ତୋ ସହ ଗୋଟେ ରାତି
ସରୋଜିନୀ ଶଙ୍ଖୁଆ
ଏଣିକି ରାତି ଘନେଇ ଆସିଲେ
ତୋ ଘରେ ଆଲୁଅ ଜଳିଲେ
ମୁଁ ହସେ ଫାଳିକିଆ ଜହ୍ନ ହେଇ
ଦୂର ଆକାଶରେ…
ବାହାରେ ମୋ ଅନ୍ଧାରି ସ୍ୱପ୍ନମାନେ
ଇତସ୍ତତଃ ହୋଇ ଘୁରି ବୁଲନ୍ତି
ତୋ ଆଲୁଅର ଅଲୋଡ଼ା ପଣରେ…
ମୋ ଚାରିପଟେ ଘେରି ରହିଥିବା
ଭାବନାର ତାରାମାନେ ମତେ
ଆଖି ଠାର ମାରି କହନ୍ତି
ଦେଖ୍ ସେ ଘରର ଖୋଲା ଦରଜା,
ମୁକ୍ତ ଅଗଣା, ଉଜ୍ଜ୍ୱଳ ଆଲୋକ
କିଛି ତୋର ନୁହେଁ, ତୁ ଖାଲି
ତୋ ଆଶାମାନଙ୍କୁ ପଲିଥିନରେ ବାନ୍ଧି
ଘର ବାହାର ଗଛରେ ଝୁଲେଇ ଦେଇପାରୁ
ପବନ ଉଡ଼େଇ ନ ନବା ଯାଏଁ…
ମୁଁ କିନ୍ତୁ ଅମାନିଆ, ଆବୋରି ବସେ
ତୋ ଚାରିପାଖର ଅନ୍ଧାର,
ନୀଳ ରଙ୍ଗର ଶୂନ୍ୟତା,
ଆଉ ମେଘ ପରି ଭାସି ଯାଉଥିବା
ଅନ୍ୟମନସ୍କତାକୁ ତୋ ସହ
ଗୋଟେ ରାତିର ସନ୍ତକ କରି..