଏକରେ ତ ଏମାନଙ୍କର ସଂଖ୍ୟା ବହୁତ ବଢ଼ିଲାଣି । କେତେ ଆଉ ଭାଉ ଭାଉ ତଣ୍ଟି ଫଟେଇବୁ । ଆଉ ଦ୍ୱିତୀୟ କାରଣଟା ହେଲା ସେମାନେ ଆସିଲେ ଆମର କିଛି ଲାଭ ହେଉଛି । ଏହାକୁ ଆପଣ କୁକୁର ସମାଜର ବିଶ୍ୱାୟନ ବା ଗ୍ଲୋବାଲାଇଜେସନ ବୋଲି କହିପାରନ୍ତି । ସେମାନେ ଆସିଲେ ଆମେ ପାଞ୍ଚଟା ଦେଶର କୁକୁର-ସଂସ୍କୃତି ବିଷୟରେ ଜାଣୁଛୁ । ବାହାରର ପାଞ୍ଚ କଥା ଜାଣିପାରୁଛୁ । ଯେମିତି ଧରନ୍ତୁ ଆମେ ଆଗରୁ କୁକୁର ମାନଙ୍କ ପାଇଁ ଅଲଗା ବିସ୍କୁଟ, ଅଲଗା ପାଉଡର, ଅଲଗା ଶ୍ୟାମ୍ପୁ ଅଛି ବୋଲି ଜାଣିନଥିଲୁ । ଏବେ ଜାଣିଲୁ । ସେ ବିସ୍କୁଟ କି ସାବୁନ କି ଶ୍ୟାମ୍ପୁ ଆମେ ପାଇବୁ କି ନ ପାଇବୁ ସେଟା ଅଲଗା କଥା । ଏମିତି ଅଛି ବୋଲି ତ ଜାଣିଲୁ । ଜାରିଲା ପରେ ସେମିତି କିଛି ଗୋଟେ ପାଇବା ପାଇଁ ଆମର ଇଚ୍ଛା ହବ । ତାପରେ ହୁଏତ ଆମେ ତାକୁ ପାଇବାକୁ ଚେଷ୍ଟା କରିବୁ । ସେ ଚେଷ୍ଟାରେ ଦୁଇଟା କଥା ହୋଇପାରେ । ସମଗ୍ର କୁକୁରସମାଜର ଭଲ ହୋଇପାରେ । ଆମେ ସମସ୍ତେ ତାହା ପାଇପାରୁ । କିମ୍ବା କେତୋଟି ନିର୍ଦ୍ଧିଷ୍ଟ କୁକୁର ତାହା ପାଇ ଚାଲିବେ । ଅନ୍ୟମାନେ ତାକୁ ଈର୍ଷା କରିବେ । କୁକୁରସମାଜରେ ସାମ୍ୟ ପାଇଁ ଏକ ଆନେ୍ଦାଳନ ହେବ । ପ୍ରତ୍ୟେକ ଆନେ୍ଦାଳନ ଏକ ମନ୍ଥନ । ଏ ମନ୍ଥନ ହୁଏତ କୁକୁରସମାଜ ପାଇଁ ସାମଗ୍ରିକ ଭାବେ ଶୁଭଙ୍କର ହେବ । ହୁଏତ ବୁଲା କୁକୁରର ଜୀବନର ସ୍ତର ବି ବଢ଼ିବ ।

ସେଦିନ ଜଣେ କହୁଥିଲେ, ବୁଲା କୁକୁର ଜୀବନର କଣ ମାନେ ଅଛି? ରାସ୍ତାରେ ଜନ୍ମ, ରାସ୍ତାରେ ଜୀବନ, ରାସ୍ତାରେହିଁ ସହବାସ – ପରବର୍ତ୍ତୀ ଜୀବନର ଆରମ୍ଭ, ପୁଣି ରାସ୍ତାରେହିଁ ଗାଡ଼ିତଳେ ଚାପା ପଡ଼ି କେଉଁଦିନ ମୃତ୍ୟୁ । କଥାଟା ସେ ଖୁବ ମିଛ କହିନି । ବୁଲାକୁକୁରର ଜୀବନର, ମୋ ଜୀବନର କିଛି ମାନେ ଅଛି, କହୁନାହାନ୍ତି ! ତଥାପି ମୁଁ ବଞ୍ଚିଛି । ବଞ୍ଚିଛି, କାରଣ ମୋତେ ବଞ୍ଚିବାକୁ ଭଲ ଲାଗୁଛି । ବଞ୍ଚିବାରେ ଗୋଟେ ମଜା ଅଛି । ଏଇ ଯେ ମୁଁ ପ୍ରଶ୍ୱାସ ନେଉଛି, ଚାରିପଟର ଦୃଶ୍ୟ ଦେଖିପାରୁଛି, ନାନା ପ୍ରକାର ଖାଦ୍ୟ ଖାଇପାରୁଛି, ବାସ୍ନା ନେଇପାରୁଛି, ଶବ୍ଦ ଶୁଣିପାରୁଛି, ସହବାସ କରିପାରୁଛି- ଏ ସବୁଥିରେ ଗୋଟେ ମଜା ଅଛି । ମୋର ଗୋଟେ ଦଳ ଅଛି । ମୁଁ ସେମାନଙ୍କର ନେତା । ମୁଁ ଯାହା କହିବି ସେମାନେ କରିବେ । ମୋ ସମାଜରେ ମୋର ଗୋଟେ ମାନ୍ୟତା ଅଛି । ସମ୍ମାନ ଅଛି । ଶକ୍ତି ଅଛି । ଯେଉଁ ସ୍ତରର ହେଉ ନା କାହିଁକି- ଶକ୍ତି, ସମ୍ମାନର ଗୋଟେ ନିଶା ଅଛି । ମିଳିଲେ ଭଲ ଲାଗେ । ନିଜକୁ ଗୁରୁତ୍ୱପୂର୍ଣ୍ଣ ମନେ ହୁଏ । ଜୀବନର ଗୋଟେ ମାନେ ଅଛି ବୋଲି ମନେ ହୁଏ ।ବା କୁହନ୍ତୁ ମାନେ ଗୋଟେ ତିଆରି କରି ନେଇ ହୁଏ । ଏ ସବୁ ଛାଡ଼ି ଯିବାକୁ ମୋର ଜମା ଇଚ୍ଛା ନାହିିଁଁ । ମଣିଷ ତୁଳନାରେ କୁକୁରର ଜୀବନ ବହୁତ ଛୋଟ । ରାସ୍ତାର କୁକୁର ଜୀବନ ତ ମୋଟେ ୧୨-୧୩ ବର୍ଷ । ଏତିକି ଜୀବନକୁ ଭରପୂର ଭାବେ ଜୀଇଁବାକୁ ଇଚ୍ଛା ମୋର ।