ଗୋପବନ୍ଧୁ ଦାସ

ଗୋପବନ୍ଧୁ ଦାସ

(୧୮୭୭-୧୯୨୮)
କ୍ଷେତ୍ର: ସମାଜସେବା

ଉତ୍କଳମଣି ଗୋପବନ୍ଧୁ ଦାସ ଓଡ଼ିଆ ଜାତିର ଯୁଗପୁରୁଷ । ଏକାଧାରରେ ସେ ଥିଲେ ସମାଜସେବୀ, ଦେଶପ୍ରେମୀ, ରାଷ୍ଟ୍ରନୀତିଜ୍ଞ, ସଂସ୍କାରକ, ସାମ୍ବାଦିକ, ସୁଲେଖକ, କବି, ଶିକ୍ଷାବିତ୍‍ ଏବଂ ଆଇନଜ୍ଞ । ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ । ଜନ୍ମର ଅଳ୍ପ ଦିନ ପରେ ସେ ହରାଇଥିଲେ ମାତାଙ୍କୁ । ଗୋପବନ୍ଧୁଙ୍କ ସେବା ମନୋଭାବର ସୂଚନା ମିଳିଥିଲା ପିଲାଦିନରୁ । ନିଜ ଗ୍ରାମରେ ପ୍ରାଥମିକ ଶିକ୍ଷା ଶେଷ କରି ସେ ରୂପଦେଈପୁର ମିଡ଼ିଲ୍‍ ଭର୍ଣ୍ଣାକୁଲାର ସ୍କୁଲ୍‍ରେ ଅଧ୍ୟୟନ କଲେ । ୧୮୯୨ରେ ସେ ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ । ସେ ସମୟରୁ ତାଙ୍କର ସାହିତ୍ୟ ପ୍ରତି ରୁଚି ରହିଥିଲା । ମାତ୍ର ଷୋହଳ ବର୍ଷ ବୟସରେ ତାଙ୍କୁ ବିବାହ କରିବାକୁ ପଡ଼ିଥିଲା । ୧୮୯୯ରେ ରେଭେନ୍‍ସାରେ ଏଫ.ଏ. କଲାବେଳେ ତାଙ୍କ ପ୍ରଥମ ସନ୍ତାନର ବିୟୋଗ ଘଟିଲା । ୧୯୦୩ରେ ମଧୁବାବୁଙ୍କ ଆହ୍ୱାନ କ୍ରମେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ସେ ଯୋଗ ଦେଇଥିଲେ । କଲିକତାରେ ଏମ.ଏ. ଓ ଆଇନରେ ଯୋଗ୍ୟତା ହାସଲ କରିବା ପରେ ବି ତାଙ୍କର ଚାକିରି କରିବାକୁ ମନ ବଳିନଥିଲା । ତେବେ ଗୋଟେ ହାଇସ୍କୁଲରେ ସେ କିଛିଦିନ ଶିକ୍ଷକତା କରି ପରେ ପୁରୀରେ ଯାଇ ଆଇନ୍‍ ବ୍ୟବସାୟ କଲେ । ପୁରୀର ଏକମାତ୍ର ବିଶିଷ୍ଟ ଓକିଲ ଭାବେ ସେ ପ୍ରଚୁର ଅର୍ଥ ରୋଜଗାର କରିପାରିଥାନ୍ତେ; କିନ୍ତୁ ସେବା ଥିଲା ତାଙ୍କ ଜୀବନର ମୌଳିକ ବ୍ରତ । କୁଷ୍ଠାଶ୍ରମର ସଂପାଦକ ହୋଇ ସେ ସେମାନଙ୍କ କଥା ବୁଝୁଥିଲେ । ୧୯୦୯ରେ ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଗୋପବନ୍ଧୁଙ୍କୁ ସରକାରୀ ଓକିଲ ଭାବେ ନିଯୁକ୍ତ କରିଥିଲେ । ସେଠାରେ ସେ ସେବା ମନବୃତ୍ତି ନେଇ କାମ କରିବା ସହିତ ବହୁ ଜନହିତକର କାର୍ଯ୍ୟ କରିଥିଲେ । ତେବେ ଓକିଲାତିରେ ତାଙ୍କ ମନ ବୁଝୁନଥିଲା । ଶିକ୍ଷାରେ ସଂସ୍କାର ଆଣିବା ପାଇଁ ସେ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କଲେ । ନୀଳକଣ୍ଠ, ହରିହର, ଗୋଦାବରୀଶ ଓ କୃପାସିନ୍ଧୁଙ୍କ ଭଳି ଯୋଗଜନ୍ମା ମନୀଷିମାନେ ଆସି ତାଙ୍କ ସହ ଯୋଗଦେଲେ । ୧୯୧୫ରେ ସେ ‘ସତ୍ୟବାଦୀ’ ପତ୍ରିକା ପ୍ରକାଶ କରିଥିଲେ । ‘ସମାଜ’ ଖବରକାଗଜ ଥିଲା ଓଡ଼ିଶାବାସୀଙ୍କ ପାଇଁ ତାଙ୍କର ବଡ଼ ଉପହାର । ଗୋପବନ୍ଧୁଙ୍କ ଆଦର୍ଶ ପ୍ରାୟ ଗାନ୍ଧୀଙ୍କ ଭଳି ଥିଲା । ତେଣୁ ତାଙ୍କୁ କେହିକେହି ଓଡ଼ିଶାର ଗାନ୍ଧୀ ବୋଲି ମଧ୍ୟ କହନ୍ତି । ‘ବନ୍ଦୀର ଆତ୍ମକଥା’ ଭଳି ଅନେକ ଉଚ୍ଚକୋଟୀର କବିତା ପୁସ୍ତକ ରଚନା କରି ସେ ସାହିତ୍ୟ ମହଲରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ବାଛିନେଇଥିଲେ । ୧୯୨୮ ମସିହା ଜୁନ୍‍ ୧୭ରେ ତାଙ୍କର ଦେହାନ୍ତ ହୋଇଥିଲା ।

ଆଲେଖ୍ୟ © ସରୋଜ ବଳ