Latest Odisha News

ସାରଙ୍ଗଧର ଦାସ

ସାରଙ୍ଗଧର ଦାସ

(୧୮୮୬-୧୯୫୬)
କ୍ଷେତ୍ର: ରାଜନୀତି, ଗଣନେତୃତ୍ୱ

ଗଡ଼ଜାତ ଗାନ୍ଧୀ ଭାବେ ସାରା ଓଡ଼ିଶାରେ ସୁପରିଚିତ ସାରଙ୍ଗଧର ଦାସ ଥିଲେ ଅନ୍ଧାରି ମୂଲକର ଶୋଷିତ, ଅତ୍ୟାଚାରିତ ଗଡ଼ଜାତ ପ୍ରଜାଙ୍କର ତ୍ରାଣକର୍ତ୍ତା। ଢେଙ୍କାନାଳ ସହର ନିକଟବର୍ତ୍ତୀ ହରେକୃଷ୍ଣପୁର ଗ୍ରାମରେ ୧୮୮୬ ଅକ୍ଟୋବର ୧୭ ତାରିଖରେ ପିତାମାତାଙ୍କ କନିଷ୍ଠ ସନ୍ତାନ ଭାବେ ଜନ୍ମ ଗ୍ରହଣ କରିଥିଲେ ସାରଙ୍ଗଧର । ୧୯୦୫ରେ ସେ କଲିକତା ବିଶ୍ୱବିଦ୍ୟାଳୟରୁ ଦ୍ୱିତୀୟ ଶ୍ରେଣୀରେ ଏଣ୍ଟ୍ରାନ୍ସ ପାସ୍ କଲେ ଓ ରେଭେନ୍ସାରେ ନାମ ଲେଖାଇଲେ । ସେଠାରେ ତାଙ୍କର ସାଙ୍ଗ ଥିଲେ ନୀଳକଣ୍ଠ ଦାସ । ତାଙ୍କ ଜରିଆରେ ଗୋପବନ୍ଧୁ, ଆଚାର୍ଯ୍ୟ ହରିହରଙ୍କ ସହ ଘନିଷ୍ଠ ହେବାର ସୁଯୋଗ ମିଳିଥିଲା ତାଙ୍କୁ । ସେଇମାନଙ୍କ ପ୍ରେରଣାରେ ସେ ସ୍ୱଦେଶ ଆନ୍ଦୋଳନ ପ୍ରତି ଆକର୍ଷିତ ହୋଇଥିଲେ । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ସାରଙ୍ଗଧର ସ୍ୱପ୍ନ ଦେଖୁଥିଲେ । ତେଣୁ ସେ ଜାପାନ ଯାଇ ସେଠାରେ ପ୍ରଥମେ ଦିଆସିଲି ଶିଳ୍ପ ସଂପର୍କରେ ଶିକ୍ଷା ଲାଭ କରିଥିଲେ । ପରେ ଆମେରିକା ଯାଇ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ବିଜ୍ଞାନରେ ନାମ ଲେଖାଇଥିଲେ । ସେଠାରୁ ଫେରିବା ପରେ ଢେଙ୍କାନାଳର ବ୍ରହ୍ମକୁଣ୍ଡଠାରେ ସାରଙ୍ଗଧର ଚିନି କାରଖାନା ବସାଇଲେ । ଏଥିପାଇଁ ସେ ଅନେକ ଋଣ କରିଥିଲେ । ଋଣ ନଶୁଝି ସ୍ୱାଧୀନତା ସଂଗ୍ରାମରେ ଝାସ ଦେବାକୁ ତାଙ୍କ ବିବେକ ବାଧା ଦେଉଥିଲା । ତେଣୁ ସେ ଗାନ୍ଧିଜୀଙ୍କ ପରାମର୍ଶରେ ରେଙ୍ଗୁନର ଚିନିକଳରେ ଚାକିରି କଲେ । ମାତ୍ର ସେଥିରେ ତାଙ୍କର ମନ ଲାଗିଲା ନାହିଁ । ନିଜ ମାଟିକୁ ଫେରିଆସି ସେ ରାଜାମାନଙ୍କ ହୁଙ୍କାପିଟା ଶାସନ ବିରୁଦ୍ଧରେ ପ୍ରଜାମଣ୍ଡଳ ଆନ୍ଦୋଳନର ନେତୃତ୍ୱ ନେଲେ । ପରେ ଗଡ଼ଜାତ ପ୍ରଜାମଣ୍ଡଳର ସାଧାରଣ ସମ୍ପାଦକ ପଦରେ ଅଧିଷ୍ଠିତ ହେଲେ । କଟକରୁ ପ୍ରକାଶିତ ‘କୃଷକ’ ପତ୍ରିକାରେ ‘ଲଣ୍ଡା ଦେହୁରି’ ଛଦ୍ମନାମରେ ସେ ଢେଙ୍କାନାଳ ରାଜାଙ୍କ ଅମାନୁଷିକ ବିବରଣୀ ଲେଖିଲେ । ସାରଙ୍ଗଧରଙ୍କ ନେତୃତ୍ୱରେ ପ୍ରଜାମଣ୍ଡଳ ଏକ ଲଢ଼ୁଆ ବାହିନୀରେ ପରିଣତ ହେଲା । ୧୯୩୮ରେ ସେ କଂଗ୍ରେସରେ ଯୋଗଦେଲେ । ଭାରତଛାଡ଼ ଆନ୍ଦୋଳନରେ ଯୋଗଦେଇ ଗିରଫ୍ ହେଲେ । ୧୯୪୬ରେ ନେହରୁଙ୍କ ପରାମର୍ଶକ୍ରମେ ସେ ସମ୍ବିଧାନ ପ୍ରଣୟନ ସଭାର ସଭ୍ୟପାଇଁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । ୧୯୪୬ରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ପରମ୍ପରା ବିରୁଦ୍ଧରେ ଯାଇ ଓଡ଼ିଆ ଭାଷାରେ ଭାଷଣ ଦେଲେ । ୧୯୫୧ରେ ସମାଜବାଦୀ ଦଳର ପ୍ରାର୍ଥୀ ଭାବେ ଢେଙ୍କାନାଳ ଲୋକସଭା ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ତାଙ୍କର ସମସ୍ତ ସମ୍ପତ୍ତି ସେ ବିଭିନ୍ନ ଟ୍ରଷ୍ଟକୁ ଅର୍ପଣ କରିଦେଇଥିଲେ । ୧୯୫୬ ସେପ୍ଟେମ୍ବର ୧୮ରେ ତାଙ୍କର ଦେହାନ୍ତ ହୋଇଥିଲା ।

ଆଲେଖ୍ୟ © ସରୋଜ ବଳ

Leave A Reply

Your email address will not be published.